ଏମ୍ସରେ ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ, ଚିକିତ୍ସା କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କଲା ଓଡ଼ିଶା
ଓଡ଼ିଶାର ଚିକିତ୍ସା କ୍ଷେତ୍ରରେ ଐତିହାସିକ ସଫଳତା । AIIMS ଭୁବନେଶ୍ୱରରେ ଲିଭର ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ ହୋଇଛି । ଏଥିପାଇଁ 50 ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ଥିଲେ ।

Published : December 31, 2025 at 8:46 PM IST
AIIMS Bhubaneswar First Liver Transplant ଭୁବନେଶ୍ବର: ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କଲା ଭୁବନେଶ୍ବର ଏମ୍ସ । ପ୍ରଥମ ଥର ପାଇଁ ଭୁବନେଶ୍ବର ଏମ୍ସରେ ସଫଳତାର ସହ ଯକୃତ ପ୍ରତିରୋପଣ ବା ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇଛି । 50 ଜଣିଆ ଡାକ୍ତରୀ ଟିମ୍ 14 ଘଣ୍ଟା ଅକ୍ଲାନ୍ତ ପରିଶ୍ରମରେ ସଫଳତାର ସହ ଯକୃତ ପ୍ରତିରୋପଣ କରିଛନ୍ତି ।
ଏମ୍ସରେ ଯକୃତ ପ୍ରତିରୋପଣ:
ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ଅଞ୍ଚଳର ୩୭ ବର୍ଷୀୟ ଯୁବକ, ନିଜର ଅସୁସ୍ଥ ଯକୃତ କାରଣରୁ ଲକ୍ଷାଧିକ ଟଙ୍କା ବ୍ୟୟ କରି ଏକପ୍ରକାର ଅସହାୟ ହୋଇପଡ଼ିଥିଲେ । ସୁସ୍ଥ ହେବାର କୌଣସି ଲକ୍ଷଣ ଦେଖାଯାଇନଥିଲା । ଉନ୍ନତ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲରେ ପ୍ରାୟ ୮୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିରାଶ ହୋଇପଡ଼ିଥିଲେ । ମାତ୍ର ଏମ୍ସରେ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ସୁଲଭ ମୂଲ୍ୟରେ ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗରେ ସେ ଆଜି ସୁସ୍ଥ ହୋଇପାରିଥିବା ଭାବବିହ୍ବଳ ହୋଇ ପ୍ରକାଶ କରିଛନ୍ତି ତାଙ୍କ ପିତା ।
ପ୍ରତିରୋପଣ ପରେ ଉଭୟ ଭାଇ ସୁସ୍ଥ:
‘ତାଙ୍କର ୩୦ ବର୍ଷୀୟ ସାନ ଭାଇ ବଡ଼ ଭାଇଙ୍କୁ ନିଜର ଯକୃତ ପ୍ରଦାନ କରିଛନ୍ତି । ପ୍ରତିରୋପଣ ପରେ ଉଭୟ ଭାଇ ସୁସ୍ଥ ଅଛନ୍ତି । ସାନ ଭାଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ଆଉ କିଛିଦିନ ମଧ୍ୟରେ ବଡ଼ ଭାଇ ମଧ୍ୟ ଘରକୁ ଯିବା ନେଇ ସୂଚନା ଦେଇଛନ୍ତି’ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ.) ଆଶୁତୋଷ ବିଶ୍ୱାସ ।
ଲାଗିଥିଲେ 50 ଜଣିଆ ଡାକ୍ତରୀ ଟିମ୍:
ଏମ୍ସ ପକ୍ଷରୁ କୁହାଯାଇଛି, ‘୫୦ରୁ ଅଧିକ ସଦସ୍ୟଙ୍କୁ ନେଇ ଗଠିତ ଡାକ୍ତରୀ ଦଳ ଏହି ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପ୍ରଚାର ପ୍ରକ୍ରିୟା ସମାପ୍ତ କରିବାକୁ ପ୍ରାୟ ୧୪ ଘଣ୍ଟା ସମୟ ଲାଗିଥିଲା । ଏପରି ସଫଳତା ନିମନ୍ତେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସମସ୍ତ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି ।
‘ଏହି ଜୀବନ ରକ୍ଷାକାରୀ ଚିକିତ୍ସା ସେବା ଦ୍ୱାରା ଏମ୍ସ ଭୁବନେଶ୍ୱର ଓଡିଶା ସମେତ ପଡ଼ୋଶୀ ରାଜ୍ୟର ଜନସାଧାରଣଙ୍କୁ ବିଶେଷ ଲାଭ ପ୍ରଦାନ କରିବ,’ ଆଶୁତୋଷ ବିଶ୍ୱାସ କହିଛନ୍ତି ।
୨୦୨୩ ମସିହାରେ AIIMS ଭୁବନେଶ୍ୱର ଲିଭର ପ୍ରତିରୋପଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାରୀ ଲାଇସେନ୍ସ ପାଇଥିଲା ଏବଂ ଯକୃତ ପ୍ରତିରୋପଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଚଳିତ ବର୍ଷ ଆରମ୍ଭ ହୋଇଥିଲା ଏକ ସ୍ବତନ୍ତ୍ର ଯକୃତ ପ୍ରତିରୋପଣ ଓପିଡି । ପ୍ରତିରୋପଣ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ, ୧୦ ଶଯ୍ୟା ବିଶିଷ୍ଟ, ଅତ୍ୟନ୍ତ ଉନ୍ନତ ପ୍ରତିରୋପଣ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ନଭେମ୍ବର ୨୦୨୫ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଉତ୍କର୍ଷତା ଏବଂ ସ୍ଥାୟୀ କ୍ଷମତା ନିର୍ମାଣ କୁ ସୁନିଶ୍ଚିତ କରିବା ପାଇଁ, ଏମ୍ସ ଭୁବନେଶ୍ୱର ଲିଭର ଏବଂ ପିତ୍ତ ରୋଗ ପାଇଁ ଦେଶର ପ୍ରମୁଖ ସରକାରୀ କ୍ଷେତ୍ର ପ୍ରତିଷ୍ଠାନ, ନୂଆଦିଲ୍ଲୀର (Institute of Liver and Biliary Sciences ) ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛି ।
ଡାକ୍ତରୀ ଟିମ୍ରେ କିଏ କିଏ ଥିଲେ ?
ଏମ୍ସ ଭୁବନେଶ୍ବର ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗ ମୁଖ୍ୟ ଡ.ବ୍ରହ୍ମଦତ୍ତ ପଟ୍ଟନାୟକ, ଡ. ତନ୍ମୟ ଦତ୍ତ ଏବଂ ଡ. ସୁନୀତା ଗୁପ୍ତାଙ୍କ ନେତୃତ୍ୱରେ, ନୂଆଦିଲ୍ଲୀର ଆଇଏଲ୍ବିଏସ, ଲିଭର ପ୍ରତିରୋପଣ ଅସ୍ତ୍ରୋପଚାର ମୁଖ୍ୟ ପ୍ରଫେସର (ଡ.) ବିନୟେନ୍ଦ୍ର ପାମେଚା ଏବଂ ତାଙ୍କ ବିଶେଷଜ୍ଞ ଦଳର ମାର୍ଗଦର୍ଶନରେ ଏହି ଲିଭର ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା । ଏମ୍ସ ଭୁବନେଶ୍ବର ପେଡିଆଟ୍ରିକ୍ସ ସର୍ଜରୀ ବିଭାଗର ଡ. ସୁବ୍ରତ କୁମାର ସାହୁ, (ତାଲିମପ୍ରାପ୍ତ ଶିଶୁ ଯକୃତ ପ୍ରତିରୋପଣ ସର୍ଜନ) ମଧ୍ୟ ଶଲ୍ୟଚିକିତ୍ସା ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ ।
ଏମ୍ସ ଭୁବନେଶ୍ୱରରେ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ମଧ୍ୟ ଯକୃତ ପ୍ରତିରୋପଣ ରୋଗୀଙ୍କ ତାଲିକା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ପ୍ରତି ମଙ୍ଗଳବାର ଦିନ ଅଢ଼େଇଟାରୁ ଲିଭର ଟ୍ରାନ୍ସପ୍ଲାଣ୍ଟ ଓପିଡି ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ଦୁଇ ଶହରୁ ଅଧିକ ରୋଗୀ ଏହି ଓପିଡିରୁ ସେବା ପାଇସାରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର

