ETV Bharat / state

ପାରୋଲରେ ଆସି ଛୁ ମାରିଥିଲା, 9 ବର୍ଷ ପରେ ପଞ୍ଜାବରୁ ଆଜୀବନ କଏଦୀ ଗିରଫ

2017 ମସିହାରୁ ପାରଲରେ ଯାଇ ଫେରାର ହୋଇଥିବା ଅଭିଯୁକ୍ତକୁ ବାନ୍ଧିଲା ପୋଲିସ, ବିଳମ୍ବରେ ଅଭିଯୋଗକୁ ନେଇ ଉଠିଲା ପ୍ରଶ୍ନ । ରିପୋର୍ଟ- ନାରାୟଣ ସାହୁ

2008 Bhairpur murder case cuttack
9 ବର୍ଷ ପରେ ପଞ୍ଜାବରୁ ଆଜୀବନ କଏଦୀକୁ ଗିରଫ କଲା କମିଶନରେଟ ପୋଲିସ (ETV Bharat Odisha)
author img

By ETV Bharat Odisha Team

Published : June 30, 2026 at 8:04 PM IST

2 Min Read
Choose ETV Bharat

କଟକ: ୯ ବର୍ଷରୁ ଅଧିକ ସମୟ ଧରି ଫେରାର ଥିବା ଆଜୀବନ କଏଦୀକୁ ପଞ୍ଜାବରୁ ଗିରଫ କରିଛି କଟକ କମିଶନରେଟ୍ ପୋଲିସ । ସମ୍ପୃକ୍ତ ଯୁବକ ଜଣକ ହେଉଛି ଜଗତପୁର ଥାନା ଭୈରପୁର ଗ୍ରାମର ସାଜିତ ଖାନ । କଟକ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପଞ୍ଜାବର ଅମୃତସରରୁ ତାକୁ ଗିରଫ କରି ଓଡ଼ିଶା ଆଣିଛି ।

9 ବର୍ଷ ପରେ ପଞ୍ଜାବରୁ ଆଜୀବନ କଏଦୀକୁ ଗିରଫ କଲା କମିଶନରେଟ ପୋଲିସ (ETV Bharat Odisha)


୨୦୦୮ ମସିହା ଏପ୍ରିଲ ୨୮ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ଭୈରପୁର ଗ୍ରାମରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଥିଲା । ସାଜିତ ଖାନ ଏବଂ ତା'ର ଅନ୍ୟ ସହଯୋଗୀମାନେ ମିଶି ସେହି ଗ୍ରାମର ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ସହ ମୃତକଙ୍କ ବଡ଼ ଭଉଣୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଏହି ମାମଲାରେ ସାକ୍ଷୀ ଓ ପ୍ରମାଣ ଆଧାରରେ ୨୦୧୦ ମସିହାରେ କଟକର ଫାଷ୍ଟ ଟ୍ରାକ୍ କୋର୍ଟ-୧ ସାଜିତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ସେ ଚୌଦ୍ୱାର ସର୍କଲ ଜେଲରେ କଏଦୀ ଭାବେ ନିଜର ସଜା କାଟୁଥିଲା ।

୨୦୧୭ ମସିହା ମାର୍ଚ୍ଚ ୭ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସାଜିତକୁ ୧୪ ଦିନ ପାଇଁ ପାରୋଲ ମିଳିଥିଲା । ନିୟମ ଅନୁଯାୟୀ ମାର୍ଚ୍ଚ ୨୧ ତାରିଖରେ ତାକୁ ପୁଣି ଜେଲରେ ଆତ୍ମସମର୍ପଣ କରିବାର ଥିଲା । ମାତ୍ର ସେ ଜେଲକୁ ନଫେରି ଚତୁରତାର ସହ ସେଠାରୁ ଫରାର ହୋଇଯାଇଥିଲା । ଏ ସମ୍ପର୍କରେ ଚୌଦ୍ୱାର ଜେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ କ୍ରମେ ଗତ ବର୍ଷ ଡିସେମ୍ବର ୨୫ରେ ଜଗତପୁର ଥାନାରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି ଆରମ୍ଭ ହୋଇଥିଲା । ପୋଲିସ ଆଖିରେ ଧୂଳି ଦେଇ ସାଜିତ ପଞ୍ଜାବର ଅମୃତସରକୁ ପଳାଇଥିଲା । ସେଠାରେ ସେ "ଫୟାଜ ଖାନ" ନାମରେ ଏକ ନକଲି ଜାଲ୍ ପରିଚୟ ପତ୍ର ପ୍ରସ୍ତୁତ କରି ସୁଦର୍ଶନ ନଗର ଅଞ୍ଚଳରେ ରହୁଥିଲା ।

ସେଠାରେ ସେ ବେଡ୍ ସିଟ୍ ବିକ୍ରି କରୁଥିବା ବେଳେ ସ୍ଥାନୀୟ ଜଣେ ମହିଳାଙ୍କୁ ବିବାହ କରି ନିଜର ସଂସାର ମଧ୍ୟ ଗଢ଼ି ସାରିଥିଲା । ନିଜର ନୂଆ ପରିଚୟ ସୃଷ୍ଟି କରିଥିଲେ ମଧ୍ୟ ସେ କଟକରେ ଥିବା ନିଜ ସମ୍ପର୍କୀୟମାନଙ୍କ ସହ ଗୋପନରେ ଯୋଗାଯୋଗରେ ଥିଲା । ଅମୃତସର ପୋଲିସ ଏବଂ ସ୍ଥାନୀୟ ଓଡ଼ିଆ ସଂଗଠନର ସହାୟତାରେ ପ୍ରାୟ ଦୁଇ ଦିନ ଧରି ଗଳି କନ୍ଦି ଖୋଜାଖୋଜି କରିବା ପରେ ସୁଦର୍ଶନ ନଗର ରାସ୍ତାରେ ବେଡ୍ ସିଟ୍ ବିକ୍ରି କରିବାକୁ ମୋଟରସାଇକେଲ୍‌ରେ ଯାଉଥିବା ସମୟରେ ସାଜିତକୁ ଚିହ୍ନଟ କରାଯାଇ କାବୁ କରାଯାଇଥିଲା ।

ତେବେ କାହିଁକି ଦୀର୍ଘ ବର୍ଷ ପରେ ଜେଲ କର୍ତ୍ତୃପକ୍ଷ ପୋଲିସକୁ ଅବଗତ କରି ନଥିଲେ ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏନେଇ କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି, "ଆମ ପାଖକୁ ଯେବେ ଅଭିଯୋଗ ଆସିଲା, ପୋଲିସ ସେବେ ଠାରୁ ଅପରାଧୀକୁ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲା ।"


ଏହା ବି ପଢନ୍ତୁ- କଟକ ବଡ଼ ମେଡିକାଲ ଆସୁଥିଲେ ସାବଧାନ ! ବର୍ଷକ ମଧ୍ୟରେ ହଜିଲେଣି 66 ରୋଗୀ !

ଇଟିଭି ଭାରତ, କଟକ