ETV Bharat / state

ମାସକରେ ୩ ଥର ବନ୍ୟା, ଜଳବନ୍ଦୀ ଜୀବନ ବିତାଉଛନ୍ତି ୫ ଗାଁର ଲୋକେ

ମଝିପଡ଼ା, ବେହେରାସାହି, ଗଇଁନ୍ଦୀ, ରାମିମୁଣ୍ଡା ଓ ଅଣାକଣୀ-ଏହି ପାଞ୍ଚଟି ଗାଁର ପ୍ରାୟ ୨,୫୦୦ରୁ ଅଧିକ ଲୋକ  ପ୍ରାୟ ଏକ ମାସ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି। ରିପୋର୍ଟ- ସଂଗ୍ରାମ ରଞ୍ଜନ ନାଥ

5 villages of anugul are living with floods and waterlogging three times a month
ମାସକରେ ୩ ଥର ବନ୍ୟା, ଜଳବନ୍ଦୀ ଜୀବନ ବିତାଉଛନ୍ତି ୫ ଗାଁର ଲୋକେ (Etv Bharat)
author img

By ETV Bharat Odisha Team

Published : August 27, 2026 at 6:45 PM IST

3 Min Read
Choose ETV Bharat

ଅନୁଗୋଳ: ଯୁଆଡେ ଚାହିଁବ ସିଆଡେ ପାଣି । ପାଣିର ଏ ପ୍ରଳୟଙ୍କରୀ ରୂପରେ ରାସ୍ତାଘାଟ, ବିଲବାଡ଼ି ନିଜର ଅସ୍ତିତ୍ୱ ହରାଇଛନ୍ତି । ଲୋକେ ଘର ଭିତରେ ଜଳବନ୍ଦୀ ହୋଇ ଅଛନ୍ତି । କୁଆଡେ ଯିବେ ? ରାସ୍ତା ଦେଖାଯାଉନି । ଦିଶୁୁଛି କେବଳ ପାଣି । ଘରୁ ବାହାରିବାକୁ ହେଲେ ଭରସା ଡଙ୍ଗା। ଏପରି ସ୍ଥିତିରେ ପିଲାଙ୍କ ସ୍କୁଲ ଯିବା ବନ୍ଦ । ମଜୁରିଆଙ୍କ କାମ ବନ୍ଦ । ଗାଈ, ଛେଳି ଆଦି ଗୃହପାଳିତ ପଶୁ ଉପାସରେ । କେମିତି ଯୋଗାଡ ହେବ ସେମାନଙ୍କ ଖାଦ୍ୟ ? ଏମିତି ଦୁରବସ୍ଥା ମଧ୍ୟରେ ଅଛନ୍ତି ଅନୁଗୋଳ ଜିଲ୍ଲାର ଟିକରପଡ଼ା ପଞ୍ଚାୟତ ଅଧୀନ ସାତକୋଶିଆ ଗଣ୍ଡ ଅବବାହିକାର ପାଞ୍ଚଟି ଗାଁର ଲୋକେ ।

ଜଳବନ୍ଦୀ ଜୀବନ ବିତାଉଛନ୍ତି ୫ ଗାଁର ଲୋକେ (Etv Bharat)

ମଝିପଡ଼ା, ବେହେରାସାହି, ଗଇଁନ୍ଦୀ, ରାମିମୁଣ୍ଡା ଓ ଅଣାକଣୀ-ଏହି ପାଞ୍ଚଟି ଗାଁର ପ୍ରାୟ ୨,୫୦୦ରୁ ଅଧିକ ଲୋକ ପ୍ରାୟ ଏକ ମାସ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି। ଗୋଟିଏ ବନ୍ୟାରୁ ଲୋକେ ମୁକୁଳିବା ପୂର୍ବରୁ ଆଉ ଏକ ବନ୍ୟା ଆସିଯାଉଛି। ଏକ ମାସ ମଧ୍ୟରେ ତିନିଥର ବନ୍ୟା ଏହି ଅଞ୍ଚଳର ଲୋକଙ୍କ ଜୀବନ ଓ ଜୀବିକାକୁ ଦୋହଲାଇ ଦେଇଛି । ଆର୍ଥିକ ମେରୁଦଣ୍ଡ ଦୁର୍ବଳ କରିଦେଲାଣି ।

5 villages of anugul are living with floods and waterlogging three times a month
ମାସକରେ ୩ ଥର ବନ୍ୟା, ଜଳବନ୍ଦୀ ଜୀବନ ବିତାଉଛନ୍ତି ୫ ଗାଁର ଲୋକେ (Etv Bharat)

