କଟକ ବଡ଼ ମେଡିକାଲ ଆସୁଥିଲେ ସାବଧାନ ! ବର୍ଷକ ମଧ୍ୟରେ ହଜିଲେଣି 66 ରୋଗୀ !
ଚଳିତ ବର୍ଷ ଜାନୁଆରୀ ମାସରୁ ଏଯାବତ 66 ଜଣ ରୋଗୀ ହଜି ଯାଇଥିବା ନେଇ ମଙ୍ଗଳାବାଗ ଥାନାରେ ମାମଲା ରୁଜୁ ହୋଇଛି । ରିପୋର୍ଟ ନାରାୟଣ ସାହୁ


Published : June 29, 2026 at 10:59 AM IST
କଟକ: କଟକ ବଡ଼ ମେଡିକାଲକୁ ଆସି ହଜି ଯାଉଛନ୍ତି ରୋଗୀ । ଚିକିତ୍ସିତ ହେଉଥିବା ଅବସ୍ଥାରେ ରୋଗୀ ମାନେ ହଜି ଯାଉଛନ୍ତି । ଚଳିତ ବର୍ଷ ଜାନୁଆରୀ ମାସରୁ ଏଯାବତ 66 ଜଣ ରୋଗୀ ହଜି ଯାଇଥିବା ନେଇ ମଙ୍ଗଳାବାଗ ଥାନାରେ ରିପୋର୍ଟ ହୋଇଛି । ରୋଗୀଙ୍କ ନିଖୋଜ ରିପୋର୍ଟ କୁ ନେଇ ଏଭଳି ଖବର ଚିନ୍ତାର କାରଣ ପାଲଟିଛି ।
ଏସିବିରେ ହଜି ଯାଉଛନ୍ତି ରୋଗୀ
ଗତ 23 ତାରିଖରେ କଟକ ବଡ଼ ମେଡିକାଲରୁ ଜଣେ ରୋଗୀ ନିଖୋଜ ହେବା ନେଇ ଚର୍ଚ୍ଚା ଜୋର ଧରିବା ପରେ ତାଙ୍କୁ ଖୋଜି ପାଇବାରେ ସଫଳ ହୋଇଛି କମିଶନରେଟ ପୋଲିସ । ରୋଗୀ ଜଣଙ୍କୁ କଟକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରୁ ପୋଲିସ ଉଦ୍ଧାର କରିଛି । ଚନ୍ଦ୍ରକାନ୍ତ ମହାନ୍ତି ନାମକ ଜଣେ ରୋଗୀ କଟକ ବଡ଼ ମେଡିକାଲରୁ ଚିକିତ୍ସିତ ଅବସ୍ଥାରେ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ମଙ୍ଗଳାବାଗ ଥାନା ନିଖୋଜ ମାମଲା ରୁଜୁ କରି ଖୋଜା ଖୋଜି କରିଥିଲେ । ମଙ୍ଗଳାବାଗ ପୋଲିସ୍ ସିସିଟିଭି ଓ ନିରୁଦିଷ୍ଟଙ୍କ ଫଟୋ ମଧ୍ୟ ଜାରି କରିଥିଲା । ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ତାଙ୍କୁ ଉଦ୍ଧାର କରିଛି ପୋଲିସ । ସମ୍ପର୍କୀୟ ଆସିବା ପରେ ତାଙ୍କୁ ପୋଲିସ ହସ୍ତାନ୍ତର କରିବ ବୋଲି ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ସ୍ପଷ୍ଟ କରିଛନ୍ତି ।
