ETV Bharat / state

Foundation Day: 32 ବର୍ଷରେ ପାଦ ଦେଲା ବୌଦ୍ଧ, ଆଜି ବି ବାଟ ପାଉନି ବିକାଶ !

ଜାନୁଆରୀ 1, 1994ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବୌଦ୍ଧକୁ ଜିଲ୍ଲା ଭାବେ ଘୋଷଣା କରିଥିଲେ । ଏ ମଧ୍ୟରେ 31 ବର୍ଷ ବିତିଛି । ଆଖି ଦୃଶିଆ ବିକାଶ ହୋଇନଥିବା ଅଭିଯୋଗ ।

Boudh Foundation Day
ବୌଦ୍ଧ ଜିଲ୍ଲା, କାନ୍ଥରେ ଆଙ୍କୁଛନ୍ତି ଚିତ୍ରଶିଳ୍ପୀ (ETV Bharat Odisha)
author img

By ETV Bharat Odisha Team

Published : January 1, 2026 at 6:00 PM IST

3 Min Read
Choose ETV Bharat

ରିପୋର୍ଟ: ସତ୍ୟ ନାରାୟଣ ପାଣି

Boudh Foundation Day ବୌଦ୍ଧ: ଜାନୁଆରୀ 1, 1994.. ସାରା ବିଶ୍ବ ଇଂରାଜୀ ନବବର୍ଷରେ ମସଗୁଲ ଥିବା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବୌଦ୍ଧ ଜିଲ୍ଲାକୁ ଉପହାର ଦେଇଥିଲେ । ସ୍ବାଧୀନତାର 47 ବର୍ଷ ପରେ କନ୍ଧମାଳରୁ ଅଲଗା ହୋଇ ସ୍ବତନ୍ତ୍ର ଜିଲ୍ଲା ଭାବେ ଗଢି ଉଠିଥିଲା ବୌଦ୍ଧ ଜିଲ୍ଲା । ସେହି ବର୍ଷ ଠାରୁ ଜାନୁଆରୀ 2ରେ ପ୍ରତିଷ୍ଠା ଦିବସ ପାଳି ଆସୁଛି ବୌଦ୍ଧ ଜିଲ୍ଲା । ଜିଲ୍ଲା ଗଠନକୁ ଏ ଭିତରେ 31 ବର୍ଷ ପୂରିଛି । କେତେ ବିକାଶ ଦେଖିଛି ବୌଦ୍ଧ ? ଦେଖନ୍ତୁ ଏହି ରିପୋର୍ଟ...

32 ବର୍ଷରେ ପାଦ ଦେଲା ବୌଦ୍ଧ ଜିଲ୍ଲା (ETV Bharat Odisha)

32 ବର୍ଷରେ ବୌଦ୍ଧ:

ନୂଆବର୍ଷ ସହିତ ଓଡ଼ିଶାର କନିଷ୍ଠ ଜିଲ୍ଲା ବୌଦ୍ଧ 32 ବର୍ଷରେ ପାଦ ଦେଇଛି । 1994 ମସିହା ଜାନୁଆରୀ ପହିଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ବୌଦ୍ଧ ଜିଲ୍ଲା ପାଇଁ ଘୋଷଣା କରିଥିବା ବେଳେ ଜାନୁଆରୀ 2ରେ ସ୍ୱତନ୍ତ୍ର ବୌଦ୍ଧ ଜିଲ୍ଲା ଗଠନ ହୋଇଥିଲା । ତିନୋଟି ବ୍ଲକ ଓ ତିନୋଟି ତହସିଲକୁ ନେଇ ସ୍ୱତନ୍ତ୍ର ବୌଦ୍ଧ ଜିଲ୍ଲା ଗଠନ ହୋଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବୌଦ୍ଧରେ ପହଁଚି ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ। ତେବେ 32 ବର୍ଷରେ ପାଦ ଦେଇଥିବା ବୌଦ୍ଧ ଜିଲ୍ଲା ଅନେକ କ୍ଷେତ୍ରରେ ଆଗକୁ ବଢିଥିଲେ ମଧ୍ୟ ଆହୁରି ଅନେକ ଦିଗରେ ବିକାଶ ଠାରୁ ପଛରେ ରହିଯାଇଛି।

Boudh Foundation Day
ବୌଦ୍ଧ ଜିଲ୍ଲା ଉଦଘାଟନ ନାମଫଳକ (ETV Bharat Odisha)

ବୌଦ୍ଧ ଜିଲ୍ଲାକୁ ନେଇ ସରକାରୀ ପୋର୍ଟାଲରେ ଦିଆଯାଇଥିବା ସୂଚନା ଅନୁଯାୟୀ...

