ଶିକାରୀ ଧରାଇଲା ଏଆଇ କ୍ୟାମେରା, ୩୯ ଜଣ କଲେ ଆତ୍ମସମର୍ପଣ
ଶିମିଳିପାଳ ଦକ୍ଷିଣ ବିଭାଗ କର୍ମଚାରୀମାନଙ୍କ ଦ୍ୱାରା ୨୪ ଘଣ୍ଟାର ଅଭିଯାନ ପରେ ୩୯ ଜଣ ଶିକାରୀ ଆତ୍ମସମର୍ପଣ କରିଛନ୍ତି ।

Published : February 20, 2026 at 10:11 PM IST
ରାଇରଙ୍ଗପୁର(ମୟୂରଭଞ୍ଜ): ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କୁ ମିଳିଛି ଏକ ବଡ଼ ସଫଳତା । ଗତକାଲି (ଗୁରୁବାର) ରାତିରେ ଏକ ଦଳ ସଶସ୍ତ୍ର ଶିକାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି, ବନବିଭାଗ କର୍ତ୍ତୃପକ୍ଷ ।
ଶିମିଳିପାଳ ଅଭୟାରଣ୍ୟରେ ପ୍ରବେଶ କରିଥିବା ବେଳେ ବନ ଭିତରେ ଥିବା AI କ୍ୟାମେରା ଦ୍ୱାରା ସେମାନଙ୍କୁ ଚିହ୍ନଟ କରା ଯାଇଥିଲା । ରିୟଲ୍-ଟାଇମ୍ ଆଲର୍ଟ୍ ପାଇବା ପରେ ବନ ବିଭାଗର କର୍ମଚାରୀମାନେ ତୁରନ୍ତ ସକ୍ରିୟ ହୋଇ ଉଠିଥିଲେ । ଶିମିଳିପାଳ ଦକ୍ଷିଣ ବିଭାଗ କର୍ମଚାରୀମାନଙ୍କ ଦ୍ୱାରା ୨୪ ଘଣ୍ଟାର ଅଭିଯାନ ପରେ ୩୯ ଜଣ ଶିକାରୀ ଆତ୍ମସମର୍ପଣ କରିଛନ୍ତି ।
ଆତ୍ମସମର୍ପଣ କରିଥିବା ଶିକାରୀଙ୍କ ଠାରୁ ୯ଟି ବନ୍ଧୁକ, ବହୁ ପରିମାଣର ବାରୁଦ (ଗନ୍ ପାଉଡର), ୨୦ରୁ ଉର୍ଦ୍ଧ୍ବ ଧନୁ ଓ ତୀର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହି ନିଶ୍ଚିତ ଶିକାର କାର୍ଯ୍ୟକ୍ରମକୁ ଉପଯୁକ୍ତ ପ୍ରତିରୋଧ ରଣନୀତି ଓ ସକ୍ରିୟ ନିରୀକ୍ଷଣ ଯୋଗୁଁ ରୋକା ଯାଇ ପାରିଛି ।
ଆତ୍ମସମର୍ପଣ କରିଥିବା ଶିକାରୀମାନେ ଉଦଳା ଥାନା ଅଧୀନରେ ଥିବା ଆମ୍ବିକାଦେଇପୁର, ମହାଲିସାହି, ଲୁକୁଇଦା, ମଟକମଟଲା, ଜିତୁସାହି, ଖଲାଡ଼ି, ଲଙ୍ଗାଡ଼ି ଗ୍ରାମରୁ ଅଛନ୍ତି । ଏନେଇ ଜେନାବିଲ୍ ବନ ରେଞ୍ଜରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଆର୍ମ୍ସ୍ ଆକ୍ଟ୍ ଉଲ୍ଲଙ୍ଘନ ପାଇଁ ପୋଲିସ୍ ଷ୍ଟେସନରେ ମଧ୍ୟ ଏଫଆଇଆର ଦାଖଲ କରାଯାଇଛି।
ଟାଇଗର ପ୍ରୋଟେକ୍ସନ୍ ଫୋର୍ସ (STPF)ର ୩ ଜଣ ସଶସ୍ତ୍ର କର୍ମଚାରୀ ଏବଂ ୩ଟି ରେଞ୍ଜର ଷ୍ଟାଫ୍ ଏହି କମ୍ବିଂ ଅପରେସନ୍ରେ ଯୋଗ ଦେଇଥିଲେ । ରିୟଲ୍-ଟାଇମ୍ ଚିହ୍ନଟ, ସକ୍ରିୟ ଗୁଇନ୍ଦା ସୂଚନା ଓ ସଠିକ୍ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଶିକାରୀ ମାନେ ସ୍ୱେଚ୍ଛାକୃତ ଆତ୍ମସମର୍ପଣ କରିଛନ୍ତି । ନୂତନ ଯୁଗର ଉନ୍ନତ ସୁରକ୍ଷା ରଣନୀତି ବନ୍ୟଜନ୍ତୁଙ୍କ ପାଇଁ ଅଧିକ ସୁରକ୍ଷା ଓ ସମୃଦ୍ଧି ଆଣୁଛି । ଏହା ଏକ ବଡ଼ ସଫଳତା ଏବଂ ଆଧୁନିକ ପ୍ରଯୁକ୍ତି ସହିତ ବନ୍ୟଜନ୍ତୁ ସଂରକ୍ଷଣର ଉଦାହରଣ ଅଟେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡଃ ପ୍ରକାଶ ଚାନ୍ଦ ଗୋଗିନେନୀ ।
ଏହା ମଧ୍ୟ ପଢ଼ନ୍ତୁ- ରାଷ୍ଟ୍ରପତିଙ୍କ ଶିମିଳିପାଳ ଗସ୍ତ: ସ୍ଥାନୀୟ ଲୋକଙ୍କ ସହ ଆଲୋଚନା, ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ
ଏହା ମଧ୍ୟ ପଢ଼ନ୍ତୁ- ଶିମିଳିପାଳରେ ବେଆଇନ ଅଫିମ ଚାଷ: ପୋଲିସ-ବନ ବିଭାଗର ମିଳିତ ରେଡ, 2 କୋଟିରୁ ଊର୍ଦ୍ଧ୍ବ ଚାଷ ନଷ୍ଟ
ଇଟିଭି ଭାରତ, ରାଇରଙ୍ଗପୁର

