ଦଳିତ ଓ ଆଦିବାସୀଙ୍କୁ ହକ୍ ଦେବାରେ ପ୍ରଶାସନ ବିଫଳ; ଜୁନ 2ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଚେତାବନୀ
ଦଳିତ ଓ ଆଦିବାସୀଙ୍କ ପ୍ରତି ସରକାରଙ୍କ ଅବହେଳା ଓ ସମ୍ୱେଦନଶୀଳ ମନୋଭାବ ଅଭାବ କାରଣରୁ ଜିଲ୍ଲାର ଅଧିକାଂଶ ଦଳିତ ଆଦିବାସୀ ପରିବାର ଭୂମିହୀନ ଓ ଗୃହହୀନ ରହିଛନ୍ତି। ରିପୋର୍ଟ-ସମୀର କୁମାର ଆଚାର୍ଯ୍ୟ


Published : May 29, 2026 at 1:57 PM IST
ବ୍ରହ୍ମପୁର: ଗଞ୍ଜାମରେ ଦଳିତ ଓ ଆଦିବାସୀଙ୍କ ସମସ୍ୟାର ସମାଧାନ ହୋଇପାରୁନି । ଜିଲ୍ଲାରେ ଦିନକୁ ଦିନ ଜାତିଗତ ଉତ୍ପୀଡ଼ନ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷେ ଏହାକୁ ରୋକିବାରେ ପ୍ରଶାସନ ବିଫଳ ହୋଇଛି । ଏମିତି ଅଭିଯୋଗ ଆଣିଛି ଏଆଇକେଏମଏସ୍ ଓ ଓଡିଶା ଦଳିତ ମହାସଭା । ବ୍ରହ୍ମପୁର ସହରରେ ଗୁରୁବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏ ନେଇ ଉଭୟ ସଂଘ କ୍ଷୋଭ ପ୍ରକାଶ କରିବା ସହ ଏହାର ପ୍ରତିବାଦରେ ଆଗାମୀ ଜୁନ 2 ତାରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ସଂଘ ଅଭିଯୋଗ କରିଛି ଯେ, ଗଞ୍ଜାମ ଜିଲ୍ଲାରେ ଦଳିତ ଓ ଆଦିବାସୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୨୩ ପ୍ରତିଶତ ହୋଇଥିବା ବେଳେ (ଦଳିତ-୧୯.୫% ଓ ଆଦିବାସୀ - ୩.୫%) ସବୁ କ୍ଷେତ୍ରରେ ସେମାନେ ଅବହେଳିତ ହୋଇ ଆସୁଛନ୍ତି । ଏପରିକି ଦଳିତ ଓ ଆଦିବାସୀଙ୍କ ପ୍ରତି ସରକାରଙ୍କ ଏହି ଅବହେଳା ଓ ସମ୍ୱେଦନଶୀଳ ମନୋଭାବ ଅଭାବ କାରଣରୁ ଜିଲ୍ଲାର ଅଧିକାଂଶ ଦଳିତ ଓ ଆଦିବାସୀ ପରିବାର ଭୂମିହୀନ ଓ ଗୃହହୀନ ରହିଛନ୍ତି।
ବର୍ଷ ବର୍ଷ ଧରି ମିଳୁନି ସରକାରୀ ଜମିପଟ୍ଟା
ବର୍ଷ ବର୍ଷ ଧରି ସରକାରୀ ଜମିରେ ଚାଷ ଓ ବାସ କରି ରହୁଥିଲେ ମଧ୍ୟ ସରକାର ସେମାନଙ୍କୁ ପଟ୍ଟା ଦେଉନାହାଁନ୍ତି। ଏପରିକି ବର୍ତ୍ତମାନର ବିଜେପି ଡ଼ବଲ ଇଞ୍ଜିନ୍ ସରକାର ରାଜ୍ୟର ସବୁ ଭୂମିହୀନଙ୍କୁ ୪ ଡ଼ିସିମିଲ୍ ଜମି ଦେବାକୁ ଘୋଷଣା କରିଥିଲେ । ଏଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିୟମକୁୁ ଲାଗୁ କରୁ ବୋଲି ଉଭୟ ସଂଘ ଦାବି କରିଛନ୍ତି ।