ରାସ୍ତା ଅଛି, କିନ୍ତୁ ପାଣି ତଳେ

ମୁଖ୍ୟ ଅଞ୍ଚଳ ସହ ଏହି ପାଞ୍ଚଟି ଗାଁକୁ ସଂଯୋଗ କରୁଥିବା ରାସ୍ତା ଏବେ ପାଣି ତଳେ। ପ୍ରାୟ ଏକ ମାସ ହେବ ରାସ୍ତା ଉପରେ ପାଣି ଚାଲୁଥିବାରୁ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଜରୁରୀ କାମ ନଥିଲେ ଲୋକେ ଗାଁରୁ ବାହାରୁ ନାହାନ୍ତି। ଜରୁରୀ କାମ ପଡ଼ିଲେ ଛୋଟ ଡଙ୍ଗା ହିଁ ଏକମାତ୍ର ଭରସା।

5 villages of anugul are living with floods and waterlogging three times a month
ମାସକରେ ୩ ଥର ବନ୍ୟା, ଜଳବନ୍ଦୀ ଜୀବନ ବିତାଉଛନ୍ତି ୫ ଗାଁର ଲୋକେ (Etv Bharat)

ଗାଁର ବିଜୟ ବେହେରା କହିଛନ୍ତି, “ଗତ ଏକ ମାସ ହେବ ଆମ ଗାଁ ଲୋକେ ବାହାର ଦୁନିଆରୁ ବିଚ୍ଛିନ୍ନ। ପିଲାମାନେ ଟିକରପଡ଼ା ହାଇସ୍କୁଲକୁ ପଢ଼ିବାକୁ ଯାଆନ୍ତି। ରାସ୍ତାରେ ପାଣି ଥିବାରୁ ସେମାନଙ୍କ ପାଠପଢ଼ା ପ୍ରାୟ ବନ୍ଦ ହୋଇଯାଇଛି। ”

5 villages of anugul are living with floods and waterlogging three times a month
ମାସକରେ ୩ ଥର ବନ୍ୟା, ଜଳବନ୍ଦୀ ଜୀବନ ବିତାଉଛନ୍ତି ୫ ଗାଁର ଲୋକେ (Etv Bharat)

ପିଲାମାନଙ୍କୁ ଗାଁ ପାର କରି ସ୍କୁଲ ଯିବା ପାଇଁ ଡଙ୍ଗା ଦରକାର। କିନ୍ତୁ ଅଞ୍ଚଳରେ ଥିବା ଡଙ୍ଗାଗୁଡ଼ିକ ମୁଖ୍ୟତଃ ମାଛଧରା ପାଇଁ ବ୍ୟବହୃତ ହୁଏ। ଏଭଳି ଡଙ୍ଗାରେ ଛାତ୍ରଛାତ୍ରୀଙ୍କ ଯାତାୟାତ କରିବା ସୁରକ୍ଷିତ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି।

ବନ୍ୟା ଧୋଇ ନେଇଛି ଜୀବିକା

ଏହି ଅଞ୍ଚଳର ଅଧିକାଂଶ ପରିବାର ମତ୍ସ୍ୟଜୀବୀ। ମହାନଦୀ ହିଁ ସେମାନଙ୍କ ଜୀବିକାର ମୁଖ୍ୟ ଆଧାର। କିନ୍ତୁ ନଦୀରେ ଲଗାତାର ବନ୍ୟାଜଳ ରହୁଥିବାରୁ ମାଛଧରା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଗ୍ରାମର କରୁଣା ବେହେରା କହିଛନ୍ତି, “ଆମ ଗାଁର ଅଧିକାଂଶ ଲୋକ ମତ୍ସ୍ୟଜୀବୀ। ହେଲେ ନଦୀରେ ବନ୍ୟା ପାଣି ରହୁଥିବାରୁ ମାଛ ମାରିବା ସମ୍ଭବ ହେଉନାହିଁ। ଯେଉଁମାନେ ମୂଲମଜୁରି କରିବା ପାଇଁ ବାହାରକୁ ଯାଆନ୍ତି, ରାସ୍ତା ବନ୍ଦ ଥିବାରୁ ସେମାନେ ମଧ୍ୟ କାମକୁ ଯାଇପାରୁ ନାହାନ୍ତି।”

5 villages of anugul are living with floods and waterlogging three times a month
ମାସକରେ ୩ ଥର ବନ୍ୟା, ଜଳବନ୍ଦୀ ଜୀବନ ବିତାଉଛନ୍ତି ୫ ଗାଁର ଲୋକେ (Etv Bharat)

