ETV Bharat / state

ଗୋଟେ ପଟେ ପ୍ରଦୂଷଣ, ଅନ୍ୟପଟେ ଚାଲିଛି ଗଛକଟା

ବାଲେଶ୍ୱରରେ ବଢୁଥିବା ପ୍ରଦୂଷଣରେ ରୋକ୍‌ ଲଗାଇବାକୁ କଟକଣା ଲାଗିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଛକଟାଯିବାକୁ ନେଇ ପ୍ରଶ୍ନବାଚୀ । ଓଭରହେଡ ଟାଙ୍କି ନିର୍ମାଣ ପାଇଁ ପ୍ରାୟ ପାଞ୍ଚଟି ଗଛ କାଟି ଦିଆଯାଇଛି।

TREE CUTTING IN COLLECTOR OFFICE
ଗୋଟେ ପଟେ ପ୍ରଦୂଷଣ କଟକଣା, ଅନ୍ୟପଟେ ଚାଲିଛି ଗଛକଟା (ETV BHARAT ODISHA)
author img

By ETV Bharat Odisha Team

Published : January 8, 2026 at 1:47 PM IST

1 Min Read
Choose ETV Bharat

ବାଲେଶ୍ୱର: ଗୋଟିଏ ପଟେ ପ୍ରଦୂଷଣ ବଢିବାରୁ ଲାଗିଛି କଟକଣା, ଅନ୍ୟପଟେ ଚାଲିଛି ଗଛକଟା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ । ଓଭର ହେଡ ଟାଙ୍କି ନିର୍ମାଣ ପାଇଁ ପ୍ରାୟ ପାଞ୍ଚଟି ଗଛ କାଟି ଦିଆଯାଇଛି। ଜିଲ୍ଲାପାଳ ଘଟଣା ସମ୍ପର୍କରେ ଜାଣିବା ପରେ ଏହା ଉପରେ ରୋକ ଲଗାଇଛନ୍ତି। ମାତ୍ର ଗୋଟିଏ ପଟେ ପ୍ରଦୂଷଣ କମାଇବାକୁ କଟକଣା ଲାଗିଥିବା ବେଳେ ଅନ୍ୟ ପଟେ ଏମିତି ଗଛ କାଟିବା କଟକଣାକୁ ଫୁ କରି ଉଡାଇଦେବା ସଦୃଶ ମନେ ହେଉଛି।

ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ (ETV BHARAT ODISHA)


କଟକଣା ସତ୍ତ୍ୱେ କେଉଁ ଆଧାରାରରେ ଠିକାଦାର ଗଛ କାଟିବାକୁ ନିଷ୍ପତ୍ତି ନିଆଯାଇଥିଲା ସେନେଇ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଜର ପ୍ରତିକ୍ରିୟାରେ କହିଛନ୍ତି," ପିଏଚ୍ ବିଭାଗ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ପାଇଁ ବନଖଣ୍ଡ ବିଭାଗକୁ ଅନୁମତି ମାଗିଥିଲେ। ପାଖାପାଖି ୩୦ ଗଛ ଭିତରୁ ପ୍ରାୟ ୨୬ ଟି ୟୁକେଲ ପଟାସ୍ ଗଛ ସହିତ ବାକି କାଜୁରିନା ଏବଂ ରାଧାଚୂଡା ଗଛ ଥିଲା। ବନଖଣ୍ଡ ବିଭାଗରୁ ୧୭ ତାରିଖରେ ଅନୁମତି ପାଇଁ ଇସ୍ୟୁ କରାଯାଇଛି। ଅର୍ଥାତ୍ ଏକ୍ୟୁଆଇ ବଢିବାର ବହୁତ ପୂର୍ବରୁ। ଯଦି ତାପରେ ବି ଗଛ କଟା ହୋଇଛି ସେନେଇ ବିଭାଗ ସହ ଆଲୋଚନା ହେବ। ଯେପର୍ଯ୍ୟନ୍ତ ଆମର ଏକ୍ୟୁଆଇ ଷ୍ଟେବଲ୍ ହୋଇନାହିଁ ସେପର୍ଯ୍ୟନ୍ତ ଏହି କାମ ବନ୍ଦ ରଖିବାକୁ ବିଭାଗକୁ କୁହାଯାଇଛି।"

