ରାଜ୍ୟରେ ଦିନକୁ ହାରାହାରି 8 ଦୁଷ୍କର୍ମ ଓ 20 ଅସଦାଚରଣ ମାମଲା
2025 ବର୍ଷରେ ଓଡିଶାରେ ମହିଳା ବିରୋଧୀ ଅପରାଧର ତଥ୍ୟରୁ ଏହି ସାଂଘାତିକ ସୂଚନା ମିଳିଛି ।


Published : February 23, 2026 at 10:40 PM IST
ଭୁବନେଶ୍ୱର: ରାଜ୍ୟରେ ମହିଳା ବିରୋଧୀ ଅପରାଧ ଚିନ୍ତାଜନକ ସ୍ଥିତିରେ ପହଁଚିଛି । ସରକାରଙ୍କ ତଥ୍ୟ କହୁଛି ଦିନକୁ ହାରାହାରି 8ଟି ଦୁଷ୍କର୍ମ ମାମଲା ଘଟୁଛି । ସେହିପରି ଦିନକୁ ହାରାହାରି 20 ରୁ ଉର୍ଦ୍ଧ୍ବ ଅସଦାଚରଣ ମାମଲା ପଞ୍ଜିକୃତ ହେଉଛି । କେବଳ 2025 ବର୍ଷରେ ଓଡିଶାରେ ମହିଳା ବିରୋଧୀ ଅପରାଧର ତଥ୍ୟରୁ ଏହି ସାଂଘାତିକ ସୂଚନା ମିଳିଛି । ସେହିପରି ଯୌତୁକ ଜନିତ ନିର୍ଯ୍ୟାତନା ଓ ବଧୂ ନିର୍ଯାତନା ସଂଖ୍ୟା ମଧ୍ୟ ଚିନ୍ତା ବଢ଼ାଇଛି ।
2025 ରେ ମହିଳା ବିରୋଧୀ ଅପରାଧ ସମ୍ପର୍କିତ ବିରୋଧୀ ଦଳ ଉପନେତାଙ୍କ ପ୍ରଶ୍ନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ଲିଖିତ ଉତ୍ତର ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, 2025 ମସିହାରେ ରାଜ୍ୟର ବିଭିନ୍ନ ଥାନାରେ ମହିଳା ଅପରାଧ ସଂପର୍କିତ 33021 ଟି ମାମଲା ରୁଜ୍ଜୁ ହୋଇଛି । ସେଥିରେ 2994 ଟି ଦୁଷ୍କର୍ମ ମାମଲା ରହିଛି । ଦୁଷ୍କର୍ମ ଉଦ୍ୟମ 115 ଟି ମାମଲା ରୁଜ୍ଜୁ ହୋଇଛି । ମହିଳା ଅପହରଣ ମାମଲା 7378 ଟି ହୋଇଛି । ବିଭିନ୍ନ କାରଣରୁ ମହିଳା ଚାଲାଣ ସମ୍ପର୍କିତ 111 ଟି ମାମଲା ହୋଇଛି । ସେହିପରି ଅସଦାଚରଣ ମାମଲା 7382 ଟି, ଯୌନ ନିର୍ଯ୍ୟାତନା 1183 ଟି, ସର୍ବସାଧାରଣ ସ୍ଥାନରେ ମହିଳାଙ୍କୁ ଦୁର୍ବ୍ୟବହାର 1448 ଟି, ମିଥ୍ୟା ପ୍ରତିଶ୍ରୁତି ଦେଇ ଅପରାଧ 702ଟି ରହିଛି ।

ସେହିପରି ଖରାପ ଉଦ୍ଦେଶ୍ୟ ରଖି ମହିଳାଙ୍କୁ ପିଛା କରିବା 485 ଟି ଏସିଡ ଆକ୍ରମଣ ଉଦ୍ୟମ 1, ଅଶ୍ଲୀଳ ଇଙ୍ଗିତ 757 ଟି ମାମଲା ସାମ୍ନାକୁ ଆସିଛି । ଯୌତୁକ ଜୁଇରେ ମହିଳା ଜଳିବା ଖରର ମଧ୍ୟ ରହିଛି । ଯୌତୁକ ଜନିତ ନିଆଁ ପୋଡ଼ି 145 ଟି, ଯୌତୁକ ଜନିତ ଆତ୍ମହତ୍ୟା 77 ଟି ଯୌତୁକ ଜନିତ ନିର୍ଯ୍ୟାତନା 4361 ଟି ଓ ବଧୂ ନିର୍ଯ୍ୟାତନା 5419ଟି ମାମଲା ହୋଇଛି ।
