ରାତି ପାହିଲେ ବକ୍ରି ଇଦ୍, ଶାନ୍ତି ଶୃଙ୍ଖଳା ପାଇଁ କଟକରେ 10 ପ୍ଲାଟୁନ ପୋଲିସ ମୁତୟନ
କଦମ-ଏ-ରସୁଲ ଓ ଇଦଘା ପଡ଼ିଆରେ ଇଦର ନମାଜ ପାଠ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ରିପୋର୍ଟ: ନାରାୟଣ ସାହୁ

Published : May 27, 2026 at 8:00 PM IST
କଟକ: ଆସନ୍ତାକାଲି ପାଳିତ ହେବ ଇଦ-ଉଲ-ଜୁହା ବା ବକ୍ରି ଇଦ୍ । ତ୍ୟାଗ ଓ ବଳିଦାନର ଏହି ପର୍ବକୁ ପାଳନ କରିବା ପାଇଁ ସାରା ରାଜ୍ୟ ପ୍ରସ୍ତୁତ ରହିଥିବା ବେଳେ ଭାଇଚାରାର ସହର କଟକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରରେ ଥିବା ସମସ୍ତ ଛୋଟ ବଡ଼ ମସଜିଦରେ ଇଦ୍ ନମାଜ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଶାନ୍ତି ଶୃଙ୍ଖଳା ପାଇଁ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଇଦ୍ ପାଳନ ପାଇଁ ବ୍ୟାପକ ବ୍ୟବସ୍ଥା:
ବିଶେଷ କରି କଦମ-ଏ-ରସୁଲ ଓ ଇଦଘା ପଡ଼ିଆରେ ଇଦର ନମାଜ ପାଠ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଇଦଘା ପଡ଼ିଆରେ ଶେଷ ନମାଜ ପାଠ ହେଉଥିବାରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସେଠାରେ ହଜାର ହଜାର ଲୋକଙ୍କ ସମାଗମ ହେବ ବୋଲି କହିଛି ଇଦଘା ପରିଚାଳନା କମିଟି । ସେପଟେ ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ କମିଶନରେଟ ପୋଲିସ ମଧ୍ୟ ପ୍ରସ୍ତୁତି ଶେଷ କରିଛି ।
ବକ୍ରି ଇଦ୍ ପାଇଁ ପ୍ରସ୍ତୁତ ଭାଇଚାରାର ସହର:
ବକ୍ରି ଇଦ୍ ପାଇଁ ପ୍ରସ୍ତୁତ ଭାଇଚାରାର ସହର କଟକ । ସବୁ ମସଜିଦରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କଟକର କଦମ୍ ଏ ରସୁଲ୍, ଛୋଟି ମସଜିଦ, ବଡି ମସଜିଦ, ପଲଟନ ମସଜିଦ, ଜାମା ମସଜିଦ ଓ ଇଦଘାରେ ଇଦ୍ ଉଲ୍ ଜୁହା ପାଳନ ପାଇଁ ପରିଚାଳନା କମିଟି ପକ୍ଷରୁ ସବୁ ବ୍ୟବସ୍ଥା ସୂଚାର ରୂପେ କରାଯାଇଛି ।
‘ବିଶ୍ବ ଶାନ୍ତି ପାଇଁ ପ୍ରାର୍ଥନା କରାଯିବ’:
