ETV Bharat / state

ଶତାୟୁ ପୌରପାଳିକା କେନ୍ଦ୍ରାପଡ଼ା; ବୟସରେ ସବୁଠାରୁ ବଡ, କିନ୍ତୁ ବିକାଶ ମାଟିରୁ ଉଠୁନି

1ରୁ  21 ୱାର୍ଡ ଯେଉଁଠି ଦେଖିବ ସେଇଠି ସମସ୍ୟା । କେଉଁଠି ଡ୍ରେନେଜ ସମସ୍ୟା ତ କେଉଁଠି ପାନୀୟ ଜଳ ସମସ୍ୟା । ପୁଣି କେଉଁଠି ସ୍ୱାସ୍ଥ୍ୟ ସମସ୍ୟା । ରିପୋର୍ଟ-ରାଧାକାନ୍ତ ମହାନ୍ତି

157 anniversary of kendrapara municipality now struggling with many problems
ଶତାୟୁ ପୌରପାଳିକା କେନ୍ଦ୍ରାପଡ଼ା; ବୟସରେ ସବୁଠାରୁ ବଡ, କିନ୍ତୁ ବିକାଶ ମାଟିରୁ ଉଠୁନି (Etv Bharat)
author img

By ETV Bharat Odisha Team

Published : August 30, 2026 at 8:30 PM IST

|

Updated : August 30, 2026 at 8:44 PM IST

4 Min Read
Choose ETV Bharat

କେନ୍ଦ୍ରାପଡ଼ା: 157 ବର୍ଷରେ ଉପନୀତ ହେଲାଣି । ହେଲେ ବିକାଶର ନକ୍ସା ସ୍ୱପ୍ନରେ ରହି ଯାଇଛି । ଲୋକଙ୍କ ଦୁଃଖ, ଯନ୍ତ୍ରଣା ଆଉ ସମସ୍ୟାକୁ ଅନୁଭବ କରି ଆଜି ନିଜକୁ ରାଜ୍ୟର ପ୍ରଥମ ପୌରପାଳିକା ବୋଲି ପରିଚୟ ଦେବାକୁ ଲଜ୍ଜା ଅନୁଭବ କରିଛି କେନ୍ଦ୍ରାପଡା । 1ରୁ 21 ୱାର୍ଡ ଯେଉଁଠି ଦେଖିବ ସେଇଠି ସମସ୍ୟା । କେଉଁଠି ଡ୍ରେନେଜ ସମସ୍ୟା ତ କେଉଁଠି ପାନୀୟ ଜଳ ସମସ୍ୟା । ପୁଣି କେଉଁଠି ସ୍ୱାସ୍ଥ୍ୟ ସମସ୍ୟା । କେନ୍ଦ୍ରାପଡା ପୌରପାଳିକା ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ-ଏ ସମସ୍ୟାର ସମାଧାନ ପାଇଁ ଆଉ କେତେ ବର୍ଷ ଲାଗିବ ? 150 ବର୍ଷରୁ ଅଧିକ ବୟସ୍କ ଏହି ପୌରପାଳିକା କଣ ଏମିତି ଯନ୍ତ୍ରଣା ଭିତରେ ସଢୁଥିବ ? ବିକାଶର ପାଦଚିହ୍ନ ଏଠି କଣ ପଡିବନି ? ଏଥିପାଇଁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡିବ ? ଶତାୟୁ କେନ୍ଦ୍ରାପଡ଼ା ପୌରପାଳିକାର ସମସ୍ୟାକୁ ନେଇ ଇଟିଭି ଭାରତର ସ୍ୱତନ୍ତ୍ର ଷ୍ଟୋରି ।

ଶତାୟୁ ପୌରପାଳିକା କେନ୍ଦ୍ରାପଡ଼ା; ବୟସରେ ସବୁଠାରୁ ବଡ, କିନ୍ତୁ ବିକାଶ ମାଟିରୁ ଉଠୁନି (Etv Bharat)

