ଷଷ୍ଠ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ: ବିଦେଶୀ ପକ୍ଷୀ ଓ ଜୈବ ବିଭିଧତାର ବିକାଶ ଉପରେ ଗୁରୁତ୍ୱ
ପକ୍ଷୀ ଓ ଚିଲିକାର ଜୈବ ବିଭିଧତାକୁ ଗୁରୁତ୍ୱ ଦେବା ସହ ଚିଲିକାର ବିକାଶ ପାଇଁ ୧୧୨୬ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ କରାଯାଇଥିବା କହିଛନ୍ତି, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।


Published : January 7, 2026 at 7:29 AM IST
ଭୁବନେଶ୍ବର: ଚିଲିକାକୁ ନେଇ ରାଧାନାଥ ରାୟଙ୍କ କାବ୍ୟ- ଉତ୍କଳ କମଳା ବିଳାସ ଦିର୍ଘକା, ମରାଳ ମାଳିନୀ ନୀଳାମ୍ୱବୁ ଚିଲିକା... ପିଲା ବେଳେ ପଢ଼ା ବହିରେ ପଢିଲା ବେଳଠୁ ପ୍ରତି ଓଡ଼ିଆଙ୍କ ମନରେ ଆଙ୍କି ଉଠେ ଚିଲିକାର ସୌନ୍ଦର୍ଯ୍ୟ ଓ ତାହାର ଛବି । ତେବେ ଏହି ଚିଲିକାକୁ କିଭଳି ଭାବେ ଦେଶ ବିଦେଶରେ ପ୍ରତିଷ୍ଠିତ କରାଯିବ ସେନେଇ ପଦକ୍ଷେପ ନେବା ଆବଶ୍ୟକ । ଏହି ଲକ୍ଷ୍ୟ ନେଇ ଉଦଘାଟିତ ହୋଇଛି, ଷଷ୍ଠ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ । ଜାନୁଆରୀ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଏହି ଅବସରରେ ଚିଲିକା ଓ ମଙ୍ଗଳା ଯୋଡିରେ ପକ୍ଷୀ ନିରୀକ୍ଷଣ, ନୌକା ଦୌଡ଼ ସହ ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଯାହାଦ୍ୱରା ପକ୍ଷୀ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଚିଲିକାକୁ ଅଧିକ ପସନ୍ଦ ଯୋଗ୍ୟ ସ୍ଥାନ ଭାବେ ପ୍ରୋତ୍ସାହିତ କରାଯିବ । ପର୍ଯ୍ୟଟକଙ୍କୁ ଅଧିକରୁ ଅଧିକ ଆକର୍ଷିତ କରିବା ଏବଂ ସେମାନଙ୍କୁ ଚିଲିକା ଉପରେ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଚିଲିକା ହ୍ରଦର ଏକାଧିକ ପକ୍ଷୀ ବିହାର ସ୍ଥାନରେ ଅନେକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା କରାଯାଇଛି । ଯାହା ଫଳରେ ପର୍ଯ୍ୟଟକମାନେ ଆସିବା ପାଇଁ ଆକୃଷ୍ଟ ହୋଇପାରିବେ । ସେହିପରି ଭାବେ ପକ୍ଷୀ ଓ ଚିଲିକାର ଜୈବ ବିଭିଧତାକୁ ଗୁରୁତ୍ୱ ଦେବା ସହ ଚିଲିକାର ବିକାଶ ପାଇଁ ୧୧୨୬ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।
ପର୍ଯ୍ୟଟନ ବିଭାଗ ଓ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସହଭାଗିତାରେ ଲୋକସେବା ଭବନ ସମ୍ମେଳନ କକ୍ଷରେ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଉଦଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉପକୂଳକୁ ପ୍ରବାସୀ ପକ୍ଷୀଙ୍କ ଯାତ୍ରା ଓଡ଼ିଶାର ଅନୁକୂଳ ଜଳବାୟୁର ସୂଚକ ବୋଲି ମତ ପ୍ରକାଶ କରିଛନ୍ତି । ସୁରକ୍ଷିତ ଓ ସଂରକ୍ଷିତ ଜଙ୍ଗଲର ମହତ୍ତ୍ଵକୁ ଗୁରୁତ୍ଵ ଦେଇ ଉପମୁଖ୍ୟମନ୍ତ୍ରୀ ସୁରକ୍ଷିତ ପ୍ରାକୃତିକ ଉପାଦାନ, ସୁରକ୍ଷିତ ପର୍ଯ୍ୟଟନର ପ୍ରତୀକ ବୋଲି ମତ ପ୍ରକାଶ କରିଛନ୍ତି । ଚିଲିକାରେ ପ୍ରବାସୀ ପକ୍ଷୀମାନଙ୍କର ଆଗମନ, ଗତି ଓ ରହଣି ବିଷୟରେ ଆଲୋଚନା କରିବା ସହ ଚିଲିକାର ଜୈବ ବିବିଧତା ସଂରକ୍ଷଣ ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଖୁବ ଶୀଘ୍ର ଚିଲିକାରେ ହେବ ସଂଗ୍ରହାଳୟ:-
କାର୍ଯ୍ୟକ୍ରମରେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, "ବିଦେଶୀ ପକ୍ଷୀମାନେ ନିର୍ଦ୍ଧିଷ୍ଟ ରୁଟରେ, ନିର୍ଦ୍ଧିଷ୍ଟ ସ୍ଥାନକୁ ଆସୁଥିବା ନେଇ ଅଧିକରୁ ଅଧିକ ଗବେଷଣା କରାଯିବା ଆବଶ୍ୟକ । ଏହାକୁ ନେଇ ପର୍ଯ୍ୟଟନ ବିଭାଗ ଏକ ମ୍ୟୁଜିୟମ କରିବାକୁ ପ୍ରୟାସ କରୁଛି । ଚଳିତ ବର୍ଷ ଏହାର ମୂଳଦୁଆ ପଡିବ । ଯାହା ଭାରତ ବା ଅନ୍ତର୍ଜାତୀୟ ସ୍ତରର ବିହଙ୍ଗ ପ୍ରେମୀଙ୍କ ପାଇଁ ଓଡିଶା ଏକ ପରବର୍ତ୍ତୀ ଲକ୍ଷ୍ୟସ୍ଥଳରେ ପରିଣତ ହେବ," ବୋଲି ସେ କହିଛନ୍ତି । ପର୍ଯ୍ୟଟନ ଋତୁରେ ପ୍ରକୃତି ସହିତ କେବେହେଲେ ଅବହେଳା କରିବେନି ବୋଲି ପର୍ଯ୍ୟଟକଙ୍କୁ ସେ ଅନୁରୋଧ କରିଛନ୍ତି । ଯାହା ଫଳରେ ଚିଲିକା ବିଶ୍ୱ ଦରବାରରେ ଆହୁରି ଚମକିବ ବୋଲି ସେ କହିଛନ୍ତି ।

ଚିଲିକାକୁ ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିପିଆର ପ୍ରସ୍ତୁତ:-
ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ,"ଚିଲିକାକୁ ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ବିଭିନ୍ନ ଉତ୍ସବ କରିବାର ଆବଶ୍ୟକତା ରହିଛି । ପର୍ଯ୍ୟଟନ ବିଭାଗର ସହଯୋଗ ରହିଛି । ତେବେ ଚିଲିକାକୁ ଦେଶ ତଥା ଦେଶ ବାହାରୁ ଯେଉଁ ପକ୍ଷୀମାନେ ଆସୁଛନ୍ତି, ସେମାନଙ୍କୁ କିଭଳି ଭାବେ ଉଚିତ ପରିବେଶ ଯୋଗାଇବା ସେନେଇ କାମ କରିବା