ETV Bharat / state

ଲୋକଙ୍କ ଭାଗ୍ୟ ଭବିଷ୍ୟତ ପଢୁଛନ୍ତି ସୁପ୍ରୀତି ମିଶ୍ର, ଜ୍ୟୋତିର୍ବିଦ୍ୟାକୁ ନେଇ କରିହେବ କ୍ୟାରିଅର

୧୨ ବର୍ଷ ଜ୍ୟୋତିର୍ବିଦ୍ୟା ଉପରେ ଅଧ୍ୟୟନ କରୁଥିବା ବେଳେ ଜାତକ ପଢିବା ସହ ଟାରଟ କାର୍ଡ ପଢି ଲୋକଙ୍କୁ ସମସ୍ୟାର ସମାଧାନ ବାଟ ଦେଖାଉଛନ୍ତି।

ASTROLOGER SUPREETI MISHRA
ଜ୍ୟୋତିର୍ବିଦ ସୁପ୍ରୀତି ମିଶ୍ର (ETV BHARAT ODISHA)
author img

By ETV Bharat Odisha Team

Published : February 6, 2026 at 5:16 PM IST

4 Min Read
Choose ETV Bharat

ବାଲେଶ୍ବର: ବିଜ୍ଞାନ ଯୁଗରେ ବି ବଞ୍ଚିଛି ବିଶ୍ୱାସ, ସତେଜ ରହିଛି ଆସ୍ଥା ଓ ଭାଗ୍ୟ ଭବିଷ୍ୟର କଥା। ଯଦିଓ ଆଜିର ସମୟରେ କିଛି ଅର୍ଥଲୋଭି ମଣିଷଙ୍କ ପାଇଁ କିଛିଟା ପ୍ରଭାବ ଜ୍ୟୋତିର୍ବିଦ୍ୟା ଉପରେ ପଡିଛି କିନ୍ତୁ ଏବେବି ଲୋକମାନେ କିଛି ନୂଆ କାମ ଆରମ୍ଭ କରିବା ପୂର୍ବରୁ ଜାତକ ଦେଖାଇବା ପାଇଁ ଜଣେ ଜ୍ୟୋତିଷଙ୍କ ପାଖକୁ ଯାଉଛନ୍ତି। ନୂଆଘର ତିଆରି ବେଳେ ମଧ୍ୟ ବାସ୍ତୁ ଦୋଷ ଦୂର ପାଇଁ ଲୋକମାନେ ମାଟି ପରୀକ୍ଷା କରୁଛନ୍ତି। ଏବେ ଏହି ଶାସ୍ତ୍ର ଆହୁରି ଦୁଇପାଦ ଆଗକୁ ଯାଇଛି। ଏବେ ଜାତକ ଯେ କେବଳ ତାହା ନୁହେଁ ବରଂ ଟାରଟ କାର୍ଡ ପଢି ଜଣେ ଏହା ଉପରେ ଅଧ୍ୟୟନ କରିଥିବା ବ୍ୟକ୍ତି ଅନ୍ୟ ଜଣଙ୍କ ଭାଗ୍ୟ ଭବିଷ୍ୟକୁ ଆକଳନ କରି ପାରୁଛନ୍ତି। ବାଲେଶ୍ୱରର ଶିଳ୍ପପତି ସୁପ୍ରୀତି ମିଶ୍ର ଜ୍ୟୋତିର୍ବିଦ୍ୟା ଜ୍ଞାନ ଆହରଣ କରି ଜାତକ, ବାସ୍ତୁ ଆଦି ଦେଖିବା ସହ ନୂଆକରି ଟାରଟ କାର୍ଡ ପଢି ଲୋକଙ୍କୁ ସମସ୍ୟାର ସମାଧାନ ବାଟ ଦେଖାଉଛନ୍ତି।

ଲୋକଙ୍କ ଭାଗ୍ୟ ଭବିଷ୍ୟତ ପଢୁଛନ୍ତି ସୁପ୍ରୀତି ମିଶ୍ର, ଜ୍ୟୋତିର୍ବିଦ୍ୟାକୁ ନେଇ କରିହେବ କ୍ୟାରିଅର (ETV BHARAT ODISHA)

