ETV Bharat / state

ଆକ୍ତାମାକ୍ତା ତାଳଚେର ଜନଜୀବନ ! କଟକଣା ପରେ ବି ସୁଧୁରୁନି ବାୟୁର ସ୍ଥିତି

ଦେଶର ସବୁଠୁ ପ୍ରଦୂଷିତ ସହର ତାଲିକାରେ ତାଳଚେର ନାମ ଆସିବା ପରେ ଗ୍ରାପ ଷ୍ଟେଜ୍‌-୨ ଗାଇଡଲାଇନ ଅନୁସାରେ ଅନେକ କଟକଣା କରାଯାଇଛି । ତଥାପି AQI 200 ଉପରେ ।

TALCHER PULLUTION STATUS
ଆକ୍ତାମାକ୍ତା ତାଳଚେର ଜନଜୀବନ (ETV Bharat Odisha)
author img

By ETV Bharat Odisha Team

Published : January 6, 2026 at 9:52 PM IST

2 Min Read
Choose ETV Bharat

ଅନୁଗୋଳ: ପ୍ରଦୂଷଣକୁ ନେଇ ତାଳଚେର ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଯୁଆଡେ ଦେଖିଲେ ଖାଲି ଧୂଳି ଆଉ କଳାଗୁଣ୍ଡ । ଘର ଭିତରେ ଧୂଳି, ପାଣି ଉପରେ ଧୂଳି, ପବନରେ ଧୂଳି । ଗଛ ପତ୍ର ଗୁଡିକୁ ଚିହ୍ନି ହେଉନି। ପତ୍ର ଉପରେ ଧୂଳିର ଅସ୍ତରଣ ପଡି ରହିଛି । ବାହାରେ ଯାହାବି ରହୁଛି ସବୁ ଧୂଳି ଓ କଳାଗୁଣ୍ଡର ଅସ୍ତରଣ ପଡି ଯାଉଛି । ଏଭଳି ସ୍ଥିତିରେ ଲୋକେ କେମିତି ବଞ୍ଚିବେ ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏପଟେ ବିଗତ କିଛି ଦିନ ଧରି ତାଳଚେର ସହର ପ୍ରଦୂଷଣରେ ସାରାଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଯାହାକି ଚିନ୍ତାର କାରଣ ପାଲଟି ଯାଇଥିଲା । କିନ୍ତୁ ପ୍ରଶାସନର ବିଭିନ୍ନ କଟକଣା ପରେ ବାୟୁର ଗୁଣବତ୍ତା ସାମାନ୍ୟ କମିଛି । ସୋମବାର ଅର୍ଥାତ 5 ତାରିଖରେ ବାୟୁର ଗୁଣବତ୍ତା ୩୨୧ ରୁ ୨୨୦କୁ ଖସି ଆସିଥିଲା । ତଥାପି ଏହା ଭଲ ସ୍ଥିତି ନୁହେଁ । ତେଣୁ ପ୍ରଶାସନ ପକ୍ଷରୁ ଲଗା ଯାଇଥିବା କଟକଣା ଗୁଡିକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦିଆ ଯାଇଛି ବୋଲି ଅନୁଗୋଳ ଜିଲ୍ଳାପାଳ ଅବଦୁଲ ଏମ. ଅଖତାର ସୂଚନା ଦେଇଛନ୍ତି ।

ଆକ୍ତାମାକ୍ତା ତାଳଚେର ଜନଜୀବନ (ETV Bharat Odisha)

ଚଳିତ ମାସ ୧ ଓ ୨ତାରିଖ ତାଳଚେର ସହରାଞ୍ଚଳରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବାୟୁର ଗୁଣବତ୍ତା ୩୨୦ ଟପି ଯାଇଥିଲା । ଲଗାତାର ଏଭଳି ସ୍ଥିତି ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇ ପଡ଼ିଥିଲା । ଏଭଳି ସ୍ଥିତି ଯୋଗୁଁ ସାଧାରଣ ଲୋକେ ଓ ପ୍ରଶାସନ ଚିନ୍ତାରେ ପଡ଼ି ଯାଇଥିଲେ । ଏଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆ ଯାଇଥିଲା ।

ସହରାଞ୍ଚଳରେ ନିୟମିତ ଭାବେ ପାଣି ସିଞ୍ଚନ, କୋଇଲା ବୋଝେଇ ଟ୍ରକ ଗୁଡିକରେ ପାଳ ଘୋଡାଇବା, ଢ଼ାବା ହୋଟେଲ ଗୁଡିକରେ କୋଇଲା ନଜାଳିବା, ସହର ଭିତରକୁ ଭାରୀ ଯାନ ଚଳାଚଳ ବନ୍ଦ ଭଳି କଡା ନିର୍ଦେଶନାମା ଜାରି କରାଯାଇଥିଲା । ଏହା ଫଳରେ ବାୟୁର ଗୁଣବତା ୨୨୦କୁ ଖସି ଆସିଛି ।

ଏହାଛଡା ଶୀତ ଲହରି କମିଯିବା ଫଳରେ ମଧ୍ୟ ବାୟୁ ଗୁଣବତ୍ତା ସାମାନ୍ୟ କମିଛି । କିନ୍ତୁ ମଧ୍ୟମ ଓ ବୃହତ୍ତ ଧୂଳିକଣାର ସ୍ଥିତି ବାୟୁ ମଣ୍ଡଳରେ ସ୍ଥିର ରହିଥିବାରୁ ପ୍ରଦୂଷଣ ଜନିତ ବିପଦ ଆଦୌ ଟଳି ନାହିଁ । ତାଳଚେର ଡାକ୍ତରଖାନାରେ ଶ୍ୱାସ ଜନିତ ରୋଗୀଙ୍କ ସଂଖ୍ୟା ବଢୁଥିବା ଡାକ୍ତର କହିଛନ୍ତି। ଦିନ ତମାମ ଏବେବି ଚାରିଆଡେ ଧୂଆଁଳିଆ ରହୁଛି। ତେଣୁ ପ୍ରଶାସନ ପକ୍ଷରୁ ଯେଉଁସବୁ ନିର୍ଦେଶନାମା ଜାରି କରାଯାଇଛି ତାହାକୁ ସପ୍ତାହେ ପର୍ଯ୍ୟନ୍ତ ବଳବତ୍ତର ରଖାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି ।

"ଏଠାରେ ବାୟୁର ଗୁଣବତ୍ତା ଏବେ ବୃଦ୍ଧି ପାଇଛି । କିନ୍ତୁ ସବୁବେଳେ କୋଇଲା ଗୁଣ୍ଡ ଉଡି ପ୍ରମୁଖ ସମସ୍ୟା ସୃଷ୍ଟି କରୁଛି। ତାଳଚେର ଚାରିପାଖରେ ଥିବା କୋଲ ୱାଶେରୀ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ବେଳେ ପ୍ରଶାସନ କାହିଁକି ସେଗୁଡିକୁ ବନ୍ଦ କରୁନି ? କେବଳ ଯାନ ବାହାନ ଚଳାଚଳ ଉପରେ କଟକଣା ଲଗାଇଲେ ପ୍ରଦୂଷଣ ନିୟନ୍ତ୍ରଣ ହେବ ନାହିଁ," ବୋଲି ତାଳଚେରର ବହୁ ବୁଦ୍ଧିଜୀବୀ କହିଛନ୍ତି ।

ପ୍ରଶାସନର କଟକଣା ଏବଂ ପାଗରେ ପରିବର୍ତ୍ତନ ଯୋଗୁଁ ବାୟୁର ଗୁଣବତ୍ତା ସାମାନ୍ୟ କମିଥିଲେ ମଧ୍ୟ ପ୍ରଦୂଷଣ ଜନିତ ସମସ୍ୟାର ସମାଧାନ ହୋଇ ନାହିଁ। ତେଣୁ ଆଗାମୀ ଦିନରେ ଏହା ଭୟଙ୍କର ରୁପ ନେବାର ଆଶଙ୍କା ରହିଛି।

ଏହା ବି ପଢନ୍ତୁ- ଅଣନିଶ୍ବାସୀ ଓଡ଼ିଶା: ପ୍ରଦୂଷଣ ବଢ଼ିଲା, ତାଳଚେର ପାଇଁ ଲାଗିଲା କଡ଼ା କଟକଣା

ଇଟିଭି ଭାରତ, ଅନୁଗୋଳ