ପୋଲିସ ବିଭାଗରେ ଖାଲି ପଡିଛି 27, 694 ପଦବୀ; ଆଇନ ଶୃଙ୍ଖଳା ପରିଚାଳନାକୁ ନେଇ ତେଜିଲା ରାଜନୀତି
୨୦୨୪ରେ ୩୦ ହଜାର ୯୫୮ ମହିଳା ଅପରାଧ ମାମଲା ରୁଜ୍ଜୁ ହୋଇଥିବା ବେଳେ ୨୦୨୫ରେ ୩୨ ହଜାର ୬୮୭ଟି ମାମଲା ରୁଜୁ ହୋଇଛି ପୋଲିସ ବିଭାଗରେ ଖାଲି ପଡିଛି 27,694 ପଦବୀ ।


Published : February 23, 2026 at 6:19 PM IST
ଭୁବନେଶ୍ୱର: ମୋହନ ସରକାରରେ ଆଇନ ଶୃଙ୍ଖଳାର ନଗ୍ନଚିତ୍ର ସାମ୍ନାକୁ ଆସିଛି। ଏହି ଚିତ୍ର ବିଧାନସଭାରେ ରଖିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ଗୋଟିଏ ପଟେ ପୂର୍ବ ସରକାରରେ ଅପରାଧ ବୃଦ୍ଧି ପାଉଥିବାବେଳେ ଡବଲ ଇଞ୍ଜିନ ସରକାର ଆସିବା ପରେ ଆଇନ ଶୃଙ୍ଖଳାକୁ ପରିଚାଳନା କରିବା ଦାୟିତ୍ୱରେ ଥିବା ପୋଲିସ ବିଭାଗରେ ମାନବ ସମ୍ବଳର ଘୋର ଅଭାବ ଦେଖା ଦେଇଛି । ହଜାର ହଜାର ସଂଖ୍ୟାରେ ପୋଲିସ ପଦବୀ ଖାଲି ପଡ଼ିଛି । ଆଜି ବିଧାନସଭା ବଜେଟ ଅଧିବେଶନରେ ସ୍ବରଷ୍ଟ୍ର ବିଭାଗ ପ୍ରଶ୍ନକାଳରେ ଏଭଳି ଉତ୍ତର ରଖିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ। ଡବଲ ଇଞ୍ଜିନ ସରକାରରେ ପୋଲିସ ବିଭାଗର ପରିଚାଳନାଗତ ତ୍ରୁଟି, ସରକାରଙ୍କ ପାରିବା ପାଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଏହାାକୁ ନେଇ ତେଜିଛି ରାଜନୀତି ।
ରାଜ୍ୟରେ ଅପରାଧ ନିୟନ୍ତ୍ରଣ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି । ବିଧାନସଭା ପ୍ରଶ୍ନକାଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଇଥିବା ତଥ୍ୟ ଅନୁଯାୟୀ
- ୨୦୨୪ରେ ୩୦ ହଜାର ୯୫୮ ମହିଳା ଅପରାଧ ମାମଲା ରୁଜ୍ଜୁ ହୋଇଥିବା ବେଳେ ୨୦୨୫ରେ ୩୨ ହଜାର ୬୮୭ ଟି ମାମଲା ରୁଜୁ ହୋଇଛି
- ପୋଲିସ ବିଭାଗରେ ଖାଲି ପଡିଛି 27, 694 ପଦବୀ
- ପୋଲିସ ବିଭାଗରେ କାର୍ଯ୍ୟରତ ଅଛନ୍ତି 61,744 କର୍ମଚାରୀ
- ପୋଲିସ ବିଭାଗରେ ମୋଟ୍ ପଦବୀ ସଂଖ୍ୟା 89438
ଆଜି ବିଧାସଭାରେ ରାମ ଚନ୍ଦ୍ର କାଡାମ ଏକ ପ୍ରଶ୍ନରେ ପଚାରିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ସୁଦୃଢ ଥିବା ବୋଲି ସରକାର ଦାବି କରୁଥିବା ସତ୍ତ୍ୱେ ହତ୍ୟା, ଦୁଷ୍କର୍ମ, ମହିଳା ହିଂସା ଘଟଣା ବୃଦ୍ଧି ପାଉଛି । ରାଜ୍ୟର ଅପରାଧର ପ୍ରବଣତା କଣ ଓ ଦଣ୍ଡାଦେଶ (conviction) ହାର କେତେ ? ତାହାର ଅପରାଧ ପ୍ରକାର ଓ ଜିଲ୍ଲାୱାରୀ ବିବରଣୀ ସରକାର ରଖିବେ କି ?
