ETV Bharat / state

ପାଣି ପାଇଁ ପୁଅଙ୍କୁ ଗାଁ ମନା ! ଡାକ୍ତରଙ୍କ ବଦାନ୍ୟତାରେ ଲାଗିଛି ଫ୍ଲୋରାଇଡ୍‌ ପ୍ୟୁରିଫାୟର

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତର ମୁଖ୍ୟତଃ ଦୁଇଟି ଗାଁ ଚକୁଳିଆ ଏବଂ କୁଅଁରପୁରରେ ଦୂଷିତ ଜଳ ପିଇ ରୋଗରେ ଆକ୍ରାନ୍ତ ଶହ ଶହ ଲୋକ ।

Balasore fluoride water crisis Remuna block villages toxic ground water fluorosis
ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତର ମୁଖ୍ୟତଃ ଦୁଇଟି ଗାଁ ଚକୁଳିଆ ଏବଂ କୁଅଁରପୁରରେ ଦୂଷିତ ଜଳ ପିଇ ରୋଗରେ ଆକ୍ରାନ୍ତ ଶହ ଶହ ଲୋକ (ETV Bharat)
author img

By ETV Bharat Odisha Team

Published : February 25, 2026 at 8:57 PM IST

5 Min Read
Choose ETV Bharat

ସ୍ପେଶାଲ ରିପୋର୍ଟ: ଜୀବନଜ୍ୟୋତି ନାୟକ

Balasore Fluorosis Crisis ବାଲେଶ୍ବର: ଅକାଳରେ ବାର୍ଦ୍ଧକ୍ଯ ଆସୁଛି । ଦାନ୍ତ ହଳଦିଆ ହୋଇଯାଉଛି । ହାତ ଗୋଡ଼ ବଙ୍କା ହୋଇଯାଉଛି, ଆଣ୍ଠୁ ମାଡି ବସି ହେଉନାହିଁ । ଲୋକ ଅର୍କମଣ୍ୟ ହୋଇଯାଉଛନ୍ତି । ଆଉ ଜୀବନ ଚାଲିଯାଉଛି । ତେଣୁ ନିଜ ପିଲାମାନଙ୍କୁ ଗାଁରେ ରହିବାକୁ ବାପା-ମାଆମାନେ ମନା କରୁଛନ୍ତି । ତେବେ ଏହାର କାରଣ ହେଉଛି ପାଣି । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତର ମୁଖ୍ୟତଃ ଦୁଇଟି ଗାଁ ଚକୁଳିଆ ଏବଂ କୁଅଁରପୁରରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି ।

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତର ମୁଖ୍ୟତଃ ଦୁଇଟି ଗାଁ ଚକୁଳିଆ ଏବଂ କୁଅଁରପୁରରେ ଦୂଷିତ ଜଳ ପିଇ ଫ୍ଲୋରାସିସ ରୋଗରେ ଆକ୍ରାନ୍ତ ଶହ ଶହ ଲୋକ (ETV Bharat)

କାହିଁକି ଜଳ, କାଳ ସାଜିଛି:

ପତ୍ରିପାଳ ପଞ୍ଚାୟତର ଏହି ଦୁଇ ଗାଁରେ ପାଣି ପିଇ ଲୋକମାନଙ୍କ ମଧ୍ୟରେ ରିମାଟିଯିମ୍‌ ରୋଗ (Rheumatism Disease) ଦେଖିବାକୁ ମିଳୁଛି । ପାଣିରେ ମାତ୍ରାଧିକ ଫ୍ଲୋରାଇଡ୍‌ ରହିଥିବା ଏହାକୁ ପିଇ ପିଲା ଠାରୁ ବୃଦ୍ଧ ଯାଏଁ ସମସ୍ତେ ଫ୍ଲୋରାସିସ ରୋଗରେ ଆକ୍ରାନ୍ତ ହେଉଛନ୍ତି । କେହି କେହି ଏଥିପାଇଁ ମୃତ୍ୟୁମୁଖରେ ମଧ୍ୟ ପଡୁଛନ୍ତି । ପୂର୍ବରୁ ଲୋକମାନଙ୍କ ମଧ୍ୟରେ ଏମିତି ରୋଗ ଦେଖାଯିବାକୁ ଅଜଣା ରୋଗ ବୋଲି କୁହାଯାଉଥିଲା । ପାଣିରେ ଫ୍ଲୋରାଇଡ୍‌ ଥିବା କଥା ପ୍ରଥମେ ୨୦୦୪-୦୫ ମସିହାରେ ଜଣାପଡିଥିଲା । ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଲୋକମାନଙ୍କ ଦାନ୍ତ ହଳଦିଆ ପଡ଼ିବା, ୪୦ ବର୍ଷ ପରେ ହାତଗୋଡ଼ ବଙ୍କା ହୋଇଯିବା ଏବଂ ଅଦିନରେ ବାର୍ଦ୍ଧକ୍ୟ ଗ୍ରାସ କରିବା ଭଳି ଲକ୍ଷଣ ଦେଖାଦେଉଛି । କିଛି ଲୋକ ଗାଁ ଛାଡ଼ି ସହରକୁ ପଳାଇ ଆସିବାକୁ ଚିନ୍ତା କରୁଥିବା ବେଳେ ଆଉ କିଛି ଲୋକ ସେମାନଙ୍କ ପିଲାମାନଙ୍କୁ ବାହାରକୁ ପଠାଇ ଦେଉଛନ୍ତି ।

Fluoride Removal water Purification System
ଫ୍ଲୋରାଇଡ୍ ଅପସାରଣ ଜଳ ବିଶୋଧନ ବ୍ୟବସ୍ଥା (ETV Bharat)

ପୁଅଙ୍କ ଅଭିଶପ୍ତ ପାଣି !

ସେପଟେ ଝିଅ ବାହା ହୋଇ ଅନ୍ୟ ଗାଁକୁ ଚାଲି ଯାଉଥିବା ବେଳେ ପୁଅମାନଙ୍କ ଜୀବନ ଏକ ପ୍ରକାର ଅଭିଶପ୍ତ ପାଲଟି ଯାଉଛି । ଗାଁରେ ଏମିତି ପାଣି ସମସ୍ୟା ଦେଖି ପିଲାମାନଙ୍କୁ ବାହାରେ ରହିବାକୁ ପରାମର୍ଶ ଦେବା ସହ ନିଜେ ମଧ୍ୟ ଫ୍ଲୋରାସିସ୍‌ରେ ଆକ୍ରାନ୍ତ ହୋଇ ଏକ ପ୍ରକାର ଅଚଳ ହୋଇଯାଇଛନ୍ତି କୁଅଁରପୁର ଗାଁର ନିରଞ୍ଜନ ସେଠୀ । ନିରଞ୍ଜନଙ୍କର ହାତ ଗୋଡ଼ ଉଠୁ ନଥିବା ବେଳେ ସେ ବେକ ମଧ୍ୟ ବୁଲାଇ ପାରୁନାହାନ୍ତି । ନିଜ ନିତ୍ୟକର୍ମ କରିବା ପାଇଁ ସେ ଅନ୍ୟ ଉପରେ ନିର୍ଭର କରୁଛନ୍ତି । ପ୍ରାୟ ୨୫ ବର୍ଷ ହେଲାଣି ନିରଞ୍ଜନ ଏମିତି ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗୁଛନ୍ତି । ତାଙ୍କ ସ୍ତ୍ରୀ ମଧ୍ୟ ଲକ୍ଷ୍ମୀ ଏବେ କିଛି ବର୍ଷ ହେବ ଫ୍ଲୋରାସିସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ଗୋଡ଼, ପାଦ ବଙ୍କା ହୋଇଯାଇଥିବା ବେଳେ ସେ ଆଣ୍ଠୁ ମାଡି ବସି ପାରୁନାହାନ୍ତି ।

ନିରଞ୍ଜନ ସେଠୀ କହିଛନ୍ତି, "ପାଣି ପିଇ ଏମିତି ରୋଗ ହେଉଛି । ଯାହା ଔଷଧ ଖାଇଲେ ବି କିଛି କାମ କରୁନାହିଁ । ପାଣି ପାଇଁ ରୋଗ ହେଉଥିବାରୁ ପିଲାଙ୍କୁ ବାହାରକୁ ପଠାଇ ଦିଆଯାଉଛି । ଗାଁକୁ ଆସିବା ପାଇଁ ମନା କରାଯାଉଛି । ରୋଗରେ ବହୁତ ଲୋକଙ୍କ ମୃତ୍ୟୁ ହେଲାଣି ।"

ବିଷ ପାଲଟି ଯାଉଛି ପାଣି !

ତେବେ ଚକୁଳିଆ ଓ କୁଅଁରପୁର ଗାଁରେ ଲୋକସଂଖ୍ୟା ଏକ ହଜାରରୁ ଅଧିକ ଥିବା ବେଳେ ୨୦୦ରୁ ଅଧିକ ଲୋକ ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଲୋକଙ୍କ କହିବା କଥା ଯେ, ଏଠି ନଳକୂପ ୫୦ ଫୁଟ ଖୋଳିଲେ ଜୀବାଣୁ ଯୁକ୍ତ ପାଣି ଓ ୫୦ ଫୁଟ ତଳକୁ ଖୋଳିଲେ ଫ୍ଲୋରାଇଡ୍‌ଯୁକ୍ତ ପାଣି ବାହାରୁଛି । ସେଥିପାଇଁ ପିଇବା ପାଣି ବିଷ ପାଲଟି ଯାଉଛି । ଯେଉଁ ପାଣି ପିଇ ଲୋକମାନେ ବିକଳାଙ୍ଗ ହୋଇଯାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ ଗାଁ ପ୍ରାରମ୍ଭରେ ଥିବା ବହାର୍ଦ୍ଦା ନୋଡାଲ ଉପ୍ରା ବିଦ୍ୟାଳୟରେ ଏକ ଫ୍ଲୋରାଇଡ୍‌ ଅପସାରଣ ଜଳ ବିଶୋଧନ ବ୍ୟବସ୍ଥା (Fluoride Removal Water Purification System) କରାଯାଇଛି । ଯାହାକି ଘଣ୍ଟାକୁ ୧୫ ଲିଟର ଫ୍ଲୋରାଇଡ୍‌ ମୁକ୍ତ ପାଣି ପ୍ରଦାନ କରୁଛି । ସେହି ପାଣି ସ୍କୁଲ ପିଲାମାନେ ପିଇବାର ସୁଯୋଗ ପାଇ ପାରୁଛନ୍ତି ।

ଚକୁଳିଆ ଗାଁର ବାସିନ୍ଦା ପ୍ରଭାକର ଦାସ କହିଛନ୍ତି, "ପତ୍ରିପାଳ ପଞ୍ଚାୟତର ଏହି ଦୁଇ ଗାଁରେ ପ୍ରାୟ ୭୦ ପ୍ରତିଶତ ଲୋକ ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇ ୫୦-୬୦ ଜଣ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି । ବୟସ ୪୦ ଡେଇଁବା ପରେ ଏ ରୋଗ ଆକ୍ରାନ୍ତ ଅଧିକ ମାତ୍ରାରେ ହେଉଛି । ବହୁ ଲୋକ ବିକଳାଙ୍ଗ ହୋଇଯାଉଛନ୍ତି ।"

Balasore Fluorosis Crisis
ରୋଗାକ୍ରାନ୍ତ ବ୍ୟକ୍ତି (ETV Bharat)

ଫ୍ଲୋରାଇଡ୍‌ ଅପସାରଣ ଜଳ ବିଶୋଧନ ବ୍ୟବସ୍ଥା:

