ପୁଞ୍ଜି ଆକର୍ଷଣ ପାଇଁ ୩ ସୂତ୍ରୀ ଆକ୍ସନ ପ୍ଲାନ: ୪୪୨୦୦ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ
୮ ଜିଲ୍ଲାରେ ୧୦ ପ୍ରକଳ୍ପ, ସୃଷ୍ଟି ହେବ ୯ ହଜାର ନିଯୁକ୍ତି । ୪୪ତମ HLCA ବୈଠକରେ ୪୪,୨୦୦ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରୀ ।


Published : February 21, 2026 at 11:19 PM IST
ଭୁବନେଶ୍ବର: ୪୪ତମ ହାଇ ଲେବଲ କ୍ଲିଅରାନ୍ସ ଅଥରିଟି- HLCA ବୈଠକରେ ୪୪ ହଜାର ୨୦୦ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରୀ । ୮ଟି ଜିଲ୍ଲାରେ ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ସେଥିରୁ ସୃଷ୍ଟି ହେବ ପ୍ରାୟ ୯,୦୦୦ ନିଯୁକ୍ତି । ଅନୁମୋଦିତ ପ୍ରକଳ୍ପରେ ନବୀକରଣୀୟ ଶକ୍ତି ଏବଂ ସେମିକଣ୍ଡକ୍ଟର କ୍ଷେତ୍ରକୁ ଗୁରୁତ୍ୱ ଖୋର୍ଦ୍ଧାରେ ହେବ ସେମିକଣ୍ଡକ୍ଟର ମେମୋରି ଚିପ୍, ହାଇ ପରଫର୍ମାନ୍ସ ମ୍ୟାଗନେଟ୍ ଉତ୍ପାଦନ ପ୍ଲାଣ୍ଟ । ପୁଞ୍ଜି ଆକର୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୩-ସୂତ୍ରୀ ଆକ୍ସନ ପ୍ଲାନ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି ୪୪ ତମ ହାଇ ଲେଭେଲ କ୍ଲିଅରାନ୍ସ ଅଥରିଟି ବୈଠକ । ଲୋକସେବା ଭବନରେ ଆଜି ଅନୁଷ୍ଠିତ ବୈଠକରେ ୪୪, ୨୦୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପକୁ ମଞ୍ଜୁର ମିଳିଛି । ରାଜ୍ୟର ୮ଟି ଜିଲ୍ଲାରେ ଏହି ୧୦ଟି ପ୍ରକଳ୍ପ ସ୍ଥାପନ କରାଯିବ । ଯାହା ଦ୍ୱାରା ପ୍ରାୟ ୯ ହଜାର ନିଯୁକ୍ତି ସୃଷ୍ଟି ହେବ । ଏହି ଜିଲ୍ଲାଗୁଡ଼ିକ ହେଉଛି ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ପୁରୀ, ନୟାଗଡ଼, କଳାହାଣ୍ଡି ଓ ଦେବଗଡ଼ । ରେଆର ଆର୍ଥ ମାନୁଫାକ୍ଚରିଙ୍ଗ୍, ସେମିକଣ୍ଡକ୍ଟର, ସିମେଣ୍ଟ, ଟେଲିକମ୍ ଭିତ୍ତିଭୂମି, ଅଟୋମୋବାଇଲ ଓ ଅଟୋକମ୍ପୋନେଣ୍ଟ ଏବଂ ଶକ୍ତି ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ନିବେଶ ପ୍ରସ୍ତାବ ଗୁଡ଼ିକୁ ମଞ୍ଜୁର କରାଯାଇଛି ।

ବୈଠକରେ ପୁଞ୍ଜି ଆକର୍ଷଣ ଓ ପୁଞ୍ଜି ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ ଓଡ଼ିଶାର ଉଚ୍ଚ ପ୍ରଦର୍ଶନ ପାଇଁ ସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡ଼ିଶା ଏବେ ପାରମ୍ପରିକ ଶିଳ୍ପ ବ୍ୟତୀତ ଆଧୁନିକ, ଟେକ୍ନୋଲୋଜି ପରିଚାଳିତ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ଏହି HLCA ଗୁଡ଼ିକ ଜରିଆରେ ଆମେ ଏବେ ଉଦୀୟମାନ ଶିଳ୍ପ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିପାରୁଛୁ । ବିଶେଷକରି ଆଧୁନିକ ମାନୁଫାକ୍ଚରିଂ ଓ ନବୀକରଣୀୟ ଶକ୍ତି ଉତ୍ପାଦନରେ ଓଡ଼ିଶାର ସ୍ଥିତି ସୁଦୃଢ଼ ହେଉଛି । ଏହା ଦ୍ୱାରା ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ତ୍ୱରାନ୍ୱିତ ହୋଇପାରୁଛି ।


HLCAର ସଦସ୍ୟ ଓ ଅଧିକାରୀମାନଙ୍କୁ ପୁଞ୍ଜିନିବେଶରେ ଅଧିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଏକ ୩-ସୂତ୍ରୀ ଆକ୍ସନ ପ୍ଲାନ ଦେଇଛନ୍ତି ।
- ପ୍ରଥମଟି ହେଉଛି, ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ତେଣୁ ଏ କ୍ଷେତ୍ରରେ ରାଜ୍ୟର ଅଭିଯାନକୁ ଆହୁରି ସୁଦୃଢ କରିବାକୁ ପଡ଼ିବ ।
- ଦ୍ବିତୀୟଟି ହେଲା, ଫଙ୍କସ୍ନାଲ ସିଷ୍ଟମକୁ ଆହୁରି ଉନ୍ନତ କରିବାକୁ ପଡ଼ିବ । ଏହା ଦ୍ବାରା ଶିଳ୍ପ ସ୍ଥାପନ କ୍ଷେତ୍ରରେ ଅଧିକ ଗତି ଆସିବ । ଶିଳ୍ପାୟନ ପ୍ରକ୍ରିୟା ମଧ୍ୟ ସହଜ ହେବ ।
- ତୃତୀୟ ବିଷୟଟି ହେଉଛି, ପ୍ରକଳ୍ପ ଗୁଡ଼ିକୁ ଗ୍ରାଉଣ୍ଡିଂ କରିବା ପାଇଁ ଯେତିକି ସମୟ ଲାଗୁଛି, ତାକୁ ଆହୁରି କମ୍ କରିବାକୁ ପଡ଼ିବ । ଯେଉଁ ରାଜ୍ୟରେ ଶିଳ୍ପ ପ୍ରକଳ୍ପ ଗୁଡ଼ିକ ସବୁଠାରୁ କମ ସମୟ ମଧ୍ୟରେ ଗ୍ରାଉଣ୍ଡିଂ ହେଉଥିବ, ନିବେଶକ ସେଠାକୁ ଯିବା ପାଇଁ ଅଧିକ ପସନ୍ଦ କରିବେ । ତେଣୁ ଏସବୁ ବିଷୟ ଗୁଡିକ ପ୍ରତି ଅଧିକ ଧ୍ୟାନ ଦେଇ ଏକ ଫୋକସଡ ଆପ୍ରୋଚ ନେଇ ଉଦ୍ୟମ ଅବ୍ୟାହତ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି- ASP Semicon Private Limited । ଏହି କମ୍ପାନୀ ୪,୬୨୦ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ଏକ ସେମିକଣ୍ଡକ୍ଟର ମେମୋରୀ ଚିପ ମଡ୍ୟୁଲ୍ ପ୍ଲାଣ୍ଟ ସ୍ଥାପନ କରିବ । ଏହା ଦ୍ୱାରା ପ୍ରାୟ ୨୫୦୦ ନିଯୁକ୍ତି ସୃଷ୍ଟି ହେବ । ସେହିପରି Magnova Private Limited ଖୋର୍ଦ୍ଧାରେ ୧୦୫୦ କୋଟି ଟଙ୍କା ବିନିଯୋଗରେ ଏକ ଇଣ୍ଟିଗ୍ରେଟେଡ ହାଇ ପରଫର୍ମାନ୍ସ ମ୍ୟାଗନେଟ ମାନୁଫାକ୍ଚରିଂ ଫାସିଲିଟି ନିର୍ମାଣ କରିବ । ସେମିକଣ୍ଡକ୍ଟର ଓ ରେୟାର ଅର୍ଥ କ୍ଷେତ୍ରରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିବେଶ ଓଡ଼ିଶାକୁ ଆଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଣୀ କରିବାରେ ସହାୟକ ହେବ ।

ସେହିପରି Bharat Forge Limited ଢେଙ୍କାନାଳରେ ୩୦୦୦ କୋଟି ଟଙ୍କା ବିନିଯୋଗରେ ଏକ ଅଟୋମୋଟିଭ, ଏରୋସ୍ପେଶ ଓ ଡିଫେନ୍ସ ଉପକରଣ ନିର୍ମାଣ ୟୁନିଟ ସ୍ଥାପନ କରିବ । ଏହା ଦ୍ୱାରା ୧୦୦୦ ନିଯୁକ୍ତି ସ୍ଥାପନ କରିବ ।
ସିମେଣ୍ଟ କ୍ଷେତ୍ରରେ ମଧ୍ୟ ଦୁଇଟି ପ୍ରସ୍ତାବ ଅନୁମୋଦନ ପାଇଛି । କୋରାପୁଟରେ NCL Industries Limited ୨୦୦୦ କୋଟି ଟଙ୍କା ଓ ମାଲକାନଗିରିରେ Dalmia Cement Ltd 2000 କୋଟି ଟଙ୍କା ବିନିଯୋଗରେ ସିମେଣ୍ଟ ପ୍ରସ୍ତୁତି ୟୁନିଟ ପ୍ରତିଷ୍ଠା କରିବେ । ଏହି ଦୁଇଟି କମ୍ପାନୀ ଦ୍ୱାରା ଦକ୍ଷିଣ ଓଡ଼ିଶାରେ ୨୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ନବୀକରଣୀୟ ଶକ୍ତି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁରୀ ହାସଲ କରିଛି । ନବୀକରଣୀୟ ଶକ୍ତି ଭିତ୍ତିଭୂମି ନିର୍ମାଣ ପାଇଁ Adani Hydro Energy Twelve Ltd ନୟାଗଡ଼ରେ ୯, ୭୩୧.୪୭ କୋଟି, Sangamam CD Hydro Consortium କୋରାପୁଟରେ ୯୦୦୦ କୋଟି, Greenko OR01 IREP Private Ltd କଳାହାଣ୍ଡିରେ ୭୫୦୬.୯୪ କୋଟି ଏବଂ Jindal Green PSP Two Private Ltd ଦେବଗଡ଼ରେ ୩୭୧୧.୫୬ କୋଟି ଟଙ୍କା ବିନିଯୋଗରେ ପମ୍ପ୍ଡ ଷ୍ଟୋରେଜ ହାଇଡ୍ରୋ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବେ ।
ସେହିପରି ଟେଲିକମ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପୁରୀରେ Shreetech Data Limited-CLS କମ୍ପାନୀ ୧୬୨୨ କୋଟି ଟଙ୍କା ବିନିଯୋଗ କରି ଏକ କେବୁଲ ଲ୍ୟାଣ୍ଡିଙ୍ଗ ଷ୍ଟେସନ ପ୍ରତିଷ୍ଠା କରିବ । ଏହା ଦ୍ୱାରା ଡିଜିଟାଲ କନେକ୍ଟିଭିଟିରେ ଓଡ଼ିଶାର ଗୁରୁତ୍ୱ ବୃଦ୍ଧି ପାଇବା ସହିତ ଦେଶର ପୂର୍ବ ଉପକୂଳରେ ଓଡ଼ିଶା ଏକ ଷ୍ଟ୍ରାଟେଜିକ ଗେଟ-ୱେ ଭାବେ ପ୍ରତିଷ୍ଠା ହାସଲ କରିବ ।
ଏହା ମଧ୍ୟ ପଢ଼ନ୍ତୁ- ରାଜ୍ୟ ସମବାୟ ନୀତି-୨୦୨୬କୁ କ୍ୟାବିନେଟର ଅନୁମୋଦନ
ଏହା ମଧ୍ୟ ପଢ଼ନ୍ତୁ- ସଚିବସ୍ତରୀୟ ବୈଠକ ଅନୁଷ୍ଠିତ; ମୁଖ୍ୟମନ୍ତ୍ରୀଙ୍କ ୧୫ ସୂଚୀ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀକୁ ଗୁରୁତ୍ୱ
ଇଟିଭି ଭାରତ, ଭୁବନେଶ୍ବର