ଆବଶ୍ୟକ । ଏହା ସହିତ ଅସାମାଜିକ ଲୋକଙ୍କ ଠାରୁ ସୁରକ୍ଷା କରିବା ମୂଳ ଲକ୍ଷ୍ୟ ଅଟେ । ଚିଲିକାକୁ ଆସୁଥିବା ୨୨୮ ପ୍ରଜାତିର ୧୧ ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀ କେଉଁ ଠାରୁ ଆସୁଛନ୍ତି, ଚିଲିକାରୁ କେଉଁ ସ୍ଥାନକୁ ଯାଉଛନ୍ତି, ସେନେଇ ଜାଣିବା ପାଇଁ କିଛି ପକ୍ଷୀଙ୍କ ଦେହରେ ଏକ ସ୍ୱତନ୍ତ୍ର ଚିପ୍ ଲାଗିଥିଲା । ସେହିପରି ପକ୍ଷୀ ଓ ଚିଲିକାର ଜୈବ ବିଭିଧତାକୁ ଗୁରୁତ୍ୱ ଦେବା ସହ ଚିଲିକାର ବିକାଶ ପାଇଁ ୧୧୨୬ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ କରାଯାଇଛି । ଏହା ସହିତ ଚିଲିକା ଅଂଚଳରେ ପ୍ରାୟ ୨ ଲକ୍ଷ ମତ୍ସ୍ୟଜୀବୀ ରହିଛନ୍ତି । ସେହିଠାରେ ତାଙ୍କର ଜୀବନ ଜୀବିକା ରହିଛି । ଭାରତ ବର୍ଷରେ ଚିଲିକା ଏକ ଆଇଡଲ ଭାବେ ରହିବ," ବୋଲି କହିଛନ୍ତି ଜଙ୍ଗଲ ମନ୍ତ୍ରୀ ।

ଚିଲିକା ବିଷୟରେ କିଛି:-
ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଚିଲିକା ଓଡ଼ିଶାର ବୃହତ୍ତମ ହ୍ରଦ ଭାବେ ଜଣାଶୁଣା । ଚିଲିକା ହେଉଛି ଓଡ଼ିଶା ଉପକୂଳ ବର୍ତ୍ତୀ ଜିଲ୍ଲା ଯଥା ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ । ଯାହା ଏକ ଖାରିଆ ହ୍ରଦ । ଯାହା ଓଡ଼ିଶାର ସବୁଠାରୁ ବଡ଼ ହ୍ରଦ । ପ୍ରବାସୀ ପକ୍ଷୀମାନଙ୍କ ପାଇଁ ଏହା ଭାରତୀୟ ଉପମହାଦେଶରେ ସବୁଠାରୁ ବଡ଼ ଶୀତକାଳୀନ ବାସସ୍ଥାନ। ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ଉଡ଼ି ଆସନ୍ତି । ଏହି ହ୍ରଦରେ ଅନେକ ସଙ୍କଟାପର୍ଣ୍ଣ ପ୍ରଜାତିର ଉଦ୍ଭିଦ ଏବଂ ପ୍ରାଣୀ ବାସ କରନ୍ତି । ଏଠାରେ ଥିବା ପାରିକୁଦ ଓ ମାଲୁଦ ଦ୍ୱୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ସାଜୁଥିବା ବେଳେ ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।

କ'ଣ ରହିଛି ଫ୍ଲେମିଂଗୋରର ଚଳପ୍ରଚଳ:-
ବିଶେଷକରି ଦେଖିବାକୁ ଗଲେ ଫ୍ଲେମିଂଗୋର ବିଦେଶୀ ପକ୍ଷୀଙ୍କ ଚଳପ୍ରଚାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଜାନୁଆରୀ ୨୦୨୫ ମସିହାରେ ଡେରାଡୁନର ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ବରିଷ୍ଠ ଅନୁସନ୍ଧାନକାରୀ କେ. ସୁରେଶ କୁମାର ଦୁଇଟି