ଦେଢ଼ ବର୍ଷରେ ମଲେଣି ୧୧୪ ହାତୀ
ହାତୀ ମୃତ୍ୟୁ ସଂଖ୍ୟା ଉଦବେଗଜନକ । ସ୍ଥିତିରେ ସୁଧାର ଆସିବା ଦରକାର । ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୂର୍ବତନ ବନ ଅଧିକାରୀ


Published : February 24, 2026 at 6:59 PM IST
|Updated : February 24, 2026 at 7:26 PM IST
ଭୁବନେଶ୍ୱର: ଦେଢ଼ ବର୍ଷରେ ରାଜ୍ୟରେ ମରିଛନ୍ତି ୧୧୪ ହାତୀ । ସର୍ବାଧିକ ୪୨ଟି ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ବେଳେ ବିଭିନ୍ନ ରୋଗ ଦ୍ୱାରା ୨୯ ଗୋଟି ହାତୀ ମରିଛନ୍ତି । ସେହିପରି ଶିକାରୀଙ୍କ ଦ୍ଵାରା ୬ଟି ହାତୀଙ୍କୁ ହତ୍ୟା କରାଯାଇଥିବା ବେଳେ, ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ ୩ଟି ହାତୀ ଓ ରେଳ ଦୁର୍ଘଟଣାରେ ୪ଟି ହାତୀ ମୃତ୍ୟୁବରଣ କରିଛନ୍ତି । ସେହିପରି ପ୍ରାକୃତିକ କାରଣ ଦ୍ୱାରା ୧୭ ଗୋଟି ହାତୀ ମୃତ୍ୟୁବରଣ କରିଥିବା ବେଳେ ପାହାଡ଼ରୁ ପଡ଼ି, ନଦୀ ନାଳରେ ପଡ଼ି, ନିଜ ଭିତରେ କଳହ ହୋଇ ୧୩ ଗୋଟି ହାତୀ ମୃତ୍ୟୁବରଣ କରିଛନ୍ତି । ଅପ୍ରାକୃତିକ ହାତୀ ମୃତ୍ୟୁ ପାଇଁ ୯୩ ଜଣ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବିଧାନସଭାରେ ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି । ସେପଟେ ଏଭଳି ଉଦ୍ବେଗ ଜନକ ସ୍ଥିତିରେ ସୁଧାର ଆସିବା ଦରକାର ସେଥିପାଇଁ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୂର୍ବତନ ବନ ଅଧିକାରୀ ।
ପଶୁ ମଣିଷ ଲଢେଇରେ ଗଡୁଛି ମୁଣ୍ଡ-
ବିଗତ ପାଞ୍ଚ ବର୍ଷରେ ମଣିଷ ଓ ପଶୁ ସଂଘର୍ଷରେ 809 ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । 2060 ଜଣ ମଣିଷ ଆହତ ହୋଇଛନ୍ତି । ସେହିପରି 1619 ଗୋଟି ଗୃହ ପାଳିତ ପଶୁର ମୃତ୍ୟୁ ହୋଇଥିବା ବେଳେ 10 ହଜାର 382ଟି ଘର ନଷ୍ଟ ହୋଇ 93 ହଜାର 993.59 ଏକର ଫସଲ ନଷ୍ଟ ହୋଇଛି । ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉତ୍ତର ରଖିଛନ୍ତି ।
"ଉଭୟ ବନ ବିଭାଗ ଏବଂ ବିଦ୍ୟୁତ ବିଭାଗର ସମନ୍ୱୟରେ ଅଧିକ ସଂଗତ ରହିବାର ଆବଶ୍ୟକତା ରହିଛି । ହାତୀ ଚଲାପଥ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିବ । ଯେତେବେଳେ ଦନ୍ତା ହାତୀ ଗୋଠ ଛଡା ହୋଇଯାଉଛି ସେତେବେଳେ ସେ ମାନସିକ ଚାପଗ୍ରସ୍ତ ରହୁଛି । ଆମେ ତାଙ୍କ ଚଲାପଥକୁ ବାଧାପ୍ରାପ୍ତ କରୁଛୁ ତେଣୁ ସେ ମଣିଷ ସଂସ୍ପର୍ଶରେ ଆସିଲେ ଆକ୍ରମଣାତ୍ମକ ବ୍ୟବହାର କରୁଛି ଫଳରେ ହାତୀ ଆଉ ମଣିଷର ସଂଘର୍ଷ ହେଉଛି । ଓଡ଼ିଶାରେ ୨୧୦୦ ହାତୀ ଅଛନ୍ତି ପ୍ରତିବର୍ଷ ସେମାନଙ୍କ ମଧ୍ୟରୁ .୦୫ ପ୍ରତିଶତ ହାତୀ ମୃତ୍ୟୁବରଣ କରୁଛନ୍ତି । ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ହେଉଛି । ବିଦ୍ୟୁତ ବିଭାଗ ବନ ବିଭାଗ ମିଳିତ ସମନ୍ୱୟରେ ତତ୍ପରତା ପ୍ରକାଶ ପାଉଛି।ହାତୀ ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଉଛି ତାର ପ୍ରଭାବରୁ ହାତୀ ମୃତ୍ୟୁ ହେଉଛି । ରେଡିଓ କୋଲାର ଦ୍ୱାରା ହାତୀକୁ ଟ୍ରାକ କରି ତାର ଦୁର୍ଘଟଣାକୁ ରୋକାଯାଇପାରିବ । ବିଭିନ୍ନ ଗାଁରେ ବରାହ ଶିକାର ପାଇଁ ଯେଉଁ ଯନ୍ତା ବସେ ତାର ଶିକାର ହେଉଛି ହାତୀ । ହାତୀ ମାନଙ୍କ ଗତିପଥ ବଜାୟ ରଖିବାକୁ ପଡିବ । ସବୁ ପ୍ରକଳ୍ପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି," ବୋଲି କହିଛନ୍ତି ପୁର୍ବତନ ପିସିସିଏଫ ସୁଶାନ୍ତ ନନ୍ଦ ।
ଏହା ବି ପଢନ୍ତୁ-
ଇଟିଭି ଭାରତ, ଭୁବନେଶ୍ୱର