ବାଲେଶ୍ୱର ସହଦେଵଖୁଣ୍ଟା ଅଞ୍ଚଳରେ ଥିବା ଶକୁନ୍ତଳା ରିମୋଟୋଲୋଜି ହସ୍ପିଟାଲ ଏବଂ ଗବେଷଣା ପ୍ରତିଷ୍ଠାନ ସହିତ ଇଣ୍ଡୋ-ସ୍ୱିଡିସ୍, HVR ଜଳ ବିଶୋଧନ AB-ଷ୍ଟକହୋମର ବୈଷୟିକ ସହାୟତାରେ ରିମୋଟୋଲୋଜି ଫାଉଣ୍ଡେସନ୍ ମିଶି ଏହି ପ୍ୟୁରିଫାୟର ପ୍ରକଳ୍ପ ବ୍ୟବସ୍ଥା କରାଇଛନ୍ତି । ସ୍ବେଡେନରେ ରିମୋଟୋଲୋଜି ଡାକ୍ତର ଭାବେ ବେଶ ନାଁ କମେଇଥିବା ବାଲେଶ୍ୱର ବଇଁଚା ଅଞ୍ଚଳର ଡାକ୍ତର ରବି ନାରାୟଣ ଦାଶଙ୍କ ଉଦ୍ୟମରେ ସ୍କୁଲରେ ଏମିତି ଏକ ପ୍ରକଳ୍ପ ସ୍ଥାପନ କରାଯାଇଛି ।

ଏହି ପ୍ରକଳ୍ପ ସ୍ଥାପନ ପାଇଁ ଡ଼ାକ୍ତର ରବି ନାରାୟଣ ଦାଶଙ୍କ ସହ ସ୍ବେଡେନର ଡାକ୍ତର ପ୍ରଫେସର ଡ଼ ଉର୍ବାନ୍ ରିଧଳମ, ପ୍ରଫେସର ଡ଼ ବିର୍ଗର ହାଇଲେଣ୍ଡର, ଡ଼ ଡାନିଏଲ ୱୋଲ୍ଡମେରିଅମ୍, ଡକ୍ଟର ମହମ୍ମଦ ଏରଶାଦୁଲ୍ଲା ଖାନ ଆଦି ପ୍ରାୟ ୧୦ରୁ ୧୨ ବର୍ଷ ଧରି ଏହି ସ୍ଥାନର ପାଣି ଓ ଏଥିରୁ କେମିତି ଫ୍ଲୋରାଇଡ୍‌ ବାହାର କରି ବିଶୁଦ୍ଧ ପାଣି ଯୋଗାଇ ହେବ ସେନେଇ ରିସର୍ଚ୍ଚ କରିବା ପରେ ଗତ ଫେବୃଆରୀ ୫ରେ ଏହାର ଉଦ୍‌ଘାଟନ କରାଯାଇଛି । ଯେଉଁଥିରୁ ଶୁଦ୍ଧ ପାଣି ସ୍କୁଲ ପିଲାଙ୍କ ସହ ପାଖରେ ଥିବା ଅଙ୍ଗନବାଡି କେନ୍ଦ୍ରର ପିଲାଙ୍କୁ ମଧ୍ୟ ପ୍ରଦାନ କରାଯାଉଛି ।


କେମିତି ଜଣାପଡ଼ିଲା ପାଣିରେ ଅଛି ଫ୍ଲୋରାଇଡ୍‌ ?

ଡାକ୍ତର ରବି ନାରାୟଣ ଦାଶଙ୍କ ବନ୍ଧୁ ସୌରଭ କୁମାର ବେହେରା କହିଛନ୍ତି, ‘ସହଦେବଖୁଣ୍ଟା ଅଞ୍ଚଳରେ ରବି ନାରାୟଣ ତାଙ୍କ ମାଆଙ୍କ ନାମରେ 'ଶକୁନ୍ତଳା ରିମାଟୋଲୋଜି ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌' କରିଛନ୍ତି । ସେ ପ୍ରତି ତିନି ମାସରେ ଥରେ ସ୍ବେଡେନରୁ ବାଲେଶ୍ୱର ଆସି ମାଗଣାରେ ରୋଗୀସେବା କରିଥାନ୍ତି । ସେ ବିଭିନ୍ନ ଗ୍ରାମାଞ୍ଚଳ ବୁଲି ଶିବିର ପକାଇ ରୋଗୀ ସେବା କରିଥାନ୍ତି । ତାଙ୍କ ସହ ଉର୍ବାନ ରିଧଳମ, ବିର୍ଗର ହାଇଲେଣ୍ଡର ଗାଁ ଗାଁ ବୁଲି ଲୋକଙ୍କ ରୋଗ କଥା ବୁଝିଥାଆନ୍ତି । ଏହାରି ଭିତରେ ୨୦୧୪-୧୫ ମସିହାରେ ରେମୁଣାର ଚକୁଳିଆ ଓ କୁଅଁରପୁର ଗାଁରେ ଶିବିର ଚାଲିଥିବା ବେଳେ ସେଠାକାର ଲୋକଙ୍କ ମଧ୍ୟରେ ଏମିତି ଲକ୍ଷଣ ଦେଖାଯାଇଥିଲା । ରୋଗର କାରଣ ଜାଣିବା ପାଇଁ ସେମାନେ ପାଣି ନମୁନା ପରୀକ୍ଷା କରିଥିଲେ । ନମୁନା ପରୀକ୍ଷା ପରେ ପାଣିରେ ପ୍ରାୟ ୮୦ ପ୍ରତିଶତ ଫ୍ଲୋରାଇଡ୍‌ ରହିଥିବା ଜଣାପଡିଥିଲା ।

Fluoride Removal water Purification System
ଫ୍ଲୋରାଇଡ୍ ଅପସାରଣ ଜଳ ବିଶୋଧନ ବ୍ୟବସ୍ଥା (ETV Bharat)

ଖରାଦିନେ ଏହାର ମାତ୍ରା ଆହୁରି ବୃଦ୍ଧି ହୋଇଯାଇଥାଏ । ଯେଉଁଥି ପାଇଁ ଅଧିକାଂଶ ଲୋକ ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ଅଞ୍ଚଳର ପାଣିକୁ କିବଳି ବିଶୁଦ୍ଧ କରାଯାଇ ପାରିବ ସେନେଇ ସ୍ବେଡେନରେ ଏକ ବଡ଼ ପାଣି ବିଶୋଧନ କମ୍ପାନୀ HVR ପ୍ରାୟ ୧୦ ବର୍ଷ ରିସର୍ଚ୍ଚ କରିଥିଲା । ପରେ ଏକ ଫ୍ଲୋରାଇଡ୍ ଅପସାରଣ ଜଳ ବିଶୋଧନ ମେସିନ ପ୍ରସ୍ତୁତ କରାଯାଇଥିଲା, ଯାହା ବର୍ତ୍ତମାନ ଲୋକମନାଙ୍କୁ ବିଶୁଦ୍ଧ ପାଣି ଯୋଗାଇବାରେ ସହାୟକ ହେଉଛି ।

ସୌରଭ କୁମାର ବେହେରା କହିଛନ୍ତି, ଏହି ମେସିନ ବା ପ୍ରକଳ୍ପ ପ୍ରଥମ କରି ତିଆରି ହୋଇଛି । କିନ୍ତୁ ଉଚିତ୍‌ ଭାବେ ବିଦ୍ୟୁତ୍‌ ସରାବରାହ ମିଳୁ ନଥିବାରୁ କେତେବେଳେ ସୋଲାର ତ କେତେବେଳେ ବିଦ୍ୟୁତ ଦ୍ୱାରା ପାଣି ବିଶୁଦ୍ଧ କରାଯାଉଛି । ଏବେ ଘଣ୍ଟାକୁ ୧୫ ଲିଟର ପାଣି ବାହାରୁଛି । ଯଦି ବିଦ୍ୟୁତ ୩୦ କିଲୋୱାଟ ଲୋଡ୍‌ ମିଳିଯାଏ ତେବେ ଘଣ୍ଟା ପ୍ରତି ୫୦ ଲିଟର ପାଣି ବାହାରି ପାରନ୍ତା ।"