ଜନସଂଖ୍ୟା୪୪୧୧୬୨
କ୍ଷେତ୍ରଫଳ (ବର୍ଗମିଟର)୩୪୪୪.୮
ତହସିଲ3
ବ୍ଲକ3
ଗାଁ ଓ ଗ୍ରାମପଞ୍ଚାୟତ1186 ଗାଁ, 69 ପଞ୍ଚାୟତ
ବିଧାନସଭା ନିର୍ବାଚନ ମଣ୍ଡଳୀ2

ବୌଦ୍ଧ ଧର୍ମରୁ ବୌଦ୍ଧ ଜିଲ୍ଲା...

ଏକଦା ବୌଦ୍ଧ ଧର୍ମର ପ୍ରାଣ କେନ୍ଦ୍ର ଥିବା ଯୋଗୁଁ ଏହି ଭୂଖଣ୍ଡର ନାମ ବୌଦ୍ଧ ହୋଇଛି । ଦେଶ ସ୍ୱାଧୀନତା ପରେ ବୌଦ୍ଧ କନ୍ଧମାଳ ଜିଲ୍ଲା ଭାବରେ ପରିଚିତ ହୋଇ ଏହାର ମୁଖ୍ୟାଳୟ ଫୁଲବାଣୀ ଠାରେ ରହିଥିଲା । ପରିବର୍ତ୍ତିତ ସମୟରେ ବୌଦ୍ଧ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଆନ୍ଦୋଳନ ପରେ ଶେଷରେ 1994 ମସିହା ନୂତନ ବର୍ଷରେ ଏକ ସ୍ୱତନ୍ତ୍ର ଜିଲ୍ଲା ଭାବରେ ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ହେଲା ।

Boudh Foundation Day
ବୌଦ୍ଧ ଜିଲ୍ଲାପାଳ ବିଭୂତ ଭୂଷଣ ଓ ଅନ୍ୟାନ୍ୟ ଅଧିକାରୀ (ETV Bharat Odisha)

କେତେ ପହଞ୍ଚିଛି ବିକାଶ ?


ଜିଲ୍ଲା ପ୍ରତିଷ୍ଠାକୁ 31 ବର୍ଷ ବିତିଗଲା । ହେଲେ ବିକାଶର ଧାରା ଆଜିବି ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରିନି । ଅନେକ କ୍ଷେତ୍ରରେ ବୌଦ୍ଧ ଜିଲ୍ଲାର ବିକାଶ ହୋଇଥିଲେ ମଧ୍ୟ ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ବହୁ ପଛରେ ରହିଛି ବୌଦ୍ଧ ଜିଲ୍ଲା । ଉଚ୍ଚ ଶିକ୍ଷା ପାଇଁ 1978 ମସିହାରେ ପ୍ରତିଷ୍ଠା ହୋଇଥିବା ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଆଜି ଯାଏ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ପାଇନଥିବା ବେଳେ ଜିଲ୍ଲାରେ ମହିଳା ସରକାରୀ କଲେଜ ନାହିଁ । ଗମନାଗମନ କ୍ଷେତ୍ରରେ ମଧ୍ୟ ଯେପରି ପଛରେ ରହିଯାଇଛି ।

Boudh Foundation Day
ବୌଦ୍ଧରେ ଅବସ୍ଥିତ ପ୍ରାଚୀନ କୀର୍ତ୍ତିରାଜୀ, ବୌଦ୍ଧ ମୂର୍ତ୍ତି (ETV Bharat Odisha)

ଆଜି ବି ଉପାନ୍ତରେ ନାହିଁ ପକ୍କା ରାସ୍ତା:

