ଭୁବନେଶ୍ୱରରେ ମହିଳାଙ୍କ ତଣ୍ଟିକାଟି ହତ୍ୟା ମାମଲା; ଅଭିଯୁକ୍ତ ଜଗନ୍ନାଥକୁ ଆଜୀବନ ଜେଲଦଣ୍ଡ
ମାମଲାର ବିଚାର ସମୟରେ କୋର୍ଟ ୨୯ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରିବା ସହ ୧୭୭ଟି ପ୍ରାସଙ୍ଗିକ ଦସ୍ତାବିଜ ଓ ଅନ୍ୟାନ୍ୟ ବସ୍ତୁଗତ ପ୍ରମାଣକୁ ବିଚାରକୁ ନେଇଥିଲେ । ରିପୋର୍ଟ: ସତ୍ୟଜିତ ରାଉତ

Published : June 30, 2026 at 11:16 PM IST
BHIMATANGI MURDER CASE VERDICT, ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀରେ ୨୦୨୧ ମସିହା ଜୁଲାଇ ୫ରେ ଜଣେ ମହିଳାଙ୍କ ତଣ୍ଟିକାଟି ହତ୍ୟା ମାମଲାରେ ଆଜି (ମଙ୍ଗଳବାର) ରାୟ ପ୍ରକାଶ ପାଇଛି । ଦୋଷୀ ଜଗନ୍ନାଥ ପ୍ରଧାନକୁ ଆଜୀବନ ଜେଲଦଣ୍ଡ ହୋଇଛି । ଭୁବନେଶ୍ୱର ଦ୍ୱିତୀୟ ଅତିରିକ୍ତ ଦୌରାଜଜ୍ ବନ୍ଦନା କର ଏହି ରାୟ ପ୍ରକାଶ କରିଛନ୍ତି । ୨୫ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ମାମଲାର ବିଚାର ସମୟରେ କୋର୍ଟ ୨୯ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରିବା ସହ ୧୭୭ଟି ପ୍ରାସଙ୍ଗିକ ଦସ୍ତାବିଜ ଓ ଅନ୍ୟାନ୍ୟ ବସ୍ତୁଗତ ପ୍ରମାଣକୁ ବିଚାରକୁ ନେଇଥିଲେ । ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍ ପ୍ରୋସିକ୍ୟୁଟର ଶ୍ରୀ ସାଇ ରଞ୍ଜନ ମହାନନ୍ଦିଆ ପରିଚାଳନା କରିଥିଲେ ।

ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ
୨୦୨୧ ଜୁଲାଇ ୫ରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ଜଗନ୍ନାଥର ଘର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ । ମୃତା ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ ରିଙ୍କି । ପ୍ରିୟଙ୍କାଙ୍କ ଘର କୁଆଖିଆ ଥାନା ଅନ୍ତର୍ଗତ ବନ୍ଧଡ଼ିହ ଗ୍ରାମରେ । ସ୍ୱାମୀ ରକେଶ ସାହୁ ଓ ୩ ବର୍ଷର ପୁଅ ସହ ଭୀମଟାଙ୍ଗିରେ ଭଡ଼ାଘର ନେଇ ରହୁଥିଲେ ପ୍ରିୟଙ୍କା । ତେବେ ପ୍ରିୟଙ୍କା ଓ ଜଗନ୍ନାଥ ମଧ୍ୟରେ ବହୁ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା । ପ୍ରିୟଙ୍କାଙ୍କ ବିବାହ ପରେ ସମ୍ପର୍କ କଟି ଯାଇଥିଲା । ହେଲେ ହତ୍ୟାକାଣ୍ଡର ବର୍ଷେ ପୂର୍ବରୁ ପୁଣି କଥା ଆରମ୍ଭ ହୋଇଥିଲା । ହେଲେ ପରେ ସମ୍ପର୍କରେ ଅବିଶ୍ୱାସ ଓ ମନୋମାଳିନ୍ୟ ସୃଷ୍ଟି ହେବାରୁ ଜଗନ୍ନାଥ ପୂର୍ବ ଯୋଜନା ଅନୁଯାୟୀ ପ୍ରିୟଙ୍କାଙ୍କୁ ହତ୍ୟା କରିଥିଲା ।