କେନ୍ଦ୍ରାପଡ଼ା ପୌରପାଳିକା । ଓଡ଼ିଶାର ସବୁଠାରୁ ପ୍ରାଚୀନ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଭାବେ ମାନ୍ୟତା ପାଇଛି। କେନ୍ଦ୍ରାପଡ଼ା ପୌରପାଳିକା ହେଉଛି ଓଡ଼ିଶାର ପ୍ରଥମ ପୌରପାଳିକା । ୧୮୬୯ ମସିହା ମାର୍ଚ୍ଚ ୧୦ ତାରିଖରେ ବ୍ରିଟିଶ ଶାସନ ସମୟରେ ଇଂରେଜ ସରକାରଙ୍କ ଦ୍ୱାରା 'ବଙ୍ଗଳା ପୌର ଆଇନ' ଅଧୀନରେ ସ୍ଥାପିତ ହୋଇଥିଲା। ରାଜ୍ୟର ସର୍ବପ୍ରଥମ ପୌରପାଳିକା ଏବେ ୧୫୭ ବର୍ଷ ଅତିକ୍ରମ କରିଛି । ହେଲେ ଆଜି ବି ବିକାଶ ନକ୍ସା ଦେଖିଲେ, ଏଥିରୁ ସରକାରୀ ଉଦାସୀନତାକୁ ଅନୁଭବ କରିହୁଏ ।

kendrapara municipality
ଶତାୟୁ ପୌରପାଳିକା କେନ୍ଦ୍ରାପଡ଼ା (Etv Bharat)

୨୦୧୧ ଭାରତୀୟ ଜନଗଣନା (Census) ଅନୁଯାୟୀ, କେନ୍ଦ୍ରାପଡ଼ା ପୌରପାଳିକାର ମୋଟ ଜନସଂଖ୍ୟା ୪୭,୦୦୬ ଥିଲା। ପୁରୁଷଙ୍କ ସଂଖ୍ୟା ୨୩୯୪୫, ମହିଳାଙ୍କ ସଂଖ୍ୟା ୨୩୦୬୧ ଓ ଶିଶୁଙ୍କ ସଂଖ୍ୟା ୪,୮୭୪ ଥିଲା । ତେବେ ଦୁଃଖର କଥା, ସର୍ବ ପ୍ରାଚୀନ ପୌରପାଳିକା ହୋଇ ମଧ୍ୟ ଏଠିକୁ ନା ଅଛି ଯାତାୟାତ ପାଇଁ ଭଲ ରାସ୍ତା ନା ଅଛି ପରିମଳର ସୁଧାର ବ୍ୟବସ୍ଥା । ପାନୀୟ ଜଳ ଯୋଗାଣ ଠାରୁ ଆରମ୍ଭ କରି ଖେଳିବା ପାଇଁ ପଡିଆ ପର୍ଯ୍ୟନ୍ତ ସବୁ ଏଠି ନାହିଁ ନାହିଁରେ ଚାଲିଛି ।

kendrapara municipality
ଶତାୟୁ ପୌରପାଳିକା କେନ୍ଦ୍ରାପଡ଼ା (Etv Bharat)

ସର୍ବ ପ୍ରଥମ ମ୍ୟୁନିସିପାଲିଟିରେ ରହିଛି ପୁରୁଣା ସମସ୍ୟା

ରାଜ୍ୟର ସର୍ବପ୍ରଥମ ମ୍ୟୁନିସିପାଲିଟିରେ ପୁରୁଣା ସମସ୍ୟା ଗୁଡ଼ିକୁ ଏଯାବତ୍ ସମାଧାନ କରାଯାଇ ପାରିନାହିଁ ବୋଲି ଅଭିଯୋଗ କରନ୍ତି ସହର ବାସିନ୍ଦା । ଏନେଇ ପ୍ରତିକ୍ରିୟା ରଖି ୨୧ ନଂ ୱାର୍ଡ ବାସିନ୍ଦା ତଥା ଯୁବ ସାମାଜିକ କର୍ମୀ ଉମେଶ ପାଢ଼ୀ କୁହନ୍ତି, ‘୧୫୭ ବର୍ଷର ସର୍ବପୁରାତନ ମ୍ୟୁନିସିପାଲିଟି । କିନ୍ତୁ ସବୁଠୁ ପୁରୁଣା ସମସ୍ୟାଗୁଡ଼ିକ ଏବେ ବେ ରହିଛି। 'ଜାଗା ମିଶନ' ପାଇଁ ସାଧାରଣ ଗରିବ ଲୋକମାନଙ୍କୁ ଖଣ୍ଡେ ଖଣ୍ଡେ ପ୍ରମାଣପତ୍ର ଧରାଇ ଦିଆଗଲା କିନ୍ତୁ ଜାଗା ଏପର୍ଯ୍ୟନ୍ତ ଚିହ୍ନଟ କରାଇ ଦିଆଗଲା ନାହିଁ। ୧ ରୁ ୨୧ ନମ୍ବର ୱାର୍ଡ ପର୍ଯ୍ୟନ୍ତ, ସବୁଠି ଡ୍ରେନେଜ୍ ସମସ୍ୟା ରହିଛି। ସମସ୍ତେ ବର୍ଷାଦିନେ କାନ୍ଦୁଛନ୍ତି । ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ପାଣିରେ ଲୋକମାନେ କାରବାର କରୁଛନ୍ତି। ଟାଇଫଏଡ୍, ଫାଇଲେରିଆ ପରି ରୋଗରେ ସହରର ଲୋକେ ସଂକ୍ରମିତ ହେଉଛନ୍ତି। ସହରବାସୀଙ୍କ ପାଖରେ ଠିକ୍ ଭାବରେ ପାନୀୟ ଜଳ ପହଞ୍ଚୁନାହିଁ । ଠିକ୍ ଭାବରେ ରାସ୍ତାଘାଟ କାର୍ଯ୍ୟ ହୋଇନାହିଁ । ​କିଛି ପାର୍କ ତିଆରି ହୋଇଛି,କିଛି ଲାଇଟ୍ ଲାଗିଛି । ହେଲେ ବିକାଶ ଅଧା ବାଟରେ ଅଟକି ଯାଇଛି । ଯେତେବେଳେ ଅନ୍ୟ ଜିଲ୍ଲା ସହ ନିଜକୁ ତୁଳନା କରୁଛୁ, ଆମକୁ ଲଜ୍ଜାଜନକ ଅନୁଭୂତି ମିଳୁଛି ବୋଲି କହିଛନ୍ତି ଉମେଶ ।

