ଚିଲିକା ପରେ ବିଦେଶୀ ପକ୍ଷୀଙ୍କ ନୂଆ ଠିକଣା ଋଷିକୁଲ୍ୟା, ଭିତରକନିକା
ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜଳାଶୟରେ ବିଦେଶାଗତ ପକ୍ଷୀମାନଙ୍କ ଭିଡ ଦେଖିବାକୁ ମିଳୁଥିବା ବେଳେ ଭିତରକନିକା ପକ୍ଷୀମାନଙ୍କ ପାଇଁ ପାଲଟିଲାଣି ଅଭୟାରଣ୍ୟ ।


Published : December 29, 2025 at 11:13 PM IST
ରିପୋର୍ଟ- ସମୀର କୁମାର ଆଚାର୍ଯ୍ୟ/ରାଧାକାନ୍ତ ମହାନ୍ତି
ବ୍ରହ୍ମପୁର /କେନ୍ଦ୍ରାପଡା: ଶୀତ ରୁତୁର ଆଗମନରେ ଏସିଆ ମହାଦେଶର ବିଭିନ୍ନ ଅଞ୍ଚଳ ସମେତ ବହୁ ଦୂରରୁ ବିଦେଶାଗତ ପକ୍ଷୀ ମାନଙ୍କ ଆଗମନ ହୋଇଥାଏ ଭାରତକୁ । ଯାହାକି ଓଡ଼ିଶାର ଚିଲିକାରେ ଦେଖିବାକୁ ମିଳିଥିଏ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀଙ୍କ ସମାଗମ । ବିଭନ୍ନ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କାକଳୀ ଶବ୍ଦ ପର୍ଯ୍ୟଟକଙ୍କୁ ଯେତିକି ଆକୃଷ୍ଟ କରିଥାଏ ସେମାନଙ୍କ ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେଇଥାନ୍ତି । ଏହାରି ମଧ୍ୟରେ ଚଲିକାର ନିକଟବର୍ତ୍ତୀ ଗଞ୍ଜାମ ଜିଲାର ଋଷିକୁଲ୍ୟା ସମେତ ବିଭିନ୍ନ ପୋଖରୀ ଓ ଜଳାଶ୍ରୟରେ ଅନେକ ପକ୍ଷୀ ଆସୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପକ୍ଷୀ ଗଣନା ସମୟରେ ଏହାକୁ ସାମିଲ କରାଯିବା ସହିତ ପରିବେଶବିତ୍ ଏହାକୁ ନେଇ ନଜର ରଖିଥାନ୍ତି । ସେପଟେ ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାର ଜାତୀୟ ଉଦ୍ୟାନ ଆର୍ଦ୍ରଭୂମିରେ ବଢ଼ୁଛି ବିଦେଶୀ ପକ୍ଷୀଙ୍କ ଆଗମନ । ବାର୍ଷିକ ଶୀତକାଳୀନ ପକ୍ଷୀ ଗଣନା ଅନୁଯାୟୀ ଚିଲିକା ପରେ ଏହି ସ୍ଥାନକୁ ବିଦେଶୀ ପକ୍ଷୀମାନେ ସେମାନଙ୍କ ପାଇଁ ଦ୍ଵିତୀୟ ବାସସ୍ଥାନ ରୂପେ ବାଛିଥିବା ବେଳେ ସେମାନଙ୍କ ରାବରେ ଭିତରକନିକା ହୋଇଉଠୁଛି ଉତଫୁଲ୍ଲିତ । ଭିତରକନିକା ଏବେ ପକ୍ଷୀ ମାନଙ୍କ ପାଇଁ ଅଭୟାରଣ୍ୟ ପାଲଟିଛି । ଦେଖିବା ଗଞ୍ଜାମ ଓ କେନ୍ଦ୍ରାପଡାକୁ ନେଇ 'ଇଟିଭି ଭାରତ'ର ଏହି ସ୍ୱତନ୍ତ୍ର ରିପୋର୍ଟ...
କୁହାଯାଏ ଶୀତ ରୁତୁର ଆଗମନ ପରେ ସୁଦୂର ସାଇବେରିଆ, ମଙ୍ଗୋଲିଆ, ରୁଷିଆ, ଇଂଲଣ୍ଡ, କାଜାଖସ୍ତାନ, ଇରାନ, ଇରାକ ଭଳି ଅଞ୍ଚଳରେ ପ୍ରବଳ ହିମପ୍ରବାହରୁ ରକ୍ଷା ପାଇବା ପାଇଁ ରଙ୍ଗବେରଙ୍ଗର ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀମାନେ ହଜାର ହଜାର ମାଇଲ ଆକାଶପଥ ଅତିକ୍ରମ କରି ଲକ୍ଷ ଲକ୍ଷ ସଂଖ୍ୟାରେ ଓଡିଶାର ଚିଲିକାରେ ପହଞ୍ଚିଥାନ୍ତି । ଚିଲିକାରେ ଶୀତଦିନେ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ଆକର୍ଷିତ କରିଥାଏ ପର୍ଯ୍ୟଟକଙ୍କୁ । ଏହି ସମୟ ମଧ୍ୟରେ ଏହି ବିଦେଶୀ ପକ୍ଷୀ ମାନେ ଏଠାକାର ଜଳାଶୟରେ ନିଜ ପାଇଁ ମିଳିଥିବା ଖାଦ୍ୟ ଗ୍ରହଣ କରିବା ସହିତ ସେମାନଙ୍କ ପ୍ରଜନନ କରିବା ପାଇଁ ଉକୃଷ୍ଟ ପରିବେଶ ରହୁଥିବା ଯୋଗୁଁ ପ୍ରତେକ ବର୍ଷ ସେମାନଙ୍କୁ ଓଡିଶା ଆକୃଷ୍ଟ କରିଥାଏ । ଯାହାକି ସେମାନଙ୍କ ଶାବକ ମାନଙ୍କୁ ମଧ୍ୟ ଖାଦ୍ୟ ଏବଂ ନିଜେ ବଞ୍ଚିବାକୁ ଏକ ସର୍ବୋତ୍ତମ ପରିବେଶ ବୋଲି ଧରି ନେଇଥାନ୍ତି। ହେଲେ ଚିଲିକା ନିକଟରେ ରହିଥିବା ଗଞ୍ଜାମ ଜିଲ୍ଲାର ରଷିକୁଲ୍ୟା ସମେତ ଆଖାପାଖ ଜଳାଶ୍ରୟରେ ଦେଖିବାକୁ ମିଳିଲାଣି ଏହି ବିଦେଶୀ ପକ୍ଷୀଙ୍କ ସମାଗମ ।
ରଷିକୁଲ୍ୟା ଏବଂ ତାର ଆଖପାଖକୁ ଛାଡି ବ୍ରହ୍ମପୁର ସହର ଉପକଣ୍ଠ ବିଭିନ୍ନ ଜଳାଶୟ ଗୁଡ଼ିକରେ ଦେଖିବାକୁ ମିଳୁଛି ରଙ୍ଗବେରଙ୍ଗର ପକ୍ଷୀଙ୍କ ସମାଗମ । 'ଇଟିଭି ଭାରତ' ସହିତ ଆଲୋଚନା ସମୟରେ ବ୍ରହ୍ମପୁର ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କ କହିବା ରଷିକୁଲ୍ୟା ମୁହାଣକୁ ଛାଡି ଦେଲେ ବାହୁଦା ମୁହାଣକୁ ବହୁ ମାତ୍ରାରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳୁଥିବା ବେଳେ ପ୍ରଥମଥର ପାଇଁ ବ୍ରହ୍ମପୁର ଦକ୍ଷିଣପୁର ଘାଇ, ସୁକୁଣ୍ଡା ଘାଇ, ସମରଝୋଳ ବଡ଼ ପୋଖରୀ, ବେଣାବନ୍ଧରେ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଛି । ଯେହେତୁ ଏହି ସ୍ଥାନ ଗୁଡିକ ଖାଦ୍ୟ ଅନୁକୂଳ ଏବଂ ପରିବେଶ ଅନୁକୂଳ ରହୁଥିବା ଯୋଗୁଁ ସେମାନଙ୍କ ପସନ୍ଦର ବାସସ୍ଥାନ ଏହା ପାଲଟୁଥିବା ଦେଖିବାକୁ ମିଳିଛି । ଡିସେମ୍ୱର ମାସରେ ଏମାନଙ୍କ ସଂଖ୍ୟା କିଛି କମ୍ ମାତ୍ରାରେର ଦେଖିବାକୁ ମିଳୁଥିବା ବେଳେ ମୁଖ୍ୟତଃ ଜାନୁୟାରୀ ମାସରେ ଏମାନଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଥିବା ଦେଖାଯାଏ । ଏପରିକି ଚଳିତବର୍ଷ ୬ ତାରିଖରୁ ପକ୍ଷୀ ଗଣନା ହେବାକୁ ରହିଥିବା ବେଳେ ଚଳିତବର୍ଷ ମଧ୍ୟ ପୂର୍ବବର୍ଷ ଅପେକ୍ଷା ରେକର୍ଡ ସଂଖ୍ୟକ ପକ୍ଷୀ ଆସିବେ ବୋଲି ଆଶା ରଖାଯାଇଥିବା କୁହାଯାଇଛି ।
ରଷିକୁଲ୍ୟା ମୁହାଣ ଓ ଗଞ୍ଜାମ ମୁହାଣରେ ବିଦେଶୀ ପକ୍ଷୀ ବାର୍ଡ ହେଡେଡ୍ ଘୋଷ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ଅଧିକା ମାତ୍ରାରେ ଦେଖିବାକୁ ମିଳିଥିବା ବେଳେ ଚଳିତଥର ବ୍ଲାକ ହେଡେଢ ଆଇବିସ୍, ଗ୍ଲୋସି ଆଇବିସ୍, ପେଣ୍ଟେଡ୍ ଷ୍ଟକ୍ ବହୁ ମାତ୍ରାରେ ଆସିଥିବା ବେଳେ ନଦୀନ ପେଣ୍ଟେଲ, ଜିସିୟଲ୍ ଡଗ୍ ବିଗତ ବର୍ଷ ମାତ୍ରା କମିଥିବା ବେଳେ ଚଳିତବର୍ଷ ଡକ୍ ସ୍ପେଶିସ୍ ପ୍ରଜାତି ଗଞ୍ଜାମକୁ ଅଧିକ ମାତ୍ରାରେ ଆଗମନ ହେବ ବୋଲି ଆଶା ରଖିଥିବା କହିଛନ୍ତି ।
ସେପଟେ ବ୍ରହ୍ମପୁର ବନଖଣ୍ଡର ଡି.ଏଫ୍.ଓ ସନି ଖୋଖରଙ୍କ କହିବା କଥା, "ଶୀତ ଋତୁରେ ଗଞ୍ଜାମକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳୁଛି । ବ୍ରହ୍ମପୁର ବନଖଣ୍ଡର ତାମ୍ପରା ଠାରୁ ଆରମ୍ଭ କରି ରଷିକୁଲ୍ୟା ମୁହାଣ, ବାହୁଦା ଭଳି ଅନେକ ଜଳାଶୟରେ ଏଭଳି ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି । ଏପରିକି ଆଗାମୀ ମାସରେ ପକ୍ଷୀ ଗଣନାରେ ଏହି ସମସ୍ତ ସ୍ଥାନକୁ ଅନ୍ତର୍ଭୁକ୍ତ କରାଯିବ । ଏପରିକି ଯେଉଁ ଜଳାଶୟକୁ ପକ୍ଷୀଙ୍କ ଆଗମନ ହୋଇଛି ତାହାର ତଥ୍ୟ ବିଭାଗ ନିକଟରେ ପହଞ୍ଚିଲେ ତାହା ମଧ୍ୟ ଚଳିତବର୍ଷର ଗଣନାରେ ସାମିଲ କରାଯିବ ।"
