ମଶାଣିରୁ ଗୋଟିଏ ରାତିରେ 5ଟି ଶବ ଗାଏବ; ରହସ୍ୟ ଉପରୁ କେବେ ଉଠିବ ପରଦା ?
ମୃତଦେହ ପୋତିବା ପରେ ମଶାଣିରୁ ଉଭାନ୍ ହେଇଯାଉଛି । ଗୋଟିଏ କି ଦୁଇଟି ନୁହେଁ ବିଗତ କିଛି ବର୍ଷରେ ଗୋଟିଏ ଶ୍ମଶାନରୁ ଗାଏବ ହେଲାଣି ଏକାଧିକ ମୃତଦେହ ।


Published : February 22, 2026 at 5:43 PM IST
ଭଦ୍ରକ: ପୁଣି ଥରେ ବହୁ ଚର୍ଚ୍ଚିତ ମଣିନାଥପୁର ମଶାଣିରୁ 5ଟି ଶବ ଚୋରି ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହା ପୂର୍ବରୁ 5 ଥର ଶବ ଚୋରି ହୋଇଥିଲେ ସୁଦ୍ଧା ଏଯାଏଁ ରାକେଟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତର ମଣିନାଥପୁର ମଶାଣିରୁ ପୁଣି 5ଟି ଶବ ଗାଏବ ହୋଇଛି । କିଛି ମାସର ବ୍ୟବଧାନ ପରେ ଏହି ଘଟଣା ଏବେ ଚର୍ଚ୍ଚାକୁ ଫେରିଥିବା ବେଳେ ପୋଲିସ କୌଣସି ସୁରାକ ନ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ଅଞ୍ଚଳ ଦେଇ ପ୍ରବାହିତ ବୈତରଣୀ ନଦୀ କୂଳରେ ଅବସ୍ଥିତ ମଣିନାଥପୁର ମଶାଣିରୁ 5ଟି ଶବ ଗାଏବ ହୋଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ । ତେବେ ଗତ କିଛି ଦିନ ମଧ୍ୟରେ ଗ୍ରାମର ଖଗେଶ୍ବର ସାମଲ, ହାଡିବନ୍ଧୁ ବେହୁରିଆ, କାର୍ତ୍ତିକ କୁମାର ନାୟକ, ସରସ୍ୱତୀ ବେହେରା ଏବଂ କାଳନ୍ଦୀ ସେଠିଙ୍କ ମୃତ୍ୟୁ ହୋଇଥିଲା । ପୂର୍ବ ପ୍ରଥା ଅନୁଯାୟୀ ସେମାନଙ୍କର ଶବକୁ ପରିବାର ପକ୍ଷରୁ ମଣିନାଥପୁର ମଶାଣିରେ ପୋତି ସତ୍କାର କରାଯାଇଥିଲା । ସତ୍କାର କରାଯାଇଥିବା ସ୍ଥାନରେ ଗାତ ଖୋଳି 5ଟି ଶବକୁ କେହି ଦୁବୃର୍ତ୍ତ କାଢ଼ି ନେଇଥିବା ଗାଁ ଲୋକେ ଦେଖିଥିଲେ । ତେବେ ଶବ କିଏ କାଢ଼ିଲା ଓ କାହିଁକି କାଢ଼ିଲା, ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ 2017 ମସିହାରୁ 2026 ମସିହା ମଧ୍ୟରେ ଏହି ମଶାଣିରୁ 20 ରୁ ଊର୍ଦ୍ଧ୍ବ ଶବ ଗାଏବ ହେଲାଣି। ଏପରି ସ୍ଥଳେ ଶବ ଚୋରି ପଛରେ ଅନ୍ତର୍ଜାତୀୟ ରାକେଟର ହାତ ଥିବା ଗ୍ରାମବାସୀ ମାନେ ସନ୍ଦେହ କରୁଥିବା ବେଳେ ଆଉ କିଛି ଗୁଣି ଗାରେଡ଼ି ପାଇଁ ଏ ଶବ ଚୋରି ହେଉଥିବା ସନ୍ଦେହ କରୁଛନ୍ତି । ଏଥିସହିତ ସ୍ଥାନୀୟ ଅଞ୍ଚଳର କିଛି ଲୋକ ସମୃକ୍ତ ଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି।
ପୂର୍ବରୁ ଏ ନେଇ ଅନେକ ଥର ଥାନାରେ ଅଭିଯୋଗ ହୋଇଥିଲେ ବି ସୁଦ୍ଧା ପୁଲିସ ଆଜି ପର୍ଯ୍ୟନ୍ତ ଏହାର ରହସ୍ୟ ଭେଦ କରିପାରିନାହିଁ। ଯଦି ଜିଲ୍ଲା ପ୍ରଶାସନ ଶବ ପୋତା ପ୍ରଥା ନିୟମକୁ ଉଚ୍ଛେଦ କରି ଶବ ପୋଡ଼ାକୁ ପ୍ରାଧାନ୍ୟ ଦିଅନ୍ତି ତେବେ ଶବ ଚୋରି ରୋକା ଯାଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏହି ଘଟଣାକୁ ଯଦି ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ ହୁଅନ୍ତା, ତେବେ ଶବ ଚୋରି ରହସ୍ୟର ଉନ୍ମୋଚନ ହେବା ସହିତ ଅଭିଯୁକ୍ତ ଧରା ପଡନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ହେଲେ ଏନେଇ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଏହା ବି ପଢନ୍ତୁ- କିସ୍ ରେ ପୁଣି ମିଳିଲା ମୃତଦେହ, ଯୁକ୍ତ ଦୁଇର ଜଣେ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ
ଇଟିଭି ଭାରତ, ଭଦ୍ରକ