କଟକ ଏସସିବି ମେଡିକାଲ ସୁପର ସ୍ପେଶିଆଲିଷ୍ଟ ଆଉଟଡୋରରୁ ଗତ ମଙ୍ଗଳବାର ଦିନ ନେଫ୍ରୋଲୋଜି ଡାକ୍ତରଙ୍କୁ ଦେଖାଇବା ପାଇଁ ପରିବାର ଲୋକେ ଆଣିଥିବା ବେଳେ ସେଠାରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ ଚନ୍ଦ୍ରକାନ୍ତ । ଏନେଇ ଏସିପି କହିଛନ୍ତି ଯେ ‘‘ କଟକ ବଡ଼ ମେଡିକାଲକୁ ଦୈନିକ ହଜାର ହଜାର ରୋଗୀ ଚିକିତ୍ସିତ ହେବାକୁ ଆସନ୍ତି । ବିଶେଷକରି ଯେଉଁ ରୋଗୀ ମାନଙ୍କ କେହି ସମ୍ପର୍କୀୟ ଆସନ୍ତି ନାହିଁ ସେମାନଙ୍କ କ୍ଷେତ୍ରରେ ଏପରି ଅଘଟଣ ଘଟୁଛି । ଏନେଇ ପ୍ରତ୍ୟକ ସପ୍ତାହରେ 3 ରୁ 4 ଟି ନିଖୋଜ ମାମଲା ଥାନାରେ ରୁଜୁ ହେଉଛି । ବଡ଼ କଥା ହେଉଛି ସେମାନଙ୍କୁ ଖୋଜା ଖୋଜି କରିବା ପାଇଁ ଥାନା ପକ୍ଷରୁ ଏକ ଟିମ ମଧ୍ୟ ଗଠନ କରାଯାଇଛି । ଏହି ଟିମ ସେମାନଙ୍କୁ ଖୋଜା ଖୋଜି କରୁଛନ୍ତି । ନିଖୋଜ ମାନଙ୍କ ମଧ୍ୟରୁ ଯଦିଓ ଅନେକଙ୍କୁ ପୋଲିସ ଉଦ୍ଧାର କରୁଛି ମାତ୍ର ନିଖୋଜ ସଂଖ୍ୟା ବୃଦ୍ଧି ପାଉଛି’’।
ଗୋଟିଏ ବର୍ଷ ମଧ୍ୟରେ ମଙ୍ଗଳାବାଗ ଥାନାରେ 66 ଟି ନିଖୋଜ ମାମଲା ରୁଜୁ କରାଯାଇଥିବା ଏସିପି ସ୍ପଷ୍ଟ କରିଛନ୍ତି । ତେଵେ ଯେଉଁ ମାନେ କଟକ ବଡ଼ ମେଡିକାଲ ଆସୁଛନ୍ତି ସେମାନେ ନିଜ ସାଥିରେ ସମ୍ପର୍କୀୟ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ଯେଉଁ ସମ୍ପର୍କୀୟ ମାନେ ରୋଗୀଙ୍କୁ ନେଇ ଆସୁଛନ୍ତି ସେମାନେ ତାଙ୍କ ଉପରେ ନଜର ରଖିବାକୁ ଏସିପି ପରାମର୍ଶ ଦେଇଛନ୍ତି । ଏହି କ୍ରମରେ ମାନସିକ ରୋଗୀଙ୍କ ନିଖୋଜ ସଂଖ୍ୟା ଅଧିକ ବୋଲି ଏସିପି କହିଛନ୍ତି।
ଏହା ମଧ୍ୟ ପଢନ୍ତୁ କଟକ ସହରରେ ମାଳ ମାଳ ମୁକୁଳା ଡ୍ରେନ; ଅଘଟଣ ଘଟିଲେ କିଏ ଦାୟୀ ?
ଏହା ମଧ୍ୟ ପଢନ୍ତୁ ଡାକ୍ତରୀ ଛାତ୍ରୀ ମୃତ୍ୟୁ ମାମଲା: 'ଅଭିଯୁକ୍ତ ଭୀମସେନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ପୋଲିସ, ହୋଇପାରେ ମିଛ ଧରା ପରୀକ୍ଷା'- କଟକ ଡିସିପି
ଇଟିଭି ଭାରତ, କଟକ

