ETV Bharat / state

କଳା ପାଇଁ ମିଳିଲା ସମ୍ମାନ; ମହାମହିମଙ୍କ ମନକୁ ଛୁଇଁଥିଲା ଆଦିବାସୀ ନୃତ୍ୟ, ହେବେ ରାଷ୍ଟ୍ରପତି ଭବନର ଅତିଥି

ଗଞ୍ଜାମ ଗସ୍ତବେଳେ ମହାମହିମଙ୍କ ମନକୁ ଛୁଇଁ ଯାଇଥିଲା ଲାଞ୍ଜିଆ ସୌରା ନୃତ୍ୟ । କିଛି ସମୟ ପାଇଁ ଅଟକି ଯାଇଥିଲେ , ବିମୋହିତ ହୋଇ ପଡିଥିଲେ ।  ରିପୋର୍ଟ-ସମୀର କୁମାର ଆଚାର୍ଯ୍ୟ

97 artists from Ganjam are headed to Delhi after receiving an invitation from Rashtrapati Bhavan
ମହାମହିମଙ୍କ ମନକୁ ଛୁଇଁଥିଲା ଆଦିବାସୀ ନୃତ୍ୟ, ରାଷ୍ଟ୍ରପତି ଭବନରୁ ଆସିଲା ନିମନ୍ତ୍ରଣ (ETV Bharat Odisha)
author img

By ETV Bharat Odisha Team

Published : August 31, 2026 at 6:47 PM IST

|

Updated : August 31, 2026 at 7:27 PM IST

3 Min Read
Choose ETV Bharat

ବ୍ରହ୍ମପୁର: ରାସ୍ତାର ଦୁଇ କଡରେ ଜନ ସମୁଦ୍ର । ସମସ୍ତଙ୍କ ମନରେ ବ୍ୟାକୁଳତା, ଆଖିରେ ଉତ୍ସୁକତା । କଡା ସୁରକ୍ଷା ଆଉ ପୋଲିସ ପହରା ଭିତରେ ସମସ୍ତେ ଅପେକ୍ଷା କରିଥାନ୍ତି । ଆସିବେ ମହାମହିମ ରାଷ୍ଚ୍ରପତି । ଓଡ଼ିଶା ମାଟିର ଝିଅ ଆଜି ସର୍ବୋଚ୍ଚ ପଦବୀରେ । ତାଙ୍କୁ ପାଖରୁ ଥରେ ଦେଖିବା ପାଇଁ ଭିଡ ଅସମ୍ଭାଳ ହେଉଥାଏ । ଏଇ ଭିଡ ଭିତରେ କିଛି ଲୋକ ଆଦିବାସୀ ବେଶରେ ସଜ୍ଜିତ ହୋଇ ପାରମ୍ପରିକ ନୃତ୍ୟ ପରିବେଷଣ କରୁଥାନ୍ତି । ନିରବଚ୍ଛିନ୍ନ ଭାବେ । ଆଜି ସେଇ ନୃତ୍ୟ ତାଙ୍କ ପାଇଁ ଆଣି ଦେଇଛି ଏକ ନୂଆ ଅନୁଭୂତି । ନୃତ୍ୟ ପାଇଁ ଆସିଛି ନିମନ୍ତ୍ରଣ । ସେ ପୁଣି ରାଷ୍ଟ୍ରପତି ଭବନରୁ । ଏହାକୁ ନେଇ ନୃତ୍ୟଶିଳ୍ପୀଙ୍କ ଖୁସି କାହିଁରେ କଣ । କଳାକାରଙ୍କର ଏଇ ଖୁସିକୁ ନେଇ ଇଟିଭି ଭାରତର ସ୍ୱତନ୍ତ୍ର ଷ୍ଟୋରି

ମହାମହିମଙ୍କ ମନକୁ ଛୁଇଁଥିଲା ଆଦିବାସୀ ନୃତ୍ୟ, ହେବେ ରାଷ୍ଟ୍ରପତି ଭବନର ଅତିଥି (ETV Bharat)

କଳା ଓ ସଂସ୍କୃତି ପାଇଁ ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଗଞ୍ଜାମ ଜିଲ୍ଲା । ଏହି ସ୍ୱତନ୍ତ୍ରତା ପାଇଁ ଆଜି ଜିଲ୍ଲାର ପାଞ୍ଚୋଟି ଆଦିବାସୀ ନୃତ୍ୟ ଦଳକୁ ଆସିଛି ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ । ଦେଶର ମହାମାନ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏପରି ନିମନ୍ତ୍ରଣ ପାଇ ୯୭ ଜଣ କଳାକାର ଦିଲ୍ଲୀ ଅଭିମୁଖେ ଗ୍ରସ୍ତ କରିଛନ୍ତି । ସେମାନେ ଶନିବାର ରାତି 3ଟାରୁ ବସ ଯୋଗେ ବ୍ରହ୍ମପୁରରୁ ବାହାରିଥିଲେ । ରବିବାର ପୂର୍ବାହ୍ନରେ ଟ୍ରେନ ଯୋଗେ ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ସେଠାରେ ମହାମାନ୍ୟଙ୍କୁ ସାକ୍ଷତ କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ସେଠାରେ ମଧ୍ୟାହ୍ନ ଭୋଜନ ମଧ୍ୟ କରିବେ । ପ୍ରଥମଥର ପାଇଁ ଏଭଳି ସମ୍ମାନ ମିଳିଥିବାରୁ ବେଶ ଖୁସି ଆଦିବାସୀ ନୃତ୍ୟ ଦଳର ସମସ୍ତ ସଦସ୍ୟ ।

97 artists from Ganjam are headed to Delhi after receiving an invitation from Rashtrapati Bhavan
ଗଞ୍ଜାମ କଳାକାର ଦଳ (Etv Bharat)

ମନକୁ ଛୁଇଁଥିଲା ନୃତ୍ୟ, ଘଡିଏ ଅଟକି ଯାଇଥିଲେ ରାଷ୍ଟ୍ରପତି

ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତପ୍ତପାଣି ଗସ୍ତ କରି ମାଁ କନ୍ଧୁଣୀ ଦେବୀଙ୍କୁ ଦର୍ଶନ କରିଥିଲେ । ସେହି ସମୟରେ ସେଠାରେ ଆଦିବାସୀ ନୃତ୍ୟ ପରିବେଣ କରାଯାଇଥିଲା । ଏହି ନୃତ୍ୟ ମହାମହିମଙ୍କ ମନକୁ ଛୁଇଁ ଯାଇଥିଲା । କିଛି ସମୟ ପାଇଁ ଅଟକି ଯାଇଥିଲେ ରାଷ୍ଟ୍ରପତି । ଲାଞ୍ଜିଆ ସୌରା ନୃତ୍ୟ ଦେଖି ବିମୋହିତ ହୋଇ ପଡିଥିଲେ ।

97 artists from Ganjam are headed to Delhi after receiving an invitation from Rashtrapati Bhavan
ଗଞ୍ଜାମ କଳାକାର ଦଳ (Etv Bharat)

ଦିଲ୍ଲୀ ଫେରିଯିବା ପରେ ଏହି ନୃତ୍ୟ ଦଳକୁ ରାଷ୍ଟ୍ରପତି ନିମନ୍ତ୍ରଣ ପଠାଇଛନ୍ତି । ଆସନ୍ତାକାଲି ଅର୍ଥାତ ସେପ୍ଚେମ୍ବର ୧ ତାରିଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏଥିସହିତ ମଧ୍ୟାହ୍ନଭୋଜନରେ ମଧ୍ୟ ଆପ୍ୟାୟିତ କରିବେ ରାଷ୍ଟ୍ରପତି ।

ପ୍ରଥମଥର ପାଇଁ ଗଞ୍ଜାମ ଜିଲ୍ଲାର ଆଦିବାସୀ ନୃତ୍ୟଶିଳ୍ପୀଙ୍କୁ ଏଭଳି ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ମିଳିଛି । ଏହି ପାଞ୍ଚୋଟି ଟିମ୍ ସହିତ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଯୋଗ ଦେବେ ।

97 artists from Ganjam are headed to Delhi after receiving an invitation from Rashtrapati Bhavan
ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇବା ପରେ ଦିଲ୍ଲୀ ଅଭିମୁଖେ କଳାକାର (Etv Bharat)

୯୭ କଳାକାର ରାଷ୍ଟ୍ରପତି ଭବନ ଯାଇଛନ୍ତି

ଏ ନେଇ ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ଅଦୀତି ଆଚାର୍ଯ୍ୟ କହନ୍ତି, ‘ମହାମାନ୍ୟ ରାଷ୍ଟ୍ରପତି ଯେତେବେଳେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିଲେ, ସେହି ସମୟରେ ତପ୍ତପାଣିଠାରେ ପ୍ରଦର୍ଶନ କରୁଥିବା ପାଞ୍ଚୋଟି ଆଦିବାସୀ ନୃତ୍ୟ ଦଳକୁ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଭବନକୁ ଯିବା ପାଇଁ ନିମନ୍ତ୍ରଣ ଆସିଛି । ଏହି ପାଞ୍ଚୋଟି ଦଳର ୯୭ କଳାକାର ରାଷ୍ଟ୍ରପତି ଭବନ ଯାଇଛନ୍ତି । ଏଥି ମଧ୍ୟରୁ ତିନୋଟି ଦଳ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଅଞ୍ଚଳର ହୋଇଥିବା ଆଉ ଦୁଇଟି ସୋରଡା ଏବଂ ବ୍ରହ୍ମପୁରର । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଏକ ବସ୍ ଯୋଗେ ସମସ୍ତ କଳାକାରଙ୍କୁ ରାଜଧାନୀ ଭୁବନେଶ୍ୱର ନିଆଯାଇଥିଲା । ସେଠାରୁ ପୋଲିସ କର୍ମଚାରୀ ଓ ପ୍ରଶାସନର ସଂଯୋଜନା ଅଧିକାରୀଙ୍କ ସମେତ ମେଡିକାଲ ଟିମ୍ ମିଳିତ ଭାବରେ ଟ୍ରେନ ଯୋଗେ ଦିଲ୍ଲୀ ଯାଇଛନ୍ତି ।’

