ପରିତ୍ୟକ୍ତ ଖାଦାନ ନେଲାଣି ୧୦ରୁ ଉର୍ଦ୍ଧ୍ଵ ଜୀବନ, ସୋସିଆଲ ମିଡିଆରେ ନାଁ ଦିଆଯାଇଛି ବ୍ଲୁ ଲେକ୍
ଦୁଇ ଜଣଙ୍କ ଜୀବନ ଯିବାପରେ ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରେ ୧୬୩ ବିଏନଏସ ଧାରା ଲାଗୁ ହେବା ସହିତ ସଂପୂର୍ଣ୍ଣ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ରିପୋର୍ଟ:ଜୀବନଜ୍ୟୋତି ନାୟକ

Published : August 25, 2026 at 11:06 PM IST
Dangerous Blue Lake, ବାଲେଶ୍ବର: ଆଜିର ଯୁଗରେ ଚାଲିଛି ସୋସିଆଲ ମିଡିଆର ରାଜ୍ । ସୋସିଆଲ ମିଡିଆରେ ଯାହା ଚାଲିଲା, ଯାହା ବୁଲିଲା, ତାକୁ ହିଁ ଲୋକେ ସତ ମାନି ନେଉଛନ୍ତି । ଠିକ୍ ଯେମିତି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ମିତ୍ରପୁର ମଛୁଆ ପଞ୍ଚାୟତରେ ରହିଛି, ବ୍ଲୁ-ଲେକ୍ । ହେଲେ ଏହା କୌଣସି ଲେକ୍ କିମ୍ବା ହ୍ରଦ ନୁହେଁ । ଏହା କେବଳ ଏକ ପରିତ୍ୟକ୍ତ ଖାଦାନ ବ୍ୟତିତ ଆଉ କିଛି ନୁହେଁ । ଅବ୍ୟବହୃତ ଏହି ଖାଦାନରେ ପାଣି ଭର୍ତ୍ତି ହୋଇ ଆଜି ହ୍ରଦ ବା ଏକ ଲେକ୍ ର ଭ୍ରମ ସୃଷ୍ଟି କରୁଛି । ସେସିଆଲ ମିଡିଆରେ ଏହାର ନାଁ ଏତେ ମାତ୍ରାରେ ପ୍ରଚାର ପ୍ରସାର ହୋଇଛି ଯେ, ଆଜି ବିଭିନ୍ନ ସ୍ଥାନରୁ ଏଠାକୁ ପର୍ଯ୍ୟକଟଙ୍କ ଚାଲି ଆସୁଛନ୍ତି । ଆଉ ଅକାରଣରେ ଏଠାରେ ମୂଲ୍ୟବାନ ଜୀବନ ମଧ୍ୟ ଯାଉଛି । ଏହି ପରିତ୍ୟକ୍ତ ଖାଦାନ ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି । ଫଳରେ ଏବେ ପ୍ରଶାସନକୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଛି ।
ମଛୁଆ ଗାଁରେ ଏହି ପରିତ୍ୟକ୍ତ ଖାଦାନ (ବ୍ଲୁ ଲେକ)ରେ ଗତ ୨୨ ତାରିଖରେ ଦୁଇ ଜଣ ଛାତ୍ର ଗାଧାଉଥିବା ବେଳେ ନିଖୋଜ ହୋଇଯାଇଥିଲେ । ୨୪ ଘଣ୍ଟା ପରେ ବହୁ ଖୋଜାଖୋଜି ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣା ଆଜି ନୂଆ ନୁହଁ ବରଂ ଏହିଠାରେ ପ୍ରାୟ ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି । ଏବେ ଦୁଇ ଜଣଙ୍କ ଜୀବନ ଯିବାପରେ ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରେ ୧୬୩ ବିଏନଏସ ଧାରା ଲାଗୁ ହେବା ସହିତ ସଂପୂର୍ଣ୍ଣ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏଣିକି ଏଠାରେ କୌଣସି ପ୍ରକାର ରିଲ୍ସ, ପ୍ରି ୱେଡିଂ, ବ୍ଲଗର ଓ ସଧାରଣ ଲୋକଙ୍କ ମାନଙ୍କ ଆଉ ଭିଡ଼ ଜମି ପାରିବନି । ଏଥିପାଇଁ ପ୍ରଶାସନ ପକ୍ଷରୁ ନାଲି ପତାକା, ଫିତା ବାନ୍ଧିବା ସହିତ ହୋଡିଂ ଲଗାଇ ସଂପୂର୍ଣ୍ଣ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଆଗାମି ଦିନରେ ଯଦି ଅମାନିଆମାନେ ଏହାର ନିୟମ ଉଲଂଘନ କରନ୍ତି ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏବେ ଦୁଇ ଜଣ ପୋଲିସ କର୍ମଚାରୀ ଉକ୍ତ ସ୍ଥାନରେ ସକାଳରୁ ସନ୍ଧ୍ୟା ଯାଏ ପହରା ଦେଉଛନ୍ତି ।

ମଛୁଆ ଗାଁରେ ଥିବା ଏହି ବ୍ଲୁ ଲେକ କ'ଣ, ଯାହାପାଇଁ ଲୋକମାନେ ରାଜ୍ୟ ବାହାରୁ ମଧ୍ୟ ଆସୁଛନ୍ତି । ଏହି ସ୍ଥାନରେ ନୂଆ ବର୍ଷ ଆସିଲେ ବଣଭୋଜିର ବି ଆସର ଜମେ । ଦୈନିକ ଶତାଧିକ ଲୋକ ଏହି ସ୍ଥାନକୁ ଆସିଥାନ୍ତି । କାରଣ ଏହା ପଛରେ ରହିଛି ଏଠାକାର ସୁନ୍ଦର ପରିବେଶ । ଯାହାକୁ ଦେଖିବା ଓ ସେଠାରେ ଫଟୋ ଉଠାଇବା ପାଇଁ ଲୋକମାନେ ଦୂର ଦୁରାନ୍ତରୁ ଆସିଥାନ୍ତି । ପ୍ରକୃତରେ ଏହା ବ୍ଲୁ ଲେକ୍ ନା ଆଉ କିଛି, ସେ ବିଷୟରେ ଲୋକମାନେ ଜାଣି ନଥିବା ବେଳେ ଏହାର ପାଣି ବ୍ଲୁ ଥିବାରୁ କିଛି ବ୍ଲଗର ଏହାକୁ ବ୍ଲୁ ଲେକ୍ ର ଆଖ୍ୟା ଦେଇଛନ୍ତି । ସୋସିଆଲ ମିଡିଆରେ ଏହାର ସୌନ୍ଦର୍ଯ୍ୟ ଦେଖି ଲୋକମାନେ ଆକୃଷ୍ଟ ହୋଇ ଆସିଥାନ୍ତି । ମାତ୍ର ଏହା ଏକ ବିପଦପୂର୍ଣ ସ୍ଥାନ ବୋଲି ପ୍ରଶାସନ ପକ୍ଷରୁ ସୂଚନା ବୋର୍ଡ ଲଗା ଯାଇଥିଲେ ମଧ୍ୟ ଏଠାରେ ଯୁବକ ଯୁବତୀ ମାନେ ଫଟୋ ଉଠାଇବା, ରିଲ୍ସ କରିବା ପାଇଁ ଧାଇଁ ଆସନ୍ତି । ହେଲେ ଏହା ପଛରେ ଥିବା ପ୍ରକୃତ ସତ୍ୟକୁ କେହି ବି ନ ବୁଝି ବିପଦକୁ ଆମନ୍ତ୍ରଣ କରି ଏଠାରେ ଗାଧେଇବା ପାଇଁ ମନ ବଳାଇ ଶେଷରେ ଜୀବନ ହାରନ୍ତି ।
