ବଢ଼ିବ ୫୦୨ ମେଡିକାଲ୍ ପିଜି ସିଟ୍: ଭିତ୍ତିଭୂମି ପ୍ରସ୍ତୁତି ଆରମ୍ଭ ପାଇଁ DMETଙ୍କ ନିର୍ଦ୍ଦେଶ
ଏଦିଗରେ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ଆବଶ୍ୟକୀୟ ପଦବୀ ସୃଷ୍ଟି ଏବଂ ଆର୍ଥିକ ପ୍ରଭାବ ସମ୍ପର୍କରେ ଏକ ବ୍ୟାପକ ପ୍ରସ୍ତାବ ତୁରନ୍ତ ଏହି ନିର୍ଦ୍ଦେଶାଳୟକୁ ଦାଖଲ କରିବାକୁ କୁହାଯାଇଛି ।


Published : January 9, 2026 at 9:45 PM IST
ଭୁବନେଶ୍ବର: ସରକାରୀ ମେଡିକାଲ କଲେଜରେ ଆଉ ୫୦୨ ପିଜି ସିଟ୍ ବୃଦ୍ଧି ଯୋଜନା କରିଛନ୍ତି ରାଜ୍ୟ ସରକାର । ଏନେଇ ଆଗାମୀ ୨ ବର୍ଷ ମଧ୍ୟରେ ପିଜି ସିଟ୍ ବଢ଼ାଇବାକୁ ସରକାର ଯୋଜନା କରିଛନ୍ତି । ଏନେଇ ରାଜ୍ୟର ୧୨ଟି ମେଡିକାଲ କଲେଜକୁ ଚିଠି ଲେଖିଛନ୍ତି DMET । ତେବେ ଭିତ୍ତିଭୂମି ପ୍ରସ୍ତୁତି ଆରମ୍ଭ ପାଇଁ ଚିଠିରେ DMET ନିର୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟର ସମସ୍ତ ସରକାରୀ ଏମସିଏଚ୍ର ଡିନ୍ ଏବଂ ପ୍ରିନ୍ସିପାଲ ସମେତ PGIMER ଏବଂ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ, କଟକର AHPGICର ନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି ।
ଚିଠିରେ କୁହାଯାଇଛି ଯେ, ଶିକ୍ଷାନୁଷ୍ଠାନରେ ପିଜି ସିଟ୍ ବୃଦ୍ଧି ଏବଂ ନୂତନ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ଏଦିଗରେ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ଆବଶ୍ୟକୀୟ ପଦବୀ ସୃଷ୍ଟି ଏବଂ ଆର୍ଥିକ ପ୍ରଭାବ ସମ୍ପର୍କରେ ଏକ ବ୍ୟାପକ ପ୍ରସ୍ତାବ ତୁରନ୍ତ ଏହି ନିର୍ଦ୍ଦେଶାଳୟକୁ ଦାଖଲ କରିବାକୁ କୁହାଯାଇଛି । ଯାହା NMC ଆବେଦନ ପୋର୍ଟାଲକୁ ଦୃଷ୍ଟିରେ ରଖି ଏହାକୁ ଜରୁରୀ ଭାବେ ଗୁରୁତ୍ୱ ଦିଆଯାଇଛି ।

କେଉଁ ମେଡିକାଲ କଲେଜରେ କେତେ ସିଟ୍ ବୃଦ୍ଧି ହେବ-
୫୦୨ଟି ପିଜି ସିଟ୍ ମଧ୍ୟରୁ-
- କେନ୍ଦୁଝର ମେଡିକାଲ କଲେଜରେ ୩୭ଟି ପିଜି ସିଟ୍
- ବଲାଙ୍ଗିର ମେଡିକାଲ କଲେଜରେ ୫୭
- ବାରିପଦା ମେଡିକାଲ କଲେଜରେ ୧୮
- PGIMER ଏବଂ କ୍ୟାପିଟାଲ ହସ୍ପିଟାଲରେ ୨୬
- କଟକ ଏସିବି ମେଡିକାଲ କଲେଜରେ ୨୪
- ତାଳଚେର ମେଡିକାଲ କଲେଜରେ ୩୬
- ଯାଜପୁର ମେଡିକାଲ କଲେଜରେ ୭୦
- ଫୁଲବାଣୀ ମେଡିକାଲ କଲେଜରେ ୭୬
- କୋରାପୁଟ ମେଡିକାଲ କଲେଜରେ ୭୫
- କଳାହାଣ୍ଡି ମେଡିକାଲ କଲେଜରେ ୩୫
- ବ୍ରହ୍ମପୁର ମେଡିକାଲ କଲେଜରେ ୧୯
- ସୁନ୍ଦରଗଡ଼ ମେଡିକାଲ କଲେଜରେ ୨୯ଟି ପିଜି ସିଟ ବୃଦ୍ଧି ପାଇଁ କରାଯାଇଛି ଯୋଜନା
ତେବେ ଏନେଇ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (DMET) ସନ୍ତୋଷ କୁମାର ମିଶ୍ର କହିଛନ୍ତି ଯେ, "ବର୍ତ୍ତମାନ ସମୟରେ ମେଡିକାଲ ପାଠ ପଢ଼ାର ଚାହିଦା ବଢ଼ିବାରେ ଲାଗିଛି । ତେଣୁକରି ସିଟ୍ ବୃଦ୍ଧି କରାଯାଉଛି । କିନ୍ତୁ ସମସ୍ତ ମେଡିକାଲ କଲେଜକୁ ନିର୍ଦେଶ ଦିଆଯାଇଛି ଯେ, ଏନେଇ ପ୍ରସ୍ତୁତ ରୁହନ୍ତୁ । ଏନଏମସି ପକ୍ଷରୁ ଅନୁମୋଦିତ ହେଲାପରେ ସିଟ୍ ବୃଦ୍ଧି କରାଯିବ", ବୋଲି ସେ କହିଛନ୍ତି ।
ସୂଚନା ଅନୁଯାୟୀ, ଅକ୍ଟୋବର ମାସରେ ଓଡ଼ିଶାର ୬ଟି ମେଡିକାଲ କଲେଜରେ ୬୨ଟି ଅତିରିକ୍ତ ପିଜି ସିଟ୍ ବୃଦ୍ଧି କରାଯାଇଥିଲା । ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଓଡ଼ିଶାର ଏହି ସିଟ୍ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ଓଡ଼ିଶାର ସମ୍ବଲପୁର ଜିଲ୍ଲାର ବୁର୍ଲା ଭିମସାର ସମେତ କ୍ୟାପିଟାଲ ହସ୍ପିଟାଲ, ବାରିପଦା ପିଆରଏମ୍ ମେଡିକାଲ କଲେଜ, ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜ, ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ସିଟ୍ ବୃଦ୍ଧି କରାଯାଇଛି। ଯେପରିକି ବୁର୍ଲା ଭିମସାର ମେଡିକାଲ କଲେଜରେ ୧୫ଟି ସିଟ୍, କଟକ ଏସସିବି ମେଡିକାଲ କଲେଜରେ ୩ଟି, ଭୁବନେଶ୍ୱର ପିଜିଆଇଏମଇଆର ଓ କ୍ୟାପିଟାଲ ହସ୍ପିଟାଲରେ ୬ଟି, ବାରିପଦା ପିଆରଏମ ମେଡିକାଲ କଲେଜରେ ୨୦ଟି, ବାଲେଶ୍ୱର ଏଫଏମ ମେଡିକାଲ କଲେଜରେ ୮ଟି, ବଲାଙ୍ଗିର ଭୀମ ଭୋଇ ମେଡିକାଲ କଜେଲରେ ୧୦ଟି ସିଟ୍ ବୃଦ୍ଧି କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ- ୬ଟି ମେଡିକାଲ କଲେଜରେ ୬୨ ଅତିରିକ୍ତ ପିଜି ସିଟ୍ ବୃଦ୍ଧି; ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ଏହା ମଧ୍ୟ ପଢ଼ନ୍ତୁ- MBBS ଆଡମିସନ ନାଁରେ ଛାତ୍ରଙ୍କ ସହ ଠକେଇ
ଇଟିଭି ଭାରତ, ଭୁବନେଶ୍ବର