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ୱି.କୀର୍ତ୍ତିଭାସନଙ୍କ ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ଅଦୀତି ଆଚାର୍ଯ୍ୟ , ଅତିରିକ୍ତ ଉପଜିଲ୍ଲାପାଳ ପ୍ରାର୍ଥସାରଥି ହାଂସଦା, ଛତ୍ରପୁରର ଅତିରିକ୍ତ ତହସିଲଦାର ଏସକର୍ଟ ଅଧିକାରୀ ଭାବରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ।

97 artists from Ganjam are headed to Delhi after receiving an invitation from Rashtrapati Bhavan
ଗଞ୍ଜାମ କଳାକାର ଦଳ (Etv Bharat)

ଏହି ଯାତ୍ରା ଜୀବନର ଏକ ଭିନ୍ନ ଏବଂ ସୁନ୍ଦର ଅନୁଭୂତି ହେବ

ସେମାନଙ୍କର ନୃତ୍ୟ ରାଷ୍ଟ୍ରପତିଙ୍କ ମନକୁ ଛୁଇଁବା ଓ ଏଥିପାଇଁ ଏତେବଡ ସମ୍ମାନ ମିଳୁଥିବାରୁ ସମସ୍ତ କଳାକାର ଖୁବ ଖୁସି । ଏହା ସେମାନଙ୍କ ଜୀବନର ଏକ ଭିନ୍ନ ଏବଂ ସୁନ୍ଦର ଅନୁଭୂତି ହେବ ବୋଲି ସେମାନେ କହିଛନ୍ତି ।

ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇଁ ଦିଲ୍ଲୀ ଯାଇଥିବା ନୀଳମାଧ୍ୟବ ଗ୍ରୁପ ଖେମୁଣ୍ଡିଖୋଲର ମୁଖ୍ୟ ପରିଚାଳକ ଡମ୍ୱରୁଧର ମଣ୍ଡଳ କହିଛନ୍ତି, ‘ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇ ଆମେ ବହୁତ ଖୁସି । ଆମର ଦଳର ସମସ୍ତ ସଦସ୍ୟ ଏ ବିଷୟ ଜାଣିବା ପରେ ବହୁତ ଆନନ୍ଦ ପ୍ରକାଶ କରିଛନ୍ତି । ସୋରଡା ବ୍ଲକର ଗୋରୁଗୋଠ ପଞ୍ଚାୟତ ଶଗଡବସାର ଗୋଟିଏ ଦଳ ସମେତ ପୋଡୁଗଡା ପଞ୍ଚାୟତର ସୁବର୍ଣ୍ଣଗଡର ଗୋଟିଏଦଳ, ଟି.ଗୋବିନ୍ଦପୁର ପଞ୍ଚାୟତର ଖେମୁଣ୍ଡିଖୋଲ ଓ କଟାପଲ୍ଲୀ ସୌରା ନୃତ୍ୟ ଦଳ ଏହି ଟିମରେ ରହିଛନ୍ତି । ହେଲେ ଆମର ସୌରା ପାରମ୍ପରିକ ସାଂସ୍କୃତିକ ନାଟ୍ୟ ସଂଘ ନୀଳମାଧବ ଗ୍ରୁପ-ଖେମୁଣ୍ଡିଖୋଲ ଟ୍ରୁଫରୁ ମୋଟ ୧୮ ଜଣ ସଦସ୍ୟ/ସଦସ୍ୟା ଏହି ଯାତ୍ରା କରୁଛନ୍ତି ।’

97 artists from Ganjam are headed to Delhi after receiving an invitation from Rashtrapati Bhavan
ଗଞ୍ଜାମରୁ ବସରେ ଭୁବନେଶ୍ୱର ଅଭିମୁଖେ ଯାଉଛନ୍ତି କଳାକାର ବୃନ୍ଦ (ETV Bharat)

