ETV Bharat / state

ବନ୍ୟା ଜଳର ପ୍ରଖର ସ୍ରୋତରେ ଭାସି ଗଲେ ଖବର କାଗଜ ବିକ୍ରେତା

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆମ୍ବଡିହା ଗ୍ରାମର ଶଶିଧର ଗିରି ବନ୍ୟା ଜଳରେ ଭାସି ଯାଇ ନିଖୋଜ ଅଛନ୍ତି । ରିପୋର୍ଟ- ସଞ୍ଜୟ ପରିଡା

NEWSPAPER VENDOR MISSING
ବନ୍ୟା ପାଣିରେ ଭାସି ଗଲେ ଖବର କାଗଜ ବିକ୍ରେତା (ETV Bharata Odisha)
author img

By ETV Bharat Odisha Team

Published : August 31, 2026 at 6:35 PM IST

1 Min Read
Choose ETV Bharat

ରାଇରଙ୍ଗପୁର: ବନ୍ୟା ପାଣିରେ ଭାସି ଗଲେ ଖବର କାଗଜ ବିକ୍ରେତା । ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ଠାରୁ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଏହାରି ଭିତରେ ଏକ ଦୁଃଖଦ ଘଟଣା ସମ୍ନାକୁ ଆସିଛି । ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଆମଦାବେଡା ଗାଁ ନିକଟସ୍ଥ ଏକ ନଦୀ ପାର୍ ହେଉଥିବା ବେଳେ ହଠାତ୍ ବନ୍ୟା ଜଳ ପ୍ରବାହିତ ହୋଇଥିବାରୁ ଶଶିଧର ଗିରି ନାମକ ଜଣେ ଖବର କାଗଜ ବିକ୍ରେତା ଭାସି ଯାଇ ନିଖୋଜ ଅଛନ୍ତି । ସେପଟେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

NEWSPAPER VENDOR MISSING
ବନ୍ୟା ପାଣିରେ ଭାସି ଗଲେ ଖବର କାଗଜ ବିକ୍ରେତା (ETV Bharata Odisha)

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ଅଧିନ ଆମ୍ବଡିହା ଗ୍ରାମର ୬୫ ବର୍ଷୀୟ ଶଶିଧର ଗିରି । ସେ ପ୍ରତିଦିନ ଭଳି ଆଜି ସକାଳ ସମୟରେ ଖବର କାଗଜ ବିକ୍ରି କରିବାକୁ ଯାଇଥିବା ବେଳେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଆମଦାବେଡା-ନୂଆଗାଁ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ହଠାତ୍ ନଦୀରେ ପାଣି ଆସି ଯାଇଥିବାରୁ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ସେ । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପରିବାର ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ହେଲେ ଦୀର୍ଘ ସମୟ ଖୋଜାଖୋଜି ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିନାହିଁ ।

ଗୋରୁମହିଷାଣୀ ଥାନା ଅଧିକାରୀ ଜଗନ୍ନାଥ ମୁଣ୍ଡା କହିଛନ୍ତି," ଆଜି ସକାଳୁ ଗୋଟିଏ ଦୁଃଖଦାୟକ ଖବର ଜାଣିବାକୁ ପାଇଥିଲୁ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆମ୍ବଡିହା ଗ୍ରାମର ଶଶିଧର ଗିରି ଜଣେ ଖବର କାଗଜ ବିକ୍ରେତା । ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସେ ଏକ ସାଇକେଲ ଯୋଗେ ଖବର କାଗଜ ବାଣ୍ଟିବା ପାଇଁ ଯାଇଥିଲେ । ପାଟପୁର ଗ୍ରାମରୁ ପ୍ରାୟ ଦୁଇରୁ ତିନି କିଲୋମିଟର ଦୂରରେ ଥିବା ଆମଦାବେଡା ଗ୍ରାମ ନିକଟସ୍ଥ ଆମଦାବେଡା-ନୁଆଗାଁ ନଦୀ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା । ସେଇଠାରେ ହିଁ ସେ ସାଇକେଲ ସହିତ ଭାସି ଯାଇଥିଲେ । ଏହାପର ଅଗ୍ନିଶମ ବାହିନୀ ଏବଂ ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ଜାରି ରଖିଛନ୍ତି । ଏନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ଖୋଜାଖୋଜି କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସନ୍ଧ୍ୟା ହେବାକୁ ବସିଲାଣି । ଏପର୍ଯ୍ୟନ୍ତ ଶଶିଧରଙ୍କ କୌଣସି ପତ୍ତା ମିିଳିନାହିଁ ।"

ଏହା ମଧ୍ୟ ପଢନ୍ତୁ...କର୍ଣ୍ଣାଟକରେ ଚାଞ୍ଚଲ୍ୟ, ହ୍ରଦରେ ଭାସି ଆସିଲା ମାଆ ସହ 5 ପିଲାଙ୍କ ମୃତଦେହ

ଏହା ମଧ୍ୟ ପଢନ୍ତୁ... ବୈତରଣୀ ନଦୀ ସ୍ରୋତରେ ଭାସିଗଲା କାର୍, ଦୁଇ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଇଟିଭି ଭାରତ, ମୟୂରଭଞ୍ଜ