ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ, ୭ ଘଣ୍ଟା ନୀତି ବିଳମ୍ବ
ପ୍ଲାଷ୍ଟିକ ବୋତଲ ଗୋଟାଇବା ପାଇଁ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ପ୍ରବେଶ କଲେ ଜଣେ ଅଣହିନ୍ଦୁ । ୭ ଘଣ୍ଟାକାଳ ବନ୍ଦ ରହିଲା ମନ୍ଦିରର ନୀତିକାନ୍ତି ।

Published : February 24, 2026 at 3:34 PM IST
କେନ୍ଦ୍ରାପଡ଼ା: ପ୍ରଭୁ ବଳଦେବଜୀଉଙ୍କ ନୀତିକାନ୍ତିରେ ବାଧା । ପ୍ଲାଷ୍ଟିକ ବୋତଲ୍ ଗୋଟାଇବା ପାଇଁ ପାଚେରୀ ଡେଇଁ ମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ଅଣହିନ୍ଦୁ । ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଦୀର୍ଘ ୭ ଘଣ୍ଟାକାଳ ବନ୍ଦ ରହିଲା ମହାପ୍ରଭୁ ବଳଦେବଜୀଉଙ୍କ ନୀତିକାନ୍ତି । ମନ୍ଦିର ପରିଚାଳନା କମିଟିର ବୈଠକ ପରେ ସମାଧାନର ବାଟ ବାହାରିଥିଲା । ପରେ ମନ୍ଦିର ଶୋଧ କରାଯାଇ ମଧ୍ୟାହ୍ନ ସାଢ଼େ ୧୨ଟା ପରେ ଆରମ୍ଭ ହେଲା ନୀତିକାନ୍ତି । ଏନେଇ ସୂଚନା ଦେଇଛନ୍ତି ମନ୍ଦିର ସୁପରଭାଇଜର ଜ୍ୟୋତିରଞ୍ଜନ ପତ୍ରୀ ।
୭ ଘଣ୍ଟା ବନ୍ଦ ହେଲା ପ୍ରଭୁ ବଳଦେବଜୀଉଙ୍କ ନୀତିକାନ୍ତି:
ମନ୍ଦିର ସୁପରଭାଇଜର ଜ୍ୟୋତିରଞ୍ଜନ ପତ୍ରୀ କହିଛନ୍ତି,"ଆଜି (ମଙ୍ଗଳବାର) ସକାଳ ସାଢେ ୬ଟା ସମୟରେ ତୁଳସୀକ୍ଷେତ୍ର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିରକୁ ଜଣେ ଅଣହିନ୍ଦୁ ପ୍ଲାଷ୍ଟିକ ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଗୋଟାଇବା ଲକ୍ଷ୍ୟ ନେଇ ପାଚେରୀ ଡେଇଁ ଭିତରକୁ ପଶିଥିଲେ । ଏହାକୁ ଜଣେ ସେବାୟତ ଦେଖି ସୂଚନା ଦେବା ପରେ ମଙ୍ଗଳ ଆଳତୀ ନୀତି ବନ୍ଦ ରହିବା ସହ ବିଭିନ୍ନ ପୂଜାର୍ଚ୍ଚନା ବନ୍ଦ ରହିଥିଲା । "
କାହିଁକି ବନ୍ଦ ହେଲା ନୀତିକାନ୍ତି ?
ସେ ଆହୁରି ମଧ୍ୟ କହିଛନ୍ତି," ଅନ୍ୟପଟେ ପାଳିଆ ସେବାୟତ ସେମାନଙ୍କ ଦ୍ବାରା ପ୍ରସ୍ତୁତ ପ୍ରସାଦ ନଷ୍ଟ ହେଲେ ସେମାନଙ୍କ ଖର୍ଚ୍ଚ ଅଧିକ ହେବ ବୋଲି କହି ସେଗୁଡ଼ିକୁ ବିକ୍ରି କରିବା ପାଇଁ କହିବା ପରେ ମନ୍ଦିର ପରିଚାଳନା କମିଟି ଏହି ପ୍ରସ୍ତାବରେ ରାଜି ହୋଇନଥିଲେ । ତେଣୁ ଦୀର୍ଘ ୭ ଘଣ୍ଟା ଧରି ମହାପ୍ରଭୁଙ୍କ କୌଣସି ନୀତି ହୋଇପାରିନଥିଲା । ମଧ୍ୟାହ୍ନରେ ସେବାୟତ ଓ ପରିଚାଳନା କମିଟିର ଜରୁରୀକାଳୀନ ବୈଠକ ଡକାଯାଇ, ଯାହା ନଷ୍ଟ ହେବ ମନ୍ଦିର କମିଟି ବହନ କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ପୁଣି ନୀତିକାନ୍ତି ସ୍ୱାଭାବିକ ହୋଇଥିଲା ।"
ସେପଟେ ଏଭଳି ଘଟଣାକୁ ନେଇ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି ସାଧାରଣ ଲୋକେ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା

