ରାଜଧାନୀରେ ଛାତିଥରା ଦୁର୍ଘଟଣା; ଓଭରବ୍ରିଜରୁ ଖସି ଘର ଉପରେ ପଡ଼ିଲା କାର୍
ଭୁବନେଶ୍ବର ଶିଶୁଭବନ ଛକ ମାଉସୀ ମାଆ ବ୍ରିଜ ତଳକୁ କାର୍ ଖସି ପଡ଼ିଥିଲା । ପୋଲିସ କାର୍ ଜବତ କରିବା ସହ ଡ୍ରାଇଭରକୁ ପଚରାଉଚରା କରିଛି ।

Published : February 9, 2026 at 1:27 PM IST
|Updated : February 9, 2026 at 1:49 PM IST
ACCIDENT AT BHUBANESWAR ଭୁବନେଶ୍ୱର: ରାଜଧାନୀରେ ସୋମବାର ସକାଳୁ ସକାଳୁ ଘଟିଯାଇଛି ଭୟଙ୍କର ଦୁର୍ଘଟଣା । କ୍ୟାପିଟାଲ ଥାନା ଅନ୍ତର୍ଗତ ଶିଶୁଭବନ ଛକ ନିକଟ ମାଉସୀ ମା' ଫ୍ଲାଇ ଓଭରବ୍ରିଜ ଉପରୁ ଏକ କାର୍ ତଳକୁ ଖସି ଘର ଉପରେ ପଡିଯାଇଛି । ଫଳରେ କେଦାରପଲ୍ଲୀ ବସ୍ତିର 2ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଏଥିସହତ ୨ଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ କାରଟି ସମ୍ପୂର୍ଣ୍ଣ ଘର ଉପରେ ପଡି ନ ଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି।
କ'ଣ କହିଲେ ପ୍ରତ୍ୟକ୍ଷଦର୍ଶୀ
ପ୍ରତ୍ୟକ୍ଷଦର୍ଶୀଙ୍କ କହିହା ଅନୁଯାୟୀ, ଚାଳକ ଜଣକ ଦ୍ରୁତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇଇଥିଲେ । ଫଳରେ ମାଉସୀମା ବ୍ରିଜ ତଳକୁ ଗାଡିଟି ଖସି ପଡିଥିଲା । ପୋଲିସ ଘଟଣାସ୍ଥଳରୁ କାରକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। କାର ଚାଳକ ନିଶକସକ୍ତ ଥିବା କୁହାଯାଉଛି ।
ତେବେ ଗା଼ଡିଟି ଖସିପଡିବା ପରେ ଏକ ବଡ କଙ୍କ୍ରିଟ ଖଣ଼଼୍ଡ ଶାବି ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ପଡିଥିଲା । ସେ ଜଣେ ପକ୍ଷାଘାତ ରୋଗୀ । ଘରେ ଶୋଇଥିବା ସମୟରେ ଏହି ସିମେଣ୍ଟ ଖଣ୍ଡ ପଡିବାରୁ ଏଥିରେ ସେ ଆହତ ହୋଇଛନ୍ତି । ସେହିପରି ଘଟଣାସ୍ଥଳରେ ଥିବା ତ୍ରିନାଥ ମନ୍ଦିର ନିକଟରେ ଶୋଇଥିବା ବାଙ୍ଗା ନାୟକଙ୍କ ମୁଣ୍ଡ ଫାଟି ଯାଇଛି।

ଦ୍ରୁତଗତିରେ ମାଡ଼ିଆସିଲା କାର, ବ୍ୟାରିକେଡ ଭାଙ୍ଗି ତଳେ ପଡ଼ିଲା
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଶିଶୁଭବନ ଛକ ପାର୍ଶ୍ଵରୁ କାରଟି ଦ୍ରୁତଗତିରେ ମାଉସୀମା ଫ୍ଲାଇଓଭର ଦେଇ ମାଡି ଆସିଥିଲା। କାରଟି ପ୍ରଥମେ ବ୍ରିଜର ବ୍ୟାରିକେଡ ଭାଙ୍ଗିବା ସହ ବରଗଛ ଡାଳରେ ପିଟି ହୋଇଥିଲା। ବ୍ରିଜର ବାମପାର୍ଶ୍ଵ ପାଚେରୀ ଭାଙ୍ଗିଯାଇଥିଲା। କାରଟି ତଳେ ଖସି ପଡି ଏକପାଖିଆ ପଡି ରହିଥିଲା। ଏପରିକି ବିଦ୍ୟୁତ୍ ତାର ଛିଣ୍ଡିବା ସହ କଙ୍କ୍ରିଟ ଖଣ୍ଡ ମଧ୍ୟ ଖସି ପଡିଥିଲା।

ଶୋଇଥିବାବେଳେ ହଠାତ୍ ପ୍ରଚଣ୍ଡ ଶବ୍ଦ ହେଲା
ଆହତ ବାଙ୍ଗା ନାୟକ କହିଛନ୍ତି, ‘ଭୋର ପ୍ରାୟ ୫ ଟା ୪୦ରୁ ୪୫ ମଧ୍ୟରେ ଏହି ଦୁର୍ଘଟଣା ଘଟିଲା। ମୁଁ ମନ୍ଦିର ନିକଟରେ ଶୋଇଥିବା ବେଳେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ପିଲର ଭାଙ୍ଗି ଉଡି ଆସିଥିଲା। ମୋ ମୁଣ୍ଡ ଫାଟିଯିବା ସହ ହାତରେ ଶକ୍ତ ଆଘାତ ଲାଗିଥିଲା। ଘରେ ସବୁ ଶୋଇଥିବାବେଳେ କିଛିଜଣ କାମକୁ ବାହାରିବା ପାଇଁ ପ୍ରସ୍ତୁତ ହେଉଥିଲେ। ସେହି ସମୟରେ ଏହି ଦୁର୍ଘଟଣା ଘଟିଲା।’

ବ୍ରିଜ ଭୁଶୁଡ଼ି ପଡ଼ିଲା ଭଳି ଲାଗିଲା
ପ୍ରତ୍ୟକ୍ଷଦର୍ଶୀ ରବି ନାୟକ କହିଛନ୍ତି, ଦୁର୍ଘଟଣା ବେଳେ ପ୍ରଚଣ୍ଡ ଶବ୍ଦ ହେବାରୁ ବ୍ରିଜ ଭୂଷୁଡି ପଡିବା ଭଳି ଅନୁଭବ ହେଲା। ଅନେକ ଲୋକ ମୃତ୍ୟୁବରଣ କରିଗଲେ ବୋଲି ମୁଁ ଭାବିଲି। ତୁରନ୍ତ ମୋ ପରିବାରର ଛୁଆପିଲା ସମେତ ସମସ୍ତଙ୍କୁ ଘରୁ ବାହାର କରିଦେଇଥିଲି।
ଜାମ ହେଲା ଫ୍ଲାଇ ଓଭର, ନାକେଦମ ହେଲା ପୋଲିସ
ଦୁର୍ଘଟଣା ଘଟିବା ପରେ ମାଉସୀମା ଫ୍ଲାଇଓଭର ଉପରେ ଅସମ୍ଭାଳ ଭିଡ଼ ହୋଇଥିଲା। କାରଟି ଖସିପଡିଥିବା ଦେଖି ବାଇକ ଚାଳକ ଓ ଅନ୍ୟ ଯାତ୍ରୀମାନେ ଅଟକି ଯାଉଥିଲେ। ସେମାନେ ବ୍ରିଜ ଉପରୁ ଦୃଶ୍ୟ ଦେଖିବା ସହ ନିଜ ମୋବାଇଲରେ ଏହାକୁ ଉତ୍ତୋଳନ କରୁଥିଲେ। ଫଳରେ ବ୍ରିଜର ଉଭୟ ପାର୍ଶ୍ଵ ଭିଡ଼ ହୋଇଥିଲା। ପୋଲିସ କର୍ମଚାରୀମାନେ ଭିଡ଼ ନିୟନ୍ତ୍ରଣ କରିବାକୁ ନକେଦମ ହୋଇଥିଲା। ଏପରିକି ଲୋକମାନେ କ୍ଷତିପୂରଣ ଦାବି କରି ଅସନ୍ତୋଷ ବ୍ୟକ୍ତ କରିଥିଲେ।
ତେବେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ପୋଲିସ ଟିମ୍ ପହଞ୍ଚି କ୍ରେନ ସାହାଯ୍ୟରେ କାରଟିକୁ କାଢ଼ିଥିଲା। ପରେ କାରଟିକୁ ଥାନାକୁ ନିଆଯାଇଛି। ଥାନାଧିକାରୀ ରାଧାକାନ୍ତ ସାହୁ କହିଛନ୍ତି, ଘଟଣା ପରେ ସ୍ଥାନୀୟ ଲୋକଙ୍କୁ ବୁଝସୁଝା କରାଯାଇଛି। ଅଭିଯୁକ୍ତ ଚାଳକଙ୍କୁ ଆମେ ଅଟକ ରଖି ପଚରାଉଚରା କରୁଛୁ। ଘଟଣା କେଉଁଭଳି ସ୍ଥିିତିରେ ହେଲା ତାହା ଜାଣିବାକୁ ଅଧିକ ଅନୁସନ୍ଧାନ ଚାଲିଥିବା ସେ କହିଛନ୍ତି।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ବାଇକକୁ ଧକ୍କା ଦେଲା 'ଆମ ବସ୍', ୩ଟି ବସ୍ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକ
ଏହା ମଧ୍ୟ ପଢନ୍ତୁ ପୁରୀ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ; ନବକଳେବର ରୋଡରେ ବୃଦ୍ଧାଙ୍କ ଉପରେ ଚଢ଼ିଗଲା ବସ୍

