ସଡକ ଦୁର୍ଘଟଣାରେ ବାପାଙ୍କ ବିୟୋଗ ପରେ ପୁଅ ପ୍ରସ୍ତୁତ କଲେ ସ୍ମାର୍ଟ ହେଲମେଟ୍; ନ ପିନ୍ଧିଲେ ଗଡିବନି ଗାଡି
ହେଲମେଟ ପିନ୍ଧିଥିଲେ ଦୁର୍ଘଟଣା ହେଲେବି ଜୀବନ ସୁରକ୍ଷିତ ରହିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନେକ ବେପରୁଆ ଚାଳକଙ୍କର ଏଥିପ୍ରତି ନିଘା ନାହିଁ । ଏମାନଙ୍କ ସୁରକ୍ଷା ଚିନ୍ତା କରିଛନ୍ତି ସ୍କୁଲଛାତ୍ର କୁମାରଅମିତ ।

Published : December 15, 2025 at 3:36 PM IST
|Updated : December 15, 2025 at 4:27 PM IST
ସ୍ପେଶାଲ ରିପୋର୍ଟ-ସମୀର ଆଚାର୍ଯ୍ୟ
ବ୍ରହ୍ମପୁର : ଦୁଇବର୍ଷ ତଳର ଏକ ଘଟଣା ମନେ ପଡିଲେ ଏବେ ବି ତାଙ୍କର ମନ ଉଦାସ ହୋଇଯାଏ । 2023ରେ ବାପା ଯାଉଥିଲେ ଡାକ୍ତରଖାନା ରେଗୁଲାର ଚେକଅପ ପାଇଁ । ହଠାତ ଏକ ସଡକ ଦୁର୍ଘଟଣାର ଘଟିଲା ଆଉ ଏଥିରେ ସବୁଦିନ ପାଇଁ ତାଙ୍କ ବାପା ତାଙ୍କୁ ଛାଡି ଚାଲିଗଲେ । ଛୋଟ ହେଲେ ବି ତାଙ୍କ ମନକୁ ଆସିଥିଲା, ହୁଏତ ହେଲମେଟଟିଏ ପିନ୍ଧିଥିଲେ ବାପା ତାଙ୍କର ବଞ୍ଚିଯାଇଥାନ୍ତେ । କିନ୍ତୁ ବାପା ତାଙ୍କର ହେଲମେଟ ପିନ୍ଧି ନ ଥିଲେ । ଗାଡି ଚାଳକଙ୍କ ପାଇଁ ହେଲମେଟର ଆବଶ୍ୟକତା କେତେ ସେଦିନ ସେ ବୁଝି ପାରିଥିଲେ ।
ପ୍ରକୃତରେ ମୁଣ୍ଡ ଚାଳକର, ହେଲେ ଚିନ୍ତା କରୁଛି ପୋଲିସ । କିଏ ହେଲମେଟ ପିନ୍ଧିଲାନି ଜଗିବ ପୋଲିସ । କାରଣ ହେଲମେଟ ନ ଥିବାରୁ ଦୁର୍ଘଟଣାରେ ଅନେକ ଜୀବନ ଯାଉଛି । ହେଲମେଟ ପିନ୍ଧିଥିଲେ ଦୁର୍ଘଟଣା ହେଲେ ବି ଜୀବନ ସୁରକ୍ଷିତ ରହିବାର ଯଥେଷ୍ଟ ସମ୍ଭାବନା ରହିଛି । ହେଲେ ଅନେକ ବେପରୁଆ ଚାଳକଙ୍କର ଏଥିପ୍ରତି ନିଘା ନାହିଁ । ସେଥିପାଇଁ ଏମାନଙ୍କ ସୁରକ୍ଷା ଚିନ୍ତା କରିଛନ୍ତି ସ୍କୁଲ ଛାତ୍ର କୁମାର ଅମିତ । ଅମିତଙ୍କର ଏହି ପ୍ରୟାସକୁ ସମସ୍ତେ କରିଛନ୍ତି ପ୍ରଶଂସା।
ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକର ଛାତ୍ର କୁମାର ଅମିତ । ବାଇକ ଚାଳକଙ୍କ ସୁରକ୍ଷା ପାଇଁ ତିଆରି କରିଛନ୍ତି ସ୍ମାର୍ଟ ହେଲମେଟ । ଏହା ଏମିତି ପ୍ରସ୍ତୁତ କରାଯାଇଛି ଯାହାକୁ ନ ପିନ୍ଧିଲେ ଗାଡି ଗଡିବନି । ଅମିତ କାହିଁକି ଏପରି ଏକ ପ୍ରକଳ୍ପ କରିବାରୁ ମନସ୍ଥ କଲେ ଏବଂ କିପରି କଲେ ଆସନ୍ତୁ ଜାଣିବା ଇଟିଭି ଭାରତର ଏହି ରିପୋର୍ଟରେ ..