ଏଠାରେ ପରିବେଶ ଯେତିକି ମନୋରମ ଏହି ସ୍ଥାନ ପ୍ରକୃତରେ ଅଧିକ ବିପଦପୂର୍ଣ୍ଣ । କାହିଁକି ନା ଏହି ସ୍ଥାନରେ ପୂର୍ବରୁ ଏକ ପାହାଡ଼ ଥିଲା । ଯାହାକୁ ସରକାରୀ ସ୍ତରରେ ଏକ କମ୍ପାନୀକୁ ନିଲାମ ଦିଆଯାଇଥିଲା । କମ୍ପାନୀ ପଥର ଖୋଦେଇ ପରେ ଏହି ସ୍ଥାନକୁ ନ ପୋତି ଚାଲି ଯାଇଥିଲା । କିଛି ବର୍ଷ ଭିତରେ ଏଠାରେ ପାଣି ଜମିଥିଲା ଓ ଏହାକୁ ନେଇ କିଛି ସୋସିଆଲ ମିଡିଆ ବ୍ଲଗର ମାନେ ବ୍ଲୁ ଲେକ୍ ର ଆଖ୍ୟା ଦେଇଦେଲେ । ବାସ୍, ସେହି ଦିନଠୁ ଏହି ସ୍ଥାନକୁ ଲକ୍ଷାଧିକ ଲୋକଙ୍କ ଯିବା ଆସିବା ଲାଗିଲା । ହେଲେ ପାଣି କେତେ ଗଭୀର ତାହା କେହି ନବୁଝି ଲମ୍ଫ ପ୍ରଦାନ କରି ଶେଷରେ ଜୀବନ ହାରିଥିବା ଘଟଣା ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ ଉଠୁଛି ।

ଏହା କୌଣସି ହ୍ରଦ ନୁହେ ବରଂ ଏକ ପରିତ୍ୟକ୍ତ ଖାଦାନ ବୋଲି କହିବା ସହ ଏହି ସ୍ଥାନର ପ୍ରକୃତ କଥା ମଛୁଆ ଗାଁର ବାସିନ୍ଦା ହରିଶ୍ଚନ୍ଦ୍ର ମଣ୍ଡଳ କହିଛନ୍ତି ଯେ," ଏଟା ଗୋଟେ ବଡ଼ ପାହାଡ଼ ଥିଲା । ପାହାଡ଼ର ଏଠି ଆମେ ଲୋକାଲ୍ ଲୋକ, ମୁଁ ବି ଏଠି ମଛୁଆ ଗ୍ରାମର ଲୋକ । ତ ଆମେ ଏଠି ଗୋରୁ ଗାଈ ଚରାନ୍ତି ଏ ପାହାଡ଼ ଉପରେ । କିଛି ଖାଦାନ ସରକାରୀ ସ୍ତରରୁ ଏଟା ହେଇକି, ୨୦୦-୨୫୦ ଫୁଟ ଗାତ ହେଇଗଲା । ଗାତ ହେଇସାରିଲା ପରେ ସିଏ ତ ସବୁ ଛାଡ଼ିକି ପଳେଇଗଲେ । ଏହା ୨୦୧୨ରୁ ବନ୍ଦ ହେଇଯାଇଛି । ବନ୍ଦ ହେଇସାରିଲା ପରେ ଯେଉଁ ଖାଲ ହେଇଥିଲା, ସିଏ ତାର ଖାଲକୁ ଫିଲିଂ ନ ହୋଇକି, ତାର ଏମିତିକା ପାଣି ଜମିକି ପୂରା ଏଟା ଗୋଟେ 'ବ୍ଲୁ ଲେକ୍'ର ଆଖ୍ୟା ଦେଇ ଦେଇଛନ୍ତି । କିନ୍ତୁ ଏଟା ବ୍ଲୁ ଲେକ୍ ନୁହେଁ ।"
ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ନୀଳଗିରି ପୋଲିସ ପ୍ରଶାସନ ମଧ୍ୟ ଉକ୍ତ ସ୍ଥାନରେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିଛି । ସେଠାରେ ସକାଳ ୮ରୁ ସନ୍ଧ୍ୟା ୬ ଯାଏ ରହି ଲୋକମାନଙ୍କୁ ଆସିବା ପାଇଁ ବାରଣ କରଯାଉଛି । ନିଜର ଡିୟୁଟି ସମ୍ପର୍କରେ ସୂଚନା ଦେଇ ପୋଲିସ କର୍ମଚାରୀ ଦୁର୍ଗାମଣି ମହାକୁଡ଼ କହିଛନ୍ତି ଯେ,"ଡ୍ୟୁଟି ପ୍ରଶାସନ ତରଫରୁ ଏଇ ଯୋଉ ଦି'ଟା ପିଲା ମରିଗଲେ ନା, ସେଥିପାଇଁ ଆମ ଦୁଇ ଜଣଙ୍କୁ ଆଇଆଇସି (IIC) ଏଠାକୁ ପଠେଇଛନ୍ତି । ଯାଅ ୮ଟାରୁ ୬ଟା ପର୍ଯ୍ୟନ୍ତ ଡ୍ୟୁଟି କରିବ, ଆଉ କାହାକୁ ଏଠି ଛାଡ଼ିବନି ।"
ଉକ୍ତ ସ୍ଥାନରେ ୧୬୩ ଧାରା ଲଗାଇ ନାଲି ଫିତା ଲଗାଇବା ଓ ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ କହିଛନ୍ତି,"ଯେହେତୁ ସେଇ ଜୋନ୍ଟା ପୂରା ଡେଞ୍ଜର ଜୋନ୍ ହୋଇ ରହିଛି । ଆଉ ସେଟା ଗୋଟେ ପରିତ୍ୟକ୍ତ ଖାଦାନଟିଏ, ଗୋଟେ ଲେକ୍ ନୁହେଁ । ତାକୁ ଲେକ୍ କହିବା ମଧ୍ୟ ଭୁଲ ହେବ । ତେଣୁକରି ସେଠି ଆମେ ପ୍ରୋହିବିଟରି ଅର୍ଡର୍ସ ଲଗେଇଛୁ । ୧୬୩ ଧାରା, ଯେଉଁଟା ଆଗରୁ ୧୪୪ ବୋଲି କୁହାହଉଥିଲା, ସେଇ ଧାରା ଲାଗୁ ହେଇଛି । ତେଣୁକରି ସେଠି ବାରଣ କରାଯାଇଛି କେହି ଯାଇକି ସେଠି ଗାଧୋଇବା, ସୁଇମିଂ କରିବା, ପିକନିକ କରିବା, ଫଟୋଗ୍ରାଫି କରିବା, ଶୁଟିଂ କରିବା, ଡ୍ରୋନ୍ କରିବା, କିଛି ଏକ୍ଟିଭିଟି ବି ପ୍ରୋହିବିଟେଡ୍ ଅଛି । ତେଣୁକରି ତା ସାଙ୍ଗକୁ ଆମେ ସେଠି ବାରିକେଡିଂ ବି କରିବୁ । ତାର ବାଡ଼ ପାଇଁ ଆମେ ପ୍ଲାନିଂ କରୁଛୁ ଏବଂ ଫିକ୍ସିଂ ଲାଗି ପଥର ପୋତା ହେଇଛି ।"
ଏହା ମଧ୍ୟ ପଢ଼ନ୍ତୁ- ନୀଳଗିରି ବ୍ଲୁ ଲେକରେ ଦୁଇ ଛାତ୍ର ନିଖୋଜ: ବହୁ ଖୋଜାଖୋଜି ପରେ ବି ଛାତ୍ରଙ୍କର କୌଣସି ପତ୍ତାନାହିଁ
ଏହା ମଧ୍ୟ ପଢ଼ନ୍ତୁ- ବାଲେଶ୍ବରର ବିଭିନ୍ନ ଦୋକାନ ଓ ହୋଟେଲ ଉପରେ ଚଢ଼ାଉ: ନିମ୍ନମାନର ଖାଦ୍ୟ ଯୋଗୁଁ ଫାଇନ୍ ଆଦାୟ
ଇଟିଭି ଭାରତ, ବାଲେଶ୍ବର

