ବନ ସୃଷ୍ଟି ନାଁରେ ଏକର ଏକର ବନ ନଷ୍ଟ: ବିଭାଗ କହୁଛି, ଘଟଣାର ତଦନ୍ତ ହେବ
ଗଜପତି ସଂରକ୍ଷିତ ଜଙ୍ଗଲ ଭିତରେ ଏକର ଏକର ଜଙ୍ଗଲ କାଟିବା ଏବଂ ପରେ ପୋଡ଼ି ଦିଆଯିବା ଘଟଣା ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରିପୋର୍ଟ- ହରିହର ପଟନାୟକ

Published : June 27, 2026 at 9:56 PM IST
FOREST DESTROYED IN GAJAPATI, ପାରଳାଖେମୁଣ୍ଡି (ଗଜପତି): ଜଙ୍ଗଲ ସୃଷ୍ଟି ଓ ସଂରକ୍ଷଣ ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଗଜପତି ଜିଲ୍ଲାରେ ସଂରକ୍ଷିତ ଜଙ୍ଗଲ ଭିତରେ ଏକର ଏକର ଜମିରେ ଗଛ କାଟି ଦିଆଯିବା ଏବଂ ପରେ ନିଆଁ ଲଗାଇ ପୋଡ଼ି ଦିଆଯିବା ଘଟଣା ବନ ବିଭାଗର କାର୍ଯ୍ୟଦକ୍ଷତା ଓ ପାରିବାପଣିଆ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ଚାରା ରୋପଣ ଓ ବନ ସୃଷ୍ଟି ପାଇଁ ବନ ବିଭାଗ ଏକ ବିରଳ ଜଙ୍ଗଲକୁ ନଷ୍ଟ କରିବା କେତେ ଦୂର ଠିକ୍ ବୋଲି ପରିବେଶବିତ୍ ଓ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । ସେପଟେ ବିଭାଗୀୟ ଅଧିକାରୀ କହିଛନ୍ତି, ଘଟଣାର ତଦନ୍ତ ହେବ ।
ବନ ସୃଷ୍ଟି ନାଁରେ ଏକର ଏକର ବନ ନଷ୍ଟ: ବିଭାଗ କହୁଛି, ଘଟଣାର ତଦନ୍ତ ହେବ
ଗଜପତି ଜିଲ୍ଲାର ମହେନ୍ଦ୍ର ବନାଞ୍ଚଳରେ ଜଙ୍ଗଲକୁ କାଟି ନିଆଁ ଲଗାଇ ଦେଲା ଖୋଦ୍ ବନ ବିଭାଗ । ଧ୍ବଂସ ମୁହାଁ ହେବାକୁ ଯାଉଛି କିଚିଲିଙ୍ଗି ସଂରକ୍ଷିତ ଜଙ୍ଗଲ । ଐତିହାସିକ ମହେନ୍ଦ୍ରଗିରି ପର୍ବତମାଳାର ପାଦଦେଶରେ ଥିବା ଏହି ଜଙ୍ଗଲକୁ ବନ ବିଭାଗ ହିଁ ଗଛ କାଟି ନିଆଁ ଲଗାଇ ଧ୍ବଂସ କରୁଛି । ପିଆଶାଳ, ଶାଗୁଆନ ସହ ବହୁତ ମୂଲ୍ୟବାନ ଔଷଧୀୟ ବୃକ୍ଷ ପୋଡ଼ି ନଷ୍ଟ ହୋଇଯାଇଛି । ସରକାର ଜଙ୍ଗଲ ସୃଷ୍ଟି କରିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି, ହେଲେ ଖାଲି ସ୍ଥାନରେ ବୃକ୍ଷରୋପଣ କରିବା ବଦଳରେ ଜଙ୍ଗଲ ମଧ୍ୟରେ ହିଁ ବୃକ୍ଷ ରୋପଣ କରିବା ପରି ଘଟଣା ଦେଖିବାକୁ ମିଳିଛି ଏଠାରେ ।
ଆସିଥିବା ଯୋଜନାକୁ କେଉଁ ରୂପରେଖ ଦେବା ପାଇଁ ପ୍ରଚେଷ୍ଟା କରୁଛି ବନ ବିଭାଗ । ପରିବେଶ ସନ୍ତୁଳନ ଓ ଜୈବ ବିବିଧତା ସୁରକ୍ଷା ନିମନ୍ତେ ଜଙ୍ଗଲ ସୃଷ୍ଟି ଓ ସଂରକ୍ଷଣ ପାଇଁ ରାଜ୍ୟ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସଂରକ୍ଷିତ ଜଙ୍ଗଲକୁ କାଟି ଦିଆଯାଇଛି ଏବଂ ସେଥିରେ ନିଆଁ ଲଗାଇ ପୋଡ଼ି ଦେଇଛି ବନ ବିଭାଗ ।

ଗଜପତି ଜିଲ୍ଲାର କିଚିଲିଙ୍ଗ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୬୨ ଏକର ବିଶିଷ୍ଟ ଏହି ଅଞ୍ଚଳର ଜଙ୍ଗଲରେ ରହିଛି ବହୁ ଦୁର୍ଲ୍ଲଭ ମୂଲ୍ୟବାନ ରକ୍ତ ଚନ୍ଦନ ସାଙ୍ଗକୁ ଶାଳ, ଶାଗୁଆନ ପରି ଅନ୍ୟାନ୍ୟ ବିଭିନ୍ନ ବୃକ୍ଷ । ତେଣୁ ବିଭାଗ ପକ୍ଷରୁ ସବୁବେଳ ଦିନ ରାତି ଏହାକୁ ସୁରକ୍ଷା ଦେବା କଥା । ମାତ୍ର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ପ୍ରାୟ ୫ ଏକର ଜମିରେ ଗଛକଟା ଓ ନିଆଁ ଲଗାଇ ସେଠାରେ ହିଁ ଚାରା ରୋପଣ କରିବା ପାଇଁ ଚେଷ୍ଟା କରାଯାଉଛି । ଜଙ୍ଗଲ ସୁରକ୍ଷା ପାଇଁ ନିୟୋଜିତ କର୍ମଚାରୀ ଓ ଅଧିକାରୀ କାହିଁକି ଏପରି କରିଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ପରିବେଶ ପ୍ରେମୀମାନେ ପ୍ରଶ୍ନ ଉଠାଇବା ସହ, ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
ସେପଟେ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ଶୁଭ୍ରଜିତ କହିଛନ୍ତି, "ସେ ଅଞ୍ଚଳରେ ପ୍ରାୟ ୨୫ ହେକ୍ଟର ଜମିରେ ବୃକ୍ଷ ରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯିବ ଓ ସେଠାରେ ବିଭିନ୍ନ ୨୦ ପ୍ରକାର ଅର୍ଥନୈତିକ ଅଭିବୃଦ୍ଧି ସହାୟ କରାଯାଇ ପାରୁଥିବା ୧୨,୫୦୦ ଗଛ ଲଗାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ସେଥି ନିମନ୍ତେ ଵିଭାଗ ପକ୍ଷରୁ ଲତା ବୁଦା ସଫା କରିବା ପାଇଁ କୁହା ଯାଇଥିଲା, କିନ୍ତୁ ପରେ ସେ ଜାଣିବାକୁ ପାଇଥିଲେ ଯେ କିଛି ଗଛ ମଧ୍ୟ କଟା ଯାଇଛି ଓ ନିଆଁ ଲଗା ଯାଇଛି, ଯାହା ସମ୍ପୂର୍ଣ୍ଣ ବେଆଇନ । ତେଣୁ ଖୁବ୍ ଶୀଘ୍ର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ," ବୋଲି କହିଛନ୍ତି ଅଧିକାରୀ ।

ବାଡ଼ ଯଦି ଫସଲ ଖାଇବ ତେବେ କହିବା କାହାକୁ । ଠିକ୍ ସେହିପରି ଜଙ୍ଗଲ ସୃଷ୍ଟି ଓ ଏହାର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ଯଦି ଜଙ୍ଗଲକୁ ନଷ୍ଟ କରିବେ ତେବେ ପରିବେଶ ସୁରକ୍ଷିତ ରହିବା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏପରିସ୍ଥଳେ ଘଟଣାର ତଦନ୍ତ ଏକାନ୍ତ ଆବଶ୍ୟକ ମନେ ହେଉଛି ।
ଏହା ମଧ୍ୟ ପଢ଼ନ୍ତୁ- ଗଜପତିରେ ପୋଲିସ ଚଢ଼ାଉ; ଜଣଙ୍କ ଘରୁ ଜବତ ହେଲା 137 ବାଇକ, 127 ମୋବାଇଲ
ଏହା ମଧ୍ୟ ପଢ଼ନ୍ତୁ- ବିଶୁଦ୍ଧ ପାନୀୟ ଜଳ ଯୋଗାଣ; 6ଟି ଗାଁରେ ପହଞ୍ଚିଛି, ଅପେକ୍ଷାରେ 97ଟି ଗ୍ରାମ, ବିଳମ୍ବ ପାଇଁ ମୁମ୍ବାଇ ଠିକା ସଂସ୍ଥା ଉପରେ 25ଲକ୍ଷ ଜୋରିମାନା
ଇଟିଭି ଭାରତ, ଗଜପତି

