ଖରସ୍ରୋତାରେ ପୁଣି ଘାଇ, ସିଂହପୁର ଫଳପୁର ମୁଖ୍ୟ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ
ଘାଇ ମରାମତି ପାଇଁ ସ୍ଥାନୀୟ ଲୋକ ପ୍ରଶାସନକୁ ନିବେଦନ କରିଛନ୍ତି । ରିପୋର୍ଟ ଜ୍ଞାନ ରଞ୍ଜନ ଓଝା


Published : September 3, 2026 at 2:25 PM IST
ଯାଜପୁର: ଖରସ୍ରୋତା ନଦୀରେ ପୁଣି ଜଳସ୍ତର ବୃଦ୍ଧି ହେଉଛି । ଏହି ଜଳସ୍ତର ବୃଦ୍ଧି ଯୋଗୁଁ ଖରସ୍ରୋତା ନଦୀର ଶାଖା ନଦୀ ଜରୀ ନୂଆମାହାରାରେ ପାଣିର ସ୍ରୋତ ବୃଦ୍ଧି ହେବା ଯୋଗୁଁ 15 ଫୁଟର ଘାଇ ସୃଷ୍ଟି ହେଇଛି । ସେପଟେ ଏହି ଘାଇ ସୃଷ୍ଟି ହେବା ଯୋଗୁଁ ସିଂହପୁର-ଫଳପୁର ମୁଖ୍ୟ ରାସ୍ତା ଉପରେ ପାଣି ଚାଲିଛି । ତେବେ ଏହି ଘାଇକୁ ମରାମତି କରିବାକୁ ସାଧାରଣରେ ଦାବି ହେଉଛି । ସେହିପରି ଗତ ଦୁଇଦିନ ହେବ ବର୍ଷା କମିବା ଯୋଗୁ ବୈତରଣୀ ନଦୀର ଆଖୁଆପଦା ଆନିକଟ ନିକଟରେ ଜଳସ୍ତର କମିବାକୁ ଲାଗିଛି ।
ଜରୀ ନୂଆମାହାରାରେ 15 ଫୁଟ ଘାଇ
ଏହି ନଦୀର ସତର୍କ ସୂଚନା 17.83 ମିଟର ଜଳସ୍ତର ଥିବା ବେଳେ ଏବେ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ 17.47 ମିଟର ତଳେ ନଦୀର ପାଣି ଚାଲିଛି । ସେପଟେ ଏବେବି ଦଶରଥପୁର ଓ ବିଂଝାରପୁର ବ୍ଲକ ପାଖାପାଖି 15 ରୁ ଉର୍ଦ୍ଧ ପାଣି ଘେରରେ ଅଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବନ୍ୟା ବିପନ୍ନଙ୍କୁ ସହଯୋଗ ପାଇଁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗେଇ ଦେବା ସହିତ ପଲିଥିନ ମଧ୍ୟ ଯୋଗେଇ ଦିଆଯାଉଛି । ଯଦି ଆଗକୁ ଆହୁରି କିଛି ଆବଶ୍ୟକ ପଡେ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି । ଏହା ଛଡା ରାସ୍ତା ମରାମତି ଓ ଚାଷୀ ମାନଙ୍କର କ୍ଷତିର ଆକଳନ କରି ଖୁବଶୀଘ୍ର କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ଏହି ବନ୍ୟାରେ ଯାଜପୁର ଜିଲ୍ଲାର ଦଶରଥପୁର, ବରୀ, ବିଂଝାରପୁର, କୋରେଇ, ରସୁଲପୁର ବ୍ଲକ ଅଂଚଳର ଅନେକ ପଂଚାୟତରେ ବନ୍ୟା ପାଣି ପଶି ଚାଷ ଠାରୁ ଆରମ୍ଭ କଚା ଘର ଭାଙ୍ଗି କ୍ଷତି ହେଇଛି । ଏହାକୁ ଦୃଷ୍ଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଟାଉନ ସ୍ଥିତ ଜିଲ୍ଲାପାଳଙ୍କ ସଭା ଗୃହରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେଇଛି । ଜିଲ୍ଲାପାଳଙ୍କ ଉପସ୍ଥିତିରେ କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ରିଲିଫ୍ ବଣ୍ଟନ, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରିଲିଫ୍ ସାମଗ୍ରୀ ଓ ଗୋଖାଦ୍ୟ ବଣ୍ଟନ, ପାନୀୟ ଜଳ ଉତ୍ସର ବିଶୋଧନ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ ସେବାର ପୁନଃସ୍ଥାପନ, କ୍ଷତିଗ୍ରସ୍ତ ରାସ୍ତା ଓ ନଦୀବନ୍ଧର ମରାମତି ତଥା କ୍ଷୟକ୍ଷତି ଆକଳନର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ବିଧାୟକ ଶୀଘ୍ର କ୍ଷୟକ୍ଷତି ଆକଳନ ସମ୍ପୂର୍ଣ୍ଣ କରିବା, ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବନ୍ୟା ପରବର୍ତ୍ତୀ ସମୟରେ ଜଳବାହିତ ରୋଗର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଓ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ।
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହା ମଧ୍ୟ ପଢନ୍ତୁ ଦୁଧେଇ ନାଳରେ ଖସି ପଡି ସ୍ତ୍ରୀ ମୃତ, ସ୍ୱାମୀ ଓ 3 ବର୍ଷ ପୁଅ ଉଦ୍ଧାର
ଏହା ମଧ୍ୟ ପଢନ୍ତୁନ କମୁନି ବନ୍ୟା ପାଣି, ଥମୁନି ଦୁର୍ଦ୍ଦଶା: ଯାଜପୁରରେ ଅନେକ ଗାଁ ଜଳବନ୍ଦୀ
ଇଟିଭି ଭାରତ, ଯାଜପୁର