ନାରୀ ନିର୍ଯ୍ୟାତନା, ନାରୀ ଦୁଷ୍କର୍ମକୁ ରୋକିବା ପାଇଁ ଗୃହ ବିଭାଗ ବିଭିନ୍ନ ପଦକ୍ଷେପ ନିଆଯାଇଛି । ମହିଳାଙ୍କ ବିରୁଦ୍ଧରେ ସମ୍ବେଦନଶୀଳ ଅପରାଧିକ ମାମଲାଗୁଡିକୁ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଦ୍ବାରା ଉପଯୁକ୍ତ ତଦାରଖ ସହିତ ସଠିକ ଏବଂ ତ୍ଵରିତ ଅନୁସନ୍ଧାନ ପାଇଁ ତଦନ୍ତକାରୀ ଅଫିସରମାନଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ଏହି ଶାଖା ମଧ୍ୟ ନାରୀମାନଙ୍କ ବିରୁଦ୍ଧରେ ହୋଇଥିବା ସମ୍ବେଦନଶୀଳ ମାମଲାଗୁଡିକର ବିଚାର ପ୍ରକ୍ରିୟା ସମୀକ୍ଷା ନିମନ୍ତେ ହୋଲ୍ଡିଂ ତଦନ୍ତକାରୀ ଅଧିକାରୀଙ୍କ ନିଯୁକ୍ତି କରିବା ସହିତ ବିଚାର ପ୍ରକ୍ରିୟା ତଦାରଖ କରିଥାଏ । ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧକୁ ନିରାକରଣ, ଚିହ୍ନଟ ଏବଂ ଅଭିଯୋଗ ପ୍ରକ୍ରିୟାକୁ ପୋଲିସ ସର୍ବୋଚ୍ଚ ପ୍ରାଥମିକତା ହେଉଛି । ଏହା ସହିତ ତଦାରଖ କରିବା ପାଇଁ ରାଜ୍ୟରେ କ୍ରାଇମବ୍ରାଞ୍ଚ ଅଧୀନରେ ଭୁବନେଶ୍ବରରେ ଏକ ମହିଳା ଓ ଶିଶୁ ନିରାକରଣ ଶାଖା କାର୍ଯ୍ୟ କରୁଛି ।
ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧକୁ ପ୍ରତିହତ କରିବାକୁ ରାଜ୍ୟରେ ପ୍ରାୟ ଅଧିକାଂଶ ଥାନାରେ ମହିଳା ଓ ଶିଶୁ ଡ଼େସ୍କ କାର୍ଯ୍ୟ କରୁଛି । ଏହା ସହିତ SJPU, IUCAW ଏବଂ IAHTU ପରି ଫିଲଡ ୟୁନିଟ ଗୁଡିକ ଅପରାଧ ତଦନ୍ତର କାର୍ଯ୍ୟଶୈଳୀକୁ ଶୃଙ୍ଖଳିତ କରିବା ପାଇଁ ଚେଷ୍ଟା କରୁଛି । ସେହିପରି ମହିଳା ମାନଙ୍କ ବିରୁଦ୍ଧରେ ସମ୍ବେଦନଶୀଳ ମାମଲା ଗୁଡିକୁ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଦ୍ବାରା ରେଡ ଫ୍ଲାଗ ମାମଲା ଭାବେ ନିଆଯାଇ ତଦାରଖ କରାଯାଉଛି । ନିଖୋଜ ଶିଶୁ ତଥା ମହିଳା ଚାଲାଣ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଇଣ୍ଟିଗ୍ରେଟେଡ ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ୟୁନିଟ ପ୍ରତିଷ୍ଠା କରାଯାଇଛି । 36 ଟି ପୋଲିସ ଜିଲ୍ଲାରେ 36 ଟି IAHTUs ଏବଂ CAW & CW ରେ ଗୋଟିଏ IAHTU କାର୍ଯ୍ୟ କରୁଛି । ରାଜ୍ୟରେ ଘଟୁଥିବା ଦୁଷ୍କର୍ମ ମାମଲା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ ଓ ଧାର୍ଯ୍ୟ ସମୟ ମଧ୍ୟରେ ମାମଲା ବନ୍ଦ କରିବା ପାଇଁ CCTNS ର SR ମଡ୍ୟୁଲ ଦ୍ବାରା ବିଭିନ୍ନ ଜିଲ୍ଲାର ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି ।
ଇଟିଭି ଭାରତ, ଭୁବନେଶ୍ୱର

