ହର୍ଲିକ୍ସ ପିଉଥିଲେ ସାବଧାନ ! ଅପମିଶ୍ରିତ ଖାଦ୍ୟ ତାଲିକାରେ ଅଛି ଏସବୁ ଖାଦ୍ୟ, ଖୋର୍ଦ୍ଧା ଜିଲ୍ଲା ହଟସ୍ପଟ୍
ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା । ଓଡ଼ିଶାରେ ଭେଜାଲ ହର୍ଲିକ୍ସ ଜବତ ହୋଇଛି । ସତର୍କ ରହିବାକୁ ଅଭିଭାବକଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସତର୍କତା ।


Published : February 23, 2026 at 8:04 PM IST
|Updated : February 23, 2026 at 9:29 PM IST
ଭୁବନେଶ୍ୱର: ପିଲାମାନଙ୍କୁ ହର୍ଲିକ୍ସ (Horlicks) ପିଆଉଛନ୍ତି କି ? ସାବଧାନ ! ହର୍ଲିକ୍ସରେ ବି ହେଉଛି ଅପମିଶ୍ରଣ । ଆଜି ବିଧାନସଭାରେ ଏଭଳି ଏକ ସାଙ୍ଘାତିକ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଖୋର୍ଦ୍ଧା ଜିଲ୍ଲା ହେଉଛି ଅପମିଶ୍ରିତ ଖାଦ୍ୟ ସାମଗ୍ରୀର ହଟସ୍ପଟ୍ । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅପମିଶ୍ରିତ ଖାଦ୍ୟ ତାଲିକାରେ ରହିଛି ହର୍ଲିକ୍ସ । ବୌଦ୍ଧ, ଢେଙ୍କାନାଳ, ଜଗତସିଂପୁର ଏବଂ ମୟୂରଭଞ୍ଜରୁ ଜବତ ହୋଇଛି ଭେଜାଲ ହର୍ଲିକ୍ସ । ତେବେ ଖାଦ୍ୟର ଗୁଣାତ୍ମକ ମାନ ଯାଞ୍ଚ କରିବାର ପ୍ରକ୍ରିୟା ରହିଛି । ଏନେଇ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ହେଲେ ସେମାନଙ୍କ କାର୍ଯ୍ୟ ତୁଲାଇବାରେ ସେମାନେ ବିଫଳ ବୋଲି ଅଭିଯୋଗ ଆଣିଛନ୍ତି ରାଜନୈତିକ ବ୍ୟକ୍ତି ବିଶେଷ ।
ଏହାସହ ବଜାରରୁ ଆପଣ କିଣୁଥିବା ବ୍ରେଡ, ମସଲା, ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ଦହି, ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ୍, ସୋୟାବୀନ, ଘିଅ, ଲହୁଣୀ, ଚିନି, ପାମ୍ପଡ଼, ଚକଲେଟ, ନୁଡୁଲସ୍ ଅପମିଶ୍ରିତ ହେଉଛି । ଏମିତିକି ଆପଣ ଖାଉଥିବା ଲୁଣ ବି ବିଷାକ୍ତ ।ଖୋର୍ଦ୍ଧାରେ ଅଧିକାଂଶ ଖାଦ୍ୟ ଦ୍ରବ୍ୟ ଅପମିଶ୍ରିତ ବୋଲି ଜଣାପଡିଛି । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଅପମିଶ୍ରିତ ଖାଦ୍ୟ ପଦାର୍ଥ ଅତ୍ୟନ୍ତ କ୍ଷତିକାରକ-
