ETV Bharat / state

ସମ୍ପର୍କର ସେତୁ ସାଜିଛି ବାବା ଚନ୍ଦନେଶ୍ୱରଙ୍କ ଚଡକ ଯାତ୍ରା

ଓଡ଼ିଶା ସହ ବାହାର ରାଜ୍ୟର ବାସିନ୍ଦାଙ୍କୁ ଭାଇଚାରା ପ୍ରେମର ଯୋଗସୂତ୍ରରେ ବାନ୍ଧି ରଖିଛି ବାବା ଚନ୍ଦନେଶ୍ୱରଙ୍କ ଚଡକ ପର୍ବ । ରିପୋର୍ଟ: ଜୀବନଜ୍ୟୋତି ନାୟକ

Balasore Baba Chandaneswar Chadaka yatra
ବାବା ଚନ୍ଦନେଶ୍ୱରଙ୍କ ଚଡକ ପର୍ବ (ETV Bharat)
author img

By ETV Bharat Odisha Team

Published : April 10, 2026 at 7:18 AM IST

4 Min Read
Choose ETV Bharat

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ମଧ୍ୟରେ ଚନ୍ଦନେଶ୍ୱର ପୀଠ ଅନ୍ୟତମ । ବାବାଙ୍କ ପୀଠରେ ବର୍ଷ ତମାମ ଲାଗିଥାଏ ଭକ୍ତଙ୍କ ଭିଡ଼ । କେବଳ ଭୋଗରାଇ କିମ୍ବା ଜଳେଶ୍ବର ଅଞ୍ଚଳରୁ ଭକ୍ତ ଆସନ୍ତି ତାହା ନୁହେଁ ବରଂ ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ଅନେକ ଭକ୍ତଙ୍କ ସୁଅ ଛୁଟିଥାଏ । ଆଉ ବାବା ଚନ୍ଦନେଶ୍ୱରଙ୍କ ପୀଠ ପ୍ରତିବର୍ଷ ଏପ୍ରିଲ ମାସ ଆରମ୍ଭରେ ଅଧିକ ଚଳଚଞ୍ଚଳ ହୋଇଉଠେ, କାରଣ ବାବାଙ୍କ ପୀଠରେ ଆରମ୍ଭ ହୋଇଯାଏ ଚଡକ ଯାତ୍ରା (ଚଡ଼କ ପର୍ବ) ।

ବାବା ଚନ୍ଦନେଶ୍ୱରଙ୍କ ଚଡକ ପର୍ବ (ETV Bharat)

ଚଡକ ଯାତ୍ରା:

ଚଡକ ଯାତ୍ରା ଅପ୍ରେଲ ୧ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ଯାଏଁ ଚାଲିଥାଏ । ଯାହା ଭିତରେ ପ୍ରତିଦିନ ବାବାଙ୍କୁ ଅର୍ଘ୍ୟ ପ୍ରଦାନ ସହ କାମିନୀ ବିବାହ ପ୍ରଥା, ନିଲାପର୍ବ, ଚଡକ ପର୍ବ ଆଦି ବେଶ ଧୁମଧାମରେ ପାଳନ କରାଯାଏ । ଏହି ପର୍ବ ସମୟରେ ପଡୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର ଆଦି ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟି ଥାଏ । ଯାହା ଓଡ଼ିଶାର ଲୋକ ଓ ଅନ୍ୟ ରାଜ୍ୟର ଲୋକଙ୍କ ସହ ଏକ ସୁସମ୍ପର୍କ ସ୍ଥାପନର ସେତୁ ପଲଟିଥାଏ । ଭକ୍ତି ଭାବନା ସାଙ୍ଗକୁ ଚଡକ ପର୍ବ ଅନେକ ସୁନ୍ଦର ସମ୍ପର୍କ ସ୍ଥାପନ କରିବାର ମାଧ୍ୟମ ପାଲଟିଛି । କହିବାକୁ ଗଲେ ଭାରତର ବିଭିନ୍ନ ରାଜ୍ୟର ଲୋକମାନଙ୍କ ସହ ଏକ ନୂଆ ସମ୍ପର୍କ ବାନ୍ଧି ହେବାର ଯୋଗସୂତ୍ର ପାଲଟିଛି ବାବା ଚନ୍ଦନେଶ୍ବରଙ୍କ ଚଡକ ପର୍ବ ।

Balasore Baba Chandaneswar Chadaka yatra
ବାବା ଚନ୍ଦନେଶ୍ୱରଙ୍କ ଚଡକ ପର୍ବ (ETV Bharat)

ସମ୍ପର୍କ ସ୍ଥାପନର ସେତୁ ସାଜିଛି ପର୍ବ:

ଚଡକ ପର୍ବ ଯେତିକି ପୁରୁଣା ସେତିକି ପୁରୁଣା ସମ୍ପର୍କ ଆଜି ବି ଅନେକ ଲୋକଙ୍କ କ୍ଷେତ୍ରରେ ବଞ୍ଚି ରହିଥିବା ଦେଖିବାକୁ ମିଳିଛି । ଚନ୍ଦନେଶ୍ୱରଙ୍କ ଚଡକ ପର୍ବ ୧୩ ଦିନ ଧରି ଚାଲୁଥିବା ବେଳେ ଶେଷ ୭ ଦିନ ମାନସିକଧାରୀଙ୍କ ସହ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ପ୍ରାୟ ୭୦ ପ୍ରତିଶତ ଶ୍ରଦ୍ଧାଳୁ ଏହି ପର୍ବରେ ସାମିଲ ହୋଇଥାନ୍ତି । ଯେଉଁମାନେ ୭ ଦିନ ଧରି ଚନ୍ଦନେଶ୍ୱର ବଜାରରେ ଥିବା ହୋଟେଲ, ସେବାୟତଙ୍କ ଘରେ ଭଡ଼ା, ଅସ୍ଥାୟୀ ଟେଣ୍ଟ ସହ ଆଖପାଖ ୪ କିଲୋମିଟର ବ୍ୟସାର୍ଦ୍ଧରେ ସ୍ଥାନୀୟ ଲୋକଙ୍କ ଘରେ ରହିଥାନ୍ତି । ଏହି ରହଣି ସମୟ ମଧ୍ୟରେ ସ୍ଥାନୀୟ ଲୋକ ଓ ପଶ୍ଚିମବଙ୍ଗରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ଭିତରେ ଗଢି ଉଠେ ଏକ ନୂଆ ସମ୍ପର୍କ ।

Balasore Baba Chandaneswar Chadaka yatra
ବାବା ଚନ୍ଦନେଶ୍ୱରଙ୍କ ଚଡକ ପର୍ବ (ETV Bharat)

କେଉଁ ଆବାହମାନ କାଳରୁ ଚନ୍ଦନେଶ୍ୱରଙ୍କ ଏହି ପର୍ବ ଦୁଇଟି ରାଜ୍ୟର ବାସିନ୍ଦାଙ୍କୁ ପ୍ରେମର ଯୋଗସୂତ୍ରରେ ବାନ୍ଧି ରଖିଛି । ଉଭୟ ପରିବାର ମଧ୍ୟରେ ନିବିଡ଼ ସମ୍ପର୍କ ସୃଷ୍ଟି ହୋଇଯାଇଥାଏ । ବାବାଙ୍କ ଏହି ମହାନ ପର୍ବ ଏକ ନିଆରା ପର୍ବ ହୋଇଥିବା ବେଳେ ଏହା ସମ୍ପର୍କର ଏକ ସେତୁ ପାଲଟିଛି । ଏମିତି କି ପର୍ବ ସରିବା ପରେ ଶ୍ରଦ୍ଧାଳୁମାନେ ପରସ୍ପରକୁ ଫୁଲ ମାଳ ଓ ଚନ୍ଦନ ପିନ୍ଧାଇ ଆଲିଙ୍ଗନ କରି ଭାଇଚାରା ବଜାୟ ରଖନ୍ତି ।

ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା:

ଗୋଟିଏ ପଟେ ସମ୍ପର୍କର ସେତୁ ପାଲଟିଥିବା ଏହି ଚଡକ ମେଳାରେ ଦଳା ଚକଟା ସମସ୍ୟା ଏଡ଼ାଇବା ପାଇଁ ଉଠା ଦୋକାନୀମାନଙ୍କୁ ମେଳା ସମୟରେ ଉଚ୍ଛେଦ କରାଯାଇ ପୁଣି ମେଳା ସରିଲେ ପୁନଃଥାଇଥାନ କରାଯାଇଥାଏ । ଚନ୍ଦନେଶ୍ୱର ବଜାରରେ ସ୍ଥାୟୀ ଦୋକାନ ୧୫୦୦ରୁ ଅଧିକ ଥିବା ବେଳେ ସବୁ ଦିନିଆ ଉଠା ଦୋକାନୀଙ୍କ ସଂଖ୍ୟା ୩୦୦ରୁ ଅଧିକ । ଯେଉଁ ସ୍ଥାନରେ ପ୍ରତିଦିନ ଶତାଧିକ ଲୋକଙ୍କ ସମାଗମ ହୁଏ, ସେହି ପୀଠରେ ଏହି ୧୩ ଦିନ (ଚଡ଼କ ପର୍ବ) ପ୍ରାୟ ୨୦ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ ।

Balasore Baba Chandaneswar Chadaka yatra
ବାବା ଚନ୍ଦନେଶ୍ୱରଙ୍କ ଚଡକ ପର୍ବ (ETV Bharat)

ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି, "ମେଳା ସମୟରେ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି । ସେହି ସମୟ ମଧ୍ୟରେ ଯଦି ଉଠା ଦୋକାନୀମାନଙ୍କୁ ରାସ୍ତାରୁ ହଟାଇ ଦିଆ ନ ଯିବ ତେବେ ଦଳା ଚକଟା ପରିସ୍ଥିତି ଉପୁଜି ପାରେ । ଏହା ଏକ ଚିରାଚରିତ ପ୍ରକ୍ରିୟା, ମେଳା ସରିଲେ ପୁଣି ସେମାନେ ସେମାନଙ୍କ ସ୍ଥାନରେ ବସିବେ । କାହାର ସ୍ୱାର୍ଥହାନୀ କଲା ଭଳି ପ୍ରଶାସନ କିମ୍ବା ମେଳା ଟ୍ରଷ୍ଟ ବୋର୍ଡ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ।"

Balasore Baba Chandaneswar Chadaka yatra
ବାବା ଚନ୍ଦନେଶ୍ୱରଙ୍କ ଚଡକ ପର୍ବ (ETV Bharat)

ସୁରକ୍ଷା ବ୍ୟବସ୍ଥା:

ଚଳିତ ବର୍ଷ ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ୨୧ ପ୍ଲାଟୁନ ପୋଲିସ ଫର୍ସ ମୁତୟନ କରାଯାଇଛି । ବିଶେଷ କରି ଅର୍ଘ୍ୟଦାନ ବେଳେ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ଅଧିକ ଧସ୍ତାଧସ୍ତି ହୋଇଥାଏ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟପଟେ ଆନ୍ତରାଜ୍ୟ ଲୁଟେରାଙ୍କ ପାଇଁ ଅଧିକ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରେ CCTV ବ୍ୟବସ୍ଥା ମଧ୍ୟ କରାଯାଇଛି ।

Balasore Baba Chandaneswar Chadaka yatra
ବାବା ଚନ୍ଦନେଶ୍ୱରଙ୍କ ଚଡକ ଯାତ୍ରା (ETV Bharat)
ବାବା ଚନ୍ଦନେଶ୍ୱରଙ୍କ ଏହି ଚଡକ ପର୍ବ ପ୍ରତିବର୍ଷ ଅପ୍ରେଲ ୧ ତାରିଖରେ ଆରମ୍ଭ ହୋଇ ୧୩ ତାରିଖ ସରୁଥିବା ବେଳେ ଏଥର ଗ୍ରହ ନକ୍ଷତ୍ର ଗଣନା ଅନୁସାରେ, ୩ ତାରିଖ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ତଥା ବୁଦ୍ଧିଜୀବୀ ଦିଲ୍ଲୀପ କୁମାର ଦାସ କହିଛନ୍ତି, "ଚଡକ ପର୍ବରେ ଭାରତର ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ବାବାଙ୍କ ପୀଠ ଚଡକ ଯାତ୍ରା ବେଳେ ସତେ ଯେମିତି ଏକ ମିନି ଭାରତ ଭଳି ଅନୁଭବ ହୋଇଥାଏ । ଯେଉଁ ଶ୍ରଦ୍ଧାଳୁମାନେ ବାହାରୁ ଆସିଥାନ୍ତି ସେମାନଙ୍କ ପାଇଁ ସ୍ଥାନୀୟ ଲୋକଙ୍କ ବାଡ଼ିରେ ଅସ୍ଥାୟୀ ଟେଣ୍ଟ ବ୍ୟବସ୍ଥା କରାଯାଇଥାଏ । ୧୩ ଦିନ ପର୍ବରେ ଶେଷ ୭ ଦିନ ଭାରତର ବହୁ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ପର୍ବର ଶେଷ ଦିନରେ ମାଳା ଚନ୍ଦନୀ ହୋଇଥାଏ । ଏହା ଏମିତି ଏକ ଭାଇଚାରାର ପର୍ବ ଯାହା ସବୁବେଳେ ସମସ୍ତଙ୍କ ମନରେ ଅତୁଟ ରହିଥାଏ ।"

ବନ୍ଧୁତା ସୃଷ୍ଟି କରିଛି ପର୍ବ:

ଚଡକ ପର୍ବରେ ଆସୁଥିବା ଶ୍ରଦ୍ଧାଳୁ ଯାହାଙ୍କ ଘରେ ସବୁବର୍ଷ ରହିଥାନ୍ତି ସେମାନଙ୍କ ସହ ଏକ ସୁନ୍ଦର ସମ୍ପର୍କ ଗଢି ହୋଇଥାଏ । ସେମିତି ଚନ୍ଦନେଶ୍ୱର ଅଞ୍ଚଳର ସୁବାଷ ଦାସଙ୍କ ଘରେ ପ୍ରତିବର୍ଷ ୬୦ ଜଣ ଶ୍ରଦ୍ଧାଳୁ ରହିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ସହ ବନ୍ଧୁତା ଏବେବି ରହିଛି । ଉଭୟ ପରିବାରରେ କୌଣସି ଶୁଭ କାର୍ଯ୍ୟରେ ପରସ୍ପର ଯୋଗ ଦେଇଥାନ୍ତି । ସୁବାଷ କହିଛନ୍ତି," ପ୍ରତିବର୍ଷ ଆମ ଘରେ ୬୦ ଜଣ ଶ୍ରଦ୍ଧାଳୁ ପଶ୍ଚିମବଙ୍ଗରୁ ଆସି ରହିଥାନ୍ତି । ସେମାନଙ୍କ ମଧ୍ୟରୁ ଦାନ୍ତନ ଅଞ୍ଚଳର ଶଙ୍କର ମହାନାଙ୍କ ସହ ସମ୍ପର୍କ ନିବିଡ଼ ହୋଇଛି । ପ୍ରାୟ ୨୦ ବର୍ଷ ଧରି ଆମେ ତାଙ୍କ ଘରକୁ ଯାଉ ଏବଂ ତାଙ୍କ ପରିବାର ଆମ ଘରକୁ ଆସୁଛନ୍ତି । ସେହିପରି ସାଗରଦୀପ ଅଞ୍ଚଳର ପ୍ରଭାସ ମାଇତିଙ୍କ ସହ ୩୦ ବର୍ଷ ହେଲାଣି ସମ୍ପର୍କ ଯୋଡି ହୋଇଛି । ଆମେ ଉଭୟ ପରିବାର ଏକ ସୁସମ୍ପର୍କରେ ବାନ୍ଧି ହୋଇଛୁ । ଚଡକ ପର୍ବ ଆମର ଏସବୁ ସମ୍ପର୍କର ସେତୁ ହୋଇଛି ।"

ଏହା ମଧ୍ୟ ପଢ଼ନ୍ତୁ...

ଆରମ୍ଭ ହେଲା ଘଟଗାଁ ତାରିଣୀଙ୍କ ଚଇତି ପର୍ବ: ପ୍ରଥମ ଦିନରେ ସୁନାବେଶରେ ଦର୍ଶନ ଦେଲେ ମା’

ଲକ୍ଷ୍ମୀନାରାୟଣପୁରର ନିଆରା 'ହାଣ୍ଡି ବାଡ଼ିଆ' ପର୍ବ; ଗାଁ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି ଉତ୍ସବ


ଇଟିଭି ଭାରତ, ବାଲେଶ୍ବର