ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କଲେ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପୁରୀ ଶ୍ରୀମନ୍ଦିର ଗସ୍ତ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଏସ୍ପି ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ ।


Published : January 1, 2026 at 8:25 AM IST
|Updated : January 1, 2026 at 11:49 AM IST
ପୁରୀ: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅରବିନ୍ଦ ପାଢୀ ସ୍ବାଗତ କରିଥିଲେ ।
ଏହାସହିତ ସେବାୟତମାନେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପ୍ରଦାନ କରି ସ୍ବାଗତ କରିଥିଲେ । ଶ୍ରୀମନ୍ଦିର ଭିତରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବିଭିନ୍ନ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଥିଲେ ନୂଆ ମୁଖ୍ୟ ଶାସନ ସଚିବ ।
ତେବେ ଦର୍ଶନ ସାରି ଫେରିବା ପରେ ଅନୁ ଗର୍ଗ ପ୍ରତିକ୍ରିୟା ଦେଇ କହିଛନ୍ତି, "ମହାପ୍ରଭୁଙ୍କ ଦର୍ଶନ ପାଇ ବେଶ୍ ଆନନ୍ଦ ଅନୁଭବ କରୁଛି । ଓଡ଼ିଶା ବାସୀଙ୍କ ସେବା ଏବଂ ରାଜ୍ୟର ଉନ୍ନତି ମୋର ମୁଖ୍ୟ ଲକ୍ଷ୍ୟ ରହିବ । ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ମିଳିବା ମୋ ପାଇଁ ଏକ ବଡ଼ ସୁଯୋଗ । ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ନିକଟରେ ମୁଁ ଆଜି ପୂଜାର୍ଚ୍ଚନା କଲି । ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି । ଏହାକୁ ନେଇ ଏକ ଭିଜନ ପ୍ରସ୍ତୁତ ହୋଇଥିବା ବେଳେ ସେ ଦିଗରେ ଆମେ କାର୍ଯ୍ୟ କରିବୁ । ଓଡ଼ିଶାରେ ଥିବା ଆଞ୍ଚଳିକ ତାରତମ୍ୟକୁ ହ୍ରାସ କରିବା ଆମର ଲକ୍ଷ୍ୟ ରହିଛି । ୨୦୩୬ ମସିହା ଭିଜନକୁ କିଭଳି ସଫଳତାର ସହ ହାସଲ କରାଯାଇପାରିବ ସେ ଦିଗରେ କାର୍ଯ୍ୟ କରିବି । ଓଡ଼ିଶାରେ ସୁଶାସନ, ମହିଳା ସଶକ୍ତିକରଣ, ସଠିକ୍ ବିପର୍ଯ୍ୟୟ ପରିଚାଳନା କରିବା ନେଇ ଆମର ଲକ୍ଷ୍ୟ ରହିଛି । ଓଡ଼ିଶାକୁ ଅଧିକରୁ ଅଧିକ କିଭଳି ଶିଳ୍ପ ଆସିବ ଏବଂ ଅଧିକ ନିଯୁକ୍ତି ସୃଷ୍ଟି ହେବ ସେ ଦିଗରେ ସରକାରଙ୍କ ଲକ୍ଷ୍ୟ ଥିବାବେଳେ ମୋର ମଧ୍ୟ ପ୍ରଚେଷ୍ଟା ରହିବ ।"

ବର୍ଷ ଶେଷ ଦିନରେ ଦାୟିତ୍ୱ ଗ୍ରହଣ-
ବର୍ଷ 2025ର ଶେଷ ଦିନରେ ଅର୍ଥାତ ଗତକାଲି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ବରିଷ୍ଠ ପ୍ରଶାସକ ଅନୁ ଗର୍ଗ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁ ଦାୟିତ୍ୱ ନେଇଛନ୍ତି । ବିଦାୟୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କଠାରୁ ଅନୁ ଦାୟିତ୍ୱ ଗ୍ରହଣ କରିଥିଲେ । ମୁଖ୍ୟ ଶାସନ ସଚିବ ଭାବେ ମୋତେ ବହୁତ ବଡ଼ ଦାୟିତ୍ୱ ମିଳିଛି । ସ୍ୱପ୍ନର ଓଡିଶା ଗଠନ ଲକ୍ଷ୍ୟ ବୋଲି ପ୍ରାଥମିକ ପ୍ରତିକ୍ରିୟାରେ ଅନୁ କହିଛନ୍ତି ।
ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ-
ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅନୁ ଗର୍ଗ । ଅନୁ ହେଉଛନ୍ତି ୧୯୯୧ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ । ଅନୁଙ୍କର ଭାରତୀୟ ପ୍ରଶାସନିକ ସେବାରେ ଜଡିତ ଏବଂ ସରକାରୀ କ୍ଷେତ୍ରରେ ୩୪ ବର୍ଷର ଅଭିଜ୍ଞତା ରହିଛି । ମୁଖ୍ୟ ଶାସନ ସଚିବ ହେବା ପୂର୍ବରୁ ଅନୁ ଉନ୍ନୟନ କମିଶନର ସହ ଯୋଜନା ଏବଂ ସଂଯୋଜନା ଓ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିଲେ ।

ସେହିପରି ସେ ଶ୍ରମ ଏବଂ ESI ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗରେ ପ୍ରମୁଖ ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ଭାରତ ସରକାରଙ୍କ ଅଧୀନରେ ବିଭିନ୍ନ ମନ୍ତ୍ରଣାଳୟରେ ବିଭିନ୍ନ ପଦବୀରେ ଅନୁ କାର୍ଯ୍ୟ କରିଛନ୍ତି । ବୟନ ମନ୍ତ୍ରଣାଳୟର ଯୁଗ୍ମ ସଚିବ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଅନୁ ଦାୟିତ୍ୱ ତୁଲାଇଛନ୍ତି ।
ଆଜି ସଂଧ୍ୟାରେ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କ ଦର୍ଶନ କରିବା ସହ ରାଜ୍ୟର ବିକାଶ ଓ ମଙ୍ଗଳ କାମନା କରିଛନ୍ତି। pic.twitter.com/JpIIbu3Inv
— Collector and District Magistrate Puri (@dm_puri) December 31, 2025
ସେହିପରି ୨୦୦୮-୧୨ ମଧ୍ୟରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର କମିଶନର-କମ-ସଚିବ ଭାବରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ୧୯୯୨-୨୦୦୩ ମଧ୍ୟରେ ଅନୁ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳ ଏବଂ ବିଭିନ୍ନ ବିଭାଗର ନିର୍ଦ୍ଦେଶକ, ଶାସନ ସଚିବ ପଦବୀରେ କାର୍ଯ୍ୟ କରିଛନ୍ତି ।
ଇଟିଭି ଭାରତ, ପୁରୀ

