ବନ୍ଧୁକ ମୁନରେ ନବବଧୂ ଅପହରଣ କରି ବନ୍ଧାହେଲା ଅଭିଯୁକ୍ତ, ସମ୍ବଲପୁରରୁ ଯୁବତୀ ଉଦ୍ଧାର
ନବବଧୂ ଅପହରଣ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ସଞ୍ଜୀବ ସାହୁ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ଜଣେ ପେଶାଦାର ଅପରାଧୀ ବୋଲି ସୁବର୍ଣ୍ଣପୁର ଏସପି ସୂଚନା ଦେଇଛନ୍ତି ।

Published : February 25, 2026 at 8:53 AM IST
|Updated : February 25, 2026 at 10:15 AM IST
BALANGIR BRIDE KIDNAP CASE ବଲାଙ୍ଗୀର: ନାଟକୀୟ ମୋଡ଼ରେ ନବବଧୂ ଅପହରଣ ମାମଲା । ସମ୍ବଲପୁରରୁ ନବବଧୂ ଉଦ୍ଧାର ହୋଇଥିବା ବେଳେ, ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ସାହୁକୁ ବାନ୍ଧିଛି ତରଭା ଥାନା ପୋଲିସ । ଅପହରଣ ପଛରେ ପ୍ରେମ ସମ୍ପର୍କ ରହିଥିବା ସ୍ପଷ୍ଟ କରିଛନ୍ତି ଥାନା ଅଧିକାରୀ । ଅପହରଣକାରୀଠାରୁ ବନ୍ଧୁକ ସହିତ ନବବଧୂର ଅଳଙ୍କାର ଜବତ କରାଯାଇଛି ।
ବନ୍ଧୁକ ମୁନରେ ନବବଧୂ ଅପହରଣ ମାମଲା :
ଗତ ୨୨ ତାରିଖରେ ବାହାଘର ପରେ ନିଜ ଘରକୁ ନବବଧୂକୁ ନେଇ ଘରକୁ ଫେରୁଥିଲେ ବର ହରିବନ୍ଧୁ ପୁଟେଲ । ବାଟରେ ପୁରା ସିନେମା ଷ୍ଟାଇଲରେ କିଛି ଯୁବକ ବନ୍ଧୁକ ମୁନରେ ନବବଧୂକୁ ଅପହରଣ କରି ନେଇଥିଲେ । ଏହା ପରେ ତରଭା ଥାନାର ଦ୍ବାରସ୍ଥ ହୋଇଥିଲେ ବର ହରିବନ୍ଧୁ ପୁଟେଲ । ମାମଲାକୁ ଗମ୍ଭୀରତାର ସହିତ ନେଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ 3 ଦିନ ପରେ ନବବଧୂଙ୍କୁ ଉଦ୍ଧାର କରିଛି । ଅପହରଣର ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ସାହୁକୁ ତରଭା ପୋଲିସ ଗିରଫ କରିଛି ।
ପୋଲିସ ତଦନ୍ତ କରି ଗତକାଲି (ମଙ୍ଗଳବାର ଦିନ) ନବବଧୂ ଅପହରଣ ମାମଲାରୁ ପର୍ଦ୍ଦା ହଟାଇଛି । ଅପହରଣକାରୀ ସଞ୍ଜୀବ ସାହୁ ଓ ନବବଧୂଙ୍କ ପ୍ରେମ ସମ୍ପର୍କ ରହିଥିଲା ବୋଲି ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ । ଏହା ହିଁ ଅପହରଣ ପଛର ମୁଖ୍ୟ କାରଣ ବୋଲି ପୋଲିସ ସ୍ପଷ୍ଟ କରିଛି । ଏସପି କହିଛନ୍ତି ' ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ସାହୁ ଜଣେ ପେଶାଦାର ଅପରାଧୀ । ତା ନାଁରେ 3ଟି ସଙ୍ଗୀନ ମାମଲା ରହିଛି । ' ସେ ଆଉ ଏକ ମାମଲାରେ ଜଡ଼ିତ ଥାଇ ଫେରାର ଥିଲା ବୋଲି ପୋଲିସ କହିଛି । ଏହି ମାମଲାରେ ଜଡିତ ଅନ୍ୟମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି।
ତରଭା ଥାନାରେ ଅଭିଯୋଗ:
ଅଭିଯୋଗ ଅନୁସାରେ ବଲାଙ୍ଗୀର ଜିଲ୍ଲା କାମାକ୍ଷା ନଗରର ଯୁବକ ହରିବନ୍ଧୁ ପୁଟେଲ ଓରଫ ରିଙ୍କୁଙ୍କ ବିବାହ ବୌଦ୍ଧ ଜିଲ୍ଲା କଣ୍ଟାମାଳର ଜନୈକ ଯୁବତୀଙ୍କ ସହିତ ସ୍ଥିର ହୋଇଥିଲା । ଧାର୍ଯ୍ୟ ୨୧ ତାରିଖରେ ଦୁହିଁଙ୍କର ବିବାହ ସମ୍ପନ୍ନ ହୋଇଥିଲା । ବର ହରିବନ୍ଧୁ, ନବବଧୂଙ୍କୁ ନେଇ ଘରକୁ ଫେରୁଥିବା ବେଳେ ସୁବର୍ଣ୍ଣପୂର ଜିଲ୍ଲା ତରଭା ନିକଟରେ ଏକ କାର୍ ତାଙ୍କ ଗାଡ଼ିକୁ ଅଟକାଇ ଥିଲା । ଯେଉଁଥିରୁ ତିନି ଜଣ ଯୁବକ ବନ୍ଧୁକ ମୁନରେ ଧମକ ଦେଇ ନବବଧୂଙ୍କୁ ଅପହରଣ କରି ନେଇଥିଲେ । ଏନେଇ ବର ହରିବନ୍ଧୁ ତରଭା ଥାନାରେ ଅଭିଯୋଗ କରିଥିଲେ ।

ସମ୍ବଲପୁରରୁ ଯୁବତୀ ଉଦ୍ଧାର:
ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ତରଭା ଥାନାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି,"ବଲାଙ୍ଗୀର କାମାକ୍ଷାନଗରର ହରିବନ୍ଧୁ ପୁଟେଲ ଗତ ୨୨ ତାରିଖରେ ନବବଧୂଙ୍କୁ ନେଇ ଘରକୁ ଫେରୁଥିବା ବେଳେ, ତରଭା ନିକଟରେ 3 ଜଣ ଯୁବକ ବନ୍ଧୁକ ମୁନରେ ନବବଧୂଙ୍କୁ ଅପହରଣ କରି ନେଇଥିଲେ । ଏନେଇ ଆମର ସ୍ଵତନ୍ତ୍ର ପୋଲିସ ଦଳ ଏହାର ତଦନ୍ତ ଆରମ୍ଭ କରିଥିଲା । ସମ୍ବଲପୁରର ଏକ ଅଞ୍ଚଳରୁ ନବବଧୂଙ୍କୁ ଉଦ୍ଧାର କରାଯାଇଛି । ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ସାହୁକୁ ମଧ୍ୟ ଗିରଫ କରାଯାଇଛି । ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା । ଏକ ଅପହରଣ ଅପରାଧ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ ଗିରଫ କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ: ବନ୍ଧୁକ ଦେଖାଇ ନବବଧୂକୁ ଅପହରଣ, ଥାନାରେ ଦ୍ବାରସ୍ଥ ହେଲେ ବର ଅଶ୍ଲୀଳ ଭିଡିଓ ଦେଖି ନାବାଳିକାଙ୍କୁ ଗଣଦୁଷ୍କର୍ମ, 6 ନାବାଳକ ଗିରଫ ୨୩ତମ ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ, ଲୋକନୃତ୍ୟରେ କମ୍ପିଲା ଶୀତୁଆ ସନ୍ଧ୍ୟା |

ଇଟିଭି ଭାରତ, ବଲାଙ୍ଗୀର