ଫ୍ଲେମିଂଗୋର ଗୋଡ଼ରେ ଚିପ୍ ଲଗାଇଥିଲେ । ପ୍ରଥମଥର ପାଇଁ ଦେଖାଯାଇଥିଲା ଯେ, ଚିଳିକାରୁ ଏହି ଫ୍ଲେମିଂଗୋର ପକ୍ଷୀମାନେ ଆନ୍ଧ୍ରପ୍ରଦେଶର କୋଲେରୁ ପକ୍ଷୀ ଅଭୟାରଣ୍ୟକୁ ଯାଇଥିବା ନଜର ଆସିଥିଲା । ତେବେ କୋଲେରୁ ରୁ ଭିନ୍ନ ଭିନ୍ନ ଦିଗରେ ଯାଇଥିଲେ ଦୁଇଟି ବିଦେଶୀ ପକ୍ଷୀ । ଯେପରିକି କୃଷ୍ନା ଡେଲ୍ଟା ଓ ଅନ୍ୟଟି ପୁଲିକ୍ୟାଟ ଲେକ୍ । କିନ୍ତୁ ଦେଖାଗଲା ପରବର୍ତ୍ତୀ ସମୟରେ ଏହି ବିଦେଶୀ ପକ୍ଷୀମାନେ ପୁଲିକ୍ୟାଟ୍ ଲେକ୍ ରୁ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଆଦି ରାଜ୍ୟରେ ଥିବା ଛୋଟ ଛୋଟ ହ୍ରଦକୁ ମଧ୍ୟ ଯାଇଛନ୍ତି । ତେବେ ଚିଳିକାକୁ ଫ୍ଲେମିଂଗୋର ଏପ୍ରିଲ ମାସରେ ଛାଡ଼ିଥାନ୍ତି ।

ଅନ୍ୟପଟେ ଚିଲିକାକୁ ପ୍ରତିବର୍ଷ ୧୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି । ଚିଲିକାକୁ ଆସୁଥିବା ବିଦେଶଗତ ପକ୍ଷୀ ସହ ଇରାବାଡି ଡଲଫିନ୍ ମୁଖ୍ୟ ଆକର୍ଷଣ ବୋଲି କହିଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା ।
ବିଦେଶୀ ପକ୍ଷୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଚିଲିକା:-
- ୨୦୨୪ - ୧୮୯ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ବିଦେଶୀ ପକ୍ଷୀ
- ୨୦୨୩ - ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ବିଦେଶୀ ପକ୍ଷୀ
- ୨୦୨୧-୨୨ - ୧୦୭ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ବିଦେଶୀ ପକ୍ଷୀ
- ୨୦୨୦-୨୧ - ୧୧୧ ପ୍ରଜାତିର ୧୨ ଲକ୍ଷ ୪ ହଜାର ବିଦେଶୀ ପକ୍ଷୀ
- ୨୦୧୯-୨୦ - ୧୦୯ ପ୍ରଜାତିର ୧୦ ଲକ୍ଷ ୭୧ ହଜାର ବିଦେଶୀ ପକ୍ଷୀ
- ୨୦୧୮-୧୯ - ୧୦୫ ପ୍ରଜାତିର ୧୦ ଲକ୍ଷ ୨୧ ହଜାର ବିଦେଶୀ ପକ୍ଷୀ
- ୨୦୧୭-୧୮ - ୯୫ ପ୍ରଜାତିର ୮ ଲକ୍ଷ ୬୮ ହଜାର ବିଦେଶୀ ପକ୍ଷୀ
- ୨୦୧୬-୧୭ - ୧୦୦ ପ୍ରଜାତିର ୯ ଲକ୍ଷ ୨୪ ହଜାର ବିଦେଶୀ ପକ୍ଷୀ
ଏହା ମଧ୍ୟ ପଢ଼ନ୍ତୁ- ଚିଲିକା ପରେ ବିଦେଶୀ ପକ୍ଷୀଙ୍କ ନୂଆ ଠିକଣା ଋଷିକୁଲ୍ୟା, ଭିତରକନିକା
ଏହା ମଧ୍ୟ ପଢ଼ନ୍ତୁ- ଚିଲିକାର ପୁନର୍ବିକାଶ ପାଇଁ IIT-ମାଡ୍ରାସ ଓ ରାଜ୍ୟ ସରକାର ଅନୁବନ୍ଧିତ, ୧୫୦୦ରୁ ୨ ହଜାର କୋଟି ଟଙ୍କାର DPR ପ୍ରସ୍ତୁତ
ଇଟିଭି ଭାରତ, ଭୁବନେଶ୍ବର

