ଦକ୍ଷତାରେ ଉତ୍କର୍ଷତା ହାସଲ ଲକ୍ଷ୍ୟ; '୪୭ ITIରେ ସେଣ୍ଟର ଅଫ୍ ଏକ୍ସେଲେନସ, ୯ ITIରେ ହେବ AI Lab', ମୁଖ୍ୟମନ୍ତ୍ରୀ
ଦକ୍ଷତା ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୫୪ ଜଣଙ୍କୁ ସ୍ବର୍ଣ୍ଣ, ୫୩ ଜଣଙ୍କୁ ରୌପ୍ୟ ଏବଂ ୫୦ ଜଣଙ୍କୁ ବ୍ରୋଞ୍ଜ ପଦକ ଦେଇ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ ।


Published : January 9, 2026 at 8:07 PM IST
ଭୁବନେଶ୍ବର: ଓଡ଼ିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଜକୁ କୌଣସି କ୍ଷେତ୍ରରେ ଦକ୍ଷ କରାନ୍ତୁ । ଦେଖିବେ ଆମରି ଓଡ଼ିଶାରେ ହିଁ ନିଯୁକ୍ତି ମିଳିବ । କାରଣ ଦକ୍ଷତା କ୍ଷେତ୍ରର ସମସ୍ତ ସ୍ତରରେ ଉତ୍କର୍ଷତା ହାସଲ କରିବା ହେଉଛି ଆମର ଲକ୍ଷ୍ୟ । ଦୃଢ଼ତାର ସହ ଏହା କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହରେ ରାଜ୍ୟର ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
ଓଡ଼ିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ ଆଜି ସମାପନ ହୋଇଛି । ଏହି ଦକ୍ଷତା ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୫୪ ଜଣଙ୍କୁ ସ୍ବର୍ଣ୍ଣ, ୫୩ ଜଣଙ୍କୁ ରୌପ୍ୟ ଏବଂ ୫୦ ଜଣଙ୍କୁ ବ୍ରୋଞ୍ଜ ପଦକ ଦେଇ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି । ସ୍ବର୍ଣ୍ଣ ବିଜେତାମାନଙ୍କୁ ୨୫ ହଜାର, ରୌପ୍ୟ ବିଜେତାଙ୍କୁ ୨୦ ହଜାର ଏବଂ ବ୍ରୋଞ୍ଜ ବିଜେତାଙ୍କୁ ୧୫ ହଜାର ଟଙ୍କା କ୍ୟାସ ପ୍ରାଇଜ ଓ ମାନପତ୍ର ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ପାଇଁ ଏବଂ ଅର୍ଥନୈତିକ ଉନ୍ନତି ପାଇଁ ଦକ୍ଷତା ଜରୁରୀ ଆବଶ୍ୟକ । ଲୋକଙ୍କୁ ସଶକ୍ତ କରିବା ଆମର ମୂଳଲକ୍ଷ୍ୟ । ଯୁବବର୍ଗ ଯେତେ ପରିମାଣରେ ଦକ୍ଷ ଓ ଆତ୍ମବିଶ୍ବାସୀ ହେବେ, ସେମାନେ ନିଜର ଭବିଷ୍ୟତକୁ ଉଜ୍ଜ୍ବଳ କରି ଗଢି ପାରିବେ । ଯାହା ୨୦୩୬ ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ବିକଶିତ ଭାରତର ପରିକଳ୍ପନାକୁ ସାକାର କରିପାରିବ । ଯୁବବର୍ଗଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେଲେ, ଓଡ଼ିଶାର ଭବିଷ୍ୟତ ମଧ୍ୟ ଉଜ୍ଜ୍ବଳ ହେବ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆମର ଶିଳ୍ପାୟନ ଲକ୍ଷ୍ୟର ତିନିଟି ମୁଖ୍ୟ ସ୍ତମ୍ଭ । ଭିତ୍ତିଭୂମି, ଶିଳ୍ପ ସ୍ଥାପନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଏବଂ ଦକ୍ଷତା । ଏସବୁ କ୍ଷେତ୍ରକୁ ସୁଦୃଢ଼ କରି ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ ଇକୋ ସିଷ୍ଟମକୁ ଶ୍ରେଷ୍ଠ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଗତ ୧୮ ମାସ ମଧ୍ୟରେ ୬.୧୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଯାହାଦ୍ୱାରା ୩ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ ।"

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି,"ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । କ୍ୟାବିନେଟରେ ଉତ୍କର୍ଷ ITI ସ୍କିମକୁ ଅନୁମୋଦନ କରାଯାଇଛି । ରାଜ୍ୟର ୪୭ଟି ITIକୁ ସେଣ୍ଟର ଅଫ୍ ଏକସେଲନ୍ସରେ ପରିଣତ କରିବା ସହିତ ଏଠାରେ ଭିତ୍ତିଭୂମିରେ ଉନ୍ନତି ଏବଂ ଅତ୍ୟାଧୁନିକ ସ୍କିଲ ମାଧ୍ୟମରେ ଟ୍ରେନିଂ ଦିଆଯାଇ ପାରିବ । ସେହିପରି କୃତିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦକ୍ଷତା ହାସଲ ପାଇଁ ରାଜ୍ୟର ୯ଟି ITIରେ AI Laboratory ଖୋଲା ଯାଉଛି ।"

ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି, "ଓଡ଼ିଶା ଦକ୍ଷତା ପ୍ରତିଯୋଗିତା କେବଳ ଏକ ପ୍ରତିଯୋଗିତା ନୁହେଁ । ବରଂ ନୂତନ ଓଡ଼ିଶାର ସାମୂହିକ ଆକାଂକ୍ଷାକୁ ପ୍ରଦର୍ଶନ କରୁଛି । ଏହା ପ୍ରତିଭା ଚିହ୍ନଟ, ଉତ୍କର୍ଷତାକୁ ପ୍ରୋତ୍ସାହନ ଏବଂ ବୃହତ ଜାତୀୟ ଓ ଅନ୍ତର୍ଜାତୀୟ ସୁଯୋଗ ଦେଇପାରିଛି ।" କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହ, ବିଭାଗୀୟ କମିଶନର ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

