4 ଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ; ଦୁଇ ବର୍ଷ ଧରି ଛାତ୍ରୀଙ୍କୁ କରୁଥିଲେ ଅସଦାଚରଣ, 5 ଜଣଙ୍କୁ ଅଟକ ରଖି ପୋଲିସର ଜେରା
ପ୍ରଥମେ ୧୦୯୮ ନମ୍ବରରେ କଲ ଆସିଥିଲା । ଆମେ କଲ ବ୍ୟାକ କରିବାପରେ ଘଟଣା ସମ୍ପର୍କରେ ଜଣାପଡିଲା । ହ୍ଵାଟ୍ସଆପ ମାଧ୍ୟମରେ ଆମକୁ ଲିଖିତ ଅଭିଯୋଗ କରିବା ପରେ ଆମେ ତଦନ୍ତ କରୁଛୁ ।

Published : February 21, 2026 at 2:00 PM IST
|Updated : February 21, 2026 at 2:59 PM IST
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଘରୋଇ ବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଗତ ଦୁଇବର୍ଷ ଧରି ଚାରିଜଣ ଶିକ୍ଷକ ଅସଦାଚରଣ କରୁଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ହେଲ୍ପଲାଇନ ନମ୍ବରରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଚାଇଲଡ଼ ୱେଲଫେୟାର କମିଟିର ଚାରିଜଣିଆ ଟିମ ପୀଡିତା ଛାତ୍ରୀଙ୍କୁ ପଚରାଉଚୁରା କରିଛନ୍ତି । ପରେ ଘଟଣା ଘଟିଥିବା ବିଦ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି । ଅନ୍ୟପକ୍ଷେ ଆଜି ଅପରାହ୍ନରେ ପୀଡିତାଙ୍କ ପରିବାର ପକ୍ଷରୁ ରାଜକନିକା ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଏକ ମାମଲା ରୁଜୁ କରି 5 ଜଣଙ୍କୁ ଅଟକ ରଖିଛି ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କ କହିବା ଅନୁଯାୟୀ, 'କେନ୍ଦ୍ରାପଡା ରାଜକନିକା ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ତଦନ୍ତ ପରିସରଭୁକ୍ତ ଅଛି । ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା, ଶିଶୁ ସୁରକ୍ଷା କମିଟି ସଦସ୍ୟ, ଶିଶୁ ସୁରକ୍ଷା ହେଲ୍ପଲାଇନ ସଦସ୍ୟ ଏହାର ତଦନ୍ତ କରିଛନ୍ତି । ତଦନ୍ତ ରିପୋର୍ଟ ଯାହା ଆସିବ ସେ ସମ୍ପର୍କରେ ଆମେ ଉପରିସ୍ଥ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।'
ହେଲ୍ପଲାଇନ ନମ୍ବରରେ କଲ୍ କରିଥିଲେ ପୀଡିତାଙ୍କ ବାପା