ଲୋକଙ୍କୁ ଭାଗ୍ୟ ଭବିଷ୍ୟତ ପଢୁଛନ୍ତି ସୁପ୍ରୀତି ମିଶ୍ର:

ଶିଳ୍ପପତି ଭାବେ ବାଲେଶ୍ୱରରେ ନାଁ ଥିବା ମହିଳା ହେଉଛନ୍ତି ସୁପ୍ରୀତି ମିଶ୍ର। ଶିଳ୍ପପତି ହେଲେ ବି ତାଙ୍କ ମନରେ ଥିଲା ସମାଜସେବାର ଭାବନା। ଜ୍ୟୋତିଷ ଶାସ୍ତ୍ର ଉପରେ ଅଧ୍ୟୟନ କରି ଲୋକଙ୍କର କିଛି ଭଲ କରିବା ପାଇଁ ସେ ମନ ବଳାଇଥିଲେ। ଯେଉଁଥିପାଇଁ ସୁପ୍ରୀତି ବନାରସ, ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ଅନୁଷ୍ଠାନ ସହ ଯୋଡି ହୋଇ ଜ୍ୟୋତିଷ ଶାସ୍ତ୍ର ବିଦ୍ୟା ଶିଖିବାକୁ ଲାଗିଥିଲେ। ଏବେ ସୁପ୍ରୀତି ନିଜ କାମରୁ ଫୁରୁସତ ପାଇଲେ ଲୋକଙ୍କ ଜାତକ, ବାସ୍ତୁ ଆଦି ଦେଖିବା ସହ ନୂଆକରି ଟାରଟ କାର୍ଡ ପଢି ଲୋକଙ୍କୁ ସମସ୍ୟାର ସମାଧାନ ବାଟ ଦେଖାଉଛନ୍ତି।

ବିନା ଦେୟରେ ଦେଖୁଛନ୍ତି ଜାତକ:

ଖାଲି ସେତିକି ନୁହେଁ ସ୍ୱାମୀ ସ୍ତ୍ରୀଙ୍କ କୌଣସି ପ୍ରକାର ମାନମାଳିନ୍ୟ କିମ୍ବା ମନାନ୍ତର ଘଟଣାରେ ସୁପ୍ରୀତି ହସ୍ତକ୍ଷେପ କରି ସେସବୁର ସମାଧାନ କରୁଛନ୍ତି। ଯେଉଁଥିପାଇଁ ସେ ନିଜେ ଏହି ବିଦ୍ୟାର ଅଧ୍ୟୟନ ଏବେବି ଜାରି ରଖିଛନ୍ତି। ମହିଳାମାନଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିବା ପାଇଁ ସୁପ୍ରୀତି ମହିଳାମାନଙ୍କୁ ପ୍ରେରଣା ଯୋଗାଉଛନ୍ତି। ଜଣେ ଶିଳ୍ପପତି ହୋଇ ବି ସେ ଏମିତି ଭାଗ୍ୟ ଭବିଷ୍ୟତ ବାବଦରେ ଯେଉଁ ଆକଳନ କରୁଛନ୍ତି ସେଥିପାଇଁ ସେ କାହାକୁ କୌଣସି ପ୍ରକାର ଦେୟ ମାଗନ୍ତି ନାହିଁ। ବରଂ ପ୍ରତିକାର ଉଦ୍ଦେଶ୍ୟରେ ଯଦି କେହି କ୍ରିଷ୍ଟାଲ ପରିଧାନ ପାଇଁ ଇଚ୍ଛା କରନ୍ତି ତେବେ ଅତି ସ୍ୱଳ୍ପ ମୂଲ୍ୟରେ ସେ ଲୋକମାନଙ୍କୁ ପ୍ରଦାନ କରିଥାନ୍ତି ।

ASTROLOGER SUPREETI MISHRA
ଜ୍ୟୋତିର୍ବିଦ ସୁପ୍ରୀତି ମିଶ୍ର (ETV BHARAT ODISHA)

ଶିଳ୍ପପତି ହୋଇ ଜ୍ୟୋତିର୍ବିଦ୍ୟା ପ୍ରତି କାହିଁକି ଆଗ୍ରହ ବଢ଼ିଲା ?

ଜଣେ ଶିଳ୍ପପତି ହୋଇ ମଧ୍ୟ ଜ୍ୟୋତିର୍ବିଦ୍ୟା ପ୍ରତି କାହିଁକି ଆଗ୍ରହ ବଢ଼ିଲା ସେ ସମ୍ପର୍କରେ ସୂଚନା ଦେଇ ସୁପ୍ରୀତି ମିଶ୍ର କହିଛନ୍ତି ," ମୁଁ ଜଣେ ଶିଳ୍ପପତି ହେଲେ ମଧ୍ୟ ତାହା ଏକ ଭିନ୍ନ ବୃତ୍ତି। ଆମେ ଯେତେବେଳେ ଜ୍ୟୋତିଷ ଶାସ୍ତ୍ର କଥା କହିବା ତେବେ ଏହା ସମ୍ପୂର୍ଣ୍ଣ ଭିନ୍ନ ଏବଂ ଜ୍ୟୋତିଷ ଶାସ୍ତ୍ର ହେଉଛି ମୋର ପ୍ୟାସନ। ମୋତେ ଏହା କରିବାକୁ ବହୁତ ଭଲ ଲାଗେ, ଯେଉଁଥିପାଇଁ ମୁଁ ଏହାକୁ କେବେ ବି ବ୍ୟବସାୟକରଣ କରିନାହିଁ। ଯେଉଁ ପରିବାରିକ କଳହ କାଉନସେଲିଂ କରେ ତାହା ମୋତେ ଭଲ ଲାଗେ। ପ୍ରାୟ ୧୨ ବର୍ଷ ହେଲାଣି ମୁ ଏହାକୁ ଅଧ୍ୟୟନ କରୁଛି ଏବେବି ଏହା ସମ୍ପୂର୍ଣ୍ଣ ବୋଲି ମୁଁ କହିବି ନାହିଁ। ଭଗବାନଙ୍କ କୃପାରୁ ମୋତେ ଏହି ବିଦ୍ୟା ମିଳିଛି। ମୁଁ ସନାତନ ଧର୍ମ ଉପରେ ରିସର୍ଚ୍ଚ କରିବା ସହ ଜ୍ଞାନ ଆହରଣ କରୁଛି। ଅକଲ ସାଇନ୍ସ ବହୁତ ପର୍ଯ୍ୟାପ୍ତ ତା ଭିତରେ ଟାରଟ ଆସିପାରେ, ବେଦିକ ଆସିପାରେ, ଲାଲ କିତାବ ଆସିପାରେ। ଆକଳନ ବିଭିନ୍ନ ପ୍ରକାରର ହୋଇପାରେ। ମୋ ପାଖକୁ କିଏ ବି ଆସୁଛନ୍ତି ତ ମୁଁ ସେମାନଙ୍କୁ କେବଳ ଆକଳନ କରି କହିଥାଏ। ମୋର ଲକ୍ଷ୍ୟ ହେଉଛି ସମାଜସେବା, କାହାକୁ ସଠିକ ମାର୍ଗ ଦେଖାଇବା, ମୋ ପାଇଁ କାହା ମୁହଁରେ ଟିକେ ହସ ଆସି ପାରିବ ତାଠୁ ଭଲ ଆଉ ସେ ଖୁସି ଟଙ୍କାରେ ନାହିଁ।"

ASTROLOGER SUPREETI MISHRA
ଜ୍ୟୋତିର୍ବିଦ ସୁପ୍ରୀତି ମିଶ୍ର (ETV BHARAT ODISHA)

ଜ୍ୟୋତିଷ ଶାସ୍ତ୍ରକୁକୁ କ୍ୟାରିଅର ଭାବେ ମଧ୍ୟ ନିଆଯାଇ ପାରେ:

