19 ବର୍ଷର ନିଆରା ସମ୍ପର୍କର ଅନ୍ତ, ପରଲୋକରେ ପୋଷା ଛେଳି 'କୁଆଁର' , ଚାରିକାନ୍ଧ ଦେଲେ ପରିବାର ଓ ପଡ଼ୋଶୀ
ଦୁଃଖସୁଖରେ ସାଥୀ ପୋଷା ଛେଳିକୁ ହରାଇ ଭାଙ୍ଗିପଡିଛନ୍ତି ଅଭିରାମ ଖରସେଲ ଏବଂ ତାଙ୍କ ପରିବାର ଲୋକ । ଜଣେ ମୃତ ମଣିଷ ଭଳି 'କୁଆଁର' ର ଶେଷକୃତ୍ୟ କରାଯାଇଛି ।ରିପୋର୍ଟ: ବାଦଶାହ ଜୁସ୍ମନ ରଣା

Published : September 2, 2026 at 2:15 PM IST
SAMBALPUR GOAT STORY ସମ୍ବଲପୁର: ଦୀର୍ଘ 19 ବର୍ଷର ସମ୍ପର୍କ ... ଏବେ କେବଳ ରହିଗଲା ତା' ସହିତ ବିତିଥିବା ମିଠା ସ୍ମୃତି । 19 ବର୍ଷ ତଳେ ଏକ ଛେଳିକୁ ଘରକୁ ଆଣିଥିଲେ ଅଭିରାମ ଖରସେଲ୍ । ସଭିଏଁ ସ୍ନେହରେ ତାକୁ ‘କୁଆଁର’ ବୋଲି ଡାକୁଥିଲେ । ସମୟ ସହିତ ସେ ପରିବାରର ସଦସ୍ୟ ବନି ଯାଇଥିଲା । ଏତେ ଦିନ ଧରି ଦୁଃଖସୁଖରେ ସାଥ୍ ଦେଇଥିବା କୁଆଁର ସବୁଦିନ ପାଇଁ ଆଖିବୁଜି ଦେଇଛି । ପୋଷା ଛେଳିକୁ ହରାଇ ଭାଙ୍ଗିପଡିଛନ୍ତି ଅଭିରାମ ଓ ପରିବାର ଲୋକ । ଛେଳିକୁ ଚାରିକାନ୍ଧ ଦେଇ ଚିରଦିନ ପାଇଁ ବିଦାୟ ଦେଇଛନ୍ତି ଅଭିରାମ ।ETV Bharatର ସ୍ବତନ୍ତ୍ର ଉପସ୍ଥାପନାରେ ଜାଣିବା ଅଭିରାମ ଓ କୁଆଁରଙ୍କ କାହାଣୀ ....
ମଣିଷ ସ୍ବାର୍ଥ ପାଇଁ ରକ୍ତ ସମ୍ପର୍କକୁ ପର କରିବାକୁ ପଛାଏ ନାହିଁ । ହେଲେ ଏକ ନିରୀହ ପଶୁର ଭଲ ପାଇବାରେ ନଥାଏ ଛଳ ଓ ଦ୍ବେଷ ଭଳି ହୀନ ଭାବନା । ଏହା ଏପରି ଏକ ସମ୍ପର୍କ ପାଲଟିଯାଏ, ଯେଉଁଥିରେ ଶବ୍ଦର ଆବଶ୍ୟକତା ପଡ଼େନାହିଁ । ସ୍ନେହ, ପ୍ରେମ ଓ ଭଲ ପାଇବା ପାଲଟିଯାଏ ସବୁକିଛି । ଏହାର ଏକ ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବାମରା ନିକଟ ଝାରସୁଗୁଡା ଜିଲ୍ଲାର ଲାଇକେରା ଥାନା ଅନ୍ତର୍ଗତ ତପଗୁଞ୍ଜା ଆମମୁଣ୍ଡା ଗ୍ରାମରେ ...
ପରିବାରର ସଦସ୍ୟ ପାଲଟିଥିଲା:
ସମାଜସେବୀ ତଥା ଜାମମାଲର ପୂର୍ବତନ ନାଏବ ସରପଞ୍ଚ ଅଭିରାମ ଖରସେଲଙ୍କ ପରିବାରର ସଦସ୍ୟ ପାଲଟି ଯାଇଥିଲା ପୋଷା ଛେଳି 'କୁଆଁର' । 19 ବର୍ଷ ଧରି ଏହି ଛେଳିକୁ ପାଳି ଆସୁଥିଲେ ଅଭିରାମଙ୍କ ପରିବାର । ପରିବାରର ଜଣେ ସଦସ୍ୟ ଭାବରେ ଗୁଣିଥିଲେ ଅଭିରାମ । ତାକୁ ମଣିଷ ଭଳି ସ୍ବାସ୍ଥ୍ୟକର ଖାଦ୍ୟ ଓ ପାଣି ଦେଉଥିଲେ । ଶୋଇବା ପାଇଁ ଗୁହାଳ ବଦଳରେ ଏକ ରୁମ୍ ରେ ରହୁଥିଲା । ତା ପାଇଁ ଥିଲା ମଶାରୀ ଏବଂ ଫ୍ୟାନ ।
ଗତ ଅଗଷ୍ଟ 29 ତାରିଖ (ଶନିବାର)ରେ ହଠାତ ଅସୁସ୍ଥତା ଅନୁଭବ କରିଥିଲା କୁଆଁର(ଛେଳି) । ତାକୁ ପାରାଲିସସ୍ ରୋଗ ହୋଇଥିଲା । ଏଥିପାଇଁ ନିୟମିତ ଚିକିତ୍ସା ମଧ୍ୟ ଚାଲିଥିଲା । ହେଲେ ସେହିଦିନ ଛେଳିଟିର ମୃତ୍ୟୁ ଘଟିଥିଲା ।
2007 ମସିହା ଜୁନ 1 ତାରିଖରେ କୁଆଁରର ଜନ୍ମ । ଛୋଟ ଛେଳିଟି ତାର ମା'ର କ୍ଷୀର ପିଉଥିବାର ଦୃଶ୍ୟକୁ ଦେଖିବାକୁ ଭାରି ଭଲ ପାଉଥିଲେ ଅଭିରାମ ଖରସେଲ । ସେ କୁହନ୍ତି, ଛେଳିଟି ପ୍ରଥମ କିଛି ବର୍ଷ ଜଙ୍ଗଲକୁ ଚରିବାକୁ ଯାଉଥିଲା । ହେଲେ ପରବର୍ତ୍ତୀ ସମୟରେ ଅଧିକାଂଶ ସମୟ ସେ ଆଉ ଚରିବାକୁ ଗଲାନାହିଁ । ସବୁବେଳେ ଘର ଏବଂ ଅଗଣାରେ ବୁଲୁଥିଲା । ରାତିରେ ସେ ଅଭିରାମଙ୍କ ନିକଟରେ ଶୋଉଥିଲା ।

