ଭୁବନେଶ୍ୱରରେ ଆମ ବସ୍ କଣ୍ଡକ୍ଟରଙ୍କ ଧାରଣା; ଗାଡ଼କଣ ଡିପୋରୁ ଗଡିଲାନି ଗାଡି, ପୋଲିସର ବୁଝାସୁଝା ପରେ ବି ଉତ୍ତେଜନା
L&K କମ୍ପାନୀ ୪ ବର୍ଷ ଧରି ଗାଡକଣ ଡିପୋ ଦାୟିତ୍ୱରେ ଥିଲା। ଚଳିତବର୍ଷ ଜାନୁଆରୀରୁ ଉକ୍ତ କମ୍ପାନୀ ଚାଲି ଗଲାଣି । ଆଜିଯାଏ ସିକ୍ୟୁରିଟି ଟଙ୍କା, PF ଫେରାଇ ନଥିବାରୁ କଣ୍ଡକ୍ଟରମାନେ ଆନ୍ଦୋଳନ କରିଛନ୍ତି।


Published : September 1, 2026 at 3:49 PM IST
ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ପ୍ରଭାବିତ ହୋଇଛି ଆମ ବସ୍ ସେବା । ଗାଡକଣ ଡିପୋରେ ଆଜି (ମଙ୍ଗଳବାର) ଆମ ବସ୍ କଣ୍ଡକ୍ଟରଙ୍କ ଧାରଣା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ୧୦୦ରୁ ଊର୍ଦ୍ଧ୍ଵ କଣ୍ଡକ୍ଟରଙ୍କ ଆନ୍ଦୋଳନ ଯୋଗୁ ଗାଡ଼କଣ ଡିପୋରୁ ୪୭ଟି ବସ୍ ଚାଲିନାହିଁ। ଗାଡକଣ ଡିପୋରେ କଣ୍ଡକ୍ଟରମାନଙ୍କ ପାଇଁ ଟେଣ୍ଡର ନେଇଥିବା ପୂର୍ବ ସଂସ୍ଥା L & K private limited ବିରୋଧରେ ସ୍ୱର ଉତ୍ତୋଳନ ହୋଇଛି। ଏହି କମ୍ପାନୀ ସିକ୍ୟୁରିଟି ଟଙ୍କା ଫେରାଇ ନଥିବା ବେଳେ PF ଟଙ୍କା ଜମା କରିନଥିବା ଅଭିଯୋଗ ହୋଇଛି।
ଧାରଣାରତ କଣ୍ଡକ୍ଟରଙ୍କ ଅଭିଯୋଗ, L& k ସଂସ୍ଥା ପ୍ରତିଦିନ ୫୭୨ ଟଙ୍କା ହିସାବରେ କଣ୍ଡକ୍ଟରମାନଙ୍କୁ ଟଙ୍କା ଦେଉଥିଲା। ତେବେ ଜଣେ କଣ୍ଡକ୍ଟର ନିଯୁକ୍ତି ପାଇବା ପରେ ମାସକୁ ୧ ହଜାର ଲେଖାଏ ୧୦ ମାସ ପାଇଁ ସିକ୍ୟୁରିଟି ବାବଦରେ ଟଙ୍କା କାଟି ରଖିଥିଲା। Pf ୧୮୦୦ ଟଙ୍କା ଲେଖାଏ ମଧ୍ୟ କାଟି ରଖୁଥିଲା। ଉକ୍ତ L&K କମ୍ପାନୀ ୪ ବର୍ଷ ଧରି ଗାଡକଣ ଡିପୋ ଦାୟିତ୍ୱରେ ଥିଲା। ହେଲେ ଚଳିତ ବର୍ଷ ଜାନୁଆରୀରୁ ଉକ୍ତ କମ୍ପାନୀ ଚାଲି ଗଲାଣି । ଆଜି ଯାଏ ସିକ୍ୟୁରିଟି ଟଙ୍କା ଓ PF ଟଙ୍କା ଫେରାଇ ନଥିବାରୁ କଣ୍ଡକ୍ଟରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ଅଧିନରେ ଉକ୍ତ ଏଜେନ୍ସି ଥିଲା ବୋଲି ସେମାନେ କହିଛନ୍ତି।

ତେବେ ଏହି ଆନ୍ଦୋଳନ ଯୋଗୁ ଗାଡକଣ ଡିପୋରେ ବସଗୁଡିକ ରହିଥିବା ବେଳେ ଯାତ୍ରୀମାନେ ମଧ୍ୟ ହଇରାଣ ହୋଇଛନ୍ତି। ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ହେବ ଆନ୍ଦୋଳନ ଜାରି ରହିଛି। ତେବେ ମୈତ୍ରୀ ବିହାର ପୋଲିସ ଟିମ୍ ପହଞ୍ଚି ବୁଝାସୁଝା କରିବା ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା । CRUT ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିବା ସହ ପୂର୍ବ ସଂସ୍ଥା ସହ ଆଲୋଚନା ଜାରି ରଖିଛନ୍ତି।


କଣ୍ଡକ୍ଟର ସରୋଜ ଦଳାଇ କହିଛନ୍ତି, ' ଆମେ ଆନ୍ଦୋଳନ କରିବୁ ବୋଲି ଧମକ ଦେବାରୁ L&K ସଂସ୍ଥା ଜୁଲାଇ ୨୪ରେ ଆମକୁ ଟଙ୍କା ଫେରାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା । ସମସ୍ତ କାଗଜପତ୍ର ଅଫିସରେ ଜମା କରିବା ପରେ ଅଗଷ୍ଟ ୧୫ ସୁଦ୍ଧା ଟଙ୍କା ଫେରାଇ ଦେବେ ବୋଲି କହିଥିଲା। ଆମେ ସମସ୍ତ କାମ କରି ସାରିଥିଲେ ହେଁ ଏପର୍ଯ୍ୟନ୍ତ ଟଙ୍କା ମିଳିନାହିଁ । ଟଙ୍କା ନ ମିଳିବା ଯାଏ ଆନ୍ଦୋଳନରେ ବସିବୁ' ବୋଲି ସରୋଜ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ ପଶ୍ଚିମ ଓଡ଼ିଶାରେ ଚାଷୀ ଅସନ୍ତୋଷ: ଏଗ୍ରିଷ୍ଟାକ ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର
ଏହା ମଧ୍ୟ ପଢନ୍ତୁ ଉଗ୍ର ହେଉଛି ରେଭେନ୍ସା ଶିକ୍ଷକ-ବିଧାୟକ ବିବାଦ: ସମୂହ ଛୁଟିରେ ରହି କଳାବ୍ୟାଚ ପିନ୍ଧି RUTAର ପ୍ରତିବାଦ

