ETV Bharat / state

ନବବଧୂକୁ ବନ୍ଧୁକ ମୁନରେ ଅପହରଣ ମାମଲା; ଅପହୃତ ବଧୂ ଓ ଅଭିଯୁକ୍ତ ମଧ୍ୟରେ ଥିଲା ପ୍ରେମ ସମ୍ପର୍କ

ବଲାଂଗୀର ବର ହାତରୁ ବନ୍ଧୁକ ମୁନରେ ନବ ବଧୂ ଅପହରଣ ମାମଲା । ବର ପକ୍ଷ ଦାବି କଲେ କ୍ଷତିପୂରଣ । ପୋଲିସ ତଦନ୍ତ ଜାରି ।

BRIDE PLOTS OWN KIDNAPPING
ନବବଧୂକୁ ବନ୍ଧୁକ ମୁନରେ ଅପହରଣ ମାମଲା (ETV Bharat Odisha)
author img

By ETV Bharat Odisha Team

Published : February 23, 2026 at 11:30 PM IST

3 Min Read
Choose ETV Bharat

ବଲାଙ୍ଗୀର: ବଲାଂଗୀରର ବର ହାତରୁ ନବ ବଧୂକୁ ବନ୍ଧୁକ ମୁନରେ ଅପହରଣ ମାମଲା । ପୋଲିସ କହିଲା ଅଭିଯୁକ୍ତ ଓ ଝିଅ ମଧ୍ୟରେ ପୂର୍ବରୁ ଥିଲା ସମ୍ପର୍କ । ଶୀଘ୍ର ସେମାନଙ୍କୁ ଧରିବା ପାଇଁ ପୋଲିସର ତନା ଘନା ଜାରି । ସେପଟେ କ୍ଷତିପୂରଣ ଦାବିରେ ବର ପକ୍ଷ । ତେବେ ବିବାହ ପୂର୍ବରୁ ବରକୁ ଅଭିଯୁକ୍ତ ଯୁବକ ବିବାହ ନ କରିବା ପାଇଁ ଦେଇଥିଲା ଧମକ ବୋଲି ଅଭିଯୋଗ ହୋଇଛି ।


ବର ହାତରୁ ନବ ବଧୂକୁ ବନ୍ଧୁକ ମୁନରେ ଛଡାଇ ନେବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ସମାନକୁ ଆସିଛି । ଯେଉଁଥିରେ କାହିଁକି ଯୁବକ ଜଣକ ବର ସମ୍ମୁଖରୁ ନବ ବଧୂକୁ ଛଡାଇ ନେଲା ? ଝିଅ ଓ ସମ୍ପୃକ୍ତ ଯୁବକ ମଧ୍ୟରେ କଣ ଥିଲା ସମ୍ପର୍କ ? ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଥିବା ବେଳେ ବର ପକ୍ଷ ଝିଅ ଉପରେ ସନ୍ଦେହ କରିଛନ୍ତି । ଏବଂ ବିବାହ ଠିକ ହେବା ଦିନ ପରେ ଜଣେ ଯୁବକ ସଞ୍ଜୀବ ସାହୁ ଓରଫ ବୁଠି ବର ପିଲା ହରି ବନ୍ଧୁ ପୁଟେଲ ଓରଫ ରିଙ୍କୁକୁ ବିବାହ ନ କରିବାକୁ ଫୋନ ଯୋଗେ ଧମକ ଦେଇଥିବାର କହିଛନ୍ତି ଯୁବକ ଓ ତାଙ୍କ ମା' ।

ସେପଟେ ଆଲୋଚନା ପରେ ଝିଅ ଘର ଲୋକ କୌଣସି ଅସୁବିଧା ହେବ ନାହିଁ ଓ ବିବାହ ଠିକରେ ହେବ ବୋଲି କହିବାରୁ ଏମାନେ ଆଗକୁ ବଢିଥିଲେ ବୋଲି ବର ପକ୍ଷ କହିଛନ୍ତି । ହେଲେ ସେହି ଯୁବକ ଝିଅକୁ ବନ୍ଧୁକ ମୁନରେ ଉଠାଇ ନେଲା । ଏବେ ଏମାନେ ବିବାହ ପାଇଁ ଆଠ ଲକ୍ଷରୁ ଉର୍ଧ୍ବ ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ଏହାପାଇଁ ଅନେକ ଧାର ଉଧାର କରିଥିବା ବଳେ ତାକୁ ପୈଠ କେମିତି କରିବେ ତାକୁ ନେଇ ଚିନ୍ତାରେ ବର ପକ୍ଷ ।

ସେପଟେ ଏହାର ଅଭିଯୋଗ ହେବା ପରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ କହିଛନ୍ତି, "ସମ୍ପୃକ୍ତ ଯୁବକ ଓ ନବବଧୂ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା । ଏହାକୁ ନେଇ ସେ ବର୍ତ୍ତମାନର ବରକୁ ଧମକ ମଧ୍ୟ ଦେଇଥିଲା । ଯାହା ପରେ ସେ ନବବଧୂକୁ ଅପହରଣ କରିଛି । ତେବେ ତଦନ୍ତ ଜାରି ରହିଛି ଖୁବ ଶୀଘ୍ର ଏମାନେ ଧରା ପଡିବେ ।"