ଡମ୍ୱରୁଧର ଆହୁରି କହିଛନ୍ତି, ‘ଆମେ କେବେ ଦିଲ୍ଲୀ ଦେଖିନାହୁଁ । ରାଷ୍ଟ୍ରପତି ତପ୍ତପାଣି ଆସିଥିଲେ ବୋଲି ଦେଖିବାକୁ ସୁଯୋଗ ପାଇଥିଲୁ । ସେହି ସମୟରେ ଆମେ ରାସ୍ତାର କଡରେ ରହି ସୌରା ନୃତ୍ୟ ପରିବେଷଣ କରିଥିଲୁ । ହେଲେ ଏହି ନୃତ୍ୟ ପାଇଁ ଆମକୁ ଯେ ଦିଲ୍ଲୀରୁ ନିମନ୍ତ୍ରଣ ଆସିବ ଆମେ ଜାଣି ନ ଥିଲୁ ।’

ଂ
ଂ (ଂ)

ଗଞ୍ଜାମ ଜିଲ୍ଲାର ଏହି ସୌରାନୃତ୍ୟ ପୂର୍ବକାଳରୁ ପରିବେଷିତ ହୋଇ ଆସୁଥିବା ଧାଙ୍ଗିଡି ନୃତ୍ୟ, ଯାହାକି ମୁଖ୍ୟତଃ ବିବାହ ସମୟରେ ଏବଂ ବିଭିନ୍ନ ପର୍ବପର୍ବାଣୀ ସମୟରେ ପରିବେଷଣ ହୋଇଥାଏ । ଗଞ୍ଜାମର ଏହି ସୌରା ନୃତ୍ୟ ଆବାହମାନ କାଳରୁ ରହି ଆସିଛି । ହେଲେ ଏବେ ଆଧୁନିକତାର ପ୍ରଭାବର ଏହି ସଂସ୍କୃତି ଓ ପରମ୍ପରା ବହୁ ମାତ୍ରାରେ ଲୋପ ପାଇବାକୁ ବସିଛି ।

97 artists from Ganjam are headed to Delhi after receiving an invitation from Rashtrapati Bhavan
ଗଞ୍ଜାମ କଳାକାର ଦଳ (Etv Bharat)

ପୁରୁଷ ମାନେ ଲଙ୍ଗଟୋ ଓ ମହିଳାମାନେ ଧଳାଲୁଗା ସହିତ ମୁଣ୍ଡରେ ରିବନ୍ ବାନ୍ଧି ଏହି ନୃତ୍ୟ ପରିବେଷଣ କରିଥାନ୍ତି । ଏଣୁ ଏହି ଦଳକୁ ଲାଞ୍ଜିଆ ସୌରା ବୋଲି କୁହା ଯାଇଥାଏ । ଗଞ୍ଜାମ ଜିଲ୍ଲାରେ ଲାଞ୍ଜିଆ ସୌରା ଆଦିବାସୀ ବିଭିନ୍ନ ଅଞ୍ଚଳରେ ଦେଖା ଦେଉଥିବା ବେଳେ ଖଲ୍ଲିକୋଟ, କୋଦଳା, ପୋଲସରା, ସୋରଡା, ଭଞ୍ଜନଗର, ଚିକିଟି, ପାତ୍ରପୁର, ଦିଗପହଣ୍ଡି, ସାନଖେମୁଣ୍ଡି ଭଳି ଅଞ୍ଚଳରେ ପ୍ରାୟ ୨୦ ରୁ ୩୦ ପ୍ରତିଶତ ରହିଛନ୍ତି।

97 artists from Ganjam are headed to Delhi after receiving an invitation from Rashtrapati Bhavan
ଗଞ୍ଜାମରୁ ବସରେ ଭୁବନେଶ୍ୱର ଅଭିମୁଖେ ଯାଉଛନ୍ତି କଳାକାର ବୃନ୍ଦ (Etv Bharat)

ଇଟିଭି ଭାରତ, ବ୍ରହ୍ମପୁର

ଏହା ମଧ୍ୟ ପଢନ୍ତୁ ମା' କନ୍ଧୁଣୀ ଦେବୀଙ୍କ ଦର୍ଶନ ସହ ଆଶୀର୍ବାଦ ନେଲେ ମହାମହିମ ରାଷ୍ଟ୍ରପତି, ତପ୍ତପାଣି ପାଇଁ ପାଲଟିଲା ସ୍ମରଣୀୟ ଅଧ୍ୟାୟ

ଏହା ମଧ୍ୟ ପଢନ୍ତୁ ଜରିପାଲ ତଳେ ଜୀବନ, ମୌଳିକ ସୁବିଧା ଅପହଞ୍ଚ: କଟକରେ 272 ବସ୍ତି ବାସିନ୍ଦାଙ୍କ ପାଇଁ ସ୍ବାୟତ୍ତ ଶାସନ ଦିବସର ଅର୍ଥ କଣ ?

Last Updated : August 31, 2026 at 7:27 PM IST