ସେପଟେ ଗଞ୍ଜାମ ଜିଲ୍ଲାର ରଷିକୁଲ୍ୟା ମୁହାଣ ପୂର୍ବରୁ ଅଲିଭ୍ ରିଡଲେଙ୍କ ପାଇଁ ସୁରକ୍ଷିତ ସ୍ଥାନ ଭାବରେ ଚିହ୍ନଟ ହୋଇଥିବା ବେଳେ ଏଭଳି ସମୟରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ଏଠାକାର ଗୋଟିଏ ପରେ ଗୋଟିଏ ଜଳାଶ୍ରୟରେ ବୃଦ୍ଧି ପାଉଥିବା ଯୋଗୁଁ ଆଗାମୀ କିଛି ବର୍ଷ ଧରି ଏପରି ପକ୍ଷୀଙ୍କ ସଂଖ୍ୟା ଏଠାରେ ବୃଦ୍ଧି ପାଇଲେ ରାଜ୍ୟର ଚିଲିକା ପରେ ଗଞ୍ଜାମ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷିତ ସ୍ଥାନ ଭାବରେ ପରିଚିତ ହେବ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ସେପଟେ ବିଦେଶାଗତ ପକ୍ଷୀଙ୍କ ଆଗମନକୁ ଦେଖି ଅନେକ ପରିବେଶପ୍ରେମୀ ଜଳାଶୟ ନିକଟରେ ହାତରେ କ୍ୟାମେରା ଓ ବାଇନାକୁଲର ଧରି ଏକତ୍ରିତ ହେଉଥିବା ଦେଖାଯାଉଛି ।
ସେପଟେ ବନବିଭାଗର ତଥ୍ୟ ଅନୁଯାୟୀ ବ୍ରହ୍ମପୁର ବନଖଣ୍ଡରେ ୨୨ ରୁ ୨୫ ହଜାର ପକ୍ଷୀଙ୍କ ସମାଗମ ହେଉଥିବା ବେଳେ ସେଥିମଧ୍ୟରୁ ସର୍ବାଧିକ ବାହୁବା ଓ ଋଷିକୁଲ୍ୟା ମୁହାଣରେ ୧୫ ହଜାରରୁ ଅଧିକ ପକ୍ଷୀ ଦେଖା ଯାଆନ୍ତି । ୨୦୨୫ରେ ବ୍ରହ୍ମପୁର ବନଖଣ୍ଡରେ ୭୬ ପ୍ରଜାତିର ୨୨ ହଜାର ୭ ଶହ ୭୭ଟି ପକ୍ଷୀ ଦେଖାଯାଇଥିଲେ । ସେହିପରି ୨୦୨୪ରେ ୨୬ ହଜାର ପକ୍ଷୀ ଦେଖା ଦେଇଥିଲେ । ହେଲେ ଚଳିତ ଶୀତ ରୁତୁରେ ବ୍ରହ୍ମପୁର ସହର ସଂଲଗ୍ନ କିଛି ଜଳ ଭଣ୍ଡାରରେ ଭୋର ପ୍ରାତଃ ଓ ସନ୍ଧ୍ୟାରେ ପକ୍ଷୀଙ୍କ କଳରବ ଦେଖିବାକୁ ମିଳୁଛି । ଯାହାକି ରଙ୍ଗ ବେରଙ୍ଗର ପକ୍ଷୀଙ୍କ ଗହଳରେ ଭରି ଉଠିଛି ଅନେକ କଳାଶୟ ।
ସେପଟେ ଉତ୍ତର ଗୋଲାର୍ଦ୍ଧରେ ବରଫପାତ ଯୋଗୁଁ ଉପୁଜୁଥିବା ଖାଦ୍ୟ ଅଭାବ ଓ ଭୀଷଣ ଶୀତରୁ ରକ୍ଷା ପାଇବା ପାଇଁ ପରିବେଶ ସହ ଖାପ ଖୁଆଇ ଜୀବନ ଧାରଣ ସହିତ ଖାଦ୍ୟ ସଂଗ୍ରହ ପାଇଁ ଆସିଥିବା ବିଦେଶୀ ପକ୍ଷୀ ମାନେ ଅନୁକୂଳ ପାଗ ଓ ଜଳସ୍ତର ବୃଦ୍ଧି ଯୋଗୁଁ ଦେଖିବାକୁ ମିଳିଥାଏ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଆର୍ଦ୍ରଭୂମିରେ । ବାର୍ଷିକ ଶୀତକାଳୀନ ପକ୍ଷୀ ଗଣନା ଅନୁଯାୟୀ ଚିଲିକା ପରେ ଏହି ସ୍ଥାନକୁ ବିଦେଶୀ ପକ୍ଷୀମାନେ ସେମାନଙ୍କ ପାଇଁ ଦ୍ଵିତୀୟ ବାସସ୍ଥାନ ରୂପେ ବାଛୁଥିବା ବେଳେ ସେମାନଙ୍କ ରାବରେ ଭିତରକନିକା ହୋଇ ଉଠୁଛି ଉତଫୁଲ୍ଲିତ ।

ଭିତରକନିକା ଏବେ ପକ୍ଷୀମାନଙ୍କ ପାଇଁ ଅଭୟାରଣ୍ୟ-
ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ବିଭିନ୍ନ ବନଖଣ୍ଡ ଜଳାଶୟ ମାନଙ୍କରେ ଗତ ବର୍ଷ ମାନଙ୍କରେ ପକ୍ଷୀ ଗଣନା କରାଯାଇଥିଲା ବେଳେ ଭିତରକନିକା ଜାତୀୟ ଉଦ୍ୟାନ ପ୍ରତି ଆକୃଷ୍ଟ ହୋଇ ବିଦେଶୀ ପକ୍ଷୀ ମାନେ ଏଠାକୁ ବହୁଳ ଭାବରେ ଆସୁଥିବା ଦେଖାଯାଇଛି । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଆର୍ଦ୍ର ଭୂମି ଓ ସନ୍ତସନ୍ତିଆ ସ୍ଥାନ ଗୁଡିକ ପକ୍ଷୀମାନଙ୍କ ବାସୋପଯୋଗୀ ହୋଇଥିବା କାରଣରୁ ଅକ୍ଟୋବର ମାସ ଆରମ୍ଭରେ ଏଠାକୁ ଉଡି ଆସିଥାନ୍ତି ବିଦେଶୀ ପକ୍ଷୀ ।
ବିଦେଶୀ ପକ୍ଷୀଙ୍କ ଭିତରକନିକା ଆଗମନ ସମ୍ପର୍କରେ କଣ କୁହନ୍ତି ପରିବେଶବିତ-
ବିଦେଶାଗତ ପକ୍ଷୀଙ୍କ ଭିତରକନିକା ଆଗମନ ସମ୍ପର୍କରେ ପ୍ରତିକ୍ରିୟା ରଖି ପରିବେଶବିତ ଜଗନ୍ନାଥ ଦାସ କୁହନ୍ତି, "ଶୀତଦିନ ଆରମ୍ଭରେ ଭିତରକନିକା ଓ ଏହାର ଆଖପାଖ ଅଞ୍ଚଳ ସାତଭାୟାକୁ ଆସିଥାନ୍ତି ବିଦେଶୀ ପକ୍ଷୀ । ଜାତୀୟ ଉଦ୍ୟାନର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳ, ନଦୀ ନାଳ ଯେମିତିକି ରାଇପାଟିଆ, ସମୁଦ୍ର କୂଳ ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଭିଡ଼ ଜମୁଛି । ଏହି ବିଦେଶୀ ପକ୍ଷୀମାନେ ଶୀତ ଦାଉରୁ ଓ ଖାଦ୍ୟାଭାବରୁ ବଞ୍ଚିବା ପାଇଁ ସେମାନେ ଭିତରକନିକା ଓ ଚିଲିକା ଭଳି ଅଞ୍ଚଳକୁ ଆସିଥାନ୍ତି । ଚୀନ, ସାଇବେରିଆ ଅଞ୍ଚଳରେ ଶୀତଦିନେ ବରଫପାତ ହୋଇଥାଏ ଯେଉଁଥିପାଇଁ ସେଠାରୁ ହଜାର ହଜାର ମାଇଲ ବାଟ ଉଡି ଆସି ଏହି ସ୍ଥାନକୁ ବାସସ୍ଥାନ ବୋଲି ବାଛି ନିଅନ୍ତି । ସେମାନେ ଏଠାକୁ ଆସି ଛୋଟ ଛୋଟ ମାଛ, କଙ୍କଡା, ପୋକଜୋକକୁ ଆହାର କରନ୍ତି । ଏଠାରେ ସେମାନେ ବଂଶ ବିସ୍ତାର କରି ଗ୍ରୀଷ୍ମ ଋତୁର ପ୍ରାରମ୍ଭରେ ନିଜ ଅଞ୍ଚଳକୁ ଫେରି ଯାଇଥାଆନ୍ତି ।"
ସେହିପରି ପ୍ରତିବର୍ଷ ପକ୍ଷୀ ଗଣନା କରୁଥିବା ପରିବେଶବିତ ବିରଜା ପତି ଏହି ବିଦେଶୀ ପକ୍ଷୀଙ୍କ ଆଗମନ ସମ୍ପର୍କରେ ମତ ରଖି କହିଛନ୍ତି,"ଭିତରକନିକା ହେଉଛି ଏକ ଆର୍ଦ୍ରଭୂମି, ଆର୍ଦ୍ରଭୂମି ଗୁଡ଼ିକର ଜୈବ ବିବିଧତା ବହୁତ ଅଧିକ । ଛୋଟ ଠାରୁ ଆରମ୍ଭ କରି ବଡ଼ ପକ୍ଷୀ ମାନଙ୍କ ଖାଦ୍ୟ ପାଇଁ ଆର୍ଦ୍ରଭୂମି ବ୍ୟବସ୍ଥା କରିଥାଏ । ବିଦେଶୀ ପକ୍ଷୀ ମାନେ ଯେଉଁ ସ୍ଥାନ ମାନଙ୍କୁ ଆସୁଛନ୍ତି ସେଗୁଡିକ ୱେଟଲ୍ୟାଣ୍ଡ ବା ୱାଟର ବଡିଜ । ଯେଉଁଗୁଡିକ ଡାଇଭିଂ ଡକ୍ସ ସେମାନେ ନଦୀ ବା ନଦୀ ମୁହାଣରେ ଥାଆନ୍ତି ଓ ଅନ୍ୟମାନେ ସନ୍ତସନ୍ତିଆ ସ୍ଥାନ ବା ଆର୍ଦ୍ରଭୂମିକୁ ଆସନ୍ତି । ଭିତରକନିକା ହେଉଛି ବିଦେଶୀ ପକ୍ଷୀମାନଙ୍କର ଏକ ପସନ୍ଦର ଜାଗା । ଏମାନେ ସାଧାରଣତଃ ଅକ୍ଟୋବର ଶେଷ ବେଳକୁ କିଛି କିଛି ପକ୍ଷୀ ଆସନ୍ତି । ୱାକଟେଲସ ଓ ୱେଡର ମାନେ ଏହି ସମୟରେ ଆସି ଯାଇଥାନ୍ତି ଏବଂ ଏହାପରେ ଅନ୍ୟ ପକ୍ଷୀ ମାନେ ଆସିଥାନ୍ତି । ଏବର୍ଷ ଯାହା ଶୁଣାଯାଉଛି ଭଲ ପକ୍ଷୀ ମାନେ ଉଭୟ ସାତଭାୟା ଓ ଭିତରକନିକାକୁ ଆସିଛନ୍ତି ।

