ଘଞ୍ଚ ଜଙ୍ଗଲରେ ବିଷ ପିଇଦେଲେ ଦମ୍ପତି; ବାପା-ମାଆଙ୍କ ମୃତଦେହକୁ ରାତି ସାରା ଜଗି ରହିଲା 5 ବର୍ଷର ପୁଅ
ଏଭଳି ଘଟଣା ଘଟିଛି ଦେବଗଡ ଜିଲ୍ଲାର କୁଣ୍ଢେଇଗୋଳା ଥାନା ଅଞ୍ଚଳରେ । ପୋଲିସ ଶିଶୁଟିକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Published : December 29, 2025 at 3:14 PM IST
|Updated : December 29, 2025 at 4:04 PM IST
ଦେବଗଡ: ଘରୋଇ ବିବାଦର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ମଧ୍ୟରେ ବିଷ ପିଇଦେଲେ ବାପା-ମାଆ । ରାତି ସାରା ମୃତ ବାପା ଓ ମାଆକୁ ଶୀତ କାକରରେ ଜଙ୍ଗଲରେ ଜଗିରହିଲା 5 ବର୍ଷର ଶିଶୁ ପୁତ୍ର । ଏଭଳି ଘଟଣା ଘଟିଛି ଦେବଗଡ ଜିଲ୍ଲାରେ । ରବିବାର ସକାଳ ସମୟରେ ଜଙ୍ଗଲ ବାହାରୁକୁ ଆସି ଶିଶୁ ପୁତ୍ରଟି ପଥଚାରୀଙ୍କୁ ଡାକିବାରୁ ଏହି ଘଟଣା ସାମ୍ନାକୁ ଆସିଛି । ମୃତକ ହେଉଛନ୍ତି ଦୁଷ୍ମନ୍ତ ମାଝୀ ଓ ତାଙ୍କ ଗୁରୁତର ସ୍ତ୍ରୀ ହେଉଛନ୍ତି ରିଙ୍କି ମାଝୀ ।
ଶନିବାର ଦିନ ଦୁଷ୍ମନ୍ତ ଓ ପତ୍ନୀ ରିଙ୍କି 5 ବର୍ଷର ପୁଅ ଗୌରବ ସହ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଅଧା ରାସ୍ତାରେ ବାଇକ ରଖି ଜଙ୍ଗଲ ମଧ୍ୟକୁ ଚାଲିଯାଇ ବିଷ ପିଇଦେଇଥିଲେ । ସବୁ ଦେଖୁଥିଲେ ମଧ୍ୟ ଶିଶୁ ପୁତ୍ରଟି ଉପାୟଶୂନ୍ୟ ଥିଲା । ଜଙ୍ଗଲରେ ମାଆ ଓ ବାପାର ମୃତଦେହକୁ ରାତିସାରା ଜଗି ରହିଥିଲା ।
ରବିବାର ସକାଳ ହେବା ମାତ୍ରେ ଜଙ୍ଗଲ ବାହାରକୁ ଆସି ପଥଚାରୀଙ୍କୁ ଘଟଣା ସମ୍ପର୍କରେ କହିଥିଲା ଶିଶୁଟି । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଖଇରପାଲି ଫାଣ୍ଡି ପୋଲିସକୁ ସୂଚନା ଦେଇଥିଲେ । ପୂର୍ବାହ୍ନ ପ୍ରାୟ 10ଟାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଷ୍ମନ୍ତ, ରିଙ୍କି ଓ ଗୌରବଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲା ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଦୁଷ୍ମନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ରିଙ୍କିଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି।
ଅପରପକ୍ଷେ ଅବସ୍ଥା ଗୁରୁତର ହେବାରୁ ଗୌରବଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ କୁଣ୍ଢେଇଗୋଳା ପୋଲିସ ଏକ ଅପମୃତ୍ଯୁ ମାମଲା(ନଂ.24/25) ରୁଜୁକରି ତଦନ୍ତ ଚଳାଇଛି। ବିଷ ପିଇବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନଥିବାବେଳେ ପାରିବାରିକ କଳହରୁ ଦମ୍ପତି ଏଭଳି ନିଷ୍ପତି ନେଇଥିବା ସନ୍ଦେହ କରାଯାଉଛି ବୋଲି କୁଣ୍ଢେଇଗୋଳା ଥାନା ଅଧିକାରୀ ଯୋହନ କୁଜୁରୁ ସୂଚନା ଦେଇଛନ୍ତି ।
ଏହି ଘଟଣାକୁ ନେଇ ପୋଲିସ କହିଛି ଯେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଜିଅନ୍ତାପାଲି ଗାଁର ବାସିନ୍ଦା ହେଉଛନ୍ତି ଦୁଷ୍ମନ୍ତ ମାଝୀ ଓ ରିଙ୍କି ମାଝୀ । ଉଭୟ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ସେହି ସମୟରେ ଘରୋଇ ବିବାଦ ନେଇ ବିଷ ପିଇଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ-ନାବାଳିକାଙ୍କୁ ଅସଦାଚରଣ କରି ବନ୍ଧା ହେଲେ ଶିକ୍ଷକ
ଏହା ମଧ୍ୟ ପଢନ୍ତୁ-କଟକ SCB ମେଡିକାଲ ICUରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ବନ୍ଧା ହେଲେ କର୍ମଚାରୀ
ଦେବଗଡ, ଇଟିଭି ଭାରତ