kendrapara municipality now struggling with many problems
କେନ୍ଦ୍ରାପଡ଼ା ପୌରପାଳିକାରେ ଅବ୍ୟବସ୍ଥିତ ଅଳିଆଗଦା (Etv Bharat)

'ସମସ୍ତଙ୍କୁ ସଫାସୁତୁରା ରଖି ନିଜେ ଅସ୍ୱାସ୍ଥ୍ୟକର ପରିବେଶରେ ପଡ଼ିଛୁ'

କେନ୍ଦ୍ରାପଡା ସହରରେ ସବୁଠାରୁ ଦୟନୀୟ ସ୍ଥିତିରେ ରହିଛନ୍ତି ସୁଇପର କଲୋନୀର ଲୋକେ । ବର୍ଷ ବର୍ଷ ଧରି ଏହି କଲୋନୀରେ ପିଢି ପରେ ପିଢି ରହି ଆସୁଥିଲେ ହେଁ ଏ କଲୋନୀକୁ ସର୍ବନିମ୍ନ ସୁବିଧା ମିିଳି ନାହିଁ । ରାତି ୪ରୁ ସକାଳ ୭ ମଧ୍ୟରେ ନିଜ କର୍ତ୍ତବ୍ୟ ସମ୍ପାଦନ କରି ସହରକୁ ଚକାଚକ୍ କରିବାର ପଣ କରିଥିବା ସଫେଇ କର୍ମଚାରୀଙ୍କ ଭାଗ୍ୟ ପଥର ତଳେ ଚାପି ହୋଇ ରହିଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏମାନଙ୍କ ଦୁଃଖ ଶୁଣିବା ପାଇଁ କେହି ନାହାନ୍ତି। ଏନେଇ ପ୍ରତିକ୍ରିୟା ରଖି ସଫେଇ କର୍ମଚାରୀ ରଜ ନାଏକ କୁହନ୍ତି," ଆମେ ସଫେଇ କାମ କଲୁଣି ଆଜିକୁ ୪୦-୫୦ ବର୍ଷ ହେଲାଣି। ଝାଡ଼ୁ ମାରୁଛୁ, ଅଳିଆ ଆବର୍ଜନା ଉଠାଉଛୁ, ଡ୍ରେନ୍ ସଫା କରୁଛୁ, ଯେଉଁଠି କୁକୁର,ଗାଈଗୋରୁ ମରୁଛନ୍ତି ତାକୁ ମଧ୍ୟ ଉଠାଇ ସଫାସୁତୁରା କରୁଛୁ । ହେଲେ ଆମେ କିନ୍ତୁ ବହୁତ କଷ୍ଟରେ ରହୁଛୁ ।’

kendrapara municipality now struggling with many problems
କେନ୍ଦ୍ରାପଡ଼ା ପୌରପାଳିକାରେ ଅବ୍ୟବସ୍ଥିତ ଅଳିଆଗଦା (Etv Bharat)