ସଂଘ ପକ୍ଷରୁ ଅଭିଯୋଗ ହୋଇଛି ଯେ, ଗାଁରେ ଅଧିକାଂଶ ଦଳିତ ଭୂମିହୀନ ଓ ଗୃହହୀନ ଥିବାବେଳେ ଗାଁରେ ଥିବା ସରକାରୀ ଜମିକୁ ପ୍ରାୟତଃ ସବର୍ଣ୍ଣ ସମ୍ପ୍ରଦାୟର ଧନୀ ଲୋକମାନେ କବଜା କରି ରଖିଛନ୍ତି। ସ୍ଥାନୀୟ ପ୍ରଶାସନ ସେସବୁ ଜମିରୁ ଜବରଦଖଲ ହଟାଇ ଗରିବ ଦଳିତଙ୍କୁ ବଣ୍ଟନ କରିବା ବଦଳରେ ଦଳିତମାନେ ଚାଷ କରୁଥିବା ସରକାରୀ ଜମିରୁ ସେମାନଙ୍କୁ ଉଚ୍ଛେଦ କରିବାକୁ ଉଦ୍ୟମ କରୁଛନ୍ତି । ବେଲଗୁଣ୍ଠା ତହସିଲର ବଡ଼ ଦୋଡ଼ଙ୍ଗାରେ ସବର୍ଣ୍ଣ ଲୋକେ ଶତାଧିକ ଏକର ସରକାରୀ ଜମିକୁ ଜବରଦଖଲ କରିଥିବା ବେଳେ ସେଠାକାର ଭୂମିହୀନ ଗରୀବ ଦଳିତଙ୍କୁ ସରକାରୀ ଜମିରୁ ହଟାଇ ଦିଆ ଯାଉଥିବା ଦେଖାଯାଇଛି ।

ଜଙ୍ଗଲ ଜମି ଅଧିକାରରୁ ବଞ୍ଚିତ ହେଉଛନ୍ତି
ଜଙ୍ଗଲ ଜମିରେ ଦଶକ ଦଶକ ଧରି ଚାଷ ଓ ବାସ କରି ରହି ଆସୁଥିବା ଆଦିବାସୀଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଜଙ୍ଗଲ ଅଧିକାର ଆଇନ -୨୦୦୬ ପ୍ରଣୟନ ହୋଇଥିଲେ ବି, ଜିଲ୍ଲାର ଅଧିକାଂଶ ଆଦିବାସୀ ପରିବାର ଏହି ଅଧିକାରରୁ ବଞ୍ଚିତ ହୋଇଛନ୍ତି। ଏପରିକି ସେମାନଙ୍କୁ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଜୁଲମର ଶିକାର ହେବାକୁ ପଡୁଛି। ସରକାରୀ ଅବହେଳା ଯୋଗୁଁ ଆଜି ଜିଲ୍ଲାର ଅନେକ ଆଦିବାସୀ ଗ୍ରାମ ରାସ୍ତା, ବିଦ୍ୟୁତ୍ ଓ ପାନୀୟ ଜଳ ପରି ସର୍ବନିମ୍ନ ଆବଶ୍ୟକତାରୁ ବଞ୍ଚିତ ରହିଛନ୍ତି ବୋଲି ଉଭୟ ସଂଘ ପକ୍ଷରୁ ଅଭିଯୋଗ ହୋଇଛି ।

ଛୁଆଁଅଛୁଆଁ ଭେଦଭାବର ଶିକାର ହେଉଛନ୍ତି
ସଂଘ ଅଭିଯୋଗ କରିଛି, ଜିଲ୍ଲାର ଅଧିକାଂଶ ଗାଁରେ ଦଳିତ ଓ ଆଦିବାସୀ ଛୁଆଁଅଛୁଆଁ ଭେଦଭାବର ଶିକାର ହେଉଛନ୍ତି । ଅଧିକାଂଶ ଗାଁରେ ଦଳିତମାନଙ୍କ ମନ୍ଦିର ପ୍ରବେଶ, ପୋଖରୀ ତୁଠରେ ପ୍ରବେଶ ଓ ଗାଁ ଦାଣ୍ଡରେ ବିବାହ ପଟୁଆର ନେବା ଉପରେ ବାରଣ ଓ ପ୍ରତିବନ୍ଧକ ରଖାଯାଇଛି। ଏପରିକି ଆଜି ବି କିଛି ଗାଁରେ ହୋଟେଲମାନଙ୍କରେ ଦଳିତ ଓ ଆଦିବାସୀଙ୍କ ପାଇଁ ଭିନ୍ନ ବ୍ୟବସ୍ଥା, ପରମ୍ପରା ରହିଛି। ଯେଉଁଠି ଆଦିବାସୀ କିମ୍ବା ଦଳିତ ଲୋକେ ଏଭଳି ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ସେମାନଙ୍କ ଉପରେ ହିଂସା ଓ ଆକ୍ରମଣ ହେଉଛି। ଗତ ମାସ ୨୬ ତାରିଖରେ ସୋରଡ଼ା ଥାନା ବଡ଼ ବଦାଙ୍ଗୀରେ ଦଳିତ ଲୋକେ ଗାଁର ସର୍ବସାଧାରଣ ରାସ୍ତାରେ ଏକ ବିବାହ ଶୋଭାଯାତ୍ରାରେ ଯାଉଥିବା ବେଳେ ସବର୍ଣ୍ଣ ସମ୍ପ୍ରଦାୟର କିଛି ଲୋକ ଠେଙ୍ଗାବାଡ଼ିରେ ମରଣାତ୍ମକ ଆକ୍ରମଣ କରିଥିଲେ। ସେଥିରେ ଅନେକ ଦଳିତ ଲୋକ ଗୁରୁତର ଆହତ ହୋଇଥିଲେ ବି ପୋଲିସ ତରଫରୁ ଏଯାଏଁ ଜଣେ ବି ଆକ୍ରମଣକାରୀଙ୍କୁ ଗିରଫ କରାଯାଇନି। ଏପରିକି ପୋଲିସ ପକ୍ଷରୁ ଆକ୍ରମଣକାରୀଙ୍କ ସହ ବୁଝାମଣା କରିବାକୁ ଦଳିତ ଲୋକଙ୍କ ଉପରେ ଚାପ ପକାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ମିଳିତ ସଂଘର କର୍ମକର୍ତ୍ତା ।
ଏଭଳି ପରିସ୍ଥିତିରେ ଦଳିତ ଓ ଆଦିବାସୀ ଲୋକଙ୍କୁ ସେମାନଙ୍କ ଅଧିକାର ଓ ମୌଳିକ ସୁବିଧା ଯୋଗାଇବା ଦାବିରେ ଜିଲ୍ଲାର ଏଆଇକେଏମ୍ଏସ୍, ଓଡିଶା ଦଳିତ ମହାସଭା ଓ ଅଲ୍ ଇଣ୍ଡିଆ ଟ୍ରାଇବଲ ଫୋରମ୍ ପକ୍ଷରୁ ମିଳିତ ଭାବେ ଆସନ୍ତା ଜୁନ୍ ୨ ତାରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ସ୍ଥିର କରାଯାଇଛି । ଏହି ଆନ୍ଦୋଳନରେ ଜିଲ୍ଲାର ବିଭିନ୍ନ ବ୍ଳକ୍ର ଆଦିବାସୀ ଓ ଦଳିତମାନେ ବହୁ ସଂଖ୍ୟାରେ ଯୋଗ ଦେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର
ଏହା ମଧ୍ୟ ପଢନ୍ତୁ ସଫଳ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ସମଗ୍ର ବିଶ୍ୱକୁ ପ୍ରେରଣା ଦେବ ଓଡ଼ିଶା: ରାଜସ୍ୱ ମନ୍ତ୍ରୀ
ଏହା ମଧ୍ୟ ପଢନ୍ତୁ ସେପ୍ଟେମ୍ବର ସୁଦ୍ଧା ମାଲକାନଗିରି ଜିଲ୍ଲାର ଜମିଜମା ମାମଲା ହେବ ବନ୍ଦୋବସ୍ତ: ରାଜସ୍ୱ ମନ୍ତ୍ରୀ

