ETV Bharat / state

ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୪୧ ଛାତ୍ର; ଅଭାବ ବାଧ୍ୟ କଲା ପାଠ ଛାଡି ଦାଦନ ଖଟିବାକୁ

ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଥିଲା । ପ୍ରଥମ ଦିନରେ ହିଁ ଜିଲ୍ଲାରେ ହୋଇଥିବା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୩୪୧ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ସର୍ବାଧିକ ୨୭୨ ଜଣ ଅନୁପସ୍ଥିତ ଥିଲେ ।

341 students absent from matriculation exams; students have dropped out and gone to work in the slums
ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୪୧ ଛାତ୍ର (Etv Bharat)
author img

By ETV Bharat Odisha Team

Published : February 21, 2026 at 6:14 PM IST

3 Min Read
Choose ETV Bharat

Matriculation Exam କେନ୍ଦ୍ରାପଡା: ଗୋଟିଏ ପଟେ ପେଟର ଭୋକ ଆଉ ପରିବାରର ବୋଝ । ଅନ୍ୟପଟେ ପାଠପଢ଼ିବାର ସ୍ୱପ୍ନ । ଏହା ଭିତରେ ପେଶି ହୋଇ ଯାଉଛନ୍ତି ଅଭାବି ଘରର ପିଲା । ପରିସ୍ଥିତି ଚାପରେ ପଡି ସେମାନେ ପରିବାରର ଆବଶ୍ୟକତାକୁ ଗୁରୁତ୍ୱ ଦେଉଛନ୍ତି । ପାଠକୁ ଅଧାରୁ ଛାଡି କାମ କରିବାକୁ ବାହାରକୁ ଯାଉଛନ୍ତି । ଫେବୃଆରୀ ୧୯ରୁ ଚଳିତବର୍ଷର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଶତାଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ପରେ ସାକ୍ଷରତା ହାରରେ ରାଜ୍ୟରେ ତୃତୀୟ ସ୍ଥାନରେ ଥିବା କେନ୍ଦ୍ରାପଡା ଜିଲ୍ଲାର ଶିକ୍ଷା,ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥାକୁ ପଦାରେ ପକାଇଛି।


ଚଳିତବର୍ଷ କେତୋଟି କେନ୍ଦ୍ରରେ କେତେ ଛାତ୍ରଛାତ୍ରୀ ଦେଇଥାନ୍ତେ ପରୀକ୍ଷା:-

ମ୍ୟାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ୩୪୧ଜଣ; ପାଠଛାଡି ଦାଦନ ଖଟିବାକୁ ଯାଇଛନ୍ତି ଛାତ୍ର (Etv Bharat)
ଚଳିତବର୍ଷ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଅଧିନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ୧୯୮୧୬ ଜଣ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ଫିଲଅଫ କରି ଆଡମିଟ କାର୍ଡ଼ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ତନ୍ମଧ୍ୟରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପାଇଁ ୧୯୨୨୮ ଜଣ, ମଧ୍ୟମା ପାଇଁ ୨୩୧ ଜଣ, ଷ୍ଟେଟ ଓପନ ସ୍କୁଲ ପାଇଁ ୨୯୪ ଜଣ ଓ ଏକ୍ସ ରେଗୁଲାର ପରୀକ୍ଷା ପାଇଁ ମୋଟ ୫୦ ଜଣ ଯୋଗ୍ୟ ବିବେଚିତ ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ସୂଚନା ଦେଇଥିଲେ । ଏହି ପରୀକ୍ଷାର୍ଥୀମାନେ ମୋଟ ୧୦୫ଟି ରେଗୁଲାର ଓ ଏକ୍ସ ରେଗୁଲାର, ୧୧ଟି ମଧ୍ୟମା ଓ ୨ଟି SOS ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି।


ପରୀକ୍ଷାର ପ୍ରଥମ ଦିନରେ ଅନୁପସ୍ଥିତ ରହିଲେ ତିନିଶହରୁ ଅଧିକ ଛାତ୍ରଛାତ୍ରୀ:-
ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଥିଲା । ପ୍ରଥମ ଦିନରେ ହିଁ ଜିଲ୍ଲାରେ ହୋଇଥିବା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୩୪୧ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ସେମାନଙ୍କ ମଧ୍ୟରୁ ରେଗୁଲାର ମାାଟ୍ରିକ ପରୀକ୍ଷାର୍ଥୀ ସର୍ବାଧିକ ୨୭୨ ଜଣ ଅନୁପସ୍ଥିତ ରହିଥିବା ବେଳେ ମଧ୍ୟମାରେ ୩୬ ଓ SOS ରେ ୩୩ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଦର୍ଶାଇଛି ଜିଲ୍ଲା ଶିକ୍ଷା ବିଭାଗ।

କଣ ହେଇପାରେ ଅନୁପସ୍ଥିତିର କାରଣ :-
କେନ୍ଦ୍ରାପଡା ଜିଲ୍ଲାର ଦୁଇଟି ଉପକୁଳ ବ୍ଲକରୁ ଅନୁପସ୍ଥିତି ସମ୍ପର୍କରେ ଆସିଛି ସାଂଘାତିକ ତଥ୍ୟ। ରାଜନଗର ବ୍ଲକରେ ସର୍ବାଧିକ ୬୩ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଦର୍ଶାଯାଇଛି। ଏହାର କାରଣ ହେଉଛି ଗରିବୀ ଓ ପେଟପାଟଣା ପାଇଁ ପରୀକ୍ଷା ନଦେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା। ଏନେଇ ପ୍ରତିକ୍ରିୟା ରଖି ଦାଦନ ଖଟିବାକୁ ଯାଇଥିବା ଜନୈକ ନାବାଳକଙ୍କ ମା ମମତା ମଲିକ କୁହନ୍ତି,"ମୋ ପୁଅ ତା ବାପା ପାଖରେ ଅଛି । ଅଭାବୀ ସଂସାରର ବୋଝ ବୋହିବାକୁ ସେ ପ୍ଲାଏଉଡ କମ୍ପାନୀରେ କାମ କରିବାକୁ ତା ବାପା ପାଖକୁ ଯାଇଛି। ଆମେ ଏଠାରେ ଆସି ଅଛୁ କିନ୍ତୁ ଆମର ଜାଗାବାଡି କିଛି ନାହିଁ" ବୋଲି କହିଛନ୍ତି ।

ସେହିପରି ଅନ୍ୟଜଣେ ନାବାଳକ ଛାତ୍ରର ମା ସୁମିତ୍ରା ମଲିକ କୁହନ୍ତି, "ପିଲାଙ୍କ ଭବିଷ୍ୟତ ପାଇଁ ଆମେ ସ୍ୱପ୍ନ ଦେଖୁନା, ଅଭାବୀ ସଂସାରକୁ ନେଇ ଚାଲୁଥିବା ବେଳେ ଆମେ ଭବିଷ୍ୟତ ସ୍ୱପ୍ନ କେମିତି ଦେଖିବୁ ? ଦୁଃଖ ପରିସ୍ଥିତି ପାଇଁ ଆମର ଛୋଟ ପିଲା ଆଜି ବାହାର ରାଜ୍ୟକୁ କୋର କଟିଂ କାମରେ ଯାଇଛନ୍ତି। ଘରେ ସ୍ୱାମୀ ଅଛନ୍ତି, ଝିଅ ବିବାହ ହୋଇଛି, ଆଗରୁ ଏଇ ସାନପୁଅ ବାହାରକୁ ଯାଇଥିଲା ଏବେ ଆସିଛି । ଆମ ଗାଁ ଯାତ୍ରା ପରେ ପୁଣି ପଳାଇବ।ବାହାର ରାଜ୍ୟ କେରଳରେ ୧୨ ଘଣ୍ଟା ପରିଶ୍ରମ କରି ଆମର କରଜ ସୁଝାଯାଉଛି ଆଉ ପରିବାର ଚଳୁଛି, ଏଭଳି ସ୍ଥିତିରେ କଷ୍ଟରେ ଥିବା ବେଳେ ସେ ପରୀକ୍ଷା ଦେବ କେମିତି"ବୋଲି ପ୍ରଶ୍ନ କରିଛନ୍ତି।