ମହିଳା ହିଂସାକ୍ଷେତ୍ରରେ ମାମଲା ପ୍ରାୟତଃ ସ୍ଥିର ରହିଛି-ମୁଖ୍ୟମନ୍ତ୍ରୀ
ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ୨୦୨୪ ଜୁଲାଇ ୧ରୁ ୨୦୨୫ ଡିସେମ୍ବର ୩୧ ତାରିଖ ମଧ୍ୟରେ ଅର୍ଥାତ ଗତ ୧୮ ମାସ ମଧ୍ୟରେ ରାଜ୍ୟରେ ଘଟିଥିବା ମହିଳା ବିରୋଧୀ ଅପରାଧ ଗୁଡିକର ମାମଲାକୁ ବିଶ୍ଳେଷଣ କଲେ ଜଣାଯାଏ, ପୂର୍ବ ସରକାରଙ୍କ ୧୮ ମାସରେ ଘଟିଥିବା ମାମଲା ଗୁଡିକରେ ତୁଳନାତ୍ମକ ଭାବରେ ଦୁଷ୍କର୍ମ ମାମଲାରେ ୩.୫ % , Molestation ୯.୯%, Public Disrobing of Women ମାମଲାରେ ୨୬.୮% ହ୍ରାସ, ଯୌତୁକ ଜନିତ ହତ୍ୟା ମାମଲାରେ ୨୬.୧% ହ୍ରାସ, ଯୌତୁକ ନିର୍ଯାତନା ମାମଲାରେ ୮.୩% ହ୍ରାସ, ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ ମାମଲାରେ ୭୩.୩% ହ୍ରାସ ଏବଂ ଅଣ-ଯୌତୁକ ନିର୍ଯାତନା ମାମଲାରେ ୧.୬% ହ୍ରାସ ଘଟିଥିବା ବେଳେ ହତ୍ୟା ମାମଲାରେ ୭.୪% ହ୍ରାସ ପାଇଛି । ମହିଳା ହିଂସା କ୍ଷେତ୍ରରେ ମାମଲା ସାମଗ୍ରିକ ଭାବେ ପ୍ରାୟତଃ ସ୍ଥିର ରହିଛି ।
ଥାନା ଗୁଡିକ ଏବେ ଦଳୀୟ କାର୍ଯ୍ୟାଳୟରେ ପରିଣତ ହେଲାଣି-ବିଜେଡି
ସେହିପରି ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, 'ଦୁଇ ବର୍ଷ ହେବ ସରକାର ଆସିଲା । ଆଇନ ଶାସନ ଭୁଶୁଡି ପଡିଛି । ଯେତେବେଳେ ସରକାର ଶପଥ ନେଲେ, ତା କିଛି ଦିନ ପରେ ରଥଯାତ୍ରା ସମୟରେ ରାଜ୍ୟପାଳଙ୍କ ପୁଅ ପୋଲିସ ଉପରେ ଆକ୍ରମଣ କଲେ। ବାଡ଼ ଯେତେବେଳେ ଫସଲ ଖାଇଲା ସେତେବେଳେ ସ୍ପଷ୍ଟ ଜଣାପଡ଼ିଗଲା ଆଇନ କୁଆଡେ ଯାଉଛି। ଭରତପୁର ଥାନାରେ ଆକ୍ରମଣ, ମହିଳା ,ଆଦିବାସୀଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବୃଦ୍ଧି ପାଉଛି। ପୋଲିସ ନିରବଦ୍ରଷ୍ଟା ସାଜିଛି। ଥାନା ଗୁଡିକ ଏବେ ଦଳୀୟ କାର୍ଯ୍ୟାଳୟରେ ପରିଣତ ହେଲାଣି । ଦଲାଲ ଏବଂ ଗୁଣ୍ଡାମାନେ ବାଲିଘାଟରେ ଉତ୍ପାତ ହେଉଛନ୍ତି, ସେପଟେ ସରକାରୀ ଅଧିକାରୀମାନେ ସାଧାରଣ ଲୋକଟିଏ ଘର କରିବାକୁ ବାଲି ନେବାବେଳେ ଜବତ କରୁଛନ୍ତି । ଆଇନ ଶୃଙ୍ଖଳା କ୍ଷେତ୍ରରେ ପୋଲିସ ହାତ ଟେକି ଦେଇଛି ବୋଲି କହିଛି ବିଜୁ ଜନତା ଦଳ।'