ସ୍ମାର୍ଟ ହେଲମେଟ.. ନ ପିନ୍ଧିଲେ ଗାଡି ଚାଲିବନି
ସଡକ ଦୁର୍ଘଟଣା ନିୟମିତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅକାଳରେ ଝଡିଯାଉଛି ଅନେକ ନୀରିହ ଜୀବନ । କୁହାଯାଏ, ଦେଶର ମୋଟ ମୃତ୍ୟୁହାରର ପ୍ରାୟ ୧୧ ପ୍ରତିଶତ କେବଳ ସଡକ ଦୁର୍ଘଟଣାଜନିତ । ସେଥିରୁ ୪୬ ପ୍ରତିଶତ ମୃତ୍ୟୁ କେବଳ ଦୁଇଚକିଆ ଯାନ କାରଣରୁ ହେଉଥିବା କୁହାଯାଏ । ମୁଖ୍ୟତଃ ଦୁଇ ଚକିଆ ଯାନ ଚଲାଇବା ସମୟରେ ଅନେକ ଚାଳକ ହେଲିମେଟ୍ ପରିଧାନ ନକରୁଥିବା ଯୋଗୁଁ ଦୁର୍ଘଟଣା ଘଟିବା ମାତ୍ରେ ଗୁରୁତର ହୋଇପଡିଥାନ୍ତି କିମ୍ୱା ଜୀବନ ଯାଇଥାଏ । ଏପରିକି ବହୁ ଲୋକ କେବଳ ଟ୍ରାଫିକ୍ ଯାଞ୍ଚ କିମ୍ୱା ପ୍ରଶାସନର ଚେକିଙ୍ଗରୁ ବର୍ତ୍ତିବା ପାଇଁ ହେଲିମେଟ୍ ପିନ୍ଧିଥାନ୍ତି ।

ଶେରଗଡ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର କୁମାର ଅମିତ । ସେ କହନ୍ତି, ‘ ଏଥିରେ ଏ.ଆଇ ର ବ୍ୟବହାର କରି ହେଲମେଟ ପ୍ରସ୍ତୁତ କରିଛି । ଏହା ଏମିତି ପ୍ରସ୍ତୁତ କରାଯାଇଛି ଯେ, ହେଲମେଟ ନ ପିନ୍ଧିଲେ ଜଣେ ଗାଡି ଚାଲିବ ନାହିଁ ।’ ସେ ଆହୁରି କହିଛନ୍ତି, ‘ଏହି ପ୍ରକଳ୍ପ ଟ୍ରାଞ୍ଜେଷ୍ଟର, ରିସିଭର ଏବଂ ବ୍ୟାଟେରି ସାହାର୍ଯ୍ୟରେ ପ୍ରସ୍ତୁତ କରାଯାଇଛି । ଏହି ହେଲମେଟର ଟାଞ୍ଜେଷ୍ଟର ଯଦି ମସ୍ତିକକୁ ସ୍ପର୍ଶ କରିବ ନାହିଁ ତେବେ ଗାଡିର ଷ୍ଟିଟମ୍ ଅନ୍ ହେବ ନାହିଁ କି ଗାଡିର ଚକ ଗଡିବ ନାହିଁ । ସାଧାରଣ ମୋଟର ସାଇକେଲ ସହିତ ରହିଥିବା ହ୍ୟାଲେମେଟରେ ଏହାକୁ ସଂଯୋଗ କରି ମଧ୍ୟ ଏହି ସ୍ମାର୍ଟ ହେଲମେଟ ପ୍ରସ୍ତୁୁତ କରାଯାଇ ପାରିବ, ଯେଉଁଥିରେ ଆର୍.ଡି.ଏନ୍.ଓ ଓ ୟୁ.ଏନ୍.ଓ ମଧ୍ୟ ବ୍ୟବହାର କରାଯାଇପାରିବ’ ବୋଲି ସେ କହିଛନ୍ତି । ଏହି ହେଲମେଟକୁ ଅମିତ ତାଙ୍କ ସ୍କୁଲର ବିଜ୍ଞାନ ପ୍ରଦର୍ଶନୀରେ ପ୍ରଦର୍ଶିତ କରିଥିଲେ ଏବଂ ଶିକ୍ଷକ, ଛାତ୍ର ତଥା ଅଭିଭାବକ ତାଙ୍କର ଏହି ପ୍ରୋଜେକ୍ଟକୁ ଭୁରି ଭୁରି ପ୍ରଶଂସା କରିଥିଲେ ।