ବର୍ତ୍ତିଯାଇଥିଲା ୩ ବର୍ଷର କୁନିପୁଅ
ଜଗନ୍ନାଥ ଭଡ଼ାଘରକୁ ଆସି ସ୍ୱାମୀ ନଥିବା ବେଳେ ଛୁରୀରେ ପ୍ରିୟଙ୍କାଙ୍କ ତଣ୍ଟି କାଟି ହତ୍ୟା କରିବା ସହ ନିଜେ ବିଷ ପିଇ ଓ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ହତ୍ୟାକାଣ୍ଡ ପୂର୍ବରୁ ପ୍ରିୟଙ୍କାକୁ ସେ ସିନ୍ଦୂର ଲଗାଇବା ସହ ଶଙ୍ଖା ମଧ୍ୟ ପିନ୍ଧାଇଥିଲା । ପ୍ରିୟଙ୍କାଙ୍କ ପୁଅ ମାଲିକଙ୍କ ଘରକୁ ଚାଲିଯାଇଥିବାରୁ ସେ ବର୍ତ୍ତିଯାଇଥିଲା । ହତ୍ୟାକାଣ୍ଡ ପରେ ପ୍ରିୟଙ୍କାଙ୍କ ସ୍ୱାମୀକୁ ଜଗନ୍ନାଥ ଭିଡିଓ କଲ୍ ମଧ୍ୟ କରିଥିଲା । ଏପରିକି ପ୍ରିୟଙ୍କାଙ୍କ ମୃତଦେହ ଫଟୋ ପଠାଇଥିଲା । ଜଗନ୍ନାଥ ଏକ ହାତଲେଖା ସୁଇସାଇଡ୍ ନୋଟ୍ ମଧ୍ୟ ରଖିଥିଲା ।

ଘର ମାଲିକ ଦେଇଥିଲେ ଏତଲା
ଘର ମାଲିକଙ୍କ ପକ୍ଷରୁ ଏୟାରଫିଲ୍ଡ ଥାନାରେ ଏତଲା ଦିଆଯାଇଥିଲା । ଏତଲାକୁ ଆଧାର କରି ଏୟାରଫିଲ୍ଡ ଥାନା ଏକ ହତ୍ୟା ମାମଲା (ନଂ.୨୦୯/୨୦୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଏକ ସୁଇସାଇଡ୍ ନୋଟ୍କୁ ଅଭିଯୁକ୍ତ ଜଗନ୍ନାଥର ସ୍ୱୀକୃତ ହସ୍ତଲିଖନ ସହ ବୈଜ୍ଞାନିକ ଭାବେ ତୁଳନା କରାଯାଇଥିଲା । ଏହା ଅଭିଯୁକ୍ତ ଜଗନ୍ନାଥ ଦ୍ୱାରା ଲିଖିତ ବୋଲି ପ୍ରମାଣିତ ହୋଇଥିଲା । ଏଥିସହ ସିସିଟିଭି ଫୁଟେଜ୍, ସୋସିଆଲ୍ ମିଡିଆ ପୋଷ୍ଟ, ଫରେନସିକ୍ ରିପୋର୍ଟ, ଡିଏନଏ ରିପୋର୍ଟ ଏବଂ ଅନ୍ୟାନ୍ୟ ବୈଜ୍ଞାନିକ ପ୍ରମାଣ ଅଭିଯୁକ୍ତର ସଂପୃକ୍ତିକୁ ସ୍ପଷ୍ଟ ଭାବେ ପ୍ରମାଣିତ କରିଥିଲା ।
ଏହା ମଧ୍ୟ ପଢ଼ନ୍ତୁ- ପ୍ରିୟଙ୍କାକୁ ଫେରାର ହେବାକୁ ବାଧ୍ୟ କରିଥିଲା ଜଗନ୍ନାଥ;ପ୍ରେମିକା ପାଇଁ ଆଣିଥିଲା ସିନ୍ଦୁର
ଏହା ମଧ୍ୟ ପଢ଼ନ୍ତୁ- ଭିମଟାଙ୍ଗି ହତ୍ୟାକାଣ୍ଡ, ଜେଲ ଗଲା ଅଭିଯୁକ୍ତ
ଏହା ମଧ୍ୟ ପଢ଼ନ୍ତୁ- ଭୀମଟାଙ୍ଗୀ ହତ୍ୟାକାଣ୍ଡ: ଜଗନ୍ନାଥଙ୍କ ମା’ ଜଣାଇଲେ କଣ ଥିଲା କାରଣ ?
ଏହା ମଧ୍ୟ ପଢ଼ନ୍ତୁ- ପ୍ରତିଶୋଧର ନିଆଁରେ ଜଳୁଥିଲେ ଜଗନ୍ନାଥ, ପ୍ରେମିକାର ପୁଅକୁ ବି ମାରିବାର ଥିଲା ପ୍ଲାନ
ଇଟିଭି ଭାରତ, ଭୁବନେଶ୍ବର

