ଦୋଳରେ ଗୋପାଳଙ୍କ ସ୍ୱତନ୍ତ୍ର ଉତ୍ସବ; ଓଗାଳ-ଲଉଡି-ବାଡ଼ିଖେଳର କଣ ରହିଛି ସ୍ୱତନ୍ତ୍ରତା
ରାଧାକୃଷ୍ଣଙ୍କ ଅପୂର୍ବ ମିଳନ ଏବଂ ଫଗୁ ମିଳନକୁ ଗୋପାଳମାନେ ଅତ୍ୟନ୍ତ ଆଡମ୍ବର ସହକାରେ ପାଳନ କରିଥାନ୍ତି । ଗୋପାଳମାନଙ୍କ ଘରେ ଘରେ ଉତ୍ସବର ମାହୋଲ ଜମିଥାଏ ।

Published : March 4, 2026 at 9:46 AM IST
ରିପୋର୍ଟ: ଜୀବନ ଜ୍ୟୋତି ନାୟକ
ବାଲେଶ୍ବର: ଯାଦବ ବା ଗୋପାଳଙ୍କ ଆଦ୍ୟ ପର୍ବ ଦୋଳ ପୂର୍ଣ୍ଣିମା । ରାଧାକୃଷ୍ଣଙ୍କ ଅପୂର୍ବ ମିଳନ ପାଇଁ ଏହି ଦିବସର ଖାସ୍ ମହତ୍ତ୍ବ ରହିଛି । ଚତୁର୍ଦ୍ଦଶୀରୁ ଦୋଳ ଉତ୍ସବ ଆରମ୍ଭ ହୋଇଥାଏ । ଏହି ଉତ୍ସବ ଚାରିଦିନ ଧରି ଖୁବ୍ ଯାକଜମକରେ ପାଳିତ ହୁଏ । ରାଧାକୃଷ୍ଣଙ୍କ ଅପୂର୍ବ ମିଳନ ଏବଂ ଫଗୁ ମିଳନକୁ ଗୋପାଳମାନେ ଅତ୍ୟନ୍ତ ଆଡମ୍ବର ସହକାରେ ପାଳନ କରିଥାନ୍ତି । ଗୋପାଳମାନଙ୍କ ଘରେ ଘରେ ଉତ୍ସବର ମାହୋଲ ଜମିଥାଏ । ଦୋଳ କଳସ ଆଣିବା ହେଉ କିମ୍ବା ଲଉଡ଼ି ଖେଳ, ବିଭିନ୍ନ ପ୍ରାଚୀନ ପରମ୍ପରା ଅନୁଯାୟୀ ଆଜି ମଧ୍ୟ ଯାଦବମାନେ ଦୋଳ ପୂର୍ଣ୍ଣିମା ପାଳନ କରିଥାନ୍ତି ।
ଯାଦବଙ୍କ ଦୋଳ କଳସ ପରମ୍ପରା:
ଭଗବାନ ଶ୍ରୀକୃଷ୍ଣ ଯାଦବ କୂଳରେ ଜନ୍ମ ଲାଭ କରିଥିଲେ । ସେ କାଳରେ ପ୍ରଚଳିତ ଦୋଳ ପୂର୍ଣ୍ଣିମା ପରମ୍ପରାକୁ ଆଜି ମଧ୍ୟ ଏଠାକାର ଯାଦବ ବା ଗୋପାଳ ମାନେ ବଞ୍ଚାଇ ରଖିଛନ୍ତି । ଦୋଳ ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ପ୍ରତି ଯାଦବଙ୍କ ଘରୁ ସ୍ତ୍ରୀ ଲୋକମାନେ ନୂଆ ଲୁଗା ପିନ୍ଧି ପୋଖରୀ କିମ୍ବା ନଈରୁ କଳସ ବୁଡାଇବା ପାଇଁ ଯାଇଥାନ୍ତି । ଏହି କଳସକୁ "ରାଧା କଳସ" ବା ଫୁଲ କୁମ୍ଭ ବୋଲି କୁହାଯାଇଥାଏ । ଏହି ରାଧା କଳସ ଆଣିବା ସମୟରେ ବ୍ରାହ୍ମଣମାନେ ପୂଜା କରିବା ପରେ ରାଧା କଳସ ଆସିଥାଏ । ରାଧା କଳସ ବୁଡାଇ ଆଣିବା ପରେ ସମସ୍ତେ ନିଜ ନିଜ ଘରେ ସ୍ଥାପନ କରିଥାନ୍ତି ।

ଦ୍ବିପ୍ରହର ସମୟରେ ଗୋପାଳ ଘରର ପୁରୁଷ ଲୋକମାନେ କୁମ୍ଭ ବୁଡାଇବାକୁ ଯାଇଥାନ୍ତି । ଯେଉଁଠି ଓଗାଳ ଗାନ କରିବା ସହ ଲଉଡ଼ି ଖେଳ ମଧ୍ୟ ହୋଇଥାଏ । ସେମାନେ କୁମ୍ଭ ବୁଡାଇ ଆସିବା ବେଳକୁ ଗ୍ରାମ ଦେବତୀ କିମ୍ବା ମନ୍ଦିରରେ ପୂଜା କରି ଘରେ ଆଣି ସ୍ଥାପନ କରାଯାଇଥାଏ । ସେହି କୁମ୍ଭର ପାଣିରେ ଗୋ ମାତାଙ୍କୁ ଗାଧୋଇ ଦେଇ ଗୋପୂଜନ କରାଯାଇଥାଏ । ଏହାପରେ ଘରେ ଚୁଲି ଲାଗିଥାଏ । ଏହି ଦିନ ମାନଙ୍କରେ ଗୋପାଳ ଘରେ ଶୁଦ୍ଧ ନିରାମିଷ ଭୋଜନ ରନ୍ଧା ଯାଇଥାଏ । ଶେଷ ଦିନରେ ପୁଣି ଲଉଡି ଗାନ କରି ଫୁଲ କୁମ୍ଭ ବିସର୍ଜନ କରାଯାଇଥାଏ ।

ଆୟୋଜିତ ହୁଏ ଭବ୍ୟ ଉତ୍ସବ:
ଚଳିତବର୍ଷ ବାଲେଶ୍ୱର ସୁନହଟ ଅଞ୍ଚଳରେ ଥିବା ଗୋପାଳମାନେ ଚତୁର୍ଦ୍ଦଶୀଦିନରୁ ଉତ୍ସବର ଆୟୋଜନ କରିଛନ୍ତି । ଗୋପାଳମାନଙ୍କ ଏହି ସ୍ୱତନ୍ତ୍ର ପର୍ବ ସମ୍ପର୍କରେ ଡାକ୍ତର ଶାନ୍ତନୁ ଦାସ କହିଛନ୍ତି ଯେ, ଗୋପାଳଙ୍କର ପାରମ୍ପରିକ ଉତ୍ସବ ମଧ୍ୟରେ ଦୋଳ ଉତ୍ସବ ପ୍ରମୁଖ ଅଟେ । ଏହି ପର୍ବରୁ ବର୍ଷର ସମସ୍ତ କାର୍ଯ୍ୟକ୍ରମ ପ୍ରାୟ ଆରମ୍ଭ ହୁଏ । ଗୋପାଳ ମାନଙ୍କ ଆଦ୍ୟ ପୂଜ୍ୟ ଶ୍ରୀକୃଷ୍ଣଙ୍କୁ ନେଇ ଏହି ଉତ୍ସବ ଆରମ୍ଭ ହୁଏ । ଏହି ଅବସରରେ ରାଧାକୃଷ୍ଣଙ୍କ ଏକ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଏ । ଗୋପାଳ ମାନଙ୍କ ବିଭିନ୍ନ ପାରମ୍ପରିକ ରୀତି ନୀତି ପର୍ଯ୍ୟାୟ କ୍ରମେ ପାଳନ କରାଯାଏ ।