ଚିଲିକା ହେଉଛି ୮୦୦-୯୦୦ କିଲୋମିଟରର ଏକ ୱାଟରବଡି, ଯେଉଁଠାରେ ଆର୍ଦ୍ରଭୂମି ଓ ଗଭୀର ପାଣି କାରଣରୁ ବହୁ ପକ୍ଷୀ ଖାଦ୍ୟ ସଂଗ୍ରହ କରିପାରିବେ । ଚିଲିକା ପରେ ଭିତରକନିକା ହେଉଛି ଦ୍ଵିତୀୟ ଆର୍ଦ୍ରଭୂମି ଯେଉଁଠାରେ ସମୁଦ୍ର ତା ପାଖରେ ଥିବା ଲୁଣା ଜଙ୍ଗଲ ବଡ଼ ବଡ଼ ତିନୋଟି ନଦୀ ମୁହାଣ ରହିଛି । କେବଳ ରାଜନଗରରେ ୨୫ କିଲୋମିଟରର ବେଳାଭୂମି ରହିଥିବା ବେଳେ ମହାକାଳପଡ଼ାକୁ ମିଶାଇଲେ ଏହା ୪୫-୪୭ କିଲୋମିଟର ଆର୍ଦ୍ରଭୂମି ହେବ ତେଣୁ ଏଠାକୁ ଅନେକ ଚଢ଼େଇ ଆସିଥାନ୍ତି । ଏହି ବିଦେଶୀ ପକ୍ଷୀ ମାନେ ସାଧାରଣତଃ ହିମାଳୟ ସେପଟରୁ ଆସିଥାନ୍ତି । ଚୀନ, ମଙ୍ଗୋଲିଆ,ପୂର୍ବ ଏସିଆ ଇତ୍ୟାଦି ସ୍ଥାନରୁ ଏହି ପକ୍ଷୀ ମାନେ ଆସୁଥିବା ବେଳେ ପଶ୍ଚିମ ପଟରୁ କୌଣସି ପକ୍ଷୀ ଆସିନଥାନ୍ତି । ମାନ ସରୋବର ହ୍ରଦରୁ ଚକୋଆଚକୋଇ ବା ରୁଡ଼ିସିଆଲ ଡ଼କ ଆସିଥାନ୍ତି ।"
ବିଦେଶୀ ପକ୍ଷୀଙ୍କ ସମ୍ପର୍କରେ କଣ କୁହେ ବନବିଭାଗ-
ବର୍ତ୍ତମାନ ଶୀତ ସମୟରେ ଜାତୀୟ ଉଦ୍ୟାନ ଭିତରକନିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ସମ୍ପର୍କରେ ପ୍ରତିକ୍ରିୟା ରଖି ରେଞ୍ଜର ମାନସ ରଞ୍ଜନ ଦାଶ କୁହନ୍ତି, "ଭିତରକନିକାକୁ ପ୍ରତିବର୍ଷ ବିଦେଶୀ ପକ୍ଷୀ ବହୁତ ପରିମାଣରେ ଆସିଥାନ୍ତି, ଏବର୍ଷ ମଧ୍ୟ ସେମାନେ ଆସିଛନ୍ତି । ବିଦେଶୀ ପକ୍ଷୀ ପାଖାପାଖି ୨୦୦ ପ୍ରଜାତିରୁ ଅଧିକ ଏଠାକୁ ଆସିଥାନ୍ତି । ଏଠାରେ ବିଦେଶୀ ପକ୍ଷୀଙ୍କ ଆଗମନ ଓ ରହଣି ବଢିଛି । ପୂର୍ବଭଳି ଏଠାକୁ ଚଢ଼େଇ ମାନେ ଆସି କିଛି ଦିନ ରହି ଚିଲିକାକୁ ଚାଲି ଯାଆନ୍ତି ।"
ଏନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, "ଯେତେବେଳେ ଜଳବାୟୁ ଠିକ ଥିବ ସେହି ସମୟରେ ଅଧିକ ମାତ୍ରାରେ ବିଦେଶୀ ପାଖି ଆସିଥାନ୍ତି, ଏହା ସହିତ ଯେଉଁ ବର୍ଷ ଜଳବାୟୁ ପରିବର୍ତ୍ତନ ହେଲେ ବିଦେଶୀ ପକ୍ଷୀମାନେ କମ ଆସିଥାନ୍ତି । ଚଳିତ ବର୍ଷ ଭଲ ଜଳବାୟୁ ରହିଥିବାରୁ ଚଳିତ ବର୍ଷ ଅଧିକ ମାତ୍ରାରେ ବିଦେଶୀ ପାଖି ଆସିପାରନ୍ତି ।"
ଇଟିଭି ଭାରତ, ବ୍ରହ୍ମପୁର /କେନ୍ଦ୍ରାପଡା