ସେ କହିଛନ୍ତି, 'ଆମକୁ ଏ ସମ୍ପର୍କରେ ପ୍ରଥମେ ୧୦୯୮ ନମ୍ବରରେ କଲ ଆସିଥିଲା । ଆମେ କଲ ବ୍ୟାକ କରିବା ପରେ ଏହି ଘଟଣା ସମ୍ପର୍କରେ ଜଣାପଡିଲା । ହ୍ଵାଟ୍ସଆପ ମାଧ୍ୟମରେ ଆମକୁ ଲିଖିତ ଅଭିଯୋଗ କରିବା ପରେ ଆମେ ପରଦିନ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛୁ । ପିଡ଼ିତା କିପରି ନ୍ୟାୟ ପାଇବେ ସେଥିପାଇଁ ବିଭିନ୍ନ ଦିଗରୁ ଅଭିଯୋଗର ସତ୍ୟତା ନେଇ ତର୍ଜ୍ଜମା କରି ରିପୋର୍ଟ ପ୍ରସ୍ତୁତ କରୁଛୁ। ଆମର ଚାରିଜଣିଆ ଟିମ ଘଟଣାସ୍ଥଳକୁ ଯାଇଛନ୍ତି । ବିଦ୍ୟାଳୟକୁ ମଧ୍ୟ ଯାଇଛନ୍ତି । ତଦନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।'
ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଅନୁଯାୟୀ, 'ପୀଡ଼ିତା ସ୍କୁଲରେ ପଢୁଛନ୍ତି । ସେ ନାବାଳିକା। ଆମକୁ ୧୦୯୮ ନମ୍ବରରେ ପୀଡିତାଙ୍କ ବାପା ଫୋନ କରିଥିଲେ । ଉଭୟ ବିଭାଗ ଦ୍ଵାରା ମିଳିତ ତଦନ୍ତ କରାଯାଇ ଯାହା ରିପୋର୍ଟ ଆସିବ ସେନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ।' ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ।
ପୋକ୍ସୋ ଧାରା 5 ଅଟକ, ପୋଲିସର ଜେରା
ଅନ୍ୟପକ୍ଷେ, ଗତ ୧୮ ତାରିଖରେ ଶିଶୁ ସୁରକ୍ଷା ବିଭାଗରେ ଅଭିଯୋଗ ଓ ୧୯ ତାରିଖରେ ବିଭାଗୀୟ ତଦନ୍ତ ପରେ ଆଜି ରାଜକନିକା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପିଡ଼ିତା ଛାତ୍ରୀଙ୍କ ପରିବାର । କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କତାରିୟା କହିଛନ୍ତି, 'ଆଜି ସକାଳୁ ଏକ ଖବର ପାଇ ରାଜକନିକା ଥାନା ଅଧିକାରୀ ନିଜେ ପୀଡିତାଙ୍କ ଘରକୁ ଯାଇଥିଲେ। ପୀଡିତାଙ୍କ ପରିବାର ଆଜି ଲିଖିତ ଅଭିଯୋଗ କରିବା ପରେ ଏହାକୁ ରେଜିଷ୍ଟ୍ରେସନ କରାଯାଇଛି। ରାଜକନିକା ଥାନାରେ ୫୪/୨୦୨୬ରେ ମାମଲା ରୁଜ୍ଜୁ କରାଯାଇ ପୋକ୍ସୋ ଧାରା ୪ ଓ ୬ ରେ ୫ ଜଣଙ୍କ ନାମରେ କେଶ ହୋଇ ସମସ୍ତଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି । ପୀଡିତାଙ୍କ ବୟାନ ରେକର୍ଡ, ପ୍ରମାଣ ସଂଗ୍ରହ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ଏଇ କିଛି ସମୟ ତଳେ ସେମାନେ ଅଭିଯୋଗ କରିଛନ୍ତି । ଯେହେତୁ ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ତେଣୁ ମହିଳା ଅପରାଧ ନିରାକରଣ (Crime Against Women) ଟିମ ରହିଛି ଯେଉଁଥିରେ କି ଅତିରିକ୍ତ ଏସପି,ମହିଳା ଡିଏସପି ରହିଛନ୍ତି ମୁଁ ସେମାନଙ୍କୁ ଘଟଣା ସ୍ଥଳକୁ ପଠାଉଛି। ସେମାନେ ସେଠାରେ ମନିଟରିଂ, ସୁପରଭାଇଜିଙ୍ଗ କରି ଭଲ ନିଷ୍କର୍ଷରେ ପହଞ୍ଚିବେ। ଏବେ ଏବେ କେଶ ରେଜିଷ୍ଟ୍ରେସନ ହୋଇ ତଦନ୍ତ ଆରମ୍ଭ ହୋଇଛି ଏବଂ ପାଞ୍ଚଜଣଙ୍କୁ ଆମେ ଅଟକ ରଖିଛୁ ଆଗକୁ ଆହୁରି ତଦନ୍ତ ବାକି ଅଛି। ଏହା ଯେହେତୁ ଏକ ସ୍ପର୍ଶକାତର ପ୍ରସଙ୍ଗ ତେଣୁ ଏହାର ମନିଟରିଂ ପାଇଁ ମୁଁ ନିଜେ ଯିବି' ବୋଲି କହିଛନ୍ତି ଏସପି।
