ଅଟୋକୁ ଧକ୍କା ଦେଲା 'ଆମ ବସ୍'; ଜଣେ ମୃତ, 200000 କ୍ଷତିପୂରଣ ପ୍ରଦାନ କଲା CRUT
ଅଟୋକୁ ପଛରୁ ଧକ୍କା ଦେଇଥିଲା ଆମ୍ ବସ୍ । ଭୁବନେଶ୍ୱର ରୂପାଲି ଛକରେ ଆମ୍ ବସ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ତଦନ୍ତ ଜାରି ।

Published : January 3, 2026 at 1:53 PM IST
|Updated : January 3, 2026 at 7:41 PM IST
Bhubaneswar Accident ଭୁବନେଶ୍ୱର: ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭରୁ ପୁଣି ଜୀବନ ନେଲା 'ଆମ ବସ୍' । ଭୁବନେଶ୍ୱର ରୁପାଲି ଟ୍ରାଫିକ୍ ଉପରେ ଏକ ଅଟୋକୁ ପଛରୁ ଧକ୍କା ଦେଇଛି ‘ଆମ ବସ୍’ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଡିସିପି ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ସେପଟେ କ୍ଷତିପୂରଣ ପ୍ରଦାନ କରିଛି CRUT (Capital Region Urban Transport)
ଅଟୋକୁ ଧକ୍କା ଦେଲା 'ଆମ ବସ୍'
ଆଜି (ଶନିବାର) ମଧ୍ୟାହ୍ନରେ ଭୁବନେଶ୍ବର ରୁପାଲି ଛକରେ ଏକ ଅଟୋକୁ 'ଆମ ବସ୍' ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଆଗରେ ଥିବା ଆଉ ଏକ ବସ୍ରେ ଅଟୋଟି ଚାପି ହୋଇଯାଇଥିଲା । ଫଳରେ ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଛି । ଅଟୋ ଭିତରେ ଥିବା ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଖବ ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଘଟଣାସ୍ଥଳରେ ଉତ୍ତେଜନା:
ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ତେଜନା ବଢ଼ୁଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଡିସିପି ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି । ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ସେପଟେ ଦୁର୍ଘଟଣା ପାଇଁ ପ୍ରତ୍ୟକ୍ଷଦର୍ଶୀମାନେ ସିଧାସଳଖ ଭାବେ 'ଆମ ବସ୍' ଚାଳକଙ୍କୁ ଦୋଷାରୋପ କରିଛନ୍ତି । ସେମାନଙ୍କ ଅଭିଯୋଗ କରିଛନ୍ତି ଯେ, ବସ୍ ଚାଳକଙ୍କ ଅବହେଳା ଏବଂ ଟ୍ରାଫିକ୍ ସିଗ୍ନାଲରେ ବସ୍ ନ ରହିବାରୁ ଦୁର୍ଘଟଣାଟି ଘଟିଛି ।

ଡିସିପି ଜଗମୋହନ ମୀନା କହିଛନ୍ତି, "ଆମେ ପୋଲିସ ଫୋର୍ସ ନେଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଛୁ । ରାସ୍ତାରେ ଗାଡ଼ିଚଳାଚଳ ସ୍ବଭାବିକ କରାଯାଇଛି । କିଭଳି ଦୁର୍ଘଟଣା ଘଟିଲା ସେନେଇ ସିସିଟିଭି ଯାଞ୍ଚ କରାଯିବ । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।"
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, "ଅଟୋ ଓ ସ୍କୁଲ୍ ବସ୍ ଟ୍ରାଫିକ୍ ଛକରେ ଠିଆ ହୋଇଥିବା ସମୟରେ ପଛ ପଟୁ ଦ୍ରୁତ ଗତିରେ ଆସି ଆମ ବସ୍ ଦୁଇଟି ଯାନକୁ ଧକ୍କା ଦେଇଥିଲା । ଏଥିରେ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଛି । ଦୁର୍ଘଟଣା ପରେ ବସ୍ ଚାଳକ ଓ କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।"
ଜାତୀୟ ସଡକ ସୁରକ୍ଷା ମାସ ଆରମ୍ଭରୁ ଦୁର୍ଘଟଣା:
ଜାତୀୟ ସଡକ ସୁରକ୍ଷା ମାସର ପ୍ରଥମ ଦିନରେ ଏଭଳି ମର୍ମାନ୍ତୁତ ସଡକ ଦୁର୍ଘଟଣାକୁ ସାଧାରଣରେ ସମାଲୋଚନ କରାଯିବା ସହିତ ପ୍ରତ୍ୟକ୍ଷଦର୍ଶୀମାନେ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଆମ ବସ୍ ଡ୍ରାଇଭରମାନଙ୍କୁ ଟ୍ରାଫିକ୍ ନିୟମ ଓ ସଡକ ସୁରକ୍ଷା ସମ୍ପର୍କରେ ସଚେତନ କରାଯିବା ନିତ୍ୟାନ୍ତ ଆବଶ୍ୟକ । ଅବହେଳା ଯୋଗୁଁ ନିର୍ଦୋଷ ଲୋକଙ୍କ ଜୀବନ ନଷ୍ଟ ହେଉଛି ।
ଜଣେ ଛାତ୍ରୀ କହିଛନ୍ତି, "ସବୁ ବସ ଡ୍ରାଇଭର ଖରାପ ନୁହନ୍ତି, କିନ୍ତୁ ବର୍ତ୍ତମାନ ଏଭଳି ଘଟଣା ଦେଖିବା ପରେ ଡର ଲାଗିବା ଆରମ୍ଭ କଲାଣି । କାରଣ ଆଗରୁ ଏଭଳି ଦୁର୍ଘଟଣା ଦେଖିନଥିଲି ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, "ପୂର୍ବରୁ ମଧ୍ୟ ଆମ ବସ ରାଜଧାନୀରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇଥିବା ନଜର ରହିଛି । ବିଶେଷ କରି ଚନ୍ଦ୍ରଶେଖରପୁର ପଟିଆ ଅଞ୍ଚଳରେ ଅଧିକ ମାତ୍ରାରେ ଆମ ବସ ଦର୍ଘଟଣା ଘଟାଉଥିବା ଦେଖାଯାଇଛି । ବାରମ୍ବାର ଏଭଳି ଦୁର୍ଘଟଣା ଘଟାଉଥିବା ଆମ ବସ ଉପରେ କୌଣସି ଆକ୍ସନ ନେଉନାହାନ୍ତି ସରକାର । ଫଳରେ ଅମାନିଆ ଭାବରେ ବାରମ୍ବାର ଦୁର୍ଘଟଣା ଘଟାଇ ଚାଲିଛନ୍ତି ଆମ ବସ ।"

କ୍ଷତିପୂରଣ ପ୍ରଦାନ:
ଏହି ଘଟଣାକୁ ନେଇ CRUT ଦୁଃଖ ପ୍ରକାଶ କରିବା ସହିତ ମୃତକ ଓ ଆହତଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛି । ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତିକୁ ରୋକିବା ପାଇଁ କଡା଼ ନିଷ୍ପତି ନିଆଯାଉଛି । ଏହି ଘଟଣାରେ ଆହତ ବ୍ୟକ୍ତିଙ୍କୁ 50,000 ଟଙ୍କା କ୍ଷତିପୂରଣ ଦେଇଥିବା ବେଳେ ମୃତକଙ୍କ ପରିବାରକୁ ତୁରନ୍ତ ସହାୟତା ସ୍ୱରୂପ 2,00,000 ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଛି ବୋଲି CRUT କହିଛି ।
ଏହା ମଧ୍ୟ ପଢ଼ନ୍ତୁ... ରାଇରଙ୍ଗପୁରରେ ବାଇକ-ବସ୍ ମଧ୍ୟରେ ଧକ୍କା: 3 ଯୁବକ ମୃତ ପୁରୀ ବଡ଼ଦାଣ୍ଡରେ ଛାତିଥରା ସିରିଜ୍ ଦୁର୍ଘଟଣା; ବୋଲେରୋ ଧକ୍କାରେ ନାବାଳକ ମୃତ, ୨ ଆହତ |
ଏପଟେ ଅଟୋ ଓ ଆମ ବସ ଦୁର୍ଘଟଣାକୁ ଏକ ଘଣ୍ଟା ବିତି ନଥିବାରେ ବେଳେ ରୁପାଲି ଛକ ନିକଟରେ ଆଉ ଏକ ଘଟଣା ଘଟିଛି । ଆମ ବସ ଏକ ସ୍କୁଟି ଚାଳକଙ୍କୁ ଧକା ଦେବା ଫଳରେ ଘଟଣାସ୍ଥଳରେ ଉତ୍ୟକ୍ତ ଲୋକମାନେ ବସକୁ ଘେରିଯାଇଥିଲେ । ଡ୍ରାଇଭରକୁ ମଧ୍ୟ ମାଡ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତେଜନାକୁ ନିୟନ୍ତ୍ରଣ କରିଛି ।
ଇଟିଭି ଭାରତ, ଭୁବନେଶ୍ବର