5ଟି ଗାଁର ପ୍ରାୟ ୩୦୦ ଏକରରୁ ଅଧିକ ଚାଷଜମି ଏବେ ବନ୍ୟା ପାଣିରେ ବୁଡ଼ି ରହିଛି। ଚାଷ କାମ ଠପ୍ ହୋଇଥିବାରୁ ଚାଷୀଙ୍କ ଆୟ ମଧ୍ୟ ପ୍ରଭାବିତ ହୋଇଛି। ଅର୍ଥାତ୍ ମଣିଷର ରୋଜଗାର ଠାରୁ ଆରମ୍ଭ କରି ଚାଷ ଓ ମାଛଧରା.. ସବୁ କିଛି ଏବେ ବନ୍ୟାର କବଳରେ।

ମଣିଷଙ୍କ ସହ ପଶୁଙ୍କ ଚିନ୍ତା

ଜଳବନ୍ଦୀ ଅବସ୍ଥାରେ ଏଠି କେବଳ ମଣିଷ ନାହାଁନ୍ତି । ଗୃହପାଳିତ ପଶୁଙ୍କୁ ମଧ୍ୟ ଏ ବନ୍ୟା ପ୍ରଭାବିତ କରିଛି । ଗାଁରୁ ବାହାରକୁ ଯାଇ ଗୋଖାଦ୍ୟ କିମ୍ବା ଅନ୍ୟ ଆବଶ୍ୟକ ସାମଗ୍ରୀ ଆଣିବା କଷ୍ଟକର ହୋଇଥିବାରୁ ପଶୁଙ୍କ ପାଇଁ ଖାଦ୍ୟାଭାବ ଦେଖା ଦେଇଛି । ବନ୍ୟା ଆହୁରି କିଛି ଦିନ ଲାଗି ରହିଲେ ପରିସ୍ଥିତି ଗମ୍ଭୀର ହେବ ବୋଲି ଲୋକେ ଚିନ୍ତା ପ୍ରକାଶ କରିଛନ୍ତି ଲୋକେ ।

5 villages of anugul are living with floods and waterlogging three times a month
ମାସକରେ ୩ ଥର ବନ୍ୟା, ଜଳବନ୍ଦୀ ଜୀବନ ବିତାଉଛନ୍ତି ୫ ଗାଁର ଲୋକେ (Etv Bharat)

ପାଣିରେ କୁମ୍ଭୀର, ଜଙ୍ଗଲରୁ ବନ୍ୟଜନ୍ତୁ

ସାତକୋଶିଆ ଭଳି ଜଙ୍ଗଲ ଓ ନଦୀ ଘେରା ଅଞ୍ଚଳରେ ବନ୍ୟା ଆଉ ଏକ ଭୟ ନେଇ ଆସିଛି । ତାହା ହେଉଥି ବନ୍ୟଜନ୍ତୁଙ୍କ ଭୟ। ଗ୍ରାମର ସରୋଜ ସାହୁ କହିଛନ୍ତି, “ଚାରିଆଡ଼େ ପାଣି । ପାଣି ଭିତରେ କୁମ୍ଭୀର ଭୟ ରହୁଛି। ରାତିରେ ଜଙ୍ଗଲ ପଟୁ ବନ୍ୟଜନ୍ତୁ ଗାଁ ଆଡ଼କୁ ଆସିବାର ଭୟ ରହୁଛି। ହାତୀ ସହ ସାପ ଭୟରେ ଲୋକେ ରାତିରେ ଘରୁ ବାହାରୁ ନାହାନ୍ତି ।”

ବିରଜା ଜାନୀଙ୍କ ଅଭିଯୋଗ ଅନୁଯାୟୀ, ଜଳସ୍ତର ବଢ଼ିଲେ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଏ। ଫଳରେ ରାତିରେ ଗାଁ ଅନ୍ଧାରରେ ରହୁଛି। ଏକପଟେ ବନ୍ୟାଜଳ, ଅନ୍ୟପଟେ ବନ୍ୟଜନ୍ତୁ ଓ ସାପ ଭୟ । ତା ସାଙ୍ଗକୁ ଅନ୍ଧାର । ଏପରି ସ୍ଥିତିରେ ଲୋକଙ୍କ ପାଇଁ ରାତି କାଟିବା ଏକ ଚ୍ୟାଲେଞ୍ଜ ହୋଇ ପଡିଛି।

5 villages of anugul are living with floods and waterlogging three times a month
ମାସକରେ ୩ ଥର ବନ୍ୟା, ଜଳବନ୍ଦୀ ଜୀବନ ବିତାଉଛନ୍ତି ୫ ଗାଁର ଲୋକେ (Etv Bharat)

୭୦ ବର୍ଷର ସମସ୍ୟା, ୨୧ କୋଟିର ସମାଧାନ କେଉଁଠି ?