ଦେଶ ସ୍ୱାଧୀନତାର 78 ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲାର ପ୍ରାୟ ଶହେରୁ ଊର୍ଦ୍ଧ୍ବ ଉପାନ୍ତ ଅଞ୍ଚଳରେ ଥିବା ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ । ଫଳରେ ଆମ୍ବୁଲାନ୍ସ ସେବା ଆଜିବି ଅନେକ ଅଞ୍ଚଳରେ ଦିବାସ୍ୱପ୍ନ ହୋଇ ରହିଛି । ସ୍ୱାସ୍ଥ୍ୟ ସେବାରେ ଆଖି ଦୃଶିଆ ବିକାଶ ହୋଇନଥିବା ବୌଦ୍ଧ ନାଗରିକ କମିଟିର ସମ୍ପାଦକ ବିଶେଶ୍ୱର ପୃଷ୍ଟି କୁହନ୍ତି । ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ସହ ପାଞ୍ଚଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ବିଭିନ୍ନ ସ୍ଥାନରେ ପ୍ରାଥମିକ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଛି ସତ । କିନ୍ତୁ ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଅଛନ୍ତି ମାତ୍ର କେଇ ଜଣ ହାତ ଗଣତି ଡାକ୍ତର ।

ଅବେହିତ ପର୍ଯ୍ୟଟନସ୍ଥଳୀ:

ବୁଦ୍ଧ ଓ ବୌଦ୍ଧ ଧର୍ମକୁ ନେଇ ଜିଲ୍ଲାର ପରିଚୟ ରହିଥିବା ବେଳେ ଏସବୁ ଐତିହ୍ୟ ସ୍ଥାନ ଅବହେଳିତ ହୋଇ ରହିଥିବା ଅଭିଯୋଗ ହେଉଛି । ଏପରିକି ଜିଲ୍ଲାରେ ଥିବା ତଳପାଣି ଅଭୟାରଣ୍ୟ ଠାରୁ ନେଇ ଖଣ୍ଡିକନପା, ଲତାଝରଣ ଭଳି ଅନେକ ପର୍ଯ୍ୟଟନସ୍ଥଳୀର ଆଖି ଦୃଶିଆ ବିକାଶ ହୋଇପାରିନଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି ।

Boudh Foundation Day
କାନ୍ଥରେ ଆଙ୍କୁଛନ୍ତି ଚିତ୍ରଶିଳ୍ପୀ (ETV Bharat Odisha)

ଜାନୁଆରୀ 4ରେ ଉଦଘାଟନ ହେବ ଡାକ୍ତରଖାନା:

ବୌଦ୍ଧ ଜିଲ୍ଲାର ସଦର ଠାରେ 300 ଶହ ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନା କୋଠା ନିର୍ମାଣ ହୋଇଛି । ଯାହାକୁ ଆସନ୍ତା 4ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାହାକୁ ନେଇ ଜିଲ୍ଲାବାସୀ ଖୁସି ଥିବା ବେଳେ ଡାକ୍ତର ଓ କର୍ମଚାରୀ ଅଭାବ କେବେ ପୂରଣ ହେବ ତାହା ଏବେବି ପ୍ରଶ୍ନବାଚୀ ?

ଛୁଆ ନ କାନ୍ଦିଲେ...

ବୌଦ୍ଧ ଜିଲ୍ଲା ଗଠନକୁ ନେଇ ବୌଦ୍ଧ ନାଗରିକ କମିଟିର ସମ୍ପାଦକ ବିଶେଶ୍ୱର ପୃଷ୍ଟି କୁହନ୍ତି, ‘ବୌଦ୍ଧକୁ ସ୍ବତନ୍ତ୍ର ଜିଲ୍ଲା ଭାବେ ଗଠନ କରିବା ପାଇଁ 1991 ମସିହାରୁ ଆନ୍ଦୋଳନ କରି ଆସିଥିଲୁ । ବାରମ୍ବାର ଆନ୍ଦୋଳନ ପରେ 1994, ଜାନୁଆରୀ 1ରେ ବୌଦ୍ଧକୁ ଜିଲ୍ଲା ଭାବେ ଘୋଷଣା କରିଥିଲେ ତତ୍କାଳୀନ ମୁଖ୍ଯମନ୍ତ୍ରୀ ବିଜୁ ପଟ୍ଟନାୟକ । 31 ବର୍ଷ ପରେ ବି ଯେଉଁ ପରି ଭାବରେ ଉନ୍ନତି ହେବା କଥା ସେପରି ହୋଇଥିବା ପରିଲିଖିତ ହେଉନାହିଁ । ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନରେ ଅବହେଳିତ ହୋଇ ରହିଛି ଜିଲ୍ଲା । ଏ ପର୍ଯ୍ୟନ୍ତ ଜିଲ୍ଲାରେ ମହିଳା ଡିଗ୍ରୀ କଲେଜ ନାହିଁ । କଥାରେ ଅଛି ଛୁଆ ନ କାନ୍ଦିଲେ ମା’ କ୍ଷୀର ଦିଏ ନାହିଁ । ଆମେ କଣ ସବୁ କିଛି ପାଇଁ ଆନ୍ଦୋଳନ କରିବାକୁ ପଡିବ ?’

