ଆଦିବାସୀ ବୃଦ୍ଧଙ୍କୁ ବନ କର୍ମଚାରୀଙ୍କ ମାଡ଼ ଅଭିଯୋଗ, ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ନାଁରେ ମାମଲା
ଗତ ସୋମବାର ପିୟୁଷ ଡୁଙ୍ଗଡୁଙ୍ଗଙ୍କୁ କୁଚିଣ୍ଡା ବନବିଭାଗ କର୍ମଚାରୀ ଅଫିସକୁ ଡାକି ନେଇ ତାଙ୍କ କପଡା ଖୋଲି ନିସ୍ତୁକ ମାଡମାରିଥିବା ନେଇ କୁସୁମୀ ଫାଣ୍ଡିରେ ଅଭିଯୋଗ ହୋଇଛି । ରିପୋର୍ଟ ବାଦଶାହ ଜୁଶମନ ରଣା


Published : August 6, 2026 at 9:39 AM IST
|Updated : August 6, 2026 at 11:12 AM IST
ସମ୍ବଲପୁର: କୁଚିଣ୍ଡା ଅଞ୍ଚଳରେ କେତେକ ବନ ବିଭାଗର କର୍ମଚାରୀ ଜଙ୍ଗଲରୁ ଗଛକାଟି ପଟ୍ଟା ତିଆରି କରି ଚୋରା ବେପାର କରୁଥିବା କଥା ଗଣମାଧ୍ୟମ ଆଗରେ କହିବାରୁ 65 ବର୍ଷୀୟ ଜଣେ ଆଦିବାସୀ ବୃଦ୍ଧଙ୍କୁ ବନ ବିଭାଗ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା, କୁସୁମୀ ଫାଣ୍ଡି ଅନ୍ତର୍ଗତ ବଡ଼ ମୁଣ୍ଡାଲୋଇ ଗାଁର ପିୟୁଷ ଡୁଙ୍ଗଡୁଙ୍ଗ(65) ଙ୍କୁ ବନ ବିଭାଗ କର୍ମଚାରୀ ଜୋର ଜବରଦସ୍ତ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ସତ କହିବାରୁ ବୃଦ୍ଧଙ୍କୁ ନିସ୍ତୁକ ମାଡ
ସୂଚନା ଯୋଗ୍ୟ ଯେ କିଛିଦିନ ତଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରେଞ୍ଜ ବଡ଼ମୁଣ୍ଡାଲୋଇ ଜଙ୍ଗଲରୁ ବିଭାଗୀୟ କର୍ମଚାରୀ ୱାଚର ଗଛ କାଟି ପଟ୍ଟା ତିଆରି କରାଇ ବୋହି ନେଉଥିବା ନେଇ ବନ ବିଭାଗ ଆଗରେ ଅଭିଯୋଗ କରିଥିଲେ ଗ୍ରାମବାସୀ । ସେତେବେଳେ ବନ ବିଭାଗର କେହି ବି କିଛି ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ତେବେ ଏନେଇ ବାରମ୍ବାର ଅଭିଯୋଗ ପରେ ଗଣମାଧ୍ୟମରେ ଖବର ଆସିବା ପରେ ଜଣେ ୱାଚରଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ୱାଚର ରତ୍ନାକର ପାତ୍ରଙ୍କୁ ନିଲମ୍ବନ କରାଯାଇଥିବା କୁଚିଣ୍ଡା ରେଞ୍ଜ ଅଧିକାରୀ କହିଥିଲେ।
ହେଲେ ଗତ ସୋମବାର ପିୟୁଷ ଡୁଙ୍ଗଡୁଙ୍ଗଙ୍କୁ କୁଚିଣ୍ଡା ବନବିଭାଗ କର୍ମଚାରୀ ଅଫିସକୁ ଡାକି ନେଇ ତାଙ୍କ କପଡା ଖୋଲି ନିସ୍ତୁକ ମାଡମାରିଥିବା ନେଇ ମହୁଲପାଲି ଥାନା କୁସୁମୀ ଫାଣ୍ଡିରେ ଅଭିଯୋଗ କରିଥିଲେ ପିଡିତ ବୃଦ୍ଧ। ପିୟୁଷଙ୍କ ପିଠି, ଜଙ୍ଘ ଓ ଗୋଡ଼ ଆଦି ସ୍ଥାନରେ ଠେଙ୍ଗା ମାଡ଼ ଦାଗ ରହିଛି । ସେ ଡାକ୍ତରଖାନାକୁ ଯାଇ ଚିକିତ୍ସା ହେବା ପରେ ଏନେଇ କୁସୁମୀ ଫାଣ୍ଡିରେ ଏକ ଲିଖିତ ଏତଲା ଦେଇଥିଲେ । ଘଟଣାକୁ ନେଇ ମହୁଲପାଲି ପୋଲିସ ଅଧିକ ତଦନ୍ତ କରିବା ପରେ କୁଚିଣ୍ଡା ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନାଁରେ ମାମଲା ରୁଜୁ କରିଥିବା କୁଚିଣ୍ଡା ଏସଡ଼ିପିଓ ପ୍ରଦୀପ ଦାସ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ PM eBus ସେବା ଯୋଜନାରେ ସମ୍ବଲପୁରରେ ଚାଲିବ ଆହୁରି 50 ବସ୍, ତିଆରି ହେବ ଅନ୍ତଃରାଜ୍ୟ ବସ ଟର୍ମିନାଲ
ଏହା ମଧ୍ୟ ପଢନ୍ତୁ ସାମାନ୍ୟ ଗଣ୍ଡଗୋଳରୁ ଓଡ଼ିଆ ଶ୍ରମିକଙ୍କ ଗଳା କାଟିଦେଲେ ପ୍ରବାସୀ ମିସ୍ତ୍ରୀ, 8 ଗିରଫ
ଇଟିଭି ଭାରତ, ସମ୍ବଲପୁର

