ସମ୍ବଲପୁର ଏସଏମସିରେ ଗଡୁଛି 50 ସରକାରୀ ବସ୍ ; ନାହିଁ ପର୍ଯ୍ୟାପ୍ତ ପ୍ରତୀକ୍ଷାଳୟ; ଯାତ୍ରୀ ହନ୍ତସନ୍ତ
ସମ୍ବଲପୁରରେ 25ଟି ଇଭି ବସ୍, 25 ଡିଜେଲ ବସ ରହିଛି l ଦୈନିକ ଏହି ବସରେ 5000 ରୁ ଅଧିକ ଯାତ୍ରୀ ଯାତାୟାତ କରୁଛନ୍ତି । ବସ ଅନୁପାତରେ ଯାତ୍ରୀ ପ୍ରତୀକ୍ଷାଳୟ ନାହିଁ l


Published : February 21, 2026 at 10:54 AM IST
|Updated : February 21, 2026 at 11:45 AM IST
ସ୍ପେଶାଲ ରିପୋର୍ଟ:ବାଦଶାହ ଜୁସ୍ମନ ରାଣା
CIVIC ISSUE ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର l ରାଜନୈତିକ, ପ୍ରଶାସନିକ, ଶିକ୍ଷା, ଯୋଗାଯୋଗ, ସାଂସ୍କୃତିକ ଓ ଐତିହାସିକ କ୍ଷେତ୍ରରେ ଏହାର ବହୁତ ଗୁରୁତ୍ବ ରହୁଛି l 2014ରୁ ଏହାକୁ ମହାନଗର ନିଗମର ମାନ୍ୟତା ମିଳିଛି l ସମ୍ବଲପୁର ଓ ପଡୋଶୀ ଝାରସୁଗୁଡା ଜିଲ୍ଲାରେ ବହୁତ ଗୁଡିଏ ଶିଳ୍ପ ଅନୁଷ୍ଠାନ ଥିବା ବେଳେ ସମ୍ବଲପୁର ମହାନଗର ନିଗମ ଓ ଅଖପାଖ 30 କିମି ଭିତରେ ଜି.ଏମ. ବିଶ୍ୱ ବିଦ୍ୟାଳୟ, ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ, ସମ୍ବଲପୁର ଜ୍ୟୋତିବିହାର ବିଶ୍ୱ ବିଦ୍ୟାଳୟ, ଓୟୁଏଟି, IIM-ସମ୍ବଲପୁର, VSSIMSAR ମେଡିକାଲ, VSSUT ଇଞ୍ଜିନିୟରିଂ ପରି 7 ଟି ବିଶ୍ୱ ବିଦ୍ୟାଳୟ ରହିଛି l ତେଣୁ ଏହି ସହର ଏକ ଏଜୁକେସନ ହବ ପାଲଟିଥିବା ବେଳେ ଆଖ ପାଖରେ ବୃଦ୍ଧି ହେଉଥିବା ଶିଳ୍ପାୟନ ଯୋଗୁ ଏବେ ବିଭିନ୍ନ ସ୍ଥାନର ବିଭିନ୍ନ ବର୍ଗର ଲୋକେ ଆସି ସମ୍ବଲପୁର ସହରରେ ରହୁଛନ୍ତି l ତେଣୁ ବଢୁଛି ସହରର କଳେବର ଓ ଜନସଂଖ୍ୟା l ଆଉ ଏହାକୁ ଦେଖି ସହର ଭିତରେ ଲୋକଙ୍କ ଗମନାଗମନ ପାଇଁ ପ୍ରାୟ 50 ଟି ଟାଉନ ବସ ଚଳାଉଛନ୍ତି ସରକାର l
50 ସ୍ଥାନରେ ଅଟକୁଛି ବସ୍ କିନ୍ତୁ ଯାତ୍ରୀ ପ୍ରତୀକ୍ଷାଳୟ ନାହିଁ
ଏଥିରେ 25ଟି ଇଭି ବସ ଥିବା ବେଳେ 25 ଟି ଡିଜେଲ ବସ ରହିଛି l ଦିନ ତମାମ ଏହି ସବୁ ବସ ସମ୍ବଲପୁର, ବୁର୍ଲା ଓ ହୀରାକୁଦର ବିଭିନ୍ନ ରୁଟରେ ଅହରହ ଚାଲୁଛି l ଦୈନିକ ଏହି ବସ ଗୁଡିକରେ 5000 ରୁ ଅଧିକ ଯାତ୍ରୀ ଯାତାୟାତ କରୁଥିଲେ ମଧ୍ୟ ମହାନଗର ନିଗମ ଅଞ୍ଚଳରେ ଚାଲୁଥିବା ବସ ଅନୁପାତରେ ଯାତ୍ରୀ ପ୍ରତୀକ୍ଷାଳୟ ବା ବସ ଷ୍ଟପ ନାହିଁ l ଅର୍ଥାତ୍ ବସ ଅଛି କିନ୍ତୁ ନାହିଁ ବସ ଷ୍ଟପ l ଏଭଳି ସ୍ଥିତିରେ ସହରର ଅଣଓସାରିଆ ରାସ୍ତାରେ ଖରା ବର୍ଷା ଶୀତ କାକରରେ ଲୋକେ ଏଣେ ତେଣେ ଅଟକି ରହି ବସକୁ ଅପେକ୍ଷା କରୁଥିବାର ଦେଖିବାକୁ ମିଳୁଛି l ଅନ୍ୟପଟେ ଆଗକୁ ଖରାଦିନେ ଆସୁଥିବା ବେଳେ ଲୋକେ ପ୍ରବଳ ଖରା ରେ ଲୋକେ କେଉଁଠି ଛିଡା ହୋଇ ବସ କୁହ ଅପେକ୍ଷା କରିବେ ତାହା ଏକ ବଡ଼ ସମସ୍ୟା l ମୁଖ୍ୟତଃ ବରିଷ୍ଠ ନାଗରିକ ଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା ହୋଇଛି l କାରଣ ସମ୍ବଲପୁର ସହର ରେ ଖରାଦିନେ ତାପମାତ୍ରା 48 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଉଥିବା ବେଳେ ଆଗକୁ ଯଥା ଶୀଘ୍ର ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରିବାକୁ ଦାବୀ ହୋଇଛି l 5 ଲକ୍ଷ ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ସମ୍ବଲପୁର ମହାନଗର ନିଗମ ରେ ଏବେ ବସ ଷ୍ଟପ ସମସ୍ୟା ଏକ ପ୍ରମୁଖ ସମସ୍ୟା ହୋଇଛି l ମହାନଗର ନିଗମର 50 ଟି ସ୍ଥାନରେ ଟାଉନ ବସ ଅଟକୁ ଥିବା ବେଳେ ବସ ଷ୍ଟପ କିନ୍ତୁ ଦେଖିବାକୁ ମିଳୁନାହିଁ l

ବର୍ତମାନ ସମ୍ବଲପୁର ମହାନଗର ନିଗମ ର ଜନସଂଖ୍ୟା 5 ଲକ୍ଷ ହୋଇଥିବା ବେଳେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଏହାର 20% ରହିଛି l ଅନ୍ୟପଟେ ଏଠାରେ ବହୁ ଗୁଡିଏ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ଥିବାରୁ ଛାତ୍ର ଛାତ୍ରୀ ଓ ଯୁବ ପିଢୀର ସଂଖ୍ୟା ବହୁତ ବେଶୀ l ତେଣୁ ଏହି ସରକାରୀ ବସ ସେବା ରେ ଏହି ବର୍ଗର ଲୋକ ଅଧିକ ଯାତାୟାତ କରୁଛନ୍ତି lଖରାଦିନ ଆସୁଛି, ଲୋକେ ଟିକେ ଛାଇରେ ବସି ପାରିବେ
ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ସଂଘର ଉପସଭାପତି ପ୍ରଫୁଲ୍ଲ ହୋତା ସହରର ଏହି ସମସ୍ୟା ନେଇ କୁହନ୍ତି, 'ସମ୍ବଲପୁର ର ଜନସଂଖ୍ୟା ବର୍ତ୍ତମାନ ବହୁତ ବଢିଯାଇଛି l ଆଉ ଏହାକୁ ଦୃଷ୍ଟି ରେ ରଖି ସରକାର ତଥା ଜିଲ୍ଲା ପ୍ରଶାସନ ବହୁତ ଗୁଡିଏ ସରକାରୀ ବସ ସହରରେ ଚଳାଉଛନ୍ତି l ଅନ୍ୟପଟେ ସବୁଠୁ ବଡ଼ ସମସ୍ୟା ହେଲା, ଯେତିକି ବସ ଚାଲୁଛି ସେହି ହିସାବରେ ବସ ଷ୍ଟପର ବ୍ୟବସ୍ଥା ନାହିଁ l ଯେହେତୁ ସମ୍ବଲପୁରରେ ବହୁତ ଗୁଡିଏ ଶିକ୍ଷା ଅନୁଷ୍ଠାନ ଅଛି, ଆଉ ଏହା ଏକ ଏଜୁକେସନ ହବରେ ପରିଣତ ହୋଇଛି, ଏଥିପାଇଁ ଏହି ବସ ଗୁଡିକରେ ଛାତ୍ର ଛାତ୍ରୀ ଓ ବରିଷ୍ଠ ନାଗରିକମାନେ ଅଧିକ ଯିବା ଆସିବା କରୁଛନ୍ତି l ତେଣୁ ମୁଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିବି ଯେ, ଟାଉନ ଭିତରେ ପର୍ଯ୍ୟାପ୍ତ ଯାତ୍ରୀ ପ୍ରତୀକ୍ଷାଳୟର ବ୍ୟବସ୍ଥା କରନ୍ତୁ । କାରଣ ଆଗକୁ ଖରାଦିନ ଆସୁଛି l ଏହା ହୋଇ ପାରିଲେ ଲୋକେ ଟିକେ ଛାଇ ପାଇବା ସହ ବସରେ ଯିବା ଆସିବାରେ ସୁବିଧା ପାଇ ପାରିବେ l'

ଯାତ୍ରୀମାନେ ଜାଣି ପାରୁ ନାହାନ୍ତି କେଉଁଠି ବସ୍ ରହିବ
ସମ୍ବଲପୁର ସହରର ଏହି ସମସ୍ୟା ଆଜିର ନୁହେଁ, ଏହା ବହୁତ ପୁରୁଣା ଅଟେ l ମୁଖ୍ୟତଃ ସହର ଭିତରେ ଥିବା ମୂଖ୍ୟ ରାସ୍ତା ଅଧିକ ସ୍ଥାନରେ ଅଣ ଓସାରିଆ ଥିବା ବେଳେ କେତେକ ସ୍ଥାନରେ ଜବରଦଖଲ ରହିଛି l ଏଥିପାଇଁ ଆଜି ପର୍ଯ୍ୟନ୍ତ ବସ ଷ୍ଟପ ତିଆରି ରେ ଅସୁବିଧା ହେଉଛି l ସମ୍ବଲପୁରର ସମାଜସେବୀ ତଥା ଭୀମସାରର ଡାକ୍ତର ସଞ୍ଜୀବ ମିଶ୍ର ଏହି ସମସ୍ୟା ନେଇ କୁହନ୍ତି, 'ସମ୍ବଲପୁର ପଶ୍ଚିମ ଓଡିଶାର ଏକ ପୁରାତନ ସହର l ତା ସହ ବିଗତ କିଛି ବର୍ଷ ମଧ୍ୟରେ ସହରୀକରଣ ଓ ଦ୍ରୁତ ଶିଳ୍ପାୟନ ଯୋଗୁ ବିଭିନ୍ନ ସ୍ଥାନରୁ ଲୋକମାନେ ସମ୍ବଲପୁର ଆସି ରହିବାକୁ ଲାଗିଲେ l ଏହା ଦ୍ୱାରା ମହାନଗର ବଢିଛି ଓ ଏଠାରେ 6 ରୁ 8 ଲକ୍ଷ ଲୋକ ରହୁଛନ୍ତି l ତେବେ ସହରର ରାସ୍ତା ଗୁଡିକ ଯେଉଁ ରାସ୍ତା ଦେଇ ବସ ଯାଉଛି ସେହି ରସ୍ତା ଗୁଡିକ ଏବେ ବି ଅଣ ଓସାରିଆ ହୋଇ ରହିଛି l ଯେଉଁ ସ୍ଥାନରେ ରାସ୍ତା ଚଉଡା ହେବା କଥା ତାହା ହୋଇ ପାରିନି l ଏହା ସହ ନିର୍ଦ୍ଧିଷ୍ଟ ସ୍ଥାନରେ ବସ ଷ୍ଟପ ନାହିଁ l ଯାତ୍ରୀମାନେ ଜାଣି ପାରୁ ନାହାନ୍ତି କେଉଁଠି ବସ ରହିବ l ଭୁବନେଶ୍ୱରରେ ବସ ଷ୍ଟପ ରହୁଛି, ଯେଉଁଠି ବସିବାର ସୁବିଧା ଅଛି । ଯାତ୍ରୀ, ବରିଷ୍ଠ ନାଗରିକ ହୁଅନ୍ତୁ କି ଦିବ୍ୟାଙ୍ଗ ସେମାନେ ସେଠାରେ ବସି ପାରୁଛନ୍ତି l ସମ୍ବଲପୁରରେ ସେହି ସୁବିଧା ନାହିଁ । ଆଉ ତାର ପ୍ରମୁଖ କାରଣ ହେଲା ରାସ୍ତା ଅଣ ଓସାରିଆ l ତେଣୁ ଏଥିପ୍ରତି ସରକାରଙ୍କୁ ଧ୍ୟାନ ଦେବାକୁ ହେବ l ତା ସହ ଯେହେତୁ ଏଠାରେ ଦୈନିକ 5000 ରୁ 6000 ଯାତ୍ରୀ ଏହି ବସ ରେ ଯାତାୟାତ କରୁଛନ୍ତି ବସ ଗୁଡିକର ରୁଟ ବିଷୟରେ ମଧ୍ୟ ବସ ଷ୍ଟପରେ ସୂଚନା ଫଳକ ଲାଗିବା କଥା l'

ଖାଲି ବସ ଚଳେଇଲେ ହେବନି, ଯାତ୍ରୀ ପ୍ରତୀକ୍ଷାଳୟ କରିବା ଆବଶ୍ୟକ
ବର୍ତମାନ ଏହି ଟାଉନ ବସ ଛାତ୍ର ଛାତ୍ରୀଙ୍କ ଯାତାୟାତର ପ୍ରମୁଖ ସାଧନ ପାଲଟିଛି l କାରଣ ଏହା ଜି.ଏମ ବିଶ୍ୱ ବିଦ୍ୟାଳୟରୁ ଆରମ୍ଭ କରି, VSSUT ଇଞ୍ଜିନିୟରିଂ ବିଶ୍ୱ ବିଦ୍ୟାଳୟ, VSSIMSAR ବଡ଼ ମେଡିକାଲରୁ ସମ୍ବଲପୁର ଜ୍ୟୋତିବିହାର ବିଶ୍ୱ ବିଦ୍ୟାଳୟ ସବୁ ଜାଗାକୁ ଯାତାୟାତ କରେ l ତେଣୁ କମ ଭଡାରେ ଯାତାୟାତ କରିବାକୁ ଛାତ୍ର ଛାତ୍ରୀ ପସନ୍ଦ କରୁଛନ୍ତି l ତେବେ ଏହି ବସ ଷ୍ଟପ ସମସ୍ୟା ନେଇ ଜି.ଏମ. ବିଶ୍ୱ ବିଦ୍ୟାଳୟର ଛାତ୍ର ଚୁମନ ପ୍ରଧାନ କୁହନ୍ତି, 'ସମ୍ବଲପୁର ଏକ ଏଜୁକେସନ ହବ ହେବା ସହ ପଶ୍ଚିମ ଓଡିଶା ଏକ ଏକ ପ୍ରମୁଖ ସହର l ଏହି ସହରରେ ପଶ୍ଚିମ ଓଡିଶାର ଛାତ୍ର ଛାତ୍ରୀ ନିର୍ଭର କରି ଆସୁଛନ୍ତି କାରଣ ଏଠାରେ ଜି.ଏମ. ବିଶ୍ୱ ବିଦ୍ୟାଳୟ ଓ ଭିସୁଟ ପରି ବିଶ୍ୱ ବିଦ୍ୟାଳୟ ରହିଛି l ଏହା ସହ ସମ୍ବଲପୁର ର ଜନସଂଖ୍ୟା ପ୍ରାୟ 5 ଲକ୍ଷ ରୁ ଅଧିକ ହୋଇଥିବା ବେଳେ ଦୈନିକ 5000 ଲୋକ ଏହି ବସ ଗୁଡିକ ରେ ଯାତାୟାତ କରୁଛନ୍ତି l ଏଥିରେ ବରିଷ୍ଠ ନାଗରିକ, ଛାତ୍ର ଛାତ୍ରୀ ସହ ସବୁ ବର୍ଗର ଲୋକ ଅଛନ୍ତି l ତେବେ ଏଠାରେ ବସ ଷ୍ଟପ ର ସମସ୍ୟା ରହିଛି l ତେଣୁ ଖରା ଓ ବର୍ଷା ଦିନେ ବରିଷ୍ଠ ନାଗରିକ, ଛାତ୍ର ଛାତ୍ରୀ ତଥା ଯାତ୍ରୀ ମାନେ ବହୁତ ହଇରାଣ ହୁଅନ୍ତି l ତେଣୁ କେବଳ 40 ରୁ 50 ଟା ବସ ଚଳେଇଲେ ହେବନି ଏଥିପାଇଁ ଆବଶ୍ୟକ ମୁତାବକ ଯାତ୍ରୀ ପ୍ରତୀକ୍ଷାଳୟ ତିଆରି କରିବାର ଆବଶ୍ୟକତା ରହିଛି l'

ଖରାଦିନେ ଗ୍ରାମାଞ୍ଚଳରୁ ଆସୁଥିବା ଯାତ୍ରୀ ଅସୁବିଧା ଭୋଗୁଛନ୍ତି
ଅନ୍ୟପଟେ ଗ୍ରାମଞ୍ଚଳରୁ ସହରକୁ ଆସୁଥିବା ଯାତ୍ରୀ ଏବେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି l କାରଣ ଗାଁରୁ ଆସୁଥିବା ସରଳ ଓ ଅଜ୍ଞ ଲୋକେ ବସ କେଉଁଠି ଛିଡା ହେବ ଜାଣି ପାରୁନାହାନ୍ତି l ସମ୍ବଲପୁର ସହର ଉପକଣ୍ଠ ଚାଁରପୁର ଗାଁରୁ ଆସିଥିବା ଜଣେ ମହିଳା ସଂଗୀତା ମିର୍ଧା କହିଛନ୍ତି, 'ଏଠାରେ ବସ ଷ୍ଟପ ନାହିଁ l ଆଗକୁ ଖରା ଦିନ ଆସୁଛି l ସେତେବେଳେ ଆମେ ପ୍ରବଳ ଗରମରେ କେଉଁଠି ବସକୁ ଅପେକ୍ଷା କରିବୁ l ବସ ଷ୍ଟପ ଟିଏ ଥିଲେ ଆମେ ସୁବିଧାରେ ସେଠାରେ ବସି ପାରନ୍ତୁ l ତେଣୁ ସହରରେ ବସ ଷ୍ଟପ ତିଆରି ହେବା କଥା ନହେଲେ ଆଗକୁ ଖରା ଦିନେ ବରିଷ୍ଠ ନାଗରିକ ମଧ୍ୟ ଅଧିକ ଅସୁବିଧା ଭୋଗିବେ l'

ବସ ଷ୍ଟପ୍ ବହୁତ ଶୀଘ୍ର ତିଆରି ହେବ-ଜିଲ୍ଲାପାଳ
ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଏହି ସମସ୍ୟା ନେଇ କହିଛନ୍ତି', ବର୍ତମାନ ଯେଉଁ କେତୋଟି ବସ ଷ୍ଟପ ଅଛି ସେଗୁଡିକୁ ଆମେ ପୁନଃନିର୍ମାଣ କରିବୁ । ଯଦ୍ୱାରା ତାହା ଲୋକଙ୍କୁ ଦୃଶ୍ୟମାନ ହେବ l ଏହା ସହ ଆଗାମୀ ଦିନରେ ସହର ଭିତରେ ଆହୁରି 25 ଟି ବସ ଷ୍ଟପ ନିର୍ମାଣ ପାଇଁ ଜାଗା ଚିହ୍ନଟ କରିବାକୁ କମିଶନରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଛି l ତେଣୁ ଜାଗା ଚିହ୍ନଟ ହେଲେ ଯଥା ଶୀଘ୍ର ବସ ଷ୍ଟପ ତିଆରି କରାଯିବ l ବର୍ତମାନ 25 ଟି ଇ.ଭି. ବସ, 25 ଟି ଡିଜେଲ ବସ ଚାଲୁଥିବା ବେଳେ ଆଗକୁ ଆହୁରି 25 ଟି ଇ.ଭି. ବସ ଚାଲିବ ତେଣୁ ଏହି ବସ ଷ୍ଟପ ବହୁତ ଶୀଘ୍ର ତିଆରି ହେବ l'
ଇଟିଭି ଭାରତ, ସମ୍ବଲପୁର
ଏହା ମଧ୍ୟ ପଢନ୍ତୁ ୟୁଟ୍ୟୁବ ଦେଲା ପରିଚୟ: ଜୈବିକ ପଦ୍ଧତିରେ ବଗିଚାରେ ଫଳାଉଛନ୍ତି ବିଦେଶୀ ପିଜୁଳି, ଅନ୍ୟ ଚାଷୀଙ୍କ ପାଇଁ ସାଜିଲେ ପ୍ରେରଣା
ଏହା ମଧ୍ୟ ପଢନ୍ତୁ ଗରିବ ରୋଗୀଙ୍କ ପାଇଁ କୃଷ୍ଣଙ୍କ ମାଗଣା ଅଟୋ ସେବା, ଜିତୁଛନ୍ତି ଜନତାଙ୍କ ହୃଦୟ