ଏସପି ପୁଣି କହିଛନ୍ତି, ଏଭଳି ଘଟଣା ତରଭା ଥାନା ଅଂଚଳରେ ଘଟିଛି । ଆମର ତଦନ୍ତ ଜାରି ରହିଛି । ଯେଉଁଥିରେ ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଯୁବକ ଓ ବଧୂ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା ଏବଂ ଏହା ହିଁ ଏହାର ମୂଳକାରଣ ଅଟେ । ତେବେ ଆମେ ଉଭୟଙ୍କୁ ଧରିବା ପାଇଁ ତନା ଘନା ଜାରି ରଖିଛୁ ।

ତେବେ ବର ମା' କହିଛନ୍ତି, "ଗତ ୨୧ ତାରିଖରେ ମୋ ପୁଅର ବିବାହ କଣ୍ଟାମାଲରେ ହୋଇଥିଲା । ପୂର୍ବରୁ ସବୁ ଠିକ ଥିଲା । ପରେ ମୋ ପୁଅକୁ ଫୋନରେ ଧମକ ମିଳିଥିଲା ଏବଂ ମୁଁ ଝିଅର ଘରକୁ ଯାଇ ତା ବାପା ମା ସହିତ ଆଲୋଚନା କରିଥିଲି । ସେମାନେ କିଛି ଅସୁବିଧା ହେବ ନାହିଁ ବୋଲି କହିଥିଲେ । ସେହିପରି ବିବାହ ଠିକ ହେବା ପରେ ମୁଁ ଏକା ପୁଅର ବିବାହ ଧୂମ ଧାମରେ କରିବା ପାଇଁ ଯାହା ଟଙ୍କା ରଖିଥିଲି ତାହା ଲଗାଇ ଦେଲି । ସେହିପରି କିଛି ଋଣ ମଧ୍ୟ କଲି ଏବଂ ଝିଅ ଘରକୁ ସୁନା ଅଳଂକାର ଶାଢୀ କପଡା ଦେଲୁ । ବିବାହ ପାଇ ଭୋଜି ବରାତି ସବୁରେ ଖର୍ଚ୍ଚ କଲି । ହେଲେ ସେ ଯୁବକ ମୋ ପୁଅ ହାତରୁ ଝିଅକୁ ବନ୍ଧୁକ ମୁନରେ ନେଇ ଗଲା । ଏବେ ଆମେ କଣ କରିବୁ । ଝିଅକୁ ପୋଲିସ ଆଣୁ ଏବଂ ଝିଅକୁ ଆମେ ତାଙ୍କ ବାପା ମା ହାତରେ ଟେକି ଦେବୁ । ଏହା ସହ ଆମର ଯାହା ଖର୍ଚ୍ଚ ହୋଇଛି ତାହା ଏବେ ଆମେ ଦାବି କରିବୁ ।"


ସେପଟେ ବର ହରିବନ୍ଧୁ ପୁଟେଲ ଓରଫ ରିଙ୍କୁ କହିଛନ୍ତି, "ଛ ମାସ ତଳୁ ଆମର ବିବାହ ଠିକ ହୋଇଥିଲା । ମୁଁ ଓ ମା ଆମ ପାଖରେ ଥିବା ସବୁ ଜମା ଟଙ୍କା ଏଥିରେ ଲଗାଇ ଥିଲୁ । ଝିଅ ମୋ ସହିତ ଫୋନରେ କଥା ହେଉଥିଲା । ଏପରିକି ତା ଭାଇ ମଧ୍ୟ ମୋ ସହିତ କଥା ହେଉଥିଲା । ଏହାରି ମଧ୍ୟରେ ତାଙ୍କ ଗାଁ ପାଖ ଜଣେ ଯୁବକ ସଞ୍ଜୀବ ସାହୁ ଓରଫ ବୁଠି ମୋତେ ଫୋନ କରି ବିବାହ ନ କରିବାକୁ ଧମକ ଦେଇ ଥିଲା । ହେଲେ ଦୁଇ ପରିବାର ମଧ୍ୟରେ ଆଲୋଚନା ପରେ ବିବାହ ସ୍ଥିର ହୋଇଥିଲା । ବିବାହ ସରିଥିଲା ଏବଂ ଆମେ ବଧୂକୁ ନେଇ ବଲାଂଗୀର ଫେରୁଥିବା ବେଲେ ଏକ କାର ଆମକୁ ପିଛା କରିଥିଲା । ସେହିପରି ତରଭା ନିକଟ ଏକ ପୋଖରୀ ଠାରେ ଉକ୍ତ ଗାଡି ଆମକୁ ଅଟକାଇ ଥିଲା ଏବଂ ସେଥିରୁ ଚାରି ଜଣ ଯୁବକ ବନ୍ଧୁକ ଧରି ମୋ ହାତରୁ ଝିଅକୁ ନେଇ ଫେରାର ହୋଇ ଯାଇଥିଲେ । ଯାହା ପରେ ଆମେ ତରଭା ଥାନାରେ ଏହାର ଅଭିଯୋଗ କରିଥିଲୁ । ଏବେ ଆମେ ଖର୍ଚ୍ଚ କରିଥିବା ଟଙ୍କା ସୁନା ଗହଣା ଆମେ ଫେରସ୍ତ ଚାହୁଁଛୁ ।"

ଏହା ବି ପଢନ୍ତୁ- ବନ୍ଧୁକ ଦେଖାଇ ନବବଧୂକୁ ଅପହରଣ, ଥାନାରେ ଦ୍ବାରସ୍ଥ ହେଲେ ବର

ଇଟିଭି ଭାରତ, ବଲାଙ୍ଗୀର