ତେବେ ବଜାରରେ ମିଳୁଥିବା ଅପମିଶ୍ରିତ ଖାଦ୍ୟ ପଦାର୍ଥ ଅତ୍ୟନ୍ତ କ୍ଷତିକାରକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଅପମିଶ୍ରଣକୁ ରୋକିବା ପାଇଁ ସରକାରୀ ସ୍ତରରେ ସଚେତନତା ଆବଶ୍ୟକତା ରହିଛି । ସରକାର ଠୋସ କାର୍ଯ୍ୟାନୁଷ୍ଠାନ ନେବା ଦରକାର, ଏକ ବିଧିବଦ୍ଧ ତଦନ୍ତ ପ୍ରକ୍ରିୟା ଦ୍ୱାରା ଅପମିଶ୍ରଣ ବା ଖାଦ୍ୟର ମାନ ଯାଞ୍ଚ କରିବାର ଆବଶ୍ୟକତା ରହିଛି । ଅପମିଶ୍ରଣ ଦୁଇଟି ପ୍ରକାରର ହୋଇପାରେ । ଅପମିଶ୍ରଣ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ହର୍ଲିକ୍ସ ଯେଉଁଠି ପ୍ରସ୍ତୁତ ହେଉଛି ସେ ସ୍ଥାନଟିର ମୃତ୍ତିକା ଏବଂ ଜଳ ଯଦି ପ୍ରଦ୍ୟୁଷିତ ହୋଇଥିବ ତାହେଲେ ସେ ଖାଦ୍ୟ ଉତ୍ପାଦ ବିଷାକ୍ତ ହୋଇଯିବ । ଆଉ ଗୋଟିଏ ହେଲା କିଛି ଅସାଧୁ ବ୍ୟବସାୟୀ ମୁନାଫା ଖୋର ନୀତି ଯୋଗୁଁ ଅପମିଶ୍ରଣ ହେଉଛି । ଷ୍ଟିକର ମାରି ବଜାରକୁ ଶସ୍ତା ଜିନିଷ ଛାଡୁଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
"ହର୍ଲିକ୍ସ ଭଳି ଏକ ବହୁ ବିକ୍ରି ହେଉଥିବା ଫୁଡ଼ ସପ୍ଲିମେଣ୍ଟ । ଅପମିଶ୍ରିତ ହେଲେ ଆମର ଶରୀର ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିବ । ଶାରୀରିକ କ୍ଷତି ହେବାର ସମ୍ଭାବନା ଅଧିକ । ଯେଉଁ ଖାଦ୍ୟ ପଦାର୍ଥ, ଉତ୍ପାଦ ଅନ୍ତର୍ଜାତୀୟ ମାନ୍ୟତା ଲାଭ କରିଥିବ ତାକୁ ନେଇ ବ୍ୟବହାର କରିବା ଦରକାର । କିଣିବା ପୂର୍ବରୁ ତାର ଲୋଗୋ,ଉତ୍ପାଦନ ତାରିଖ, ଏକ୍ସପାଏରୀକୁ ଠିକ୍ ଭାବେ ଦେଖି କିଣିବାକୁ ପଡିବ," କହିଛନ୍ତି ବରିଷ୍ଠ ଭେଷଜ ବିଶେଷଜ୍ଞ ଡ଼ ଆଲୋକ ପଟ୍ଟନାୟକ ।
ଏହା ବି ପଢନ୍ତୁ- ପୋଲିସ ବିଭାଗରେ ଖାଲି ପଡିଛି 27, 694 ପଦବୀ; ଆଇନ ଶୃଙ୍ଖଳା ପରିଚାଳନାକୁ ନେଇ ତେଜିଲା ରାଜନୀତି
"ସବୁ ଜିନିଷରେ ଆମକୁ ବିଷ ଖୁଆଉଛନ୍ତି, ଏହି କାରଣରୁ କ୍ୟାନ୍ସର ଭକି ରୋଗ ହେଉଛି । ଖାଦ୍ୟର ଗୁଣାତ୍ମକ ମାନରେ ଯାଞ୍ଚ ହେଉନାହିଁ, ଏନେଇ ବିଭାଗ ପକ୍ଷରୁ ଚଢ଼ାଉ ହେଉନାହିଁ । ଖାଦ୍ୟ ଅପମିଶ୍ରଣ, ନିମ୍ନମାନର ଖାଦ୍ୟ ପ୍ରସ୍ତୁତି ରୋକିବାରେ ସରକାର ବିଫଳ," ବୋଲି କହିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ।
ଇଟିଭି ଭାରତ, ଭୁବନେଶ୍ୱର