ଅପରାଧ ନକମିଲେ ବିକାଶ ହେବ ନାହିଁ -ସୋଫିଆ ଫିର୍ଦୋଷ
ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ କହିଛନ୍ତି, 'ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ସରକାରଙ୍କର ତତ୍ପରତା ଦେଖିବାକୁ ମିଳିଲାନାହିଁ । ଦୀର୍ଘ ୨୦ ମାସ ଭିତରେ ତଥ୍ୟ ଦେଖିଲେ ପୋଲିସ ବିଭାଗ ରେ ୨୭ ହଜାର ପୋଷ୍ଟ ଖାଲି ପଡ଼ିଛି। ଅପରାଧୀମାନଙ୍କ ଭିତରେ ଭୟ ସଂଚାର ହେବା ପାଇଁ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରି ପାରୁନାହାନ୍ତି। ରାଜଧାନୀରେ ଯେଉଁଭଳି ଅପରାଧିକରଣ ବଢିଛି , କଟକରେ ଯେଉଁଭଳି ଗୁଳିକାଣ୍ଡ ହେଲା ତାହା ଅବର୍ଣ୍ଣନୀୟ। ବାଲି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ଅପରାଧ ନିୟନ୍ତ୍ରଣ କରିବାରେ ସରକାର ଫେଲ ମାରିଛନ୍ତି।ଅପରାଧ ନକମିଲେ ବିକାଶ ହେବ ନାହିଁ । ବଜେଟରେ ଅର୍ଥ ଅଛି ହେଲେ ସ୍ୱରଷ୍ଟ୍ର ବିଭାଗ ଖର୍ଚ୍ଚ କରି ପାରୁନି' ବୋଲି କହିଛି କଂଗ୍ରେସ।
ବିରୋଧୀଙ୍କ ଅଭିଯୋଗ ହାସ୍ୟାସ୍ପଦ-ବିଜେପି
ଏ ସମ୍ପର୍କରେ ମତ ଦେଇ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, 'ସରକାର ପୋଲିସ ବିଭାଗର ଆଧୁନିକୀକରଣ କରିଛନ୍ତି। ଏବେ ସୁଦ୍ଧା ବିଭିନ୍ନ ବିଭାଗରେ ୪୦ ହଜାରରୁ ଅଧିକ ଖାଲି ପଦବୀ ପୁରଣ କରାଯାଇଛି। ଯେଉଁଠି ପୂର୍ବ ସରକାର ଭଙ୍ଗା ସାଇକେଲ ଦେଇ ପାରୁନଥିଲେ ସେଠି ସ୍କର୍ପିଓ ଦେଇଛନ୍ତି ସରକାର । ବିରୋଧୀଙ୍କର ଯେଉଁ ପ୍ରସଙ୍ଗରେ ଆଲୋଚନା ଆବଶ୍ୟକ ସେହି ପ୍ରସଙ୍ଗରେ ଆଲୋଚନା ନକରି ଅନ୍ୟ କଥା କହୁଛନ୍ତି । ବିରୋଧୀଙ୍କ ଅଭିଯୋଗ ହାସ୍ୟାସ୍ପଦ' ବୋଲି କହିଲେ ସରକାରୀ ଦଳର ବିଧାୟକ।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ବିଧାନସଭାରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ: 40 ମାଓବାଦୀ ସକ୍ରିୟ, ଦେଶାନ୍ତର 73 ବାଂଲାଦେଶୀ
ଏହା ମଧ୍ୟ ପଢନ୍ତୁ ମୋହନଙ୍କ ବଜେଟ ପେଡ଼ିରେ କେନ୍ଦ୍ରାପଡ଼ା ପାଇଁ ଉପହାର: ନୂଆ ବିଶ୍ବବିଦ୍ୟାଳୟ, ଜିଲ୍ଲାରେ ଖୁସିରେ ଲହରୀ