ଡାକ୍ତର ଶାନ୍ତନୁ ଦାସ କହିଛନ୍ତି, "ଚତୁର୍ଥୀ ତିଥିରୁ ଆରମ୍ଭ ହୋଇଥାଏ ଫଗୁ ଉତ୍ସବ । ଯେଉଁମାନେ ଆମର ଫୁଲ କୁମ୍ଭ ବା ଶୁଭ କୁମ୍ଭ ସ୍ଥାପନା କରିଥାନ୍ତି, ସେମାନେ ମଧ୍ୟ ହଳଦୀ ଲଗାଇ ଖେଳିଥାନ୍ତି । ଏହି ଅବସରରେ ଫଗୁ ଖେଳ ହୁଏ । ରାଧାକୃଷ୍ଣଙ୍କ ମିଳନ ପାଇଁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥାଏ ।"
ଫୁଲ କୁମ୍ଭ ଓ ଓଗାଳ ଗାନର ଭିନ୍ନ ପରମ୍ପରା:
ସେହିପରି ଅନ୍ୟ ଜଣେ ଗୋପାଳ ପ୍ରଦୀପ କୁମାର ବାରିକ ରୀତିନୀତି ସମ୍ପର୍କରେ କହିଛନ୍ତି ଯେ, ଗାଈ ଗୁହାଳ ସଫା କରାଯାଇ ପ୍ରଥମେ ଗାଈଙ୍କୁ ପୂଜା କରାଯାଇଥାଏ । ଗାଈଙ୍କ ଶରୀରରେ ରଙ୍ଗ ବା ଅବିର ଲଗାଯାଇଥାଏ । ଏହା ପରେ ଘରର ମହିଳାମାନେ ଫୁଲ କୁମ୍ଭ ସ୍ଥାପନ କରନ୍ତି । ଅପରାହ୍ନରେ ଗୋପାଳ ଭାଇମାନେ ଭାର ନେଇ ମନ୍ଦିର ନିକଟରେ ଏକତ୍ରିତ ହୋଇଥାନ୍ତି । ଏହା ପରେ ଓଗାଳ ଗାନ କରି ସ୍ୱତନ୍ତ୍ର ବାଡ଼ି ଖେଳ ହୋଇଥାଏ ।

"ପୋଖରୀରେ କୁମ୍ଭ ବୁଡାଇବାକୁ ଯାଇଥାଉ । ସେଠାରେ କୁମ୍ଭ ବୁଡାଇ ପୁଣି ବାଡ଼ିଖେଳ ହୁଏ । ଏହା ପରେ ଘରକୁ ଆସି କୁମ୍ଭ ସ୍ଥାପନ କରିଥାଉ । କୁମ୍ଭର ନାମ ହେଉଛି ଫୁଲ କୁମ୍ଭ । ଏଥିରେ ପାଣି, ଆମ୍ବ ଡାଳ, କଉଡ଼ି, କଷାଫଳ ରହି ଅବିର ଛିଞ୍ଚା ଯାଇଥାଏ । ଏହା ପରେ ଭଗବାନଙ୍କ ପାଦରେ ଅବିର ବୋଳାଯାଇ ଏପରି ରୀତିନୀତିର ପାଳନ କରାଯାଇଥାଏ । ଏହି ସବୁ ପରମ୍ପରା ଗୋପାଳ ମାନଙ୍କ ପାଇଁ ସ୍ୱତନ୍ତ୍ରତା ରକ୍ଷା କରିବା ସହିତ ଓ ଜାତି ପାଇଁ ଗୌରବ ଆଣିଥାଏ" ବୋଲି ଗୋପାଳ ଜଣକ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