ଇଦଘା ପରିଚାଳନା କମିଟି ମୁଖ୍ୟ ଉପଦେଷ୍ଟା ରମଜାନ ଖାନ୍ କହିଛନ୍ତି, ‘ଇସଲାମ ଧର୍ମରେ ଇଦ୍ ଉଲ୍ ଜୁହା ହେଉଛି ତ୍ୟାଗ ଓ ବଳିଦାନର ପର୍ବ । ଏହି ପର୍ବରେ ନ୍ୟାୟ ଓ ଧର୍ମ ପାଇଁ ନିଜର ସବୁ କିଛି ତ୍ୟାଗ କରିବା ପାଇଁ ସଙ୍କଳ୍ପ ନେଇଥାଆନ୍ତି ମୁସଲିମ ଭାଇ,ଭଉଣୀ । ଏହି ଅବସରରେ କଟକର ମସଜିଦ ଗୁଡ଼ିକରେ ବିଶ୍ବ ଶାନ୍ତି ପାଇଁ ପ୍ରାର୍ଥନା କରାଯିବ । ସବୁ ମସଜିଦରେ ଦୁଇ ଥର ଲେଖାଏଁ ନମାଜ ପାଠ ହେବ । ସକାଳ ୭ରୁ ନମାଜ ଆରମ୍ଭ ହୋଇ ଦିନ ୧୦ ରେ ଶେଷ ନମାଜ ହେବ । ଇଦଘା ପଡ଼ିଆରେ ଶେଷ ନମାଜ ପାଠ ହେଉଥିବାରୁ ସେଠାରେ ହଜାର ହଜାର ଲୋକଙ୍କ ସମାଗମରେ ସମୂହ ନମାଜ ପାଠ ହେବ ।’
ଶାନ୍ତି ଶୃଙ୍ଖଳା ପାଇଁ 10 ପ୍ଲାଟୁନ ଫୋର୍ସ:
ଇଦ-ଉଲ-ଜୁହା ବା ବକ୍ରି ଇଦକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗତକାଲି(ମଙ୍ଗଳବାର) ଡିସିପିଙ୍କ ନେତୃତ୍ୱରେ କଟକର ବିଭିନ୍ନ ମସଜିଦ କମିଟି ସହ ବ୍ୟାପକ ଆଲୋଚନା ଶେଷ ହୋଇଛି । ଆଜି ରାତିରୁ ସହରର ସମସ୍ତ ଗଳି କନ୍ଦିରେ ପୋଲିସ ନିୟୋଜିତ ରହିବେ । ସହର ପ୍ରମୁଖ ଛକରେ ନାକା ବ୍ୟବସ୍ଥା ରହିଛି । ଏହାବ୍ୟତୀତ ପର୍ବ ଅବସରରେ ଟ୍ରାଫିକ ନିୟନ୍ତ୍ରଣ ତଥା ସୁରକ୍ଷା ବ୍ୟବସ୍ଥା ପାଇଁ ସହରରେ ୧୦ ପ୍ଲାଟୁନରୁ ଊର୍ଦ୍ଧ୍ବ ପୋଲିସ ଫୋର୍ସ ବି ମୁତୟନ ରହିବେ । ଏପରିକି ସିନିୟର ପୋଲିସ ଅଫିସର ମଧ୍ୟ ସବୁ ପ୍ରମୁଖ ସ୍ଥାନ ମାନଙ୍କରେ ମୁତୟନ ରହିବେ । ତେବେ ଏହି ପର୍ବକୁ ସୁଚାର ରୂପେ ପାଳନ କରିବା ପାଇଁ ସବୁ ବ୍ୟବସ୍ଥା କରଯାଇଥିବା କହିଛନ୍ତି ଅତରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ।
ସେହିପରି ସହରର ସମସ୍ତ ମସଜିଦ ନିକଟରେ ସଫା ରଖିବା ସହ ବିଭିନ୍ନ ସ୍ଥାନରେ ବ୍ଲିଚିଙ୍ଗ ପକାଇବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । 24 ଘଣ୍ଟିଆ ପାନୀୟ ଜଳ ଯୋଗାଣ ପାଇଁ ସିଏମସି ପିଏଚଡିକୁ ନିର୍ଦ୍ଦେଶ ଦେଇଥିବା ମେୟର ସୁବାସ ସିଂ କହିଛନ୍ତି । ଭାଇଚାରା ସହରରେ ଏହି ପର୍ବ ପାଳନ କରିବାକୁ ସିଏମସି ସମସ୍ତ ପ୍ରକାର ପଦକ୍ଷେପ ନେଇଥିବା ମେୟର କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବିବାହ ବିଚ୍ଛେଦର ପ୍ରମୁଖ କାରଣ ସାଜିଛି ମୋବାଇଲ; ପରିବାର ଅଦାଲତରେ ମାସକରେ 100ରୁ ଅଧିକ ମାମଲା ଉଧାରୀ କରି ମଦ ପିଇଦେଲା ବଡଭାଇ, ସାନ ଭାଇର ଘର ପୋଡିଦେଲେ ଦୁର୍ବୃତ୍ତ ! |
ଇଟିଭି ଭାରତ, କଟକ

