ETV Bharat / state

ମୋହନଙ୍କ ପେଡିରେ ଅନ୍ନଦାତା ଏବଂ ଗ୍ରାମୀଣ ବିକାଶ ଉପରେ ଫୋକସ, 12.3 ପ୍ରତିଶତ ବଢିଲା କୃଷି ବଜେଟ୍

କୃଷକ ଆୟ ବୃଦ୍ଧି ଓ ଫସଲ ବିବିଧିକରଣ ଉପରେ ଫୋକସ୍ । 2026-27 ପାଇଁ କୃଷି ବଜେଟ୍‌ରେ ବଡ଼ ଘୋଷଣା ।

ODISHA AGRICULTURE BUDGET
କୃଷି ବଜେଟ୍‌ 2026 (ETV GFX)
author img

By ETV Bharat Odisha Team

Published : February 20, 2026 at 9:57 PM IST

|

Updated : February 20, 2026 at 10:04 PM IST

2 Min Read
Choose ETV Bharat


ଭୁବନେଶ୍ୱର: ଓଡ଼ିଶା ସରକାର 2026-27 ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ କରିଥିବା କୃଷି ବଜେଟ୍‌ରେ କୃଷକଙ୍କ ଆୟ ବୃଦ୍ଧି, ଧାନ ଉପରୁ ନିର୍ଭରଶୀଳତା କମାଇବା ଏବଂ ଜଳବାୟୁ ସହନଶୀଳ କୃଷିକୁ ପ୍ରାଥମିକତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦ୍ଵିତୀୟ ପୂର୍ଣ୍ଣାଙ୍ଗ ବଜେଟରେ “ଗ୍ରାମୀଣ ସଶକ୍ତିକରଣ” ଓ “ଅନ୍ନଦାତା”ଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଅନେକ ନୂତନ ଯୋଜନା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମାଝୀ ଶୁକ୍ରବାର ଦିନ 2026-27 ପାଇଁ କୃଷି ବଜେଟ୍ ଅଧୀନରେ 42,492 କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି, ଯାହା ଗତବର୍ଷର ଆବଣ୍ଟନ ତୁଳନାରେ 12.3 ପ୍ରତିଶତ ବୃଦ୍ଧି ପାଇଛି । ଏହି ବୃଦ୍ଧି ଗ୍ରାମୀଣ ସଶକ୍ତିକରଣ ଏବଂ କୃଷକ କଲ୍ୟାଣ ଦିଗରେ ଏକ ପ୍ରମୁଖ ପଦକ୍ଷେପର ସଙ୍କେତ ଦେଉଛି ।


ସରକାରଙ୍କ ପକ୍ଷରୁ “ସମୃଦ୍ଧ କୃଷକ” ଯୋଜନାକୁ ଆଗକୁ ବଢ଼ାଇ ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ 3100ରେ କ୍ରୟ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି । ଏହି ଯୋଜନା ପାଇଁ 2026-27 ଆର୍ଥିକ ବର୍ଷରେ 6888 କୋଟି ଟଙ୍କା ବିନିଯୋଗ ପ୍ରସ୍ତାବ ରହିଛି । ଧାନ କ୍ରୟ ପ୍ରକ୍ରିୟାକୁ ସୁରୁଖୁରୁ ଓ ନିଶ୍ଚିତ କରିବା ପାଇଁ 5000 କୋଟିର ଏକ ଆବର୍ତ୍ତନ ପାଣ୍ଠି (Revolving Fund) ଗଠନ ପ୍ରସ୍ତାବ ରଖାଯାଇଛି ।



ସାର୍ବଜନୀନ ବଣ୍ଟନ ପ୍ରଣାଳୀକୁ ସୁଦୃଢ଼ କରିବା ଓ ଧାନ ଭଣ୍ଡାରଣରେ କ୍ଷତିହ୍ରାସ ଲକ୍ଷ୍ୟରେ ଆସନ୍ତା ତିନି ବର୍ଷରେ ପ୍ରାୟ 11 ଲକ୍ଷ ମେଟ୍ରିକ ଟନ୍ କ୍ଷମତାର ଆଧୁନିକ ଗୋଦାମ ନିର୍ମାଣ ପ୍ରସ୍ତାବ ଦିଆଯାଇଛି । ଏହା ମାଧ୍ୟମରେ ବୈଜ୍ଞାନିକ ଭଣ୍ଡାରଣ ବ୍ୟବସ୍ଥାକୁ ଜୋର ଦିଆଯିବ।



କୃଷକ ସମାଜର ସମସ୍ତ ବର୍ଗକୁ ସମର୍ଥନ ଦେବା ପାଇଁ “ମୁଖ୍ୟମନ୍ତ୍ରୀ-କିଷାନ” ଯୋଜନାକୁ ଆହୁରି ଶକ୍ତିଶାଳୀ କରାଯାଇଛି । PVTG, ସହରାଂଚଳ ଚାଷୀ ଓ ଭୂମିହୀନ କୃଷକ ପରିବାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ 2026-27 ପାଇଁ 2300 କୋଟି ବ୍ୟୟ ପ୍ରସ୍ତାବ ରହିଛି ।


ଧାନ ଉପରେ ଅତ୍ୟଧିକ ନିର୍ଭରଶୀଳତା କମାଇ ଫସଲ ବିବିଧିକରଣକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଡାଲି, ତୈଳବୀଜ ଓ ସ୍ୱଦେଶୀ ଧାନ ପ୍ରଜାତି ପ୍ରଚାର ଉପରେ ଜୋର ଦିଆଯାଇଛି । ଏହି ପଦକ୍ଷେପ ପାଇଁ 469 କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ହୋଇଛି ।


ଜଳବାୟୁ ପରିବର୍ତ୍ତନକୁ ମନେରଖି “ଶ୍ରୀଅନ୍ନ ଅଭିଯାନ” ଅଧୀନରେ ମାଣ୍ଡିଆ ପରି ପୂଷ୍ଟିକର ଓ ଜଳବାୟୁ ସହନଶୀଳ ଶସ୍ୟକୁ ପୁନରୁଜ୍ଜୀବିତ କରିବା ପାଇଁ ୪00 କୋଟି ବ୍ୟବସ୍ଥା କରାଯାଇଛି । ଏହା ମାଧ୍ୟମରେ ପୃଷ୍ଟି ସୁରକ୍ଷା ଓ କୃଷକଙ୍କ ଆୟ ବୃଦ୍ଧି ଲକ୍ଷ୍ୟ ରହିଛି ।



ସରକାରଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟରେ 61.80 ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହେଉଛି ଏବଂ ଲକ୍ଷ୍ୟାଧିକ କୃଷକ ପରିବାର ଏଥିରେ ନିର୍ଭରଶୀଳ। ଏହି ପରିପ୍ରେକ୍ଷିତରେ କୃଷି ବଜେଟ୍‌ର ମୂଳ ଧ୍ୟେୟ ହେଉଛି କୃଷକଙ୍କୁ ଆର୍ଥିକ ଭାବେ ସଶକ୍ତ କରି ଗ୍ରାମୀଣ ଅର୍ଥନୀତିକୁ ଦୃଢ଼ କରିବା।


ମୁଖ୍ୟମନ୍ତ୍ରୀ 6ଟି ଜିଲ୍ଲାରେ କଫି ଚାଷ ପାଇଁ 150 କୋଟିର ପ୍ରସ୍ତାବ ରହିଥିବାବେଳେ ଉନ୍ନତ ଆଖୁ ଚାଷ ପାଇଁ 27 କୋଟି ଏବଂ ଜୈବିକ ଚାଷୀ ପାଇଁ 28 କୋଟି ତାଙ୍କର ବ୍ୟୟବରାଦ କରାଯାଇଛି । ଅବହେଳିତ ଶସ୍ୟର ପୁନରୁଦ୍ଧାର ପାଇଁ 55 କୋଟି ତାଙ୍କର ବ୍ୟୟବରାଦ କରାଯାଇଛି ।



"2026-27ର କୃଷି ବଜେଟ୍ କୃଷକମାନଙ୍କ ପାଇଁ ସୁରକ୍ଷିତ ମୂଲ୍ୟ, ବୈଜ୍ଞାନିକ ଭଣ୍ଡାରଣ, ଫସଲ ବିବିଧିକରଣ ଓ ଜଳବାୟୁ ସହନଶୀଳ କୃଷିର ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ," ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ।

ଏହା ବି ପଢନ୍ତୁ- ବଜେଟ୍ ୨୦୨୬-୨୭: ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ, ବିଶ୍ୱମାନର ଭିତ୍ତିଭୂମିକୁ ଅଗ୍ରାଧିକାର

ଇଟିଭି ଭାରତ, ଭୁବନେଶ୍ୱର

Last Updated : February 20, 2026 at 10:04 PM IST