ଫ୍ଲୋରାଇଡ୍‌ ଅପସାରଣ ଜଳ ବିଶୋଧନ ମେସିନ ଅପରେଟ କରୁଥିବା ଯୁବକଙ୍କ ଦରମା, ମେସିନର ମରାମତି, ବିଦ୍ୟୁତ ବିଲ୍‌ ଆଦି ସମସ୍ତ ଖର୍ଚ୍ଚ ଡାକ୍ତର ରବି ନାରାୟଣ ଦାଶ ବହନ କରୁଛନ୍ତି । ଏହି ମେସିନ ଅପରେଟ କରୁଥିବା ଅରୁଣ କୁମାର ମଣ୍ଡଳଙ୍କ କହିବା କଥା ଯେ, ଜଳ ବିଶୋଧନ ମେସିନ ସ୍କୁଲ ପିଲାମାନଙ୍କୁ ବେଶ ଫାଇଦା ହୋଇଛି । ପିଲାଙ୍କ ପିଇବା ଓ ରୋଷେଇ ପାଇଁ ପାଣି ଦିଆଯାଉଛି । ପିଲାଙ୍କୁ ଭଲ ପାଣି ଦିଆଯାଉଛି, ଯେମିତି ସେମାନେ ସୁସ୍ଥ ରହିବେ । ସକାଳେ ପ୍ରଥମେ ଅଙ୍ଗନବାଡି ପାଇଁ ପାଣି ଦିଆଯାଏ । ପରେ ସ୍କୁଲମାନଙ୍କୁ ପାଇଁ ପାଣି ଦିଆଯାଏ ।

ଅରୁଣ କୁମାର ମଣ୍ଡଳ କହିଛନ୍ତି, ଜରୁରୀକାଳିନ ପାଇଁ ସୋଲାରରେ ପାଣି ଗରମ ହେଉଛି କିନ୍ତୁ ସୋଲାର ସବୁବେଳେ ଚାଲି ପାରୁନାହିଁ । ସେଥିପାଇଁ ଥ୍ରୀ ଫେଜ ଲାଇନ ସଂଯୋଗ ହୋଇଛି । ଯାହାର ବିଦ୍ୟୁତ ବିଲ ୬ ହଜାରୁରୁ ଅଧିକ ଟଙ୍କା ଆସୁଛି । ବିଦ୍ୟୁତ ବିଲ ସୌରଭ ବେହେରା, ରବି ନାରାୟଣ ଦାଶ ପୈଠ କରୁଛନ୍ତି ।"

ପର୍ଯ୍ୟାପ୍ତ ମିଳୁନି ପାଣି:

ଅନ୍ୟପଟେ ପତ୍ରିପାଳ ସରପଞ୍ଚ ବିଦ୍ୟାସ୍ମିତା ମହାଳିକ କହିଛନ୍ତି, "ପଞ୍ଚାୟତରେ ସମୁଦାୟ ୧୬ଟି ୱାର୍ଡ ଥିବା ବେଳେ ୧୫ଟି ୱାର୍ଡରେ ଫ୍ଲୋରାଇଡ୍‌ ପାଣି ସମସ୍ୟା ରହିଛି । ପଞ୍ଚାୟତ ତରଫରୁ ସକାଳେ ୨ ହଜାର ଲିଟର ଓ ଅପରାହ୍ନରେ ୨ ହଜାର ଲିଟର ପାଣି ପ୍ରତି ୱାର୍ଡକୁ ଯୋଗାଇ ଦିଆଯାଉଛି । ଏତିକି ପାଣି ପର୍ଯ୍ୟାପ୍ତ ନ ହେଲେ ମଧ୍ୟ କେବଳ ପିଇବା ପାଇଁ ଲୋକଙ୍କୁ ଉଦ୍ଦିଷ୍ଟ ହେଉଛି ।"

ଏହା ମଧ୍ୟ ପଢ଼ନ୍ତୁ...

ନଦୀକୂଳରେ ମଧୁରକୁଳ ଗାଁ; ମିଳୁନି ପିଇବା ପାଣି, ୧୦୦ ପରିବାର ପାଇଁ ଗୋଟିଏ ନଳକୂପ ଭରସା

OPINION: ଇନ୍ଦୋର ଦୁର୍ଘଟଣା ସମଗ୍ର ଦେଶ ପାଇଁ ସତର୍କ ସୂଚନା;ଜାଣନ୍ତି, କାହିଁକି ବିପଦରେ ଭାରତର ଜଳ ଭବିଷ୍ୟତ ?


ଇଟିଭି ଭାରତ, ବାଲେଶ୍ବର