ଗ୍ରାମବାସୀଙ୍କ କହିବା କଥା, ଏହି ଜଳବନ୍ଦୀ ସମସ୍ୟା ଆଜିର ନୁହେଁ। ଦଶନ୍ଧି ଦଶନ୍ଧି ଧରି ସେମାନେ ଏହି ସମସ୍ୟା ଭୋଗିଆସୁଛନ୍ତି। ପ୍ରସନ୍ନ ଜାନୀ କହିଛନ୍ତି, “୨୦୨୩ରେ ସରକାର ଏହି ପାଞ୍ଚଟି ଗାଁର ସ୍ଥାୟୀ ସମାଧାନ ପାଇଁ ୨୧ କୋଟି ଟଙ୍କା ମଞ୍ଜୁର କରିଥିଲେ। କରଡ଼ାପଡ଼ାରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାର ଉଚ୍ଚତା ୧୫ ଫୁଟ୍‌ରୁ ଅଧିକ ବଢ଼ାଇ ଦିଆଯାଇଥିଲେ ସାମାନ୍ୟ ବନ୍ୟାରେ ମଧ୍ୟ ଲୋକେ ଜଳବନ୍ଦୀ ହୋଇନଥାନ୍ତେ। ଏହା ହୋଇଥିଲେ ୭୦ ବର୍ଷର ସମସ୍ୟାର ସମାଧାନ ହୋଇ ପାରିଥାନ୍ତା।”

ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । କୁଆଡେ ଗଲା ସେ ଅର୍ଥ ? କେଉଁଠି ଅଟକି ଗଲା କାମ ? ପାଞ୍ଚ ଗାଁର ଲୋକେ ଆଜି ବି କାହିଁକି ପ୍ରତି ବନ୍ୟାରେ ଜଳବନ୍ଦୀ ହେଉଛନ୍ତି?

ତିନିଥର ବନ୍ୟା, ରିଲିଫ୍‌ ମାତ୍ର ଥରେ

ବନ୍ୟା ଦୁର୍ଦ୍ଦଶା ମଧ୍ୟରେ ପ୍ରଶାସନର ରିଲିଫ୍‌କୁ ନେଇ ମଧ୍ୟ ଅସନ୍ତୋଷ ରହିଛି। ଗ୍ରାମବାସୀଙ୍କ ଅଭିଯୋଗ, ଏକ ମାସ ମଧ୍ୟରେ ତିନିଥର ବନ୍ୟା ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେବଳ ଥରେ ଚୁଡ଼ା ଓ ଗୁଡ଼ ଦିଆଯାଇଛି। ମହମବତୀ କିମ୍ବା ଦିଆସିଲି ଭଳି ମୌଳିକ ଆବଶ୍ୟକ ସାମଗ୍ରୀ ମଧ୍ୟ ଦିଆଯାଇନଥିବା ସେମାନେ କହିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ, ବନ୍ୟା ସମୟରେ କେବଳ ଗୋଟିଏ ଦିନ ଅଧିକାରୀମାନେ ଆସିଥିଲେ। ଏହାପରେ ଆଉ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳୁନାହିଁ।

ଅନୁଗୋଳ ବିଡିଓ ଡ. ବିଶ୍ୱଭୂଷଣ କହିଛନ୍ତି, “ପ୍ରାଥମିକ ପର୍ଯ୍ୟାୟରେ ଯାହା ସୁବିଧା ଦିଆଯିବା କଥା, ଦିଆଯାଇଛି। ପରବର୍ତ୍ତୀ ନିଷ୍ପତ୍ତି ଅନୁଯାୟୀ ଲୋକଙ୍କ ସୁବିଧା କରାଯିବ।”

ତେବେ ଗ୍ରାମବାସୀଙ୍କ ପ୍ରଶ୍ନ ହେଉଛି, ପ୍ରତିବର୍ଷ ବନ୍ୟା ଆସିବ, ରାସ୍ତା ବୁଡ଼ିବ, ଲୋକେ ଜଳବନ୍ଦୀ ହେବେ । ପିଲାଙ୍କ ପାଠପଢ଼ା ଅଟକିବ ଓ ଜୀବିକା ହରାଇବେ । ଆଉ କେତେ ବର୍ଷ ଏମିତି ଚାଲିବ?

ଇଟିଭି ଭାରତ, ଅନୁଗୋଳ

ଏହା ମଧ୍ୟ ପଢନ୍ତୁ 30ରେ ଆଉ ଏକ ଲଘୁଚାପ ! ଶନିବାରଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ସତର୍କତା

ଏହା ମଧ୍ୟ ପଢନ୍ତୁ ପୁଣି ଲଘୁଚାପ ଜନିତ ବର୍ଷା ଆଶଙ୍କା; ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ଉପରେ କଡ଼ା ନଜର