ଜିଲ୍ଲା ପଛରେ ରହିଯାଇଛି...

ସେହିପରି ବୌଦ୍ଧର ବିଧାୟକ ସରୋଜ କୁମାର ପ୍ରଧାନ କହିଛନ୍ତି, ‘ ଡବଲ ଇଞ୍ଜିନ ସରକାରରେ ଆସିଛୁ । ଜିଲ୍ଲାର ଅନେକ ବିକାଶ କାର୍ଯ୍ୟ ହେବ । ଉପାନ୍ତ ଅଞ୍ଚଳର ରାସ୍ତା ଘାଟ ସମସ୍ୟା ହେଉ ଅବା ପିଇବା ପାଣିର ସମସ୍ୟା ସମାଧାନ ପାଇଁ ତ୍ବରାନ୍ବିତ ଚାଲିଛି । ଜିଲ୍ଲା ମାନ୍ୟତା ପାଇବାର ଅନେକ ବର୍ଷ ପରେ ମଧ୍ୟ ଅନ୍ୟ ଜିଲ୍ଲା ତୁଳନାରେ ବୌଦ୍ଧ ଜିଲ୍ଲା ପଛରେ ରହିଯାଇଛି । ବିଜେପି ସରକାରକୁ ଆହୁରି ସାଢେ 3 ବର୍ଷ ରହିଛି । ବୌଦ୍ଧକୁ ବିକଶିତ ଜିଲ୍ଲାରେ ଗଠନ କରିବାକୁ ଆମେ ପ୍ରଚେଷ୍ଠା କରିବୁ । ସମସ୍ତଙ୍କୁ ସହଯୋଗ ପାଇଁ ଆହ୍ବାନ କରୁଛି ।’

ଏହା ମଧ୍ୟ ପଢନ୍ତୁ:

ବୌଦ୍ଧରେ ଭୈରବୀ ସ୍କ୍ୱାର୍ଡର ଶୁଭାରମ୍ଭ, ଡ୍ରାଇଭିଂ କଲେ ରାଜ୍ୟର ପ୍ରଥମ ମହିଳା ହୋମଗାର୍ଡ

ପାଣିରେ ପଡ଼ିଲା 65,00000 ଟଙ୍କା ! ପରିତ୍ୟକ୍ତ ଅବସ୍ଥାରେ ତାମ୍ବିଦରହ ପର୍ଯ୍ୟଟନସ୍ଥଳୀ

ପ୍ରକୃତି ପର୍ଯ୍ୟଟନ ସହ ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର 'ଡମ୍ବରୁ ଗଡ଼', କଣ ରହିଛି ଇତିହାସ ?

ଗାଁକୁ ନାହିଁ ପକ୍କା ରାସ୍ତା, ବାଇକରେ ବୁହା ହେଲା ମୃତଦେହ

ସମସ୍ତେ ମିଶି ସାକାର କରିବା...

ସେହିପରି ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ କହିଛନ୍ତି, ‘ବୌଦ୍ଧ ଜିଲ୍ଲା 32 ବର୍ଷରେ ପଦାର୍ପଣ କରିଛି । ବୌଦ୍ଧରେ ଅନେକ ଉନ୍ନତିମୂଳକ କାମ ହୋଇଛି । ଅନେକ ବାକି ରହିଛି । ସେ ଗୁଡିକ ସମସ୍ତେ ମିଶି ସାକାର କରିବା । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, କୃଷି କିପରି ଉନ୍ନତି ହେବ ସମସ୍ତେ ମିଶି କରିବା ।

ଇଟିଭି ଭାରତ, ବୌଦ୍ଧ