କଲୋନୀବାସୀଙ୍କ ଦୁଃଖ ବର୍ଣ୍ଣନା କରି ରଜ ଆହୁରି କହିଛନ୍ତି, ‘ଓଡ଼ିଶାର ପ୍ରଥମ ମ୍ୟୁନିସିପାଲଟି ଆମ କେନ୍ଦ୍ରାପଡ଼ା ମ୍ୟୁନିସିପାଲଟି । ଆମ ବାପ-ଅଜା ଆମ ଆଗରୁ ଏଠାରେ କାମ କରୁଥିଲେ । ସେମାନଙ୍କ ପରେ ଆମେ ଏ କାମ କରୁଛୁ । ଆମର ଲୋକ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆମର ଘର ନାହିଁ । ଯେଉଁ ଘରେ ରହୁଛୁ ସେଥିରୁ ଚାଳରୁ ପାଣି ଗଳୁଛି । ଆମେ ପିଲାଛୁଆ ଧରି ବହୁତ କଷ୍ଟରେ ରହୁଛୁ। ସଂଖ୍ୟା ବଢ଼ି ବଢ଼ି ଗଲା ବେଳକୁ ଗୋଟିଏ ଘରେ ଅଳିଆ ଗଦା, ସେଇ ଗୋଟିଏ ଘରରେ ପୁଅ-ବୋହୂ, ଝିଅ-ପୁଅ ଆମେ ସମସ୍ତେ ମିଶି ରହୁଛୁ । ବର୍ଷା ହେଲେ ରହିବା କଷ୍ଟକର ହୋଇ ପଡୁଛି । ଝାଡ଼ା-ପରିଶ୍ରା ଯିବା ପାଇଁ ପାଇଖାନା ଆମର ନାହିଁ। ଏମ୍.ଏଲ୍.ଏ. (MLA), ମନ୍ତ୍ରୀ ଆସି ଆମ ଅବସ୍ଥା ଦେଖି ଯାଉଛନ୍ତି । ହେଲେ କେହି କିଛି କରୁନାହାନ୍ତି ।’

kendrapara municipality now struggling with many problems
କେନ୍ଦ୍ରାପଡ଼ା ପୌରପାଳିକାରେ ଅବ୍ୟବସ୍ଥିତ ଅଳିଆଗଦା (Etv Bharat)

ଆଲୋଚନାରେ ରହି ଯାଇଛି ପୌରପାଳିକାର ବିକାଶ

୨୦୧୧ରୁ ୨୦୨୨ ପର୍ଯ୍ୟନ୍ତ ମ୍ୟୁନିସିପାଲଟିର ନିର୍ବାଚିତ ବୋର୍ଡ ନଥିବାରୁ ପ୍ରଶାସକ ଏହାର ଦାୟିତ୍ଵରେ ଥିଲେ। ତେବେ ୨୦୨୨ ମସିହାରେ ପୌରପାଳିକା ବୋର୍ଡ ଆସିବା ପରେ ଅନେକ ଆଶା ରଖିଥିଲେ ସହରବାସୀ । ହେଲେ ସେ ଆଶା ନିରାଶାରେ ପରିିଣତ ହୋଇଥିଲା । ଲୋକମାନଙ୍କ ଆଶା ପୂରଣରେ ସରକାରୀ ଉଦାସୀନତା ବାଧକ ସାଜିଥିବା କୁହନ୍ତି ୱାର୍ଡ କାଉନସିଲର। ୧୩ନଂ ୱାର୍ଡ କାଉନସିଲର ଶେଖ୍ ଅସଲାମ କୁହନ୍ତି, ‘ ଚାରି ବର୍ଷ ଭିତରେ ଯେତିକି ବିକାଶ ହେବା କଥା ହୋଇ ନାହିଁ । କେନ୍ଦ୍ରାପଡ଼ା ବହୁତ ପୁରାତନ ମୁନିସିପାଲିଟି। ଏଠିକା ଲୋକଙ୍କର ଅନେକ ସମସ୍ୟା ରହିଛି । କେମିତି ସମାଧାନ ହେବ? ବିଜେଡି ସରକାର ବେଳେ ସୁଇପର୍ କଲୋନୀ କାମ ପାଇଁ DPR (Details Project Report) ତିଆରି ହୋଇଥିଲା । ୨୪ କୋଟି ଟଙ୍କାରେ DPR ହୋଇଥିଲା । ଅମ୍ରିତ ଋତୁରାଜ କଲେକ୍ଟର ଥିବାବେଳେ ନିଜେ ଭିଜିଟ୍ କରି ଏହାର ନିହାତି ପୁନରୁଦ୍ଧାର କରିିଯିବା ଦରକାର ବୋଲି କହିଥିଲେ । କିନ୍ତୁ, କାମ କିଛି ନାହିଁ ।'

kendrapara municipality now struggling with many problems
କେନ୍ଦ୍ରାପଡ଼ା ପୌରପାଳିକାରେ ଅବ୍ୟବସ୍ଥିତ ଅଳିଆଗଦା (Etv Bharat)