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି," କଟକଣା ଉପରେ ନଜର ରଖିବା ପାଇଁ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଦାୟିତ୍ଵ ଦିଆଯାଇଛି । ଏହାବ୍ୟତୀତ ବିଭିନ୍ନ ବିଭାଗର ବିଭାଗୀୟ କର୍ତ୍ତୃପକ୍ଷ ଏଥିପାଇଁ ଦାୟିତ୍ଵ ନେଇଛନ୍ତି। କେଉଁଠି କଟକଣା ବା ନିୟମ ଉଲ୍ଲଙ୍ଘନ ହେଉଛି ସେନେଇ ବିଭାଗୀୟ କର୍ତ୍ତୃପକ୍ଷ ଉତ୍ତରଦାୟୀ ରହିବେ। ଏହାବ୍ୟତୀତ ଟ୍ରାଫିକ ପାଇଁ ଆରଟିଓଙ୍କୁ ଦାୟିତ୍ଵ ଦିଆଯାଇଛି। ସେହି ଅନୁସାରେ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତବର୍ଷ ମଧ୍ୟ ନୀଳଗିରି ଓ ସଦର ବ୍ଲକ ଅଞ୍ଚଳରେ ଅନେକ ବେଆଇନ ଇଟାଭାଟି ବନ୍ଦ କରାଯାଇଥିଲା। ଉଚ୍ଚ ନ୍ୟାୟଳୟଙ୍କ ସେତେବେଳେ ବି ଆଦେଶ ଥିଲା। ଏବେ ଯେଉଁସବୁ ସ୍ଥାନରେ ବେଆଇନ ଇଟାଭାଟି ବାବଦରେ ଖବର ଆସୁଛି ସେହି ବିଭାଗର ଅଧିକାରୀ ସେଠି ଯାଇ ବନ୍ଦ କରୁଛନ୍ତି। ଜିଗଜାଗ ଟେକ୍ନୋଲୋଜି ଛାଡି ବାକି ଯେଉଁସବୁ ପ୍ରଦୂଷଣ ସୃଷ୍ଟି କରୁଥିବା ଇଟା ଭାଟି ରହିଛି ତାକୁ ପୁରା ମନା କରଯାଇଛି। ତା ପରେ ବି ଯଦି କେହି କରୁଥିବେ ତେବେ ଉପଜିଲ୍ଲାପାଳ, ଏଡଏମ, ତହସିଲଦାର ଯାଇ ତାହା ତଦନ୍ତ କରିବେ। ଯଦି କିଛି ଆଇନ ଉଲ୍ଲଂଘନ କରାଯାଇଥିବ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। "

ବାଲେଶ୍ୱରରେ ଲଗାତର ପ୍ରଦୂଷଣ ମାତ୍ରା ବୃଦ୍ଧି ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୭ ଦିନ ଯାଏ କଟକଣା ଲଗାଯାଇଛି। ବିଭିନ୍ନ କନଷ୍ଟ୍ରକସନ କାମ ଠାରୁ ଆରମ୍ଭ କରି ରାସ୍ତାରେ ଧୂଳି ନ ଉଡ଼ିବା ପାଇଁ ପାଣି ସିଞ୍ଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବାଲେଶ୍ୱରରେ ପ୍ରଦୂଷଣ ଟେନସନ; 7 ଦିନ ପାଇଁ କଟକଣା ଜାରି

ଦୁର୍ନୀତି ପାଇଁ ବଢୁଛି ପ୍ରଦୂଷଣ: ଇଟାଭାଟିରେ ବ୍ୟବହାର ହେଉନାହିଁ ଜିଗଜାଗ ଟେକ୍ନୋଲୋଜି

ଇଟିଭି ଭାରତ, ବାଲେଶ୍ବର