ETV Bharat / state

ବେଆଇନ୍ କୋଇଲା ଡମ୍ପିଙ୍ଗୟାର୍ଡ ବିବାଦ; ଜବତ ହେଲେ ୧୭୦୦ ଟନ୍ କୋଇଲା

ଅନୁଗୋଳ ଜିଲ୍ଲା ହଣ୍ଡପା ରେଳବାଇ ସାଇଡିଂ ନିକଟରେ ବେଆଇନ କୋଇଲା ଡମ୍ପିଙ୍ଗୟାର୍ଡକୁ ନେଇ ଦେଖା ଦେଇଛି ବିବାଦ । ୧୭୦୦ ଟନ୍ ଗଚ୍ଛିତ କୋଇଲା ଜବତ । ରିପୋର୍ଟ- ସଂଗ୍ରାମ ରଞ୍ଜନ ନାଥ

Illegal Coal Yard
ବେଆଇନ୍ କୋଇଲା ଡମ୍ପିଙ୍ଗୟାର୍ଡ (ETV Bharat Odisha)
author img

By ETV Bharat Odisha Team

Published : August 31, 2026 at 5:39 PM IST

2 Min Read
Choose ETV Bharat

ଅନୁଗୋଳ: ବେଆଇନ୍ କୋଇଲା ଡମ୍ପିଙ୍ଗୟାର୍ଡକୁ ନେଇ ଉତ୍ତେଜନା,୧୭ ଶହ ଟନ୍ କୋଇଲା ଜବତ। ଅନୁଗୋଳ ଜିଲ୍ଲାର ହଣ୍ଡପା ରେଳବାଇ ସାଇଡିଂ ନିକଟରେ ବେଆଇନ କୋଇଲା ଡମ୍ପିଙ୍ଗୟାର୍ଡକୁ ନେଇ କିଛି ଦିନ ହେଲା ଉତ୍ତେଜନା ଲାଗି ରହିଛି । ସରକାରଙ୍କ ଦ୍ବାରା ସିଲ୍ ହୋଇଥିବା ଏକ ସ୍ଥାନରେ ପୁଣି ବେଆଇନ୍ କୋଇଲା ଡମ୍ପିଙ୍ଗୟାର୍ଡ କରିବା ଯୋଗୁଁ ବାୟୁ ପ୍ରଦୂଷଣ ଓ ରାସ୍ତାଘାଟ ଖରାପ ହେଉଥିବା ସ୍ଥାନୀୟ ଲୋକେ ଅଭିଯଗ କରିଛନ୍ତି । ଏକ ନିର୍ଦ୍ଧିଷ୍ଟ ଘରୋଇ ସଂସ୍ଥା ପକ୍ଷରୁ ସିଲ୍ ହୋଇଥିବା ପ୍ଲଟ୍‌ରେ କୋଇଲା ଡମ୍ପିଂ କରିଥିବାରୁ ଏଭଳି ସ୍ଥିତି ଦେଖା ଦେଇଛି ।

ବେଆଇନ୍ କୋଇଲା ଡମ୍ପିଙ୍ଗୟାର୍ଡ ବିବାଦ; ଜବତ ହେଲେ ୧୭୦୦ ଟନ୍ କୋଇଲା (ETV Bharat Odisha)

ସ୍ଥାନୀୟ ପ୍ରଶାସନ ଏବଂ ରେଳ ବିଭାଗର ନିୟମକୁ ବେଖାତିର କରି ଜଣେ ଅନଧିକୃତ କୋଇଲା ପରିବହନକାରୀ ସଂସ୍ଥା ପ୍ରାୟ ଦୁଇ ବର୍ଷ ପୂର୍ବରୁ ତାଳଚେର ଖଣି ବିଭାଗ ଉପନିର୍ଦ୍ଧେଶକଙ୍କ ଦ୍ଵାରା ସିଲ୍ ହୋଇଥିବା ଏକ ପ୍ଲଟ୍‌ରେ ଜୋର ଜବରଦସ୍ତ କୋଇଲା ଡମ୍ପିଂ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇବା ସହ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Illegal Coal Yard
ବେଆଇନ୍ କୋଇଲା ଡମ୍ପିଙ୍ଗୟାର୍ଡ (ETV Bharat Odisha)

ଗ୍ରାମବାସୀ ମୁକ୍ତାବତୀ ପ୍ରଧାନବିଶ୍ୱ ରଞ୍ଜନ ପ୍ରଧାନ କହିଛନ୍ତି,"ପୂର୍ବରୁ ଉକ୍ତ ପ୍ଲଟରେ କୋଇଲା ଭେଜାଲ୍ ଏବଂ ଚାରକୋଲ ମିଶ୍ରଣ ଭଳି ବେଆଇନ୍ କାର୍ଯ୍ୟକଳାପ ହେଉଥିବା ଯୋଗୁଁ ସରକାରଙ୍କ ଦ୍ଵାରା ସିଲ୍ କରାଯାଇଥିଲା । ହେଲେ ଏବେ ଏକ ନିର୍ଦ୍ଧିଷ୍ଟ ସଂସ୍ଥା ଉକ୍ତ ସ୍ଥାନରେ ଜୋରଜବରଦସ୍ତ କୋଇଲା ଜମା କରିବା ଆରମ୍ଭ କରିଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଦୈନିକ ଶହ ଶହ କୋଇଲା ବୋଝେଇ ଟ୍ରକ୍ ଚଳାଚଳ କରୁଥିବାରୁ ଲୋକଙ୍କ ସବୁଦିନିଆ ରାସ୍ତା ମରଣଯନ୍ତ ପାଲଟିଛି । କୋଇଲା ଗୁଣ୍ଡ ଉଡ଼ି ପରିବେଶ ପ୍ରଦୂଷଣ ହେଉଛି । ଲୋକଙ୍କ ବ୍ୟକ୍ତିଗତ ଜମି କୌଣସି ବ୍ୟବହାର ହୋଇ ପାରୁନାହିଁ ।"

Illegal Coal Yard
ବେଆଇନ୍ କୋଇଲା ଡମ୍ପିଙ୍ଗୟାର୍ଡ (ETV Bharat Odisha)

ଆଉ ଜଣେ ଗ୍ରାମବାସୀ ପ୍ରମୋଦ ବେହେରା କହିଛନ୍ତି," ସରକାରୀ ସିଲ୍ ଭାଙ୍ଗି ବେଆଇନ ଅନୁପ୍ରବେଶ କରିବା ଏକ ଗୁରୁତର ଅପରାଧ । ଏହା ସିଧାସଳଖ ରାଜ୍ୟ ସରକାରଙ୍କ ଇଣ୍ଟିଗ୍ରେଟେଡ୍ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍ ନିୟମର ଉଲ୍ଲଂଘନ ଅଟେ । ବିନା କୌଣସି ବୈଧ ଟ୍ରାନ୍ସପୋର୍ଟ ପାସ୍ ଏବଂ ବେଆଇନ୍ ରାସ୍ତା ଦେଇ ଭାରି ଯାନ ପରିବହନ କରୁଥିବାରୁ ସରକାରୀ ରାଜସ୍ୱ ହାନୀ ହେବା ସହ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି । ଏନେଇ ଅନୁଗୋଳ ଏଡିଏମ, ତାଳଚେର ଡିଡିଏମ ଏବଂ ବରିଷ୍ଠ ରେଳବାଇ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି ।"

Illegal Coal Yard
ବେଆଇନ୍ କୋଇଲା ଡମ୍ପିଙ୍ଗୟାର୍ଡ (ETV Bharat Odisha)

ସେ ଆହୁରି କହିଛନ୍ତି," ଅନଧିକୃତ ପ୍ଲଟ୍‌ରେ ଡମ୍ପିଂ କରାଯାଇଥିବା ସମସ୍ତ କୋଇଲାକୁ ତୁରନ୍ତ ଜବତ କରିବା ସହ ଉକ୍ତ ସଂସ୍ଥାର ପରିବହନ ଅନୁମତି ଏବଂ ମାଇନିଂ ଲାଇସେନ୍ସକୁ ସ୍ଥାୟୀ ଭାବେ ରଦ୍ଦ କରାଯାଉ । ଯଦି ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ଏବଂ ସମ୍ପୂର୍ଣ୍ଣ ପରିବହନ କାର୍ଯ୍ୟ ବନ୍ଦ କରିଦିଆଯିବ । "

ତାଳଚେର ଖଣି ଉପନିର୍ଦ୍ଦେଶକ ଦେବେନ୍ଦ୍ର ଦଳେଇ କହିଛନ୍ତି," ଆମେ ଅଭିଯୋଗ ପାଇବା ପରେ ବିଭାଗ ପକ୍ଷରୁ ସମ୍ପୃକ୍ତ କୋଇଲା ଡମ୍ପିଙ୍ଗୟାର୍ଡରେ ଗଚ୍ଛିତ ପ୍ରାୟ ୧୭୦୦ ଟନ୍ କୋଇଲାକୁ ଜବତ କରାଯାଇଛି । ଅନୁମତି ନ ଥାଇ କୋଇଲା ମହଜୁଦ ରଖିଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ... ‘ଜଙ୍ଗଲ-ଜମି ଛାଡିବୁ ନାହିଁ’: ଛେଣ୍ଡିପଦାରେ ପ୍ରସ୍ତାବିତ କୋଇଲା ଖଣି ପାଇଁ ସରିଲା ଜନଶୁଣାଣି

ଇଟିଭି ଭାରତ, ଅନୁଗୋଳ