ନିନ୍ଦା କଲା ଜିଲ୍ଲା କଂଗ୍ରେସ
ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ଡ଼ଃ ଦେବସ୍ମିତା ଶର୍ମାଙ୍କ ନେତୃତ୍ୱରେ ଏକ ଟିମ ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟିଥିଲେ। ଏହି ଲଜ୍ଜାଜନକ ଘଟଣାକୁ ନେଇ ଡ଼ଃ ଦେବସ୍ମିତା ଶର୍ମା କହିଛନ୍ତି, "ଏହା ବହୁତ ଦୁଃଖ ଓ ଲଜ୍ଜାଜନକ ଘଟଣା । ଅଭିଭାବକମାନେ ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ଉପରେ ଭରସା କରି ପିଲାମାନଙ୍କୁ ପଠାଇଥାନ୍ତି। ଯଦି ସ୍କୁଲରେ ଏଭଳି ଘଟଣା ଘଟିବ ତାହେଲେ ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ମୁଁ ପିଡିତାଙ୍କ ପରିବାରକୁ ଭେଟିଲି,ତାଙ୍କ ସହିତ ମୁଁ ଏ ଲଢେଇରେ ଅଛି ବୋଲି କଥା ଦେଇଛି। ଜଣେ କୁନିଝିଅକୁ ଏଭଳି ଅବସ୍ଥା ଭୋଗିବାକୁ ପଡିଛି ତାହା ଜଣେ ମହିଳା ଭାବରେ ଜାଣି ବହୁତ କଷ୍ଟ ଲାଗୁଛି। ଏ ଘଟଣାରେ ଯେଉଁମାନେ ଅଭିଯୁକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଁ ଦାବି କରୁଛି। ଯଦି ଏହି ଘଟଣାକୁ ଆମେ ହାଲୁକାରେ ନେବା ତେବେ ଏଭଳି ଅପରାଧ ଘଟାଇବା ପାଇଁ ଅନ୍ୟମାନେ ସାହସ ପାଇବେ। ଯଦି ଏହି କୁନିଝିଅ ସହ ଏଭଳି କାଣ୍ଡ ହୋଇପାରୁଛି, ତେବେ ଏମିତି ଅନେକ ପିଲା ଥିବେ ଯେଉଁମାନଙ୍କ ସହ ଏଭଳି ନାରକୀୟ କାଣ୍ଡ ଘଟିବ । ତେଣୁ ଯାହାର ସଠିକ ତଦନ୍ତର ଆବଶ୍ୟକତା ଅଛି। ଦଳ ପକ୍ଷରୁ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ରହିଲା । ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ। କୁନିଝିଅକୁ ନ୍ୟାୟ ପ୍ରଦାନ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗକୁ ଆସି ନ୍ୟାୟ ଦାବି କରିବା ଦରକାର।କଂଗ୍ରେସ ଦଳ ସବୁବେଳେ ମହିଳାମାନଙ୍କ ସହ ରହିଛି ଓ ଆଗାମୀ ଦିନରେ ଏହି ଝିଅଟି ପାଇଁ ରହିଥିବ"ବୋଲି କହିଛନ୍ତି ଡ଼ଃ ଦେବସ୍ମିତା ଶର୍ମା।
ଇଟିଭି ଭାରତ,କେନ୍ଦ୍ରାପଡା
ଏହା ମଧ୍ୟ ପଢନ୍ତୁ ବିଜ୍ଞାନ ଶିକ୍ଷକଙ୍କ କଳା କାରନାମା, 7-8 ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଲେ ଜେଲ୍
ଏହା ମଧ୍ୟ ପଢନ୍ତୁ ନାବାଳିକାଙ୍କୁ ଅସଦାଚରଣ କରି ବନ୍ଧା ହେଲେ ଶିକ୍ଷକ