ପରୀକ୍ଷାର୍ଥୀ ଅନୁପସ୍ଥିତି ସମ୍ପର୍କରେ କଣ କୁହନ୍ତି ପ୍ରଧାନ ଶିକ୍ଷକ:-
ବଗପାଟିଆ ବିସ୍ଥାପିତ କଲୋନୀ ସୃଷ୍ଟି ହେବା ପରେ ସାତଭାୟାରୁ ଲୋକେ ଆସି ଏଠାରେ ବସତି ସ୍ଥାପନ କଲେ। ତେବେ ଜୀବନ ବଞ୍ଚାଇବା ପାଇଁ ଲୋକେ ଏଠାକୁ ଆସିଥିବା ବେଳେ ଜୀବିକା ନିର୍ବାହ ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି ସରକାର କିମ୍ବା ପ୍ରଶାସନ ଯେଉଁଥିପାଇଁ ଆଜି ପରୀକ୍ଷା ଦେବା ବଦଳରେ ଦାଦନ ଯାଇଛନ୍ତି ଛାତ୍ର । ଏ ନେଇ ପ୍ରତିକ୍ରିୟା ରଖି ପଞ୍ଚୁବରାହୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ଲେଙ୍କା କୁହନ୍ତି, "ଆମେ ସରକାରଙ୍କ ନିୟମ ଅନୁଯାୟୀ ଘରଘର ବୁଲି ଆଡମିଟ କାର୍ଡ଼ ଦେବା ଵ୍ୟଵସ୍ଥା କରିଥିଲୁ। ଆମର ଏଠାରେ ୭ଜଣ ଅନୁପସ୍ଥିତ ଅଛନ୍ତି । ସେମାନଙ୍କ ଅନୁପସ୍ଥିତିର କାରଣ କିଛି ପିଲା ଅମଙ୍ଗ ହୋଇଛନ୍ତି ଆଉ କିଛି ପିଲା ବାହାର ରାଜ୍ୟକୁ ପଳାଇଛନ୍ତି । ମୁଁ ସେମାନଙ୍କ ଅଭିଭାବକଙ୍କୁ ପଚାରିବାରୁ ସେମାନଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେମାନେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଇଥିବା କହିଛନ୍ତି । ମୁଁ କୌଣସି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇନଥିଲେ ମଧ୍ୟ ସେମାନେ କେନ୍ଦ୍ରରୁ ଅନୁପସ୍ଥିତି ଡାଟା ନେଇ ଦେଇଛନ୍ତି" ବୋଲି କହିଛନ୍ତି।

ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ସମ୍ପର୍କରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା:-
ଜିଲ୍ଲାରେ ୩ଶହରୁ ଅଧିକ ଛାତ୍ର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିବା ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟର୍ ପ୍ରତିକ୍ରିୟା ଦେଇ କହିଛନ୍ତି, "ଗଣମାଧ୍ୟମରେ ଯାହା ଅନୁପସ୍ଥିତି ଛାତ୍ରଙ୍କ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି ତାହାକୁ ଆମେ ଅନୁଧ୍ୟାନ କରିବୁ । ଜଣ ଜଣ କରି କାହିଁକି ଅନୁପସ୍ଥିତ ଅଛନ୍ତି ତାହାର କାରଣ ଖୋଜାଯିବ ଏବଂ ଆଗାମୀ ଦିନରେ ଏବେ ଯେମିତି ଆମେ ଡ୍ରପ ଆଉଟ ପିଲାଙ୍କୁ ବିଦ୍ୟାଳୟକୁ ଆଣୁଛୁ ଆଗକୁ ସେମାନଙ୍କୁ ଆଣି ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ। ଆମେ ଛାତ୍ରଙ୍କ ତାଲିକା କରି କିଏ କେତେଦିନ ଅନୁପସ୍ଥିତ ଅଛି ସେନେଇ ତଦନ୍ତ କରିବୁ"ବୋଲି କହିଛନ୍ତି।

ଇଟିଭି ଭାରତ,କେନ୍ଦ୍ରାପଡା

ଏହା ମଧ୍ୟ ପଢନ୍ତୁ Watch: ଶାନ୍ତି ଶୃଙ୍ଖଳାରେ ମାତୃଭାଷା ପରୀକ୍ଷା ଶେଷ, ସହଜ ପ୍ରଶ୍ନ ଦେଖି ଖୁସି ପରୀକ୍ଷାର୍ଥୀ - MATRICULATION EXAM

ଏହା ମଧ୍ୟ ପଢନ୍ତୁ ଆସିଲାନି ଆଡମିଟ କାର୍ଡ; CBSE ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ 5 ଛାତ୍ରଛାତ୍ରୀ