ବାଙ୍ଗୁରୁ ଭାଇଙ୍କ ଧାର୍ମୀକ କାର୍ଯ୍ୟ, ଗରିବଙ୍କୁ ତୀର୍ଥସ୍ଥାନ ବୁଲାଇବା ପାଇଁ ଅଭିନବ ସ୍କିମ୍
୫୧ ଗରିବ ତୀର୍ଥ ଯାତ୍ରୀଙ୍କୁ ଦଶ ଟଙ୍କାରେ ଦଶ ଦିନ ଦଶଟି ତୀର୍ଥସ୍ଥାନ ବୁଲାଇବାକୁ ବାଙ୍ଗୁରୁ ଭାଇଙ୍କ ନିଆରା ଉଦ୍ୟମ।

Published : December 27, 2025 at 10:50 PM IST
ବାଲେଶ୍ୱର: ବାଲେଶ୍ୱର ବୈରାମନଗର ଅଞ୍ଚଳର ଚା' ଦୋକାନୀ ଗୟାଧର ଦାସ । ମାତ୍ର ବାଙ୍ଗୁରୁ ଭାଇ ବୋଲି ଅଞ୍ଚଳରେ ତାଙ୍କର ବେଶ୍ ପରିଚୟ ରହିଛି । କାରଣ ଜଣେ ଗରିବ ଲୋକ ବିଷୟରେ ଚିନ୍ତା କରିଥାନ୍ତି ବାଙ୍ଗୁରୁ ଭାଇ। ଗରିବ ଲୋକଟିଏ କପରି ତୀର୍ଥ ଯାତ୍ରା ସୁରୁଖୁରୁରେ କରିପାରିବ, ସେ ଦିଗରେ କିଛି ଭିନ୍ନ ଉଦ୍ୟମ କରିଦେଖାଇଛନ୍ତି ବାଙ୍ଗୁରୁ ଭାଇ । ଅର୍ଥ ଅଭାବରୁ ତୀର୍ଥ ଯାତ୍ରା କରିବାରେ ଅସମର୍ଥ ହେଉଥିବା ଲୋକ ମାନଙ୍କ ପାଇଁ ଏମିତି ଏକ ପ୍ରୟାସ ପ୍ରଥମ ଥର ପାଇଁ ଆରମ୍ଭ କରିଛନ୍ତି ଗୟାଧର । ଯେଉଁ ଲୋକମାନେ ଅର୍ଥାଭାବରୁ ତୀର୍ଥ ଯାତ୍ରା କରି ପାରୁ ନାହାନ୍ତି ସେମାନଙ୍କ ପାଇଁ ଗୟାଧର ମାତ୍ର ଦଶ ଟଙ୍କାରେ ଏକ ଟିକଟ ବ୍ୟବସ୍ଥା କରିଥିଲେ ।
ମାତ୍ର ଦଶ ଟଙ୍କାରେ ଭାରତର ପ୍ରମୁଖ ଦଶଟି ତୀର୍ଥ ସ୍ଥାନ ବୁଲିବେ ୫୧ ଜଣ ତୀର୍ଥଯାତ୍ରୀ
ମାତ୍ର ଦଶ ଟଙ୍କାରେ ଭାରତର ପ୍ରମୁଖ ଦଶଟି ତୀର୍ଥ ସ୍ଥାନ ବୁଲିବେ ୫୧ ଜଣ ତୀର୍ଥଯାତ୍ରୀ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଚା' କପର ମୂଲ୍ୟ ଦଶ ଟଙ୍କା ହୋଇଥିବା ବେଳେ ଦଶ ଟଙ୍କାରେ ତୀର୍ଥ ସ୍ଥାନ ବୁଲିବାକୁ ସମ୍ଭବ କରି ଦେଖାଇଛନ୍ତି ସେ ।
ଆଠ ମାସ ପୂର୍ବରୁ ଏମିତି ଯୋଜନା ଆରମ୍ଭ କରି ୬୦ ହଜାର ଟିକଟ୍ ମଧ୍ୟରୁ ସେ ୫୫ ହଜାର ଟିକଟ୍ ଦଶ ଟଙ୍କା କରି ବିକ୍ରି କରି ପାରିଥିଲେ। ୫୫ ହଜାର ଆଶାୟୀଙ୍କ ମଧ୍ୟରୁ ସେ ଲକି ଡ୍ର ମାଧ୍ୟମରେ ୫୧ ଜଣ ଲୋକଙ୍କୁ ବାଛିଛନ୍ତି । ଯେଉଁମାନଙ୍କୁ ନେଇ ଆସନ୍ତା ୧ ତାରିଖରେ ସେ ଉତ୍ତର ଭାରତର ପ୍ରମୁଖ ୧୦ଟି ତୀର୍ଥ ସ୍ଥାନକୁ ବୁଲିବାକୁ ଯିବେ । ଲକି ଡ୍ର ଉଠାଣରେ ସ୍ୱଚ୍ଛତା ରଖିବା ପାଇଁ କିଛି ଦୃଷ୍ଟିହୀନ ଛାତ୍ରଙ୍କ ହାତରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା । ୮ ମାସ ଧରି ୪ଟି ଜଉ ମୁଦ ବାକ୍ସରୁ ଫୋନ ନମ୍ବର ଥିବା ୫୫ ହଜାରରୁ ଉର୍ଦ୍ଧ୍ୱ ଟିକଟଗୁଡିକୁ ଗୋଟିଏ ବଡ଼ ବାକ୍ସକୁ ଢଳାଯାଇ ମିଶାଯାଇଥିଲା । ପରେ ଦୃଷ୍ଟିହୀନ ଛାତ୍ରମାନେ ଜଣକ ପରେ ଜଣେ ସମସ୍ତଙ୍କ ସାମନାରେ ଗୋଟିଏ ଗୋଟିଏ ଟିକଟ ଉଠାଇଥିଲେ । ସେହି ଅନୁସାରେ ଟିକଟରେ ଥିବା ନମ୍ବର ଘୋଷଣା କରାଯାଇଥିଲା । ଏହିପରି ମୋଟ ୫୧ ଜଣ ଭାଗ୍ୟବାନ ତୀର୍ଥଯାତ୍ରୀଙ୍କ ନମ୍ବର ଡକାଯାଇଥିଲା । ଭାଗ୍ୟଶାଳୀ ତୀର୍ଥଯାତ୍ରୀମାନେ ଗୟା, ବୁଦ୍ଧ ଗୟା, ମଥୁରା, ବୃନ୍ଦାବନ, ଗିରି ଗୋବର୍ଦ୍ଧନ, ବର୍ସାନା, ଆଗ୍ରା, ଚିତ୍ରକୁଟ, ଅଯୋଧ୍ୟା, ପ୍ରୟାଗରାଜ ଓ ବନାରସ ଆଦି ତୀର୍ଥସ୍ଥଳ ପରିଦର୍ଶନ କରିବେ । ୧୦ ଦିନର ଯାତ୍ରାରେ ତୀର୍ଥଯାତ୍ରୀମାନଙ୍କୁ ପ୍ରତ୍ୟେକ ଦିନ ଦୁଇଓଳି ନିରାମିଷ ଭୋଜନ ପ୍ରଦାନ କରାଯିବ । ଗୟାଧରଙ୍କ ଏହି ଯୋଜନାରେ ବାଲେଶ୍ୱର ଜିଲ୍ଲା ସମେତ ମୟୂରଭଞ୍ଜ ଜିଲ୍ଲାର ଲୋକ ମଧ୍ୟ ଟିକଟ କିଣିଥିଲେ ।

ଏମିତି ଏକ ଅଭିନବ ଉପାୟରେ ତୀର୍ଥ ଯାତ୍ରାର ସୁଯୋଗ ପ୍ରଦାନ କରିଥିବା ଗୟାଧର ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ," ମୋ ଦୋକାନକୁ ବହୁତ ଗରିବ ଓ ବୟସ୍କ ଲୋକମାନେ ଆସନ୍ତି। ସେମାନେ ଏଇଠି ବସି ଅର୍ଥ ଅଭବାରୁ ତୀର୍ଥ ଯାତ୍ରା କରି ପାରୁ ନଥିବା ଆଲୋଚନା କରନ୍ତି। ଯାହାକୁ ମୁଁ ଶୁଣି ମନସ୍ଥ କଲି ଯେ କଣ କଲେ ଏମିତି ଲୋକମାନେ ବୁଲି ପାରିବେ। ମୋର ଏମିତି ଗୋଟେ ଚିନ୍ତା ଆସିଲା ଯେ ମୁଁ ଦଶ ଟଙ୍କିଆ ଟିକଟ ବ୍ୟବସ୍ଥା କରିବି ଯେଉଁମାନେ ଟିକଟ କାଟି ଆମ ବାକ୍ସରେ ପକାଇବି। ଏଇୟା ଭାବି ମୁଁ ୬୦ ହଜାର ଟିକଟ ବ୍ୟବସ୍ଥା କରିଥିଲି। ମୁଁ ୫୧ ଜଣଙ୍କୁ ନେବାପାଇଁ ମନସ୍ଥ କରିଥିଲି ଯେ, ଏମିତି କିଛି ଭାର ବ୍ୟବହାର ବେଳେ ବି ଦିଆଯାଏ। ସେମିତି ଭାବି ମୁଁ ୫୧ ଜଣଙ୍କୁ ବାଛିଛି। ଏ ଟିକଟ ମୁଁ ନିଜେ ଲକି ଡ୍ର ନ କରାଇ ଦୃଷ୍ଟିହୀନ ବିଦ୍ୟାଳୟର ପିଲାମାନଙ୍କୁ ଆଣି ତାଙ୍କରି ହାତରେ ଟିକଟ ଉଠାଣ କାର୍ଯ୍ୟ କରିଥିଲି । ସେମାନେ ହିଁ ଲକି ଡ୍ର ମାଧ୍ୟମରେ ୫୧ ଜଣଙ୍କ ନାମ ବାଛିଛନ୍ତି । ସମୁଦାୟ ୫୫ ହଜାର ଟିକଟ ବିକ୍ରି ହୋଇଛି, ଯାହାର ମୂଲ୍ୟ ୫ ଲକ୍ଷ ୫୦ ହଜାର ଟଙ୍କା । ସେଥିରୁ ବସ୍ ସାଢେ ୩ ଲକ୍ଷ ଟଙ୍କା ଭଡ଼ା ନେବାକୁ ଥିବା ବେଳେ ୧ ଲକ୍ଷ ୨୦ ହଜାର ଟଙ୍କାରେ ତୀର୍ଥଯାତ୍ରୀମାନଙ୍କ ଖାଇବା ବ୍ୟବସ୍ଥା କରାଯିବ । ଯଦି କିଛି ଟଙ୍କା ବଳି ପଡେ ତେବେ ସେ ବଳକା ଟଙ୍କା ମୁଁ ଦୃଷ୍ଟିହୀନ ବିଦ୍ୟାଳୟକୁ ଦାନ କରିଦେବି । ଆମ ସହ ଦୁଇ ଜଣ ଗାଇଡ୍ ଯିବେ ଯେଉଁମାନେ ବିନା ମୂଲ୍ୟରେ ତୀର୍ଥଯାତ୍ରୀଙ୍କ ସେବା କରିବେ । ମୁଁ ଏମିତି ପ୍ରଥମ ଥର ପାଇଁ ଆରମ୍ଭ କରିଛି, ମୋର ଇଚ୍ଛା ଅଛି ଯେଉଁ ଲୋକମାନେ ଯାଇ ପାରିନାହାନ୍ତି ସେମାନଙ୍କୁ ପୁଣି ଆର ବର୍ଷକୁ ନେଇକି ଯିବି । ୧୦ ଟଙ୍କା ଏଇଥିପାଇଁ ମୁଁ ବାଛିଲି ଯେ, ଲୋକମାନେ ଏତିକି ପକାଇ ପାରିବେ, ମାତ୍ର ପଚାଶ ଟଙ୍କା ହେଲେ ସେମାନେ ପକାଇବାକୁ ଅସମର୍ଥ ହୋଇଥାନ୍ତେ।"

ଏମିତି ଏକ ଚିନ୍ତାଧାରା ନେଇ ଗରିବ ଲୋକମାନଙ୍କୁ ତୀର୍ଥଯାତ୍ରା କରାଇବାର ଉଦ୍ଦେଶ୍ୟ ମହତ ବୋଲି ମତ ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲକ୍ଷ୍ମୀଧର ମଲ୍ଲିକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ," ଏଥିରେ ଲାଭ ହେଉ କି କ୍ଷତି ହେଉ, ଏକ ଆଧ୍ୟାତ୍ମିକ ଶକ୍ତି ନ ହେଲେ ଏମିତି ସମସ୍ତେ କରି ପାରିବେ ନାହିଁ। ଏହା ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ। ଗୟାଧରଙ୍କ ମନକୁ ଗୋଟେ ଆସିଛି ଯେ କିଛି ଲୋକଙ୍କୁ ବାହାରେ ବୁଲାଇ ଆଣିବି। ଗରିବ ଲୋକମାନେ ଏହାଦ୍ୱାରା ଯାଇକି ବୁଲି ଆସି ପାରିବେ। ଏବେ ଏମିତି ପରିସ୍ଥିତି ଆସିଛି ବାହାରେ ଯାଇ ବୁଲିବା ଓ ହଜାରହଜାର ଟଙ୍କା ଖର୍ଚ୍ଚ ହେବା, ସେ ଯେଉଁ ଦଶଟା ଜାଗା ବୁଲାଉଛନ୍ତି ନିହାତି ୫ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥାନ୍ତା। ଯାହା ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ। ଏହା ଏକ ତା ମନର ଏକ ଆତ୍ମ ସନ୍ତୋଷ।"

ସେହିପରି ୧୦ ଟଙ୍କା ଦେଇ ଟିକଟ କାଟିଥିବା ମଠସାହି କରଞ୍ଜିଆ ଅଞ୍ଚଳର ସୁବୋଧ ଚନ୍ଦ୍ର ପଣ୍ଡା ଯଦିଓ ଚୟନ ହୋଇ ନାହାନ୍ତି, ତଥାପି ଗୟାଧରଙ୍କ ଏମିତି ପ୍ରୟାସକୁ ପ୍ରଶଂସା କରି ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ," ଯେଉଁମାନେ ଆଗ୍ରହ ପ୍ରକାଶ କରି ଅର୍ଥାଭାବରୁ ତୀର୍ଥ ଯାଇ ପାରୁ ନାହାନ୍ତି, ସେହିମାନେ ବେଶୀ ଉପକୃତ ହେବେ । ଲୋକମାନଙ୍କର ତ ଆଗ୍ରହ ଥାଏ, ହେଲେ ପଇସା ପାଇଁ ଯାଇ ପାରନ୍ତିନି । ମାତ୍ର ୧୦ ଟଙ୍କାରେ ତୀର୍ଥ ଯିବା ଆଶ୍ଚର୍ଯ୍ୟ ଲାଗୁଛି । ବାଙ୍ଗୁରୁ ଭାଇଙ୍କ ଚା' ଦୋକାନକୁ ମୁଁ ଯେତେବେଳ ଚା' ପିଇବାକୁ ଆସେ ଏହା ଦେଖିଥିଲି । ମୁଁ ବି ଟିକେଟ କାଟିଥିଲି ହେଲେ ମୋର ବାଜିଲାନି । ମୁଁ କିନ୍ତୁ ଖୁସି ଅଛି, କାହିଁକି ନା ଆମେ ୧୦ ଟଙ୍କାରେ ଚା' ପିଉଛୁ କିଛି ପାଉନାହୁଁ, ଯଦି ୧୦ ଟଙ୍କାରେ ଜଣେ ଲୋକ ଟିକଟ କାଟି ୭ ହଜାର ଟଙ୍କାର ଖର୍ଚ୍ଚକୁ ମ୍ୟାନେଜ କରି ଯାଇ ପାରୁଛି ଲୋକଙ୍କୁ ନେଇ, ମୁଁ ବହୁତ ଖୁସି ସେଥିପାଇଁ ।"

ଏହା ମଧ୍ୟ ପଢ଼ନ୍ତୁ- ସିନ୍ଧୁଆରେ ଜମୁଛି ବଣଭୋଜିର ଆସର, ମୌଳିକ ସୁବିଧା ନଥିବାରୁ ପର୍ଯ୍ୟଟକ ନିରାଶ
ଏହା ମଧ୍ୟ ପଢ଼ନ୍ତୁ- ବାଲେଶ୍ବରରେ ପ୍ରଦୂଷଣ ଚିନ୍ତାଜନକ, ନାହିଁ ସଚେତନ କି ହେଉନି କାର୍ଯ୍ୟାନୁଷ୍ଠାନ
ଇଟିଭି ଭାରତ, ବାଲେଶ୍ବର