ସେ ଆହୁରି କହିଛନ୍ତି, 'କେନ୍ଦ୍ରାପଡ଼ା ମୁନିସିପାଲିଟିର ନୂଆ ବିଲ୍ଡିଂ ପାଇଁ ଅର୍ବାନ୍ ମିନିଷ୍ଟର ଶିଳାନ୍ୟାସ କରିଥିଲେ । ସାଢ଼େ ସାତ କୋଟି ଟଙ୍କା ମଞ୍ଜୁର ବି କରିଥିଲେ। କିନ୍ତୁ ଦୁର୍ଭାଗ୍ୟ କଥା, ବର୍ଷେ ବିତି ଯାଇଥିଲେ ହେଁ, କାମ ବନ୍ଦ ରହିଛି । ତିନିମୁହାଣୀରୁ ନ୍ୟୁ ବସ୍ ଷ୍ଟାଣ୍ଡ ରାସ୍ତା ପାଇଁ 9 ମାସ ତଳେ ଦେଢ଼ କୋଟି ଟଙ୍କାର ଟେଣ୍ଡର ହୋଇଥିଲା । ହେଲେ ଆଜି ଯାଏ କେନ୍ଦ୍ରାପଡ଼ା ମୁନିସିପାଲିଟିର ଏକଜିକ୍ୟୁଟିଭ୍ ଅଫିସର ୱାର୍କ ଅର୍ଡର ଦେଉନାହାନ୍ତି । ​ଜିଲ୍ଲା ପ୍ରଶାସନକୁ ଆମେ ବାରମ୍ବାର ଜଣାଉଛୁ, EOଙ୍କୁ ଜଣାଉଛୁ,କଲେକ୍ଟର ସାର୍‌ଙ୍କୁ ଜଣାଉଛୁ। କିନ୍ତୁ କାମ ହେଉନି ।’

kendrapara municipality now struggling with many problems
କେନ୍ଦ୍ରାପଡ଼ା ପୌରପାଳିକାରେ ଅବ୍ୟବସ୍ଥିତ ଅଳିଆଗଦା (Etv Bharat)

'ସମସ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି'

ଆସନ୍ତା କାଲି ଅର୍ଥାତ ଅଗଷ୍ଟ ୩୧ ତାରିଖ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ହେବ । ଏଭଳି ସମୟରେ କେନ୍ଦ୍ରାପଡ଼ା ସହରକୁ ନେଇ ନାନାଦି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ସହରବାସୀ। ଏନେଇ ପ୍ରତିକ୍ରିୟା ଦେଇ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା କୁହନ୍ତି, ‘ମ୍ୟୁନିସିପାଲିଟି ଏରିଆରେ ଯାହାବି ସୁବିଧା ସୁଯୋଗ ରହିବା କଥା ସେ ଦିଗରେ ପଦକ୍ଷେପ ନିଆ ଯାଉଛି । ଯେଉଁଠି ରାସ୍ତାଘାଟ ଖରାପ ହେଉଛି, ପିଇବା ପାଣି ସମସ୍ୟା ଦେଖା ଦେଉଛି ସେସବୁର ତୁରନ୍ତ ସମାଧାନ କରି ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯିବ। ଖେଳ ପଡିଆ ସମସ୍ୟା ସମ୍ପର୍କରେ ମଧ୍ୟ ଆମେ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ’ ବୋଲି କହିଛନ୍ତି।

ଇଟିଭି ଭାରତ,କେନ୍ଦ୍ରାପଡ଼ା

ଏହା ମଧ୍ୟ ପଢନ୍ତୁ ୩୪ ବର୍ଷରେ କେନ୍ଦ୍ରାପଡା; ଏବେ ବି ଜି'ଲ୍ଲାରେ ପହଞ୍ଚି ପାରିନି ବିକାଶ

ଏହା ମଧ୍ୟ ପଢନ୍ତୁ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ପ୍ରିୟ 'ରସାବଳି' ; ୭୦୦ ବର୍ଷର ପୁରୁଣା ମିଠା, ଦିନକୁ ୧୦ ଲକ୍ଷ ଟଙ୍କା ବ୍ୟବସାୟ

Last Updated : August 30, 2026 at 8:44 PM IST