ସ୍ନେହ ଆଦରରେ ବଢିଥିଲା କୁଆଁର(ଛେଳି):
ଅଭିରାମ ଛେଳିଟିକୁ ମଣିଷ ଭଳି ସ୍ନେହ ଆଦର କରୁଥିଲେ । ପରିବାର ସଦସ୍ୟ ଭଳି ସେ ମଧ୍ୟ ଭାତ କିମ୍ଵା ରୁଟି ଖାଉଥିଲା । ବଜାରରୁ ତା ପାଇଁ ଆଳୁଚପ୍ ଓ ସିଙ୍ଗଡ଼ା ଆସୁଥିଲା । ସେ ପରିବାର ଲୋକଙ୍କ ଭଳି ଫଳ ମୂଳ ମଧ୍ୟ ଖାଉଥିଲା । 'କୁଆଁର' ବୋଲି ଡାକିଦେଲେ, ସଙ୍ଗେ ସଙ୍ଗେ ପହଞ୍ଚି ଯାଉଥିଲା । ସେ ଛେଳିଟିଏ ହେଲେ ମଧ୍ୟ ଅଭିରାମଙ୍କ ପରିବାର ସହ ନିଆରା ବନ୍ଧନରେ ବାନ୍ଧି ହୋଇଯାଇଥିଲା ।
ପରିବାର ସଦସ୍ୟକୁ ଅଶ୍ରୁଳ ବିଦାୟ:
ଗତ କିଛି ଦିନ ଧରି କୁଆଁର ଅସୁସ୍ଥ ଥିଲା । ପରିବାର ଲୋକେ ତାହାର ଯତ୍ନ ନେଉଥିଲେ । ମାତ୍ର ଶେଷରେ 19 ବର୍ଷର ଏହି ପ୍ରିୟ ସାଥୀ ସମସ୍ତଙ୍କୁ ଛାଡ଼ି ଚାଲିଯିବା ପରେ ଘରେ ଶୋକର ଛାୟା ଖେଳିଯାଇଛି । "କୁଆଁର"ର ଶେଷକୃତ୍ୟ ମଧ୍ୟ ପରିବାରର ଜଣେ ସଦସ୍ୟ ଭଳି ରୀତିନୀତି ଅନୁସାରେ କରାଯାଇଛି । ଅନ୍ତିମ ବିଦାୟ ସମୟରେ ଅଭିରାମଙ୍କ ଆଖିରୁ ଝରି ପଡ଼ିଥିଲା ଲୁହ । ତାଙ୍କ ପାଇଁ ଏହା କେବଳ ଏକ ଛେଳିକୁ ହରାଇବା ନୁହେଁ, ବରଂ ଦୀର୍ଘ 19 ବର୍ଷର ଜଣେ ସାଥୀ ଓ ପରିବାରର ଅନ୍ୟତମ ସଦସ୍ୟକୁ ହରାଇବାର ଦୁଃଖ ଥିଲା ।କୁଆଁରର ଶେଷ ଦର୍ଶନରେ ସାମିଲ ହୋଇଥିଲେ ପଡ଼ୋଶୀ ଓ ଗ୍ରାମବାସୀ । ବିଦାୟ ବେଳାର ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା ।