ବାପାଙ୍କ ମୃତ୍ୟୁ ପରେ ଏଭଳି ପ୍ରକଳ୍ପ ପ୍ରସ୍ତୁତ କରିବାକୁ ସ୍ଥିର କରିଥିଲା-ମା
ସେପଟେ ବିଦ୍ୟାର୍ଥୀଙ୍କ ମାଁ ସିଗ୍ମା ପଟ୍ଟନାୟକଙ୍କ କହିଛନ୍ତି, ପୁଅ ନିଜର ଜ୍ଞାନକୌଶଳରେ ଏଭଳି ପ୍ରକଳ୍ପ ପ୍ରସ୍ତୁତ କରିଥିବା ନେଇ ସେ ବହୁତ ଖୁସି । ବାପାଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ ସେ ଏଭଳି ଏକ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ମନ ବଳାଇଥିଲା । ବର୍ତ୍ତମାନ ତାର ସୀମିତ ଜ୍ଞାନରେ ଏହାକୁ ପ୍ରସ୍ତୁତ କରିଛି । ସରକାର ଚାହିଁଲେ ଏହି ପ୍ରକଳ୍ପର ଉନ୍ନତି କରାଇ ପାରିବେ ।’

କେବଳ ପୋଲିସ ଓ ପ୍ରଶାସନର ଯାଞ୍ଚ ପାଇଁ ଅନେକ ଚାଳକ ହେଲିମେଟ୍ ପିନ୍ଧିଥାନ୍ତି । ହେଲେ ଏହି ପ୍ରକଳ୍ପ ଜରିଆରେ ହେଲିମେଟ୍ ଗାଡିରେ ଝୁଲାଇଲେ ଗାଡି ଚାଲିବ ନାହିଁ ।କେବଳ ହେଲିମେଟ୍ ପରିଧାନ କରିଥିଲେ ହିଁ ଗାଡି ଚାଲିବ ବୋଲି କହିଛନ୍ତି ।
ଏହା ଏକ ନୂତନ ପରିକଳ୍ପନା- ଶିକ୍ଷକ
ସେପଟେ ବ୍ରହ୍ମପୁରର ଶିକ୍ଷକ ମହେନ୍ଦ୍ର କୁମାର ସାହୁଙ୍କ କହିବା କଥା, ବିଦ୍ୟାର୍ଥୀମାନେ ପ୍ରସ୍ତୁତ କରିଥିବା ଏଭଳି ପ୍ରକଳ୍ପକୁ ଦେଖି ବହୁତ ଖୁସି ଲାଗିଲା । ଯଦି ଏହିପରି ବ୍ୟବସ୍ଥା ଲାଗୁ ହୁଅନ୍ତା ଏବଂ ହେଲିମେଟ୍ ପରିଧାନ ନକଲେ ନ ଗଡନ୍ତା ତେବେ ଦୁର୍ଘଟଣା ଘଟିଲେ ବି ଚାଳକ ମୃତ୍ୟୁ ମୁଖରୁ ବଞ୍ଚିପାରନ୍ତେ । ଏହା ଏକ ନୂତନ ପରିକଳ୍ପନା ହୋଇଥିବାରୁ ଏହାକୁ ସାଧୁବାଦ ଜଣାଇଛନ୍ତି ।
ଦୁର୍ଘଟଣା ଘଚିଲେ ସଂପର୍କୀୟଙ୍କ ନିକଟକୁ ଯିବ ମେସେଜ
ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଅଂଶୁମାନ ପଣ୍ଡା କହିଛନ୍ତି, ମୁଁ ମଧ୍ୟ ଏକ ସ୍ମାର୍ଟ ହେଲିମେଟ୍ ଉପରେ ଅଧିକ ଗୁରୁତ୍ୱ ଦେଇ ପ୍ରକଳ୍ପ ପ୍ରସ୍ତୁତ କରିଛି । ଆମ ଦେଶରେ ୧୧ ପ୍ରତିଶତ ମୃତ୍ୟୁକେବଳ ସଡକ ଦୁର୍ଘଟଣା କାରଣରୁ ଘଟୁଥିବା କୁହାଯାଉଛି । ଏଥିରେ ୪୬ ପ୍ରତିଶତ ମୃତ୍ୟୁ କେବଳ ଦୁଇଚକିଆ ଯାନ କାରଣରୁ ହେଉଥିବା ଜଣାପଡେ । ମୁଖ୍ୟତଃ ଦୁଇ ଚକିଆ ଗାଡି ଚଲାଇବା ସମୟରେ ଗାଡିଚାଳକ ମାନେ ସର୍ଟ ରାଇଡ୍ ପାଇଁ ହେଲିମେଟ୍ ପରିଧାନ କରିନଥାନ୍ତି । ଯେଉଁଥିପାଇଁ ଅନେକ ଜୀବନ ଯାଇଥାଏ ।
ଯଦିବି ଚାଳକ ସ୍ମର୍ଟ ହେଲିମେଟ୍ ପରିଧାନ କରି କୌଣସି ଦୁର୍ଘଟଣାର ଶିକାର ହୁଅନ୍ତି, ତାହାହେଲେ ଏଥିରେ ଏ.ଆଇ ମାଧ୍ୟମରେ ସଂଯୋଗ ହୋଇଥିବା ଚାରୋଟି ଆପ୍ଲିକେନ୍ସ ମାଧ୍ୟମରେ ଦୁର୍ଘଟଣା ସଂପର୍କରେ ପୂର୍ବରୁ ସଂଯୋଗ ହୋଇ ରହିଥିବା ନିକଟ ସଂପର୍କୀୟଙ୍କ ନିକଟକୁ ମୋବାଇଲ ନମ୍ୱର ମାଧ୍ୟମରେ ମେସେଜ୍ ପ୍ରଦାନ କରାଯାଇ ପାରିବ । ଏଥି ସହିତଆମ୍ୱୁଲାନ୍ସ ନିକଟକୁ ସୂଚନା ଯାଇ ପାରିବ । ଏଥିସହିତ ଜି.ପି.ଏସ୍ ମାଧ୍ୟମରେ କେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି ତାହାର ତଥ୍ୟ ମଧ୍ୟ ପଠାଇପାରିବ ବୋଲି କହିଛନ୍ତି ବିଦ୍ୟାର୍ଥୀ ଅଂଶୁମାନ ପଣ୍ଡା।
ଇଟିଭି ଭାରତ, ବ୍ରହ୍ମପୁର
ଏହା ମଧ୍ୟ ପ଼ଢନ୍ତୁ ନିଆରା ପଟ୍ଟଚିତ୍ର କଳା ପାଇଁ ଯୁବଶିଳ୍ପୀଙ୍କୁ ମିଳିଲା ଜିଆଇ ସାର୍ଟିଫିକେଟ, ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକନ୍ତି ପଟ୍ଟଚିତ୍ର
ଏହା ମଧ୍ୟ ପ଼ଢନ୍ତୁ ଶିଳ୍ପ ଗୁରୁ ଏବଂ ଜାତୀୟ ହସ୍ତଶିଳ୍ପ ପୁରସ୍କାରରେ ସମ୍ମାନିତ ଓଡି଼ଆ ଦମ୍ପତି, ପାରମ୍ପରିକ କଳାକୁ ଆଗକୁ ନେବା ଲକ୍ଷ୍ଯ