ଏହି ଜ୍ୟୋତିଷ ଶାସ୍ତ୍ର ପାଠ ପଢିବା ପାଇଁ ବନାରସ ଠାରୁ ଆରମ୍ଭ କରି ଦିଲ୍ଲୀ ଏବଂ ଅନଲାଇନ ଓ ଅଫଲାଇନ ଜରିଆରେ ମଧ୍ୟ ପିଲାମାନେ ଶିକ୍ଷା ନେଉଛନ୍ତି। ଏହି ଶାସ୍ତ୍ର ଅଧ୍ୟୟନ କରି ଲୋକମାନଙ୍କ ଭାଗ୍ୟ ଭବିଷ୍ୟତ ଆକଳନ କରି ଏହାକୁ କ୍ୟାରିଅର ଭାବେ ମଧ୍ୟ ନିଆଯାଇ ପାରେ। ସେଇଥିପାଇଁ ଏବେ ଅନଲାଇନ ମାଧ୍ୟମରେ ମଧ୍ୟ କିଛି ଯୁବବର୍ଗ କ୍ୟାରିଅର କରିବାକୁ ମନ ବଳାଇଛନ୍ତି। ଜ୍ୟୋତିଷ ଶାସ୍ତ୍ର ଉପରେ ଅନଲାଇନ ଜରିଆରେ ଶିକ୍ଷା ଲାଭ କରୁଥିବା ବାଲେଶ୍ୱର ମୋତିଗଞ୍ଜ ଅଞ୍ଚଳର ଅପୁ ମିଶ୍ର କହିଛନ୍ତି," ମୁଁ ମନ୍ଦିର ଆଦିରେ ପୂଜା ଅର୍ଚ୍ଚନା କରିଥାଏ। ସୁପ୍ରୀତି ମାଡାମଙ୍କ ପାଖକୁ ମୋର ଏକ ସମସ୍ୟା ନେଇ ଆସିଥିଲି। ସେ ଯାହା ପଢି କହିଥିଲେ ଓ ଯେଉଁ ପ୍ରତିକାର କହିଥିଲେ ସେଥିରେ ମୋତେ ସୁଫଳ ମିଳିଥିଲା। ଏହି ବିଦ୍ୟା ବାବଦରେ ମୁଁ ତାଙ୍କୁ ପଚାରି ବୁଝିବା ପରେ ସେ ଏହାକୁ ଅଧ୍ୟୟନ କରି କ୍ୟାରିଅର କରିହେବ ବୋଲି କହିଥିଲେ। ମାତ୍ର ଏହି ବିଦ୍ୟା ଶିଖିବା ପରେ ଲୋକମାନଙ୍କୁ ଭ୍ରମିତ ନକରି ଉପଯୁକ୍ତ ମାର୍ଗ ଦର୍ଶନ କରିବା ପାଇଁ ସେ ମୋତେ ପରାମର୍ଶ ଦେବାସହ ଏହି ବିଦ୍ୟା ଅଧ୍ୟୟନ ପାଇଁ ସହଯୋଗ କରିଥିଲେ। ଏହି ବିଦ୍ୟା ବା ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରି ଯଦି କାହାର କିଛି ଭଲ ହୋଇ ପାରୁଛି ଏବଂ ଏକ ରୋଜଗାରର ମାଧ୍ୟମ ପାଲଟି ପାରୁଛି ତେବେ ଏହାକୁ ଶିଖିବା ଜରୁରୀ।"

ASTROLOGER SUPREETI MISHRA
ଜ୍ୟୋତିର୍ବିଦ ସୁପ୍ରୀତି ମିଶ୍ର (ETV BHARAT ODISHA)