ଅଭିରାମଙ୍କ ପ୍ରତିକ୍ରିୟା ' ଆମ ସମାଜରେ ଜଣେ ମଣିଷର ମୃତ୍ୟୁ ହେଲେ ଯେପରି ଶେଷକୃତ୍ୟ କରାଯାଏ, ଠିକ୍ ସେହିପରି କୁଆଁରର ମୃତ୍ୟୁ ପରେ ରୀତିନୀତି ପାଳନ କରାଯାଇଛି। ସାମର୍ଥ୍ୟ ଅନୁସାରେ ଲୋକଙ୍କୁ ଖାଇବା ପାଇଁ ଦିଆଯିବ। '

ଅଭିରାମଙ୍କ ସାଙ୍ଗ ବେଦବ୍ୟାସ ଭଏଁସା କହିଛନ୍ତି, "ଅଭିରାମ ଭାଇ ଛେଳିଟିକୁ ନିଜ ଭାଇ ଭଳି ଦେଖୁଥିଲେ । ଛେଳି କେବେ ବି ତଳେ ଶୋଉ ନଥିଲା । ତା ପାଇଁ ସ୍ବତନ୍ତ୍ର ଖଟ ଓ କମ୍ବଳ ବ୍ୟବସ୍ଥା କରାଯାଇଥିଲା । ଆମେ ବାହାରୁ ଘରକୁ ଆସିଲେ ସେ ଆମ ପାଖକୁ ଦୌଡ଼ି ଆସେ । ଆମେ ମଧ୍ଯ ଶ୍ରଦ୍ଧାରେ ତା' ପାଇଁ ବିଭିନ୍ନ ପ୍ରକାର ଫଳମୂଳ ଆଣି ଦେଉଥିଲୁ । "

ଇଟିଭି ଭାରତ, ସମ୍ବଲପୁର

