Ratna Bhandar: SOP ଅନୁମୋଦନ ପରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି
ରତ୍ନଭଣ୍ଡାର ରତ୍ନ ଅଳଙ୍କାର ତିନିମାସ ଭିତରେ ଗଣତି ମଣତି କାର୍ଯ୍ୟ ସାରିବାକୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଲେ ମାର୍ଗଦର୍ଶିକା ଅନୁମୋଦନ ପରେ ଆରମ୍ଭ ହେବ କାର୍ଯ୍ୟ ।

Published : February 13, 2026 at 5:57 PM IST
Srimandir Ratna Bhandar ପୁରୀ: ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ଆସନ୍ତା 3 ମାସ ମଧ୍ୟରେ ସାରିବାକୁ ଗତକାଲି(ଗୁରୁବାର) ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟ ସରକାରଙ୍କୁ ପଠାଯାଇଥିବା ମାର୍ଗଦର୍ଶିକା ଅନୁମୋଦନ ମିଳିବା ପରେ ହିଁ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ । ରତ୍ନଭଣ୍ଡାରର ଗଣତି ମଣତି ବେଳେ ଭକ୍ତଙ୍କ ଦର୍ଶନ ନେଇ ଯେଭଳି କୌଣସି ସମସ୍ୟା ସୃଷ୍ଟି ହେବନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।
ରତ୍ନ ଅଳଙ୍କାର ଗଣତି ମଣତି:
ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ତିନିମାସ ଭିତରେ ଗଣତି ମଣତି କାର୍ଯ୍ୟ ସାରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ ହୋଇସାରିଥିଲା ବେଳେ ରତ୍ନ ଅଳଙ୍କାର ଗଣତି ମଣତି ଆରମ୍ଭ ହୋଇପାରୁନି । ଏଣୁ ଯଥାଶୀଘ୍ର ରତ୍ନ ଅଳଙ୍କାର ଗଣତି ମଣତି ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ଜଗନ୍ନାଥ ପ୍ରେମୀ ଦିଲ୍ଲୀପ ବରାଳ । ଦିଲ୍ଲୀପଙ୍କ ଆବେଦନକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଶୁଣାଣି କରି ତିନିମାସ ମଧ୍ୟରେ ରତ୍ନଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର ଗଣତି ମଣତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ରିପୋର୍ଟ ଯଥାଶୀଘ୍ର ସରକାର ବିଧାନସଭାରେ ଉପସ୍ଥାପନା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜୁଲାଇ 14, 2024ରେ ଖୋଲିଥିଲା ରତ୍ନଭଣ୍ଡାର:
ରତ୍ନଭଣ୍ଡାରର ମରାମତି ପାଇଁ ୨୦୨୪ ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲା ଯାଇଥିଲା । ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର ଶ୍ରୀମନ୍ଦିର ଭିତରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିଲା । ପରେ ଏଏସଆଇ ଦ୍ବାରା ଉଭୟ ଭିତର ଏବଂ ବାହାର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରାଯାଇଥିଲା । ରତ୍ନଭଣ୍ଡାର ମରାମତି କରାଯିବା ପରେ ଅସ୍ଥାୟୀ ରତ୍ନ ଭଣ୍ଡାରରୁ ସମସ୍ତ ରତ୍ନ ଅଳଙ୍କାରକୁ ମୂଳ ରତ୍ନଭଣ୍ଡାରକୁ ଫେରାଇ ନିଆଯାଇ ରଖାଯାଇଛି ।

ଅନୁମୋଦନ ପରେ ଗଣତି ମଣତି:
ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ‘ରତ୍ନ ଅଳଙ୍କାର ଗଣତି ମଣତି ପାଇଁ ରତ୍ନଭଣ୍ଡାରର ଉଚ୍ଚସ୍ତରୀୟ କମିଟି ପକ୍ଷରୁ ଏକ ଏସଓପି ପ୍ରସ୍ତୁତ କରା ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ନିମନ୍ତେ ପଠାଯାଇଛି । ଏହି ଏସଓପିର ଅନୁମୋଦନ ରାଜ୍ୟ ସରକାରଙ୍କ ପକ୍ଷରୁ ହେବା ପରେ ରତ୍ନଭଣ୍ଡାର ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ । ସେହିପରି ରତ୍ନ ଭଣ୍ଡାରର ଗଣତି ମଣତି ବେଳେ ଭକ୍ତଙ୍କ ଦର୍ଶନ ନେଇ ଯେଭଳି କୌଣସି ସମସ୍ୟା ସୃଷ୍ଟି ହେବନାହିଁ ତାକୁ ଧ୍ୟାନ ଦେଇ ସମସ୍ତ କାର୍ଯ୍ୟ କରାଯିବ ।’
କେବେ ହୋଇଥିଲା ଶେଷଥର ଗଣତି ମଣତି ?

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୂସୁଦନ ସିଂହାରୀ କହିଛନ୍ତି, ‘ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ଶେଷଥର ପାଇଁ ୧୯୭୮ ମସିହାରେ ହୋଇଥିଲା । ତେବେ ଆଗାମୀ ଦିନରେ ହେବାକୁ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ୧୯୭୮ ମସିହାରେ ହୋଇଥିବା ରତ୍ନ ଅଳଙ୍କାରର ଗଣତି ମଣତି ସହିତ କେବଳ ମେଳକ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରତ୍ନ ଅଳଙ୍କାର ଗଣତି ମଣତି ସମୟରେ ରତ୍ନଭଣ୍ଡାରର ଉଚ୍ଚସ୍ତରୀୟ କମିଟିର ସଦସ୍ୟ, ଆରବିଆଇର ଅଧିକାରୀ ଏବଂ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ପ୍ରାଧିକୃତ ସେବାୟତ ମାନେ ଏହି ଗଣତି ମଣତି କାର୍ଯ୍ୟରେ ଉପସ୍ଥିତି ରହିବେ ।’
ଇଟିଭି ଭାରତ, ପୁରୀ