ସୁପ୍ରିତୀଙ୍କ ସହ ଦୀର୍ଘ ବର୍ଷ ଧରି ଜଡିତ ଥିବା ବାଲେଶ୍ୱର ସହରର ଜଣେ ମହିଳା ଇପ୍ସିତା ସାହୁ କହିଛନ୍ତି ," ସୁପ୍ରୀତି ଜଣେ ବହୁତ ବଡ଼ ଶିଳ୍ପପତି, ବହୁତ ବ୍ୟସ୍ତତା ଭିତରେ ସେ ରୁହନ୍ତି। ତଥାପି ତାଙ୍କର ଜ୍ୟୋତିଷ ଶାସ୍ତ୍ର ହେଉଛି ଗୋଟେ ଖୁସି। ବ୍ୟସ୍ତତା ମଧ୍ୟରେ ରହି ବି ସେ ଏହାକୁ ବହୁତ ଗୁରୁତ୍ୱ ଦିଅନ୍ତି। ସେ ଟାରଟ କାର୍ଡ ପଢ଼ନ୍ତି, ଲୋକମାନଙ୍କୁ ବହୁତ ସାହାଯ୍ୟ କରନ୍ତି। ସେ ଜଣେ ସମାଜସେବୀ ମଧ୍ୟ। ଆମ ଭଳି ମହିଳାମାନଙ୍କୁ ସ ବହୁତ ପ୍ରୋତ୍ସାହିତ କରନ୍ତି ଯେ ଜୀବନରେ କିଛି କରିବା ଓ ଆଗକୁ ବଢ଼ିବା ପାଇଁ। ତାଙ୍କ ସହ ମିଶିଲେ ସକାରାତ୍ମକ ଭାବନା ଆସେ। ଟାରଟକାର୍ଡ ସହ, ପରିବାରିକ କାଉନସେଲିଂ, ବାସ୍ତୁ ଏସବୁ ମଧ୍ୟ ଦେଖନ୍ତି। କାହାକୁ କିଛି ସେ ଡିମାଣ୍ଡ କରନ୍ତି ନାହିଁ। ଯିଏ ଯାହା ସମସ୍ୟା ନେଇ ଆସିଲେ ସେ କାହାକୁ କିଛି ଚାର୍ଜ କରନ୍ତି ନାହିଁ।"



ସୁପ୍ରିତୀଙ୍କ ପାଖରୁ ନିଜର ସମସ୍ୟାର ସମାଧାନ ରାସ୍ତା ଖୋଜି ପାଇଥିବା ଲଳିତ କୁମାର ପଣ୍ଡା କୁହନ୍ତି ," ସୁପ୍ରୀତି ଜଣେ ଶିଳ୍ପପତି ହୋଇ ମଧ୍ୟ ଯେଉଁ ଭକ୍ତି ମାର୍ଗକୁ ଓହ୍ଲାଇ ଆସିଛନ୍ତି, ତାଙ୍କ ଦ୍ବାରା ବହୁତ ଲୋକ ଉପକୃତ ହେଉଛନ୍ତି। ସେ କ୍ରିଷ୍ଟାଲ କାମ ଦେଖନ୍ତି, ଜାତକ ମଧ୍ୟ ଦେଖନ୍ତି। ମୁଁ ବି ତାଙ୍କ ପାଖରୁ ଉପକାର ପାଇଛି, ମୋ ନିଜ ବ୍ୟକ୍ତିଗତ କଥା ପ୍ରକାଶ କରିବାକୁ ଚାହୁଁନି। ମୁଁ ବି ଟାରଟ କାର୍ଡ ଚେଷ୍ଟା କରିଛି, ମାଡାମ ଯାହାବି କହିଛନ୍ତି ସେସବୁ ସତ ହୋଇଛି। ବିଜ୍ଞାନ ଓ ଧାର୍ମିକ କହିବାକୁ ଗଲେ ବହୁତ ତଫାତ। ଭଗବାନ ଯଦି ନଥାନ୍ତେ ତେବେ ବିଜ୍ଞାନ ନଥାନ୍ତା। ଭଗବାନଙ୍କ ଦ୍ୱାରା ହିଁ ବିଜ୍ଞାନ। ସେ ଏହାକୁ ବ୍ୟବସାୟ କରି ନାହାନ୍ତି, ତାଙ୍କ ପାଖରେ ତ ଅନେକ ଟଙ୍କା ଅଛି କିନ୍ତୁ ସେ ଏହାକୁ ଲୋକଙ୍କ ସାହାଯ୍ୟ ପାଇଁ ଚେଷ୍ଟା କରୁଛନ୍ତି।"

ଏହା ମଧ୍ୟ ପଢ଼ନ୍ତୁ: GFTN ଗ୍ଲୋବାଲ ସିଇଓ EXCLUSIVE: 'ଚାକିରି ଦୁର୍ଘଟଣା ନୁହେଁ, ବିକାଶର ପ୍ରତିଫଳନ'



ଇଟିଭି ଭାରତ, ବାଲେଶ୍ବର