ରାଜ୍ୟରେ ଉପର ମୁଁହା ବାୟୁ ପ୍ରଦୂଷଣ; ଗୋଟିଏ ପରେ ଗୋଟିଏ ସହରରେ ଲାଗିଲା କଟକଣା
ଓଡିଶାର ଏକାଧିକ ସହର ସ୍ଥିତି ଏବେ ବିପଜ୍ଜନକ । AQI ସ୍ତର ରେକର୍ଡ ହାରରେ ବୃଦ୍ଧି ପାଇ ଜାତୀୟ ପ୍ରଦୂଷଣ ଚାର୍ଟରେ ଶୀର୍ଷରେ ରହିଛି । ଏହା ପରେ ପ୍ରଶାସନର ନିଦ ଭାଙ୍ଗିଛି ।

Published : January 6, 2026 at 7:18 PM IST
|Updated : January 6, 2026 at 8:05 PM IST
ଭୁବନେଶ୍ୱର: ସରକାରଙ୍କ ନିଦ ହଜାଇ ଦେଇଛି ବାୟୁ ପ୍ରଦୂଷଣ । ଦିଲ୍ଲୀ ଭଳି ଓଡ଼ିଶାରେ ଏବେ ସାଙ୍ଘାତିକ ସ୍ଥିତି । ପ୍ରତ୍ୟେକ ଦିନ AQI ବଢୁଛି । ବାୟୁ ପ୍ରଦୂଷଣରେ ଦେଶରେ ସବୁଠୁ ଆଗରେ ରହୁଛି ଓଡ଼ିଶା। ତାଳଚେର ଓ ବାଲେଶ୍ଵର ସହର ପରେ ଏବେ କଟକ ଭୁବନେଶ୍ୱରର ଟୁଇନ ସିଟିରେ ମଧ୍ୟ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ତେବେ ହଠାତ ରାଜ୍ୟରେ କାହିଁକି ବଢୁଗଲା ବାୟୁ ପ୍ରଦୂଷଣ? କଣ ରହିଛି ଏହା ପଛର କାରଣ ?
ଓଡିଶାର ଏକାଧିକ ସହର ସ୍ଥିତି ଏବେ ବିପଜ୍ଜନକ । AQI ସ୍ତର ରେକର୍ଡ ହାରରେ ବୃଦ୍ଧି ପାଇ ଜାତୀୟ ପ୍ରଦୂଷଣ ଚାର୍ଟରେ ଶୀର୍ଷରେ ରହିଛି । ଏହା ପରେ ପ୍ରଶାସନର ନିଦ ଭାଙ୍ଗିଛି । ପ୍ରଦୂଷଣ କମ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯିବା ସହ ଧୂଳି ପ୍ରବଣ ଜୋନ୍ ଉପରେ କଡା ନଜର ରଖାଯାଇଛି । ଜାଳେଣି କାଠ ବନ୍ଦ କରିବା ପାଇଁ ରାସ୍ତା କଡ଼ରେ ଥିବା ଢ଼ାବା ଏବଂ ଭୋଜନକାରୀଙ୍କ ପାଇଁ ନିର୍ଦ୍ଦେଶନାମା ସହିତ ତାଳଚେର ଏବଂ ବାଲେଶ୍ୱର ଜିଲ୍ଲାରେ କଟକଣା କରାଯାଇଛି । ଏହା ସହ ଟୁଇନ ସିଟିରେ ମଧ୍ୟ କଟକଣା କରାଯାଇଛି ।
କେମିତି ଅଛି ରାଜ୍ୟରେ AQI ସ୍ଥିତି
ଅନୁଗୁଳ
- ଜାନୁଆରୀ ୧- ୨୯୬,
- ଜାନୁଆରୀ ୨-୩୪୬
- ଜାନୁଆରୀ ୩- -୩୨୧
- ଜାନୁଆରୀ ୪- ୨୩୬
- ଜାନୁଆରୀ ୫- ୨୪୧
- ଜାନୁଆରୀ ୬-୨୬୦
ବାରିପଦା
- ଜାନୁଆରୀ ୧- ୩୧୯
- ଜାନୁଆରୀ ୨- ୩୧୨
- ଜାନୁଆରୀ ୩- ୩୨୪
- ଜାନୁଆରୀ-୬ ୧୪୬
ବାଲେଶ୍ୱର
- ଜାନୁଆରୀ ୧- ୩୩୭
- ଜାନୁଆରୀ ୨-୩୧୮
- ଜାନୁଆରୀ ୩ - ୨୯୭
- ଜାନୁଆରୀ ୪ -୩୦୬
- ଜାନୁଆରୀ ୫ -୧୫୦
- ଜାନୁଆରୀ ୬ -୧୮୯
ଭୁବନେଶ୍ୱର
- ଜାନୁଆରୀ ୧- ୩୦୫
- ଜାନୁଆରୀ ୨- ୩୧୭
- ଜାନୁଆରୀ ୩- ୨୯୪
- ଜାନୁଆରୀ ୪-୨୪୮
- ଜାନୁଆରୀ ୫- ୨୫୬
- ଜାନୁଆରୀ ୬- ୨୩୮
କଟକ
- ଜାନୁଆରୀ ୧- ୩୦୪
- ଜାନୁଆରୀ ୨ -୩୨୪
- ଜାନୁଆରୀ ୩- ୩୦୦
- ଜାନୁଆରୀ ୪- ୨୭୭
- ଜାନୁଆରୀ ୫ -୨୫୧
- ଜାନୁଆରୀ ୬- ୧୯୮
ତାଳଚେର
- ଜାନୁଆରୀ ୧ -୩୧୦
- ଜାନୁଆରୀ ୨- ୩୮୦
- ଜାନୁଆରୀ ୩- ୩୩୨
- ଜାନୁଆରୀ ୪- ୨୫୫
- ଜାନୁଆରୀ ୫- ୨୫୭
- ଜାନୁଆରୀ ୬- ୨୨୬
ଏ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ କହିଛନ୍ତି, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ସହିତ ଇଂଜିନିୟର ଓ ବରିଷ୍ଠ ବୈଜ୍ଞାନିକମାନଙ୍କର ଏକ ସ୍ୱତନ୍ତ୍ର ବୈଠକ କରାଯାଇଛି । ପ୍ରଦୂଷଣକୁ କିପରି ରୋକା ଯାଇପାରିବ ସେନେଇ ଆଲୋଚନା କରାଯାଇଛି । କିଛି ଦିନ ହେଲା ରାଜ୍ୟରେ ପ୍ରଦୂଷଣ ବଢ଼ୁଥିବାରୁ ପ୍ରଥମେ ବାରିପଦାରେ କଟକଣା କରାଯାଇଥିଲା । ପରବର୍ତ୍ତୀ ସମୟରେ ବାଲେଶ୍ଵରରେ ମଧ୍ୟ କରାଯାଥିଲା । ଆଜି ଟୁଇନ ସିଟିରେ ମଧ୍ୟ କଟକଣା ଲଗାଇଛି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ । ଏହାକୁ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ।
ପ୍ରଶାସନ ପକ୍ଷରୁ କ’ଣ ରହିଛି କଟକଣା
ସାଧାରଣ ନିର୍ମାଣ କାମକୁ ବନ୍ଦ କରାଯାଇଛି । ଯେହେତୁ ସକାଳ ସମୟରେ ପାଗ ଓଦା ରହିଥାଏ ସେହି ସମୟରେ ବାଲି ଉଡ଼ିପାରିବ ନାହିଁ । ତେଣୁ ପ୍ରଦୂଷଣ ବଢିବା ସମ୍ଭାବନା ଅଧିକ ଥାଏ ବୋଲି କହିଛନ୍ତି ଜଙ୍ଗଲ ମନ୍ତ୍ରୀ । ସେ ଆହୁରି କହିଛନ୍ତି, କଟକ ଭୁବନେଶ୍ୱରରେ ଅଧିକାଂଶ ସ୍ଥାନରେ କନଷ୍ଟ୍ରକସନ କାମ ଚାଲିଛି । ତେଣୁ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କନଷ୍ଟ୍ରକସନକୁ ବନ୍ଦ କରାଯାଇଛି । ବାହାରେ ଅଵର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ଉପରେ ମଧ୍ୟ କଟକଣା ମଧ୍ୟ କରାଯାଇଛି । ରାତିରେ ଭାରି ଯାନବାହାନ ଚଳା ଚଳ ଉପରେ ମଧ୍ୟ କଟକଣା ଲାଗିଛି । NH ଉପରେ ଦିନକୁ 3 ଥର କରାଯିବା ପାଣି ସିଞ୍ଚନ । ମ୍ୟୁନସିପାଲଟି ଅଂଚଳ ରେ କୌଣସି ଭଙ୍ଗାରୁଜା କାର୍ଯ୍ୟ ହୋଇ ପାରିବ ନାହିଁ । ସହର ମଧ୍ୟରେ ଟ୍ରକ ଚଳା ଚଳ ବନ୍ଦ ରହିବ । କଟକଣାକୁ ବଳ ବତ୍ତର ରଖିବାକୁ ପୋଲିସ, RTO କୁ ନିର୍ଦେଶ ଦିଆଯାଇଥିବା ବେଳେ ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ମନ୍ତ୍ରୀ ଆହୁରି କହିଛନ୍ତି, ଏହି ସମୟରେ ପ୍ରଦୂଷଣ ଅଚାନକ ବଢ଼ିବାରେ ଲାଗିଛି । ପାଣିପାଗର ପରିବର୍ତ୍ତନ ହେଉଥିବା ସହ ଜାତୀୟ ରାଜପଥରେ କାମ ଚାଲିଛି । କ୍ରସରରେ କାମ, ବିଲଡିଂ କାମ ଇତ୍ୟାଦି ଚାଲିଛି । ଯାହା ଫଳରେ ପ୍ରଦୂଷଣ ବଢ଼ିବାରେ ଲାଗିଛି । ତେବେ ଓଡିଶା ପାଇଁ ଏହା କୌଣସି ଖରାପ ସ୍ଥିତି ଆଣିବ ନାହିଁ । ତଥାପି ଆମେ ସତର୍କ ରହିବା ଆବଶ୍ୟକ । ଆଖପାଖରେ ଶିଳ୍ପସଂସ୍ଥା ନ ଥାଇ ମଧ୍ୟ ବାଲେଶ୍ୱର, ବାରିପଦାରେ କାହିଁକି ପ୍ରଦୂଷଣ ବଢୁଛି ତାହାର ସମାଧାନ ଖୁବ ଶୀଘ୍ର ବାହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ପରିବହନ ବିଭାଗ ଗାଡି ଉପରେ ନଜର ରଖାଯାଇଛି । ପରିବହନ, କନଷ୍ଟ୍ରକସନ, ଅର୍ବାନ ଏବଂ ଇଣ୍ଡ୍ରଷ୍ଟି ବିଭାଗ ସହିତ ଆଲୋଚନା କରାଯାଉଛି । ଖୁବ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।
ଏପଟେ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ବରିଷ୍ଠ ବୈଜ୍ଞାନିକ ନିରଞ୍ଜନ ମଲ୍ଲିକ କହିଛନ୍ତି, ପ୍ରଦୂଷଣ ବଢ଼ିବାରେ ମୁଖ୍ୟ କାରଣ ହେଉଛି , ଖରାପ ରାସ୍ତା । ବାଲି ଟ୍ରକ ଯିବେବେଳେ ରାସ୍ତାରେ ଧୂଳି ଉଡୁଛି । ଯାହା ଫଳରେ ପ୍ରଦୂଷଣ ବଢୁଛି । ଏହାକୁ କିଭଳି ଭାବରେ ରୋକାଯାଇ ପାରିବ ସେନେଇ ଆଲୋଚାନ କରାଯାଉଛି ବୋଲି କହିଛନ୍ତି ।
ସେହିପରି ଭାବରେ ଜାନୁଆରୀ ୫ ତାରିଖରେ ବାଲେଶ୍ୱରର ଜିଲ୍ଲାରେ ପ୍ରଦୂଷିତ ବାୟୁର ମାତ୍ରାକୁ ଦୃଷ୍ଟିରେ ରଖି GRAP ଷ୍ଟେଜ୍–II ମାର୍ଗଦର୍ଶିକା ଅନୁସାରେ କଟକଣା କରାଯାଇଛି । ବାଲେଶ୍ୱର ପୌରପାଳିକା ଏବଂ ଅନ୍ୟ ଏନଏସି ଓ ମ୍ୟୁନିସିପାଲିଟି ଅଞ୍ଚଳରେ ଆଗାମୀ ୭ ଦିନ ଯାଏ ବଳବତ୍ତର ରହିବ ଏହି କଟକଣା। ଆବଶ୍ୟକ ପଡିଲେ ଏହାର ଅବଧି ବୃଦ୍ଧି କରାଯିବ।
ସେହିପରି ଭାବରେ ଜାନୁଆରୀ ୩ ତାରିଖରେ ମଧ୍ୟ ତାଳଚେର ସହରରେ କଟକଣା ଲାଗୁ କରାଯାଇଥିଲା । ଦେଶରେ ସର୍ବାଧିକ ବାୟୁ ପ୍ରଦୂଷିତ ସହର ଭାବେ ଲଗାତର ଦୁଇ ଦିନ ଧରି ତାଳଚେରର ନାଁ ରହିଥିଲା । ତେବେ ଏହି ପ୍ରଦୂଷଣ ରୋକିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
କ'ଣ ରହିଛି ଗାଇଡଲାଇନ୍:-
- ପ୍ରତିଦିନ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟକଳାପ ନିଷେଧ
- ପୌରପାଳିକା ସୀମା ମଧ୍ୟରେ କରାଯିବାକୁ ଥିବା ଯେକୌଣସି ଭଙ୍ଗା କିମ୍ବା ମାଟି କାମ କରିବା ନିଷେଧ
- ପୌରପାଳିକା, NHAI ଏବଂ MCL ଦିନକୁ ଅତି କମରେ ୩ ଥର ସମସ୍ତ ରାସ୍ତାରେ ପାଣି ସିଞ୍ଚନ କରାଯିବା ଆବଶ୍ୟକ
- ସହର ଭିତରକୁ ଭାରୀ ଟ୍ରକ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ
- ଖୋଲାରେ ଅଳିଆ ପୋଡ଼ିବା, ଢାବାରେ କୋଇଲା ପୋଡ଼ିବା ଏବଂ ଯେକୌଣସି ପ୍ରକାରର ଖୋଲା ନିଆଁ ଲଗାଇବା ସମ୍ପୂର୍ଣ୍ଣ ନିଷେଧ
- NH-୧୪୯ରେ କୌଣସି ଟ୍ରକ୍ ବିନା ଆବରଣ/ତାରପୋଲିନ୍ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ
- NHAI ଏବଂ ନିର୍ବାହୀ ଯନ୍ତ୍ରୀ, NH ଡିଭିଜନ, ପାଳଲହଡ଼ା ସେମାନଙ୍କର ସମସ୍ତ ନିର୍ମାଣ ସ୍ଥାନରେ ପାଣି ସିଞ୍ଚନ ନିଶ୍ଚିତ କରିବେ
- ଏହି ଆଦେଶ ୭ ଦିନ ପାଇଁ ବଳବତ୍ତର ରହିବ
- ପୋଲିସ, ପୌରପାଳିକା, ସମସ୍ତ କାର୍ଯ୍ୟନିର୍ବାହୀ ଏଜେନ୍ସି ଏବଂ RTOକୁ କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ବାଲେଶ୍ୱରରେ ପ୍ରଦୂଷଣ ଟେନସନ; 7 ଦିନ ପାଇଁ କଟକଣା ଜାରି
ଏହା ମଧ୍ୟ ପଢନ୍ତୁ ଅଣନିଶ୍ବାସୀ ଓଡ଼ିଶା: ପ୍ରଦୂଷଣ ବଢ଼ିଲା, ତାଳଚେର ପାଇଁ ଲାଗିଲା କଡ଼ା